ଦେଶ ଆଜି ସ୍ୱାଧୀନତା ଦିବସ ପାଳୁଥିବା ବେଳେ ଗାଁ ଲୋକେ ରାସ୍ତାରେ ରୋଇଲେ ଧାନ ତଳି

ଗାଁ ଲୋକେ ନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ଭୋଗରାଇ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ରାସ୍ତା ମରାମତି ପାଇଁ କାକୁତି ମିନତି ହୋଇଥିଲେ। ହେଲେ ଗାଁ ଲୋକଙ୍କ ଅଭିଯୋଗ ପ୍ରତି ନା ସରପଞ୍ଚ ନା ବିଡିଓ, କେହି କର୍ଣ୍ଣପାତ କଲେନାହିଁ।

ଗାଁ ଲୋକେ ରାସ୍ତାରେ ଧାନ ତଳି ରୋଉଛନ୍ତି

  • Published: Tuesday, 15 August 2023
  • , Updated: 15 August 2023, 05:05 PM IST

ଆଜି ଦେଶ ପାଳୁଛି ସ୍ୱାଧୀନତା ଦିବସ। ସେଥିପାଇଁ ଗାଁରୁ ସହର ଉତ୍ସବ ମୁଖର ହୋଇଛି। ହେଲେ ଦୁର୍ଭାଗ୍ୟର ବିଷୟ ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତା ଖଣ୍ଡିଏ ଦେଇପାରିଲାନି ପ୍ରଶାସନ। ଯେଉଁଥିପାଇଁ କାଦୁଅ ସର ସର ରାସ୍ତାରେ ଗାଁ ଲୋକେ ଧାନ ତଳି ରୋଉଛନ୍ତି। ଆଜି ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ।

ଭୋଗରାଇ ବ୍ଲକ୍‌ ଦୁବସାହି ଗାଁ। ଏହି ଗାଁରେ ୧୦୦ ପରିବାର ବାସ କରନ୍ତି। ସମସ୍ତେ ପ୍ରାୟତଃ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। ହେଲେ ଦୁଃଖର ବିଷୟ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ରାସ୍ତା ଅଛି, ତାହା କାଦୁଅ ସରସର। ଏକ କିମି ରାସ୍ତା ପାଇଁ ଗାଁ ଲୋକେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ସ୍କୁଲ ପିଲା, ମହିଳା ଓ ବୟସ୍କ ବ୍ୟକ୍ତି। ସେମାନେ ସେହି ରାସ୍ତାରେ ଯିବାକୁ ସାହସ କରିପାରୁ ନାହାନ୍ତି। ଯଦି କୌଣସି ବ୍ୟକ୍ତି ଗୁରୁତର ରୋଗରେ ପଡ଼ିଗଲେ, ତାହାହେଲେ କଥା ସରିଲା। ଖଟିଆ ଛଡ଼ା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନାହିଁ।

ଗାଁ ଲୋକେ ନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ଭୋଗରାଇ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ରାସ୍ତା ମରାମତି ପାଇଁ କାକୁତି ମିନତି ହୋଇଥିଲେ। ହେଲେ ଗାଁ ଲୋକଙ୍କ ଅଭିଯୋଗ ପ୍ରତି ନା ସରପଞ୍ଚ ନା ବିଡିଓ, କେହି କର୍ଣ୍ଣପାତ କଲେନାହିଁ। ଯେଉଁଥିପାଇଁ ଗାଁ ଲୋକେ ଅଭିନବ ପ୍ରତିବାଦ କରିଛନ୍ତି। ଆଜି ଦେଶ ଯେତେବେଳେ ସ୍ୱାଧୀନତା ଦିବସ ପାଳନ କରୁଥିଲା, ସେତେବେଳେ ଗାଁ ଲୋକେ ଘରୁ ବାହାରି କାଦୁଅ ପଚପଚ ରାସ୍ତାରେ ଧନ ଗଛ ରୋଇଥିଲେ। ଆଉ କ୍ଷୋଭର ସହକାରରେ କହିଥିଲେ ଆମେ କେବେ ସ୍ୱାଧୀନ ହେବୁ?

ସବୁଠାରୁ ଦୁଃଖର କଥା ହେଉଛି ବେଗୁନିଆ ଗାଁର ଶଙ୍କର ଘଡ଼ାଇ ଆଜି ଦୁବସାହି ସ୍ଥିତ ନିଜ ଶ୍ୱଶୁର ଘରକୁ ସାଇକେଲ୍‌ରେ ଆସିଥିଲେ। ହେଲେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପାଦ ଖସିଯାଇଥିଲେ। ଆଉ ସେ ସାଇକେଲ୍‌ ସହ ଯାଇ ରାସ୍ତା ପାର୍ଶ୍ୱରେ ଥିବା ପୋଖରୀରେ ପଡିଥିଲେ। ସେହି ସମୟରେ ରାସ୍ତାରେ ବିହନ ରୁଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। କହିବାକୁ ଗଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଶଙ୍କର। ପାଣିରୁ ଉଦ୍ଧାର ହେବା ପରେ କ୍ଷୋଭ ପ୍ରକାଶ କରିଥିଲେ। ଆଉ ମନଇଚ୍ଛା ପଞ୍ଚାୟତର ସରପଞ୍ଚ ଓ ବ୍ଲକ ପ୍ରଶାସନ ଉପରେ ବର୍ଷିଛନ୍ତି।

ଗାଁର କବିତା ରାଣୀ ଦାସ କହିଛନ୍ତି, ରାସ୍ତା ଖରାପ ଯୋଗୁ ଆମେ ଗାଁ ବାହାରକୁ ଯାଇପାରୁ ନାହିଁ। ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି। ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ପାଖରେ ବହୁବାର ଅଭିଯୋଗ କରିଛୁ। ହେଲେ ରାସ୍ତା ମରାମତି ହେଲା ନାହିଁ। ପରିସ୍ଥିତି ଏମିତି ହେଲାଣି ଯେ ଆଉ କାହା ପାଖରେ ଅଭିଯୋଗ କରିବା ପାଇଁ ଲାଜ ଲାଗୁଛି। ତେଣୁ ବାଧ୍ୟ ହୋଇ କାଦୁଅ ରାସ୍ତାରେ ଧାନ ତଳି ରୋଇଛୁ ବୋଲି କବିତା ରାଣୀ ଦାସ କହିଛନ୍ତି।

ସେହିପରି ଗାଁର ଶାନ୍ତିଲତା ଜେନା କହିଛନ୍ତି, ଗାଁର ଯଦି କୌଣସି ବ୍ୟକ୍ତି ରୋଗରେ ପଡ଼ିଗଲା, ତାହାହେଲେ ତାଙ୍କୁ ମେଡ଼ିକାଲ୍‌ ନେଇପାରୁ ନାହୁଁ। କେତେ କାହାକୁ କାକୁତି ମିନତି କରି ଦୋଳିରେ ରୋଗୀଙ୍କୁ କାଦୁଅ ରାସ୍ତା ପାର କରିବାକୁ ପଡ଼ୁଛି। ଆଜି ସ୍ୱାଧୀନତା ଦିବସ। ପିଲାମାନେ ଠିକ୍‌ ସମୟରେ ସ୍କୁଲ ଯାଇପାରିଲେ ନାହିଁ। ଏମିତିକା ନର୍କ ଯନ୍ତ୍ରଣା କେତେଦିନ ଭୋଗିବୁ ବୋଲି ଶ୍ରୀମତି ଚେନା କହିଛନ୍ତି।

ଦୟନୀୟ ରାସ୍ତା ନେଇ ବିଡିଓଙ୍କ ପାଖରେ ଗାଁ ଲୋକେ ଅଭିଯୋଗ କରିଥିଲେ ବୋଲି କହୁଛନ୍ତି। ହେଲେ ବିଡିଓ ଶଙ୍କର ପଟ୍ଟନାୟକ କହୁଛନ୍ତି ମୋ’ ପାଖରେ କେହି ଅଭିଯୋଗ କରିନାହାନ୍ତି। ମୁଁ ଏ ସମ୍ପର୍କରେ କିଛି ଜାଣିନି। ପ୍ରଥମ ଥର ପାଇଁ ଶୁଣିବାକୁ ପାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, କଣ ଗାଁ ଲୋକ ମିଛ କହୁଛନ୍ତି? ଯଦି ଗାଁ ଲୋକ ସତ କହୁଛନ୍ତି, ତାହାହେଲେ କ’ଣ ବିଡିଓ ମିଛ କହୁଛନ୍ତି? ଏହାର ବିଚାର ଆପଣମାନେ କରିବେ। ସିଏ ଯାହା ହେଉନା କାହିଁ ଆଜି ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଗୋଟିଏ ଗାଁକୁ ଭଲ ରାସ୍ତା ଖଣ୍ଡିଏ ଦେଇନପାରିବା ଦୁର୍ଭାଗ୍ୟର ବିଷୟ। କଣ ଏଥିପାଇଁ ବ୍ଲକ ପ୍ରଶାସନ ଦାୟୀ ନୁହେଁ?

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Related story