ଦେବେନ୍ଦ୍ର ପୃଷ୍ଟି
ଓଡ଼ିଶାରେ ଖଣିଜ ପଦାର୍ଥର ଉତ୍ତୋଳନ ବଢ଼ି ଚାଲିଛି। ଖଣିଜ ପଦାର୍ଥ ଚାଲାଣ ମଧ୍ୟ ବଢ଼ୁଛି। ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ ମଧ୍ୟ ବୃଦ୍ଧି ପାଇଚାଲିଛି। ମାତ୍ର, ଖଣି କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ସେହି ଅନୁପାତରେ ବଢ଼ୁନାହିଁ, ବରଂ ଖଣି ରାଜସ୍ୱ ଓ ଖଣିଜ ବିକ୍ରି ସହିତ ତୁଳନା କଲେ ଏହା କମି ଚାଲିଥିବା ସ୍ପଷ୍ଟ ହୁଏ।
ବିଭିନ୍ନ ଗବେଷଣାରେ ଓଡ଼ିଶା ସରକାରଙ୍କର ସୌଜନ୍ୟରୁ ପ୍ରକାଶିତ ବିଭିନ୍ନ ତଥ୍ୟ ଅନୁସାରେ ରାଜ୍ୟର ଖଣି ରାଜସ୍ୱ ୨୦୦୦-୦୧ ବର୍ଷରେ ୩୬୦.୩୧ କୋଟି ଟଙ୍କା ଥିଲା। ସେହି ବର୍ଷ କଂଗ୍ରେସ ସରକାରକୁ ପରାସ୍ତ କରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି-ବିଜେପି ମେଣ୍ଟ ସରକାର ଗଠନ କରିଥିଲା। ଏହା ପରଠାରୁ ଓଡ଼ିଶାର ଖଣି ରାଜସ୍ୱ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି।
୨୦୦୧-୦୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ ୩୭୮.୩୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୨୦୦୨-୦୩ ଆର୍ଥିକ ବର୍ଷରେ ଏହା ୪୪୩.୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସେହିପରି ୨୦୦୩-୦୪ ବର୍ଷକୁ ରାଜ୍ୟର ଖଣି ରାଜସ୍ୱ ୫୫୦.୭୬ କୋଟି ଟଙ୍କାରେ ପହଂଚିଥିଲା। ୨୦୦୪-୦୫ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ଥିଲା ୬୭୦.୫୧ କୋଟି ଟଙ୍କା। ତା’ ପର ୩ ବର୍ଷ ଅର୍ଥାତ ୨୦୦୫-୦୬, ୨୦୦୬-୦୭ ଓ ୨୦୦୭-୦୮ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ଯଥାକ୍ରମେ ୮୦୫.୦୦ କୋଟି, ୯୩୬.୫୫ କୋଟି ଓ ୧୧୨୬.୦୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୦୮-୦୯ ବର୍ଷରେ ଏହା ୧୩୮୦.୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।
ସେହି ବର୍ଷ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଗଲା। ଆସନ ବଣ୍ଟୁଆରାକୁ ନେଇ ସହମତି ନହେବାରୁ ବିଜେଡି ନେତା ନବୀନ ପଟ୍ଟନାୟକ ନିଜ ଆଡ଼ୁ ମେଣ୍ଟ ଭାଙ୍ଗିଦେଲେ ଓ ଏକାକି ନିର୍ବାଚନ ଲଢ଼ିଲେ। ଏହା ପରଠାରୁ ରାଜ୍ୟର ଖଣି କାରବାର ଅଧିକ ଦ୍ରୁତଗତିରେ ବୃଦ୍ଧି ପାଇଲା। ତା’ ସହିତ ଖଣି ରାଜସ୍ୱ ପରିମାଣ ମଧ୍ୟ ସମତାଳରେ ବଢ଼ି ଚାଲିଲା। ୨୦୦୯-୧୦ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ୨୦୨୦.୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲାବେଳେ ୨୦୧୦-୧୧ ବର୍ଷରେ ଏହା ୩୩୩୦.୪୭ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୧୧-୧୨ ଆର୍ଥିକ ବର୍ଷରେ ଏହି ପରିମାଣ ୪୫୮୬.୬୫ କୋଟି ଟଙ୍କାରେ ପହଞ୍ଚିଥିଲା।
ସେହି ସମୟରେ କଥିତ ବିଦ୍ରୋହ ନେଇ ପ୍ୟାରୀ ମୋହନ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଠିକ ତା’ର କେଇ ମାସ ପୂର୍ବରୁ ଭିକେ କାର୍ତ୍ତିକେୟନ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଭାବେ ତୃତୀୟ ମହଲା ଅଫିସରେ ଯୋଗ ଦେଇଥିଲେ। ଆଉ ତତ୍ ପରବର୍ତ୍ତୀ ବର୍ଷଗୁଡ଼ିକରେ ରାଜ୍ୟର ଖଣିଜ ଉତ୍ତୋଳନ ଓ ବିକ୍ରି ଏତେ ବଢ଼ିଗଲା ଯେ ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ ବର୍ଷକୁ ବର୍ଷ ହୁ ହୁ ହୋଇ ବଢ଼ି ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ୧୩,୯୧୮.୨୦ କୋଟି ଟଙ୍କାରେ ପହଞ୍ଚିଗଲା। ଅର୍ଥାତ ୨୦୧୦-୧୧ ବର୍ଷ ତୁଳନରେ ୨୦୨୦-୨୧ ବର୍ଷର ଖଣି ରାଜସ୍ୱ ପରିମାଣ ପ୍ରାୟ ୪ ଗୁଣ ବୃଦ୍ଧି ପାଇଥିଲା।
ଏହି ସମୟ ମଧ୍ୟରେ ୨୦୧୨-୧୩ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ୫୬୭୯.୩୫ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୦୯-୧୦ ବର୍ଷରେ ରାଜ୍ୟରେ ଖଣି ଦୁର୍ନୀତି କଥାକୁ ନେଇ ଖୋଳତାଡ଼ ଆରମ୍ଭ ହେଲା। ଏହା ଏତେ ବ୍ୟାପକ ଥିଲା ଯେ ଏହା ଉପରେ ତଦନ୍ତ କରିବାକୁ ଜଷ୍ଟିସ ଏମବି ଶାହ କମିଶନ ବସିଲା। ସେହି କମିଶନ ରାଜ୍ୟର ୧୪ଟି ଖଣିର ଖଣିଜ କାରବାର ନେଇ ସିବିଆଇ ତଦନ୍ତ ସୁପାରିଶ କଲେ। ଜଷ୍ଟିସ ଶାହ ତାଙ୍କ ତଦନ୍ତ ରିପୋର୍ଟକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ୨୦୧୪ ସାଧାରଣ ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ପ୍ରଦାନ କରିଥିଲେ। ସିବିଆଇ ତଦନ୍ତ ସୁପାରିଶ ଓ ନିର୍ବାଚନ ପୃଷ୍ଠଭୂମିରେ ରାଜ୍ୟର କେତେକ ଖଣିର ଖଣିଜ କାରବାର ସ୍ୱାଭାବିକ ଭାବେ ଧିମେଇଗଲା। ତେଣୁ ୨୦୧୩-୧୪ ଓ ୨୦୧୪-୧୫ ଦୁଇ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ଯଥାକ୍ରମେ ୫୫୧୯.୫୮ କୋଟି ଓ ୫୩୧୦.୦୯ କୋଟି ଟଙ୍କାକୁ ଖସିଥିଲା।
ତେବେ ଏହା ପରେ କେନ୍ଦ୍ରରେ ଉପା ସରକାର ପରାସ୍ତ ହେଲା ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠିତ ହେଲା। ସେହି ସରକାର ସମୟରେ ଏମଏମଡିଆ ଓ ଏମସିଆର ଆଦି ଖଣି କ୍ଷେତ୍ରର କେତେକ ନିୟମରେ ସଂଶୋଧନ କରାଯିବାରୁ ରାଜ୍ୟରେ ପୁଣି ଥରେ ଖଣି କାରବାର ବୃଦ୍ଧି ପାଇଲା ଓ ତତସହିତ ସମତାଳରେ ରାଜ୍ୟର ଖଣି ରାଜ୍ୟ ମଧ୍ୟ ବଢ଼ି ଚାଲିଲା। ଏହି ସମୟରେ ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ ଛଅ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ଯଥାକ୍ରମେ ୫୭୯୭.୭୯ କୋଟି ଟଙ୍କା, ୪୯୨୫.୬୬ କୋଟି (ଏହି ବର୍ଷ କମିଥିଲା), ୬୧୩୦.୯୭ କୋଟି, ୧୦,୪୭୯.୧୮ କୋଟି, ୧୧,୦୧୯.୮୬ କୋଟି ଓ ୧୩,୯୧୮.୨୦ କୋଟି ଟଙ୍କାରେ ପହଂଚିଥିଲା। ପରବର୍ତ୍ତୀ ୪ ବର୍ଷର ତଥ୍ୟ ଆମର ହସ୍ତଗତ ହୋଇନାହିଁ। ତେବେ ୨୦୨୧-୨୨ ବର୍ଷରେ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ପାଇଥିଲେ ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଯେନା ଗଣମାଧ୍ୟମକୁ ସୂଚନା ଦେଇଥିବା ନେଇ ଏକ ତଥ୍ୟ ଇଣ୍ଟର୍ନେଟ୍ରେ ଉପଲବ୍ଧ ଅଛି। ଇତିମଧ୍ୟରେ ଏହା ଲକ୍ଷେ କୋଟି ଛୁଇଁଥିବା ଅନୁମାନ କରାଯାଏ।
ଏହି ସମୟ ମଧ୍ୟରେ ରାଜ୍ୟର ଖଣିଜ ପଦାର୍ଥ ଉତ୍ତୋଳନ ପରିମାଣ ୨୦୦୦-୦୧ ବର୍ଷରେ ୬୮୯.୨୪ ଲକ୍ଷ ଟନ୍ରୁ ବଢ଼ି ବଢ଼ି ୨୦୧୦-୧୧ ଆର୍ଥିକ ବର୍ଷରେ ୧୯୯୫.୪୬ ଲକ୍ଷ ଟନ୍ରେ ପହଞ୍ଚିଥିଲା। ପରବର୍ତ୍ତୀ ଦୁଇ ବର୍ଷ ଖଣିଜ ଉତ୍ତୋଳନ କିଛିଟା କମିଥିଲା, କିନ୍ତୁ ପୁଣି ଦ୍ରୁତଗତିରେ ବୃଦ୍ଧି ପାଇ ୨୦୧୯-୨୦ ବର୍ଷରେ ୩୧୦୯.୧୬ ଲକ୍ଷ ଟନ୍ ଛୁଇଁଥିଲା। ୨୦୨୦-୨୧ ବର୍ଷରେ ଏହା ସାମାନ୍ୟ ହ୍ରାସ ପାଇ ୨୯୨୭ ଲକ୍ଷ ଟନ୍ ହୋଇଥିଲା।
ସାଧାରଣ ଜ୍ଞାନ କହେ, ରାଜ୍ୟର ଖଣିଜ ଉତ୍ତୋଳନ ବଢ଼ୁଛି ମାନେ ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ବଢ଼ିବା କଥା। ସେହିପରି ଖଣିଜ ପରିବହନ ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସମାନୁପାତ୍ରରେ ବୃଦ୍ଧି ପାଇବା କଥା। ମାତ୍ର, ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ ଖଣି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଉଛି ବା ସ୍ଥିର ରହିଛି।
ସରକାରୀ ତଥ୍ୟ ଅନୁସାରେ ୨୦୦୦-୦୧ ଆର୍ଥିକ ବର୍ଷରେ ରାଜ୍ୟର ଖଣି କ୍ଷେତ୍ରରେ ୫୨,୯୩୭ ଜଣ ଲୋକ ନିଯୁକ୍ତ ଥିଲେ। ପରବର୍ତ୍ତୀ ୩ ବର୍ଷ ଏହା ଯଥାକ୍ରମେ ୨୦୦୧-୦୨ରେ ୪୫,୧୩୫ ଜଣ, ୨୦୦୨-୦୩ରେ ୪୪,୧୬୭ ଜଣ ଓ ୨୦୦୩-୦୪ରେ ୪୩,୭୪୩ ଜଣକୁ ଖସିଥିଲା। ପରବର୍ତ୍ତୀ ଦୁଇ ବର୍ଷ ସାମାନ୍ୟ ବୃଦ୍ଧି ପାଇଥିଲେ ବି ତତ୍ ପରବର୍ତ୍ତୀ ଦୁଇ ବର୍ଷ ପୁଣି କମିଥିଲା। ଏହିପରି ଭାବେ ହ୍ରାସବୃଦ୍ଧି ଲାଗି ରହି ୨୦୧୯-୨୦ ବର୍ଷରେ ରାଜ୍ୟର ଖଣି କ୍ଷେତ୍ରରେ ୫୯,୬୩୬ ଜଣ ନିଯୁକ୍ତ ଅଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼େ।
ଖଣି କ୍ଷେତ୍ରରେ ସ୍ୱୟଂକ୍ରିୟ ଯନ୍ତ୍ରପାତିର ଅତ୍ୟଧିକ ବ୍ୟବହାର ଫଳରେ ମଣିଷ ପାଇଁ ନିଯୁକ୍ତି ସୁଯୋଗ ସଂକୁଚିତ ହେଉଥିବା ଏହି ତଥ୍ୟରୁ ଆଭାସ ମିଳେ। ଏହି ସମୟ ମଧ୍ୟରେ ରାଜ୍ୟରେ ଖଣିଲିଜ୍ ପରିମାଣ ବୃଦ୍ଧି ପାଇଛି। ଅଧିକ ସଂଖ୍ୟକ ଲିଜ୍ଧାରୀ ଅଧିକ ଏକର ଖଣି ଅଞ୍ଚଳ କାର୍ଯ୍ୟକାରୀ କରିଛନ୍ତି। ତଥାପି ଖଣିଜ କ୍ଷେତ୍ରରେ ନିଯୁକ୍ତି କମିବା ନିଶ୍ଚୟ ଏକ ଅସ୍ୱାଭାବିକ ପରିସଂଖ୍ୟାନ ଓ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରେ।