ମାଟିରେ ଲୋଟୁଛି ମାଆ ବିରଜାଙ୍କ ପ୍ରତିମୂର୍ତ୍ତି; କେବେ ସ୍ଥାପନ ହେବ?

ବରାହ ନାଥ ବୈତରଣୀ ନଦୀ କୂଳରେ ନିର୍ମିତ ୧୮୩ ଫୁଟର ଉଚ୍ଚ ଶିବ ମୂର୍ତ୍ତି କାମ ଅଧପନ୍ତରିଆ ଭାବେ ରହିଛି। ଶୈବକ୍ଷେତ୍ର ଯାଜପୁରରେ ଶିବଙ୍କ ମହିମା ଗାନ ପାଇଁ ୨୦୨୧ରେ ପର୍ଯ୍ୟଟନ ବିଭାଗ ଏହି କାମ ଆରମ୍ଭ ହୋଇଥିଲା।

ମାଆ ବିରଜାଙ୍କ ପ୍ରତିମୂର୍ତ୍ତି ତଳେ ପଡ଼ିଛି

  • Published: Wednesday, 04 September 2024
  • , Updated: 04 September 2024, 09:24 PM IST

ସୌନ୍ଦର୍ଯ୍ୟକରଣ ନାଁରେ ଯାଜପୁରରେ ପାଣି ଭଳି ଅର୍ଥ ଶ୍ରାଦ୍ଧ କରାଯାଇଛି। ପୂର୍ବ ବିଜେଡି ସରକାର ଅମଳରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ବର୍ଷା କରାଯାଇଥିଲା। ଏହା ପରେ ମଧ୍ୟ ସବୁଠାରେ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିଛି। କେଉଁଠି ମାସ ମାସ ଧରି ସ୍ଥାପନ ନହୋଇ ଭୂଇଁରେ ଲୋଟୁଛି ମାଆ ବିରଜାଙ୍କ ପ୍ରତିମା ତ ଆଉ କେଉଁଠି ଯୋଡ଼ା ନହୋଇ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଛନ୍ତି ରାଜା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି।

ଯାଜପୁରର ଅଧିଷ୍ଠାତ୍ରୀ ହେଉଛି ମାଆ ବିରଜା। ମାଆଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ତାମ୍ର ଓ ପିତ୍ତଳରେ ନିର୍ମିତ ମାଆ ବିରଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ପାଇଁ ସ୍ଥିର ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସ୍ଥାପନ ହୋଇପାରୁନି ମାଆଙ୍କ ପ୍ରତିମୂର୍ତ୍ତି। ଏବେ ମିଶନ ଶକ୍ତି କାଫେ ସେଣ୍ଟର ଆଗରେ ଅତି ଦୟନିୟ ଅବସ୍ଥାରେ ଗଡ଼ୁଛି ମାଆ ବିରଜାଙ୍କ ପ୍ରତିମୂର୍ତ୍ତି। ଏନେଇ ସେବାୟତମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏହା ପରେ ମଧ୍ୟ ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରୁନି।

ଠିକ୍‌ ସେମିତି ଦଶ୍ୱାଶ୍ୱ ମେଧ ଘାଟରେ ରାଜା ଯଯାତି କେଶରୀ କିପରି ବ୍ରାହ୍ମଣମାନଙ୍କୁ ନେଇ ଦଶ୍ୱାଶ୍ୱ ମେଧ ଯଜ୍ଞ କରିଥିଲେ ତା’ର ଦୃଶ୍ୟାୟନ ସହ ଯାଜପୁର ସହ ଜଡ଼ିତ ସେଇ ଇତିହାସକୁ ବର୍ତ୍ତମାନ ପିଢ଼ି ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏନ୍‌ସି କଲେଜ ପାଖ ଷଢ଼େଇ ପୋଖରୀ କୂଳରେ କୋଟିଏ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପିତ ହୋଇପାରୁନି। ପ୍ରତିମୂର୍ତ୍ତି ସେମିତି ତଳେ ପଡ଼ିଛି। ଏଥିସହ ଅଲଗା ୫ କୋଟି ବ୍ୟୟବରାଦ ପରେ ମଧ୍ୟ ଷଢ଼େଇ ପୋଖରୀ ପୁନରୁଦ୍ଧାର ହୋଇପାରୁନି। କାମ ସେମିତି ଅଧାପନ୍ତରିଆ ଭାବେ ପଡ଼ିଛି।

ସେହିପରି ବରାହ ନାଥ ବୈତରଣୀ ନଦୀ କୂଳରେ ନିର୍ମିତ ୧୮୩ ଫୁଟର ଉଚ୍ଚ ଶିବ ମୂର୍ତ୍ତି କାମ ଅଧପନ୍ତରିଆ ଭାବେ ରହିଛି। ଶୈବକ୍ଷେତ୍ର ଯାଜପୁରରେ ଶିବଙ୍କ ମହିମା ଗାନ ପାଇଁ ୨୦୨୧ରେ ପର୍ଯ୍ୟଟନ ବିଭାଗ ଏହି କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କାମ ସରୁନି। ଆଉ ସେଠାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ପ୍ରତିମୂର୍ତ୍ତି। କୁହାଯାଉଛି ସେହି ଖଣ୍ଡ ବିଖଣ୍ଡିତ ମୂର୍ତ୍ତି କୁଆଡ଼େ ରାଜା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି। ଏହି କାମ କେବେ ସାରିବ, ତାହାର ଉତ୍ତର କାହା ପାଖରେ ନାହିଁ।

ଠିକ୍‌ ସେମିତି ପଣଶା ପଞ୍ଚାୟତ ଆଙ୍କୁଲା ମୌଜାରେ ଯଯାତି କେଶରୀଙ୍କ ନାଁରେ ନାମିତ ମେଡିକାଲ କଲେଜ ଆଗରେ ଆଖିରେ କପଡ଼ା ବନ୍ଧା ଅବସ୍ଥାରେ ରହିଛି ବିଜୁବାବୁଙ୍କ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତି କେଉଁ ବିଭାଗ ଦ୍ୱାରା ତିଆରି ହୋଇଛି? କେବେ ଉନ୍ମୋଚନ ହେବ? ସେ ଉତ୍ତର କାହାପାଖରେ ନାହିଁ। ଏମିତିକି ସ୍ଥାନୀୟ ସରପଞ୍ଚ କୁଳମଣି ପରିଡ଼ା ମଧ୍ୟ କିଛି ଜାଣି ନଥିବା କହିଛନ୍ତି।

ସବୁଠୁ ବଡ଼ କଥା ହେଉଛି ଏସବୁ କାମ ଭିତରୁ କିଛି ସ୍ଥାନରେ ପର୍ଯ୍ୟଟନ ବିଭାଗ ଦ୍ୱାରା କରାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଲାଗିବାକୁ ଥିବା ଏ ବିରାଟ ବିରାଟ ଦାମୀ ତାମ୍ର ଓ ପିତ୍ତଳ ନିର୍ମିତ ପ୍ରତିମୂର୍ତ୍ତି ବାବଦ ଖର୍ଚ୍ଚ କିଏ କରିଛି, କେଉଁ ବିଭାଗରୁ ଏଥିପାଇଁ ଅନୁମତି ମିଳିଛି, ତା’ର ଉତ୍ତର କାହା ପାଖରେ ନାହିଁ। ସେପାଖରେ ଅଧାପନ୍ତରିଆ ଭାବେ ପଡ଼ିଥିବା କାମ ଆଗକୁ ବଢ଼ିପାରୁନି। ତେବେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଏଥିପାଇଁ ପୂର୍ବତନ ବିଧାୟକ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି, ଏଠି ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିର ବ୍ୟାପକ ଅପବ୍ୟବହାର କରାଯାଇଛି।

ହେଲେ ଏନେଇ ପୂର୍ବତନ ବିଧାୟକ ବବି ଦାସଙ୍କର ପ୍ରତିକ୍ରିୟା ମିଳି ନଥିବା ବେଳେ ଜିଲ୍ଲାପାଳ କିଛି କହିବାକୁ ମନା କରିଦେଇଛନ୍ତି।

ରିପୋର୍ଟ-ଯାଜପୁରରୁ ସଂଜୀବ ନାୟକ

Related story