Advertisment

ଉଭାନ୍‌ ହେଲା ବର୍ଷା!; ଅଣ ଧାନ ଚାଷ କରିବାରେ ଲାଗି ପଡ଼ିଛି ଚାଷୀ

ନୂଆପଡ଼ା ଜିଲ୍ଲାରେ ସର୍ବମୋଟ ୧ ଲକ୍ଷ ୮୮ ହଜାର ୮୬୦ ହେକ୍ଟର ଚାଷ ଜମି ଅଛି। ସେଥିମଧ୍ୟରୁ ୮୬ ହଜାର ୪୦୦ ହେକ୍ଟର ଜମିରେ ଧାନଚାଷ ଓ ୧ ଲକ୍ଷ ୨ ହଜାର ୪୦୦ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ରଖିଥିଲା କୃଷି ବିଭାଗ।

Millet

Millet

Advertisment

ନୂଆପଡ଼ା ଆକାଶରେ ଧଳା ଧଳା ଭସା ମେଘ। ନା ବର୍ଷୁଛି, ନା ହେବାର ସମ୍ଭାବନା ଅଛି। ତେଣୁ ପାରମ୍ପରିକ ଭାବେ ଧାନ ଚାଷ କରୁଥିବା ଚାଷୀମାନେ ଏବେ ମାଣ୍ଡିଆ ଓ ଅଣଧାନ ଫସଲ ଚାଷ କରିବାରେ ଲାଗି ପଡ଼ିଛନ୍ତି। କେଉଁଠି କିଏ ମାଣ୍ଡିଆ ରୁଆଯାଉଛି ତ ଆଉ କିଏ ମାଣ୍ଡିଆ ପାଇଁ ତଳି ପକାଉଛି। କିଏ କପା କିଆରିରେ ଘାସ ବାଛୁଛି ତ ଆଉ କିଏ କପା ମଞ୍ଜି ଲଗାଉଛି। ପାରମ୍ପରିକ ଧାନ ଚାଷ ପାଇଁ ବର୍ଷା ନ ଅନାଇ ସମସ୍ତେ ନିଜ ନିଜ କାମରେ ଲାଗି ପଡ଼ିଛନ୍ତି। ଯେଉଁ ଜମିରେ ବିଗତ ବର୍ଷମାନଙ୍କରେ ଧାନ ଚାଷ କରୁ ଥିଲେ, ଏ ବର୍ଷ ମାଣ୍ଡିଆ, ଗୁରୁଜୀ, କପା, ମକା ଆଦି ଚାଷ କରୁଛନ୍ତି। କାରଣ ସ୍ୱଳ୍ପ ବର୍ଷାରେ ଧାନ ଚାଷ କରି କ୍ଷତି ସହିବାକୁ ଚାହୁ ନାହାଁନ୍ତି ଚାଷୀ। ଜମି ପଡ଼ିଆ ଯେମିତି ନ ପଡ଼ିବ ସେଥି ପାଇଁ ଅଣଧାନ ଫସଲ ଚାଷ କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ମାଣ୍ଡିଆ ଚାଷୀ ସଦାନନ୍ଦ ଭୋଇ କହିଛନ୍ତି, କମ୍‌ ପାଣିରେ ମାଣ୍ଡିଆ ଭଲ ଚାଷ ହୋଇଥାଏ। ତେଣୁ ଚଳିତବର୍ଷ କମ୍‌ ବର୍ଷା ହୋଇଥିବାରୁ ମାଣ୍ଡିଆ ଚାଷ କରୁଛୁ। ଏମିତି ଜମି ପଡ଼ିଆ ପକାଇବା ଅପେକ୍ଷା ମାଣ୍ଡିଆ ଚାଷ କରିବା ଭଲ। ଗତବର୍ଷ ଧାନ ଚାଷ କରିଥିଲୁ। ସବୁ ନଷ୍ଟ ହୋଇଥିଲା ବୋଲି ଶ୍ରୀ ଭୋଇ କହିଛନ୍ତି।

ମାଣ୍ଡିଆ ଚାଷୀ ସୁରେଖା କୈବର୍ତ୍ତ କହିଛନ୍ତି, କମ୍‌ ବର୍ଷା ହୋଇଥିବାରୁ ଧାନ ଚାଷ କରିପାରୁ ନାହୁଁ। ତେଣୁ ବାଧ୍ୟ ହୋଇ ମାଣ୍ଡିଆ ଚାଷ କରୁଛୁ। ମାଣ୍ଡିଆ ପାଇଁ ପାଣି ମଧ୍ୟ କମ୍‌ ଆବଶ୍ୟକ ପଡ଼ିଥାଏ ବୋଲି କୈବର୍ତ୍ତ କହିଛନ୍ତି।

Advertisment

ଦର୍ଲିପଡ଼ାର ଚାଷୀ କୃଷ୍ଣ ଚନ୍ଦ୍ର ମାଝୀ କହିଛନ୍ତି, ଆଗପରି ଆଉ ବର୍ଷା ଉପରେ ଭାରସା ପାଉନୁ। ତେଣୁ ବାଧ୍ୟ ହୋଇ ଧାନଚାଷ ଛାଡ଼ି ମାଣ୍ଡିଆ ଚାଷ କରୁଛୁ। ସେପଟେ ଦେଖିବାକୁ ଗଲେ କମ୍‌ ପାଣିରେ ମାଣ୍ଡିଆ ଭଲ ଚାଷ ହୋଇପାରୁଛି ଓ ପ୍ରୋତ୍ସାହନ ରାଶି ମଧ୍ୟ ମିଳୁଛି। ତେଣୁ କିଛି ଅସୁବିଧା ହେଉନି। ଆମ ଗାଁରେ ପ୍ରାୟତଃ ସବୁ ଲୋକ ମାଣ୍ଡିଆ ଚାଷ କରୁଛନ୍ତି ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।

ସେପଟେ ଦେଖିବାକୁ ଗଲେ ନୂଆପଡ଼ା ଜିଲ୍ଲାରେ ସର୍ବମୋଟ ୧ ଲକ୍ଷ ୮୮ ହଜାର ୮୬୦ ହେକ୍ଟର ଚାଷ ଜମି ଅଛି। ସେଥିମଧ୍ୟରୁ ୮୬ ହଜାର ୪୦୦ ହେକ୍ଟର ଜମିରେ ଧାନଚାଷ ଓ ୧ ଲକ୍ଷ ୨ ହଜାର ୪୦୦ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ରଖିଥିଲା କୃଷି ବିଭାଗ। କିନ୍ତୁ ନୂଆପଡ଼ା ଜିଲ୍ଲାରେ ଜୁନ ମାସରେ ପ୍ରାୟ ୫୦ ମିମି କମ୍‌ ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୁଲାଇରେ ଏ ଯାଏ ମାତ୍ର ୧୬୯.୭୬ ମିମି ବର୍ଷା ହୋଇଛି।

ଜୁଲାଇରେ ଜିଲ୍ଲାରେ ୩୧୦.୬ ମିମି ହାରାହାରି ବୃଷ୍ଟିପାତ ହେବା ସ୍ଥଳେ ଏଯାଏ ୧୮ ତାରିଖ ସୁଦ୍ଧା ୧୬୯.୭୬ ମିମି ବର୍ଷା ହୋଇଛି। ସ୍ୱଳ୍ପ ବୃଷ୍ଟିପାତକୁ ନଜର ରଖି ଚାଷୀମାନେ ଅଣଧାନ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଜିଲ୍ଲାରେ ୨୦ ହଜାର ହେକ୍ଟର ଜମିରେ କପା, ୬୮୦୦ ହେକ୍ଟର ଜମିରେ ମକା, ୭୩୭୦ ହେକ୍ଟରରେ ମାଣ୍ଡିଆ, ୪୦ ହଜାର ୪୦୦ ହେକ୍ଟର ଜମିରେ ଡାଲି ଜାତୀୟ ଶସ୍ୟ ଓ ୧୩ ହଜାର ୫୦୦ ହେକ୍ଟର ଜମିରେ ତୈଳବୀଜ ଜାତୀୟ ଫସଲ ଚାଷ କରାଯାଇଛି। ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ବିଭିନ୍ନ ବୈଷୟିକ ଜ୍ଞାନ ବିଭିନ୍ନ ଅନୁଷ୍ଠାନ ସହାୟତା କରୁଛନ୍ତି। ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଅଣଧାନ ଫସଲ ଚାଷ ବୃଦ୍ଧି ପାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ କହିଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Millet Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe