Advertisment

ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା

ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।

author-image
Debadatta Aryashrestha
Sabyasachi Panda (File Photo)

Sabyasachi Panda (File Photo)

ଜେଲରେ ରହି MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା। ଦୁଇ ଦଶନ୍ଧି ଧରି ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କର ଏବେ ପାଠ ପଢ଼ାରେ ବେଶ୍ ଆଗ୍ରହ। ଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପିଜି କରିବେ।

Advertisment

ନୟାଗଡ଼ ରଣପୁରର ତିନି ତିନିଥରର ସିପିଆଇ(ଏମ୍) ବିଧାୟକ ରମେଶ ପଣ୍ଡାଙ୍କ ପୁଅ ତଥା କୁଖ୍ୟାତ ମାଓବାଦୀ ହେଉଛନ୍ତି ସବ୍ୟସାଚୀ ପଣ୍ଡା। ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସରକାରୀ କଲେଜରୁ ପୂର୍ବରୁ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି। ଏବେ ଜେଲରେ ଥାଇ ମନ ବଳାଇଛନ୍ତି ଉଚ୍ଚଶିକ୍ଷା ହାସଲ କରିବାକୁ। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପାଠ ପଢୁଛନ୍ତି ସବ୍ୟସାଚୀ। ତାଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ଦେବେ ପରୀକ୍ଷା। ଏଥିପାଇଁ ସେମାନଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ସମସ୍ତଙ୍କୁ ଜେଲ୍ ପକ୍ଷରୁ ଷ୍ଟଡି ମାଟେରିଆଲ ଯୋଗାଇ ଦିଆଯାଉଛି। ଜେଲ୍ ଶିକ୍ଷକ ବି ସେମାନଙ୍କୁ ପଢିବାରେ ସହଯୋଗ କରୁଛନ୍ତି।

ସବ୍ୟସାଚୀ ପଣ୍ଡା ଓରଫ ସୁନୀଲ, ଦିନେ ଥିଲେ ଓଡ଼ିଶା ମାଓବାଦୀ ପାର୍ଟିର ମୁଖ୍ୟ। ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ସାଜିଥିବା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ୧୮ ଜୁଲାଇ ୨୦୧୪ରେ ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ଗିରଫ ହୋଇଥିଲେ ସବ୍ୟସାଚୀ। ସେବେଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆଜୀବନ ସଜା କାଟୁଛନ୍ତି। ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଏବଂ ନୟାଗଡ଼ ଜିଲ୍ଲାରେ ରହିଛି ଏକାଧିକ ଜଘନ୍ୟ ମାମଲା। ତେବେ ସବୁଠାରୁ ଅଧିକ ଚର୍ଚ୍ଚିତ ରହିଛି ନୟାଗଡ଼ରେ ନକ୍ସଲ ଆକ୍ରମଣ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ।

Advertisment

୨୦୦୮ରେ ନୟାଗଡ଼ ସହରରେ ଥିବା ଜିଲ୍ଲା ଅସ୍ତ୍ରାଗାର ଏବଂ ପୁଲିସ୍ ଟ୍ରେନିଂ ସ୍କୁଲ୍ ଉପରେ ଆକ୍ରମଣ କରି ସାରା ରାଜ୍ୟକୁ ଦୋହଲାଇ ଦେଇଥିଲେ ସବ୍ୟସାଚୀ। ପରେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ ପରବର୍ତ୍ତୀ ହିଂସାରେ ମଧ୍ୟ ରହିଥିଲା ସଂପୃକ୍ତି। ଏପରିକି ୨୦୧୨ରେ ଇଟାଲୀ ପର୍ଯ୍ୟଟକ ଅପହରଣ ମାମଲାରେ ସାମ୍ନାକୁ ଆସିଥିଲା ସବ୍ୟସାଚୀଙ୍କ ବଡ଼  ଭୂମିକା। ଏବେ ପ୍ରାୟ ୧୦ ବର୍ଷ ହେଲା ସେ ଜେଲରେ ସଜା କାଟୁଛନ୍ତି। ଏଭଳି ସ୍ଥିତିରେ ସବ୍ୟସାଚୀଙ୍କ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଅନ୍ୟ କଏଦୀଙ୍କ ପାଇଁ ପ୍ରେରଣା ହେବ ବୋଲି ଆଶା କରାଯାଉଛି।

Sabyasachi Panda Maoist Sabyasachi Panda MA In Jail Mao Leader