Advertisment

ଶୁଣିଲାନି ପ୍ରଶାସନ; ସ୍ୱାମୀଙ୍କୁ ଧରି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ ପତ୍ନୀ

ନରହରି ନାୟକ ଜଣେ ଦିବ୍ୟାଙ୍ଗ ଓ ଦୁର୍ଘଟଣାରେ ପାଦରେ ଚାଲିବା ଶକ୍ତି ହରାଇଛନ୍ତି। ଏକଥା ବ୍ଲକ୍‌ ପ୍ରଶାସନ ଜାଣିଛି। ଏହା ସତ୍ତ୍ୱେ ତାଙ୍କୁ ନିର୍ବାଚନ ପରିଚାଳନା ଡ୍ୟୁଟିରେ ପକାଇଥିଲେ।

author-image
Manoranjan Sial
Baripada

Baripada

ଦିବ୍ୟାଙ୍ଗ। ତା’ପରେ ପୁଣି ଦୁର୍ଘଟଣାରେ ଭାଙ୍ଗି ଯାଇଛି ଅଣ୍ଟା। ଚାଲିବା ପାଇଁ ପାଦରେ ନାହିଁ ବଳ। ଅନ୍ୟର ସାହାଯ୍ୟ ବିନା ସେ ହଲି ପାରୁନାହାନ୍ତି। ଦୁଇ ଜଣଙ୍କ ସାହାଯ୍ୟରେ ସେ ସ୍କୁଲ ଯା’ଆସ କରୁଛନ୍ତି। ହେଲେ ତାଙ୍କର ଏଥର ପଡ଼ିଛି ନିର୍ବାଚନ ଡ୍ୟୁଟି। କେତେକ କାହାକୁ ଗୁହାରୀ କରିଲେ, କେହି ଶୁଣିଲେ ନାହିଁ। ଶେଷରେ ଦିବ୍ୟାଙ୍ଗ ଶିକ୍ଷକ ସ୍ୱାମୀଙ୍କୁ ବୋହି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ପତ୍ନୀ। ଆଉ ସ୍ୱାମୀଙ୍କ ନିର୍ବାଚନ ଡ୍ୟୁଟି ବାତିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ।

Advertisment

କୁଳିଅଣା ବ୍ଲକ୍‌ ହାତୀମୋଡା ଗାଁର ନରହରି ନାୟକ। ପେସାରେ ସେ ଜଣେ ଶିକ୍ଷକ। ଗାଁ ସ୍କୁଲରେ ଚାକିରି କରୁଥିବାରୁ ପ୍ରତିଦିନ ବହୁ କଷ୍ଟରେ ଯିବା ଆସିବା କରନ୍ତି। ଦୁର୍ଭାଗ୍ୟକୁ ଦୁଇ ବର୍ଷ ତଳେ ନରହରି ଏକ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହେଲେ। ଯେଉଁଥିପାଇଁ ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା। ମେଡ଼ିକାଲ୍‌ରେ ଚିକିତ୍ସା ପରେ ସୁସ୍ଥ ହେଲେ। ହେଲେ ଠିଆ ହୋଇପାରିଲେ ନାହିଁ। ଚାଲିବା କଥା ନକହିବା ଭଲ। ଦୁଇ ଜଣଙ୍କ ସାହାଯ୍ୟରେ ପ୍ରତିଦିନ ସ୍କୁଲ ଯାଆନ୍ତି ନରହରି ସାର୍‌। ଶ୍ରେଣୀଗୃହରେ ବସି ପିଲାଙ୍କୁ ପାଠ ପଢ଼ାନ୍ତି। ଆଉ ସ୍କୁଲ ଛୁଟି ହେବା ପରେ ଦୁଇ ଜଣଙ୍କ ସାହାଯ୍ୟରେ ଘରକୁ ଫେରନ୍ତି।

ନରହରି ନାୟକ ଜଣେ ଦିବ୍ୟାଙ୍ଗ ଓ ଦୁର୍ଘଟଣାରେ ପାଦରେ ଚାଲିବା ଶକ୍ତି ହରାଇଛନ୍ତି। ଏକଥା ବ୍ଲକ୍‌ ପ୍ରଶାସନ ଜାଣିଛି। ଏହା ସତ୍ତ୍ୱେ ତାଙ୍କୁ ନିର୍ବାଚନ ପରିଚାଳନା ଡ୍ୟୁଟିରେ ପକାଇଥିଲେ। ଏକଥା ଜାଣିବା ପରେ ଭାଙ୍ଗି ପଡ଼ିଥିଲେ ନରହରି ନାୟକ। ସେ ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପର୍ଯ୍ୟନ୍ତ ଗୁହାରୀ କରି ଥକି ପଡ଼ିଥିଲେ। ହେଲେ କେହି କିଛି କଥା ଶୁଣିନଥିଲେ। ଯେଉଁଥିପାଇଁ ନରହରି ଓ ତାଙ୍କର ଧର୍ମପତ୍ନୀ ସରସ୍ୱତୀ ନାୟକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା।

Advertisment

ସ୍ୱାମୀଙ୍କ ଏପରି ସମୟରେ କ’ଣ କରିବେ କିଛି ଭାବି ପାରୁନଥିଲେ ସରସ୍ୱତୀ। ଶେଷରେ ନେଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସିନ୍ଧେଙ୍କୁ ଦେଖା କରିବା ପାଇଁ ନିଷ୍ପତ୍ତି ନେଲେ। ସେଥିପାଇଁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଦୁଇ ସମ୍ପର୍କୀୟଙ୍କ ସାହାଯ୍ୟରେ ସ୍ୱାମୀଙ୍କୁ ଧରି ଡହଡହ ଖରାରେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ। ସ୍ୱାମୀଙ୍କୁ ଏକ ପ୍ଲାଷ୍ଟିକ୍‌ ଚେୟାରରେ ବସାଇଲେ। ତା’ପରେ ଦୁଇ ସମ୍ପର୍କୀୟ ତାଙ୍କୁ ଚେୟାର ସହ ଟେକି ଟେକି ନେଇ ଜିଲ୍ଲାପାଳଙ୍କ ଚାମ୍ୱର ଭିତରେ ପଶିଗଲେ। ଆଉ ସମ୍ମୁଖରେ ଜିଲ୍ଲାପାଳଙ୍କୁ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ସରସ୍ୱତୀ। ସ୍ୱାମୀଙ୍କ ନିର୍ବାଚନ ଡ୍ୟୁଟି ଅର୍ଡର ବାତିଲ କରିବା ପାଇଁ ଗୁହାରୀ କରିଥିଲେ।

ହେଲେ ଅନ୍ୟମନସ୍କ ଥିବା ଜିଲ୍ଲାପାଳ ପ୍ରଥମେ ସରସ୍ୱତୀଙ୍କ କଥା ଠିକ୍‌ରେ ବୁଝିପାରିନଥିଲେ। ତାଙ୍କୁ ଫେରାଇ ଦେଇଥିଲେ। ନିର୍ବାଚନ ଡ୍ୟୁଟି ଅର୍ଡର ବାତିଲ କରାଯାଇପାରିବ ନାହିଁ ବୋଲି କହିଥିଲେ। ଯେଉଁଥିପାଇଁ ସ୍ୱାମୀଙ୍କୁ ଧରି ସରସ୍ୱତୀ ଜିଲ୍ଲାପାଳଙ୍କ ଚାମ୍ୱର ବାହାରକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି ପକାଇଥିଲେ। ତା’ପରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପୂରା ଘଟଣା କହିଥିଲେ। ଏହାପରେ ନରହରିଙ୍କ ସମସ୍ୟା ସମାଧାନ ହୋଇଥିଲା। ନିର୍ବାଚନ ଡ୍ୟୁଟି ଅର୍ଡର ବାତିଲ କରିଥିଲେ ଜିଲ୍ଲାପାଳ।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Odisha Assembly Baripada