Advertisment

ବଞ୍ଚି ଥାଉ ଥାଉ ବୃଦ୍ଧଙ୍କୁ ମାରିଦେଲା ପ୍ରଶାସନ!

ନିଜେ ମୃତ ବୋଲି ବ୍ଲକ ଅଫିସ୍‌ରୁ ଜାଣିବା ପରେ ବୃଦ୍ଧ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ବଞ୍ଚିଥିବା ଲୋକଙ୍କୁ ମାରିଦେଲା ପ୍ରଶାସନ! ରେକର୍ଡପତ୍ରରେ ମୃତ ଦର୍ଶାଇ ମାସକୁ ମାସ ମିଳୁଥିବା ଭତ୍ତା ଟଙ୍କା ବନ୍ଦ କରିଦେଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଞ୍ଚଳରୁ ଆସିଛି। ନିଜେ ମୃତ ବୋଲି ବ୍ଲକ ଅଫିସ୍‌ରୁ ଜାଣିବା ପରେ ବୃଦ୍ଧ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ନୀଳଗିରି ବ୍ଲକ୍‌ ବରହମପୁର ଗାଁର ବୃଦ୍ଧ ନାରାୟଣ ପାଣି। ବୟସ୍‌ ୮୩ ହେବ। ଚାଲିବୁଲି ପାରୁ ନାହାନ୍ତି। ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଥିଲା ୫୦୦ ଟଙ୍କା। ସେଥିରେ ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ କରି ଦୁଃଖେ ସୁଖେ ଚଳିଥିଲେ ନାରାୟଣ ମଉସା। ହେଲେ ବିଡ଼ମ୍ବନାର ବିଷୟ ତାଙ୍କୁ ମୃତ ଦର୍ଶାଇଲେ ପଞ୍ଚାୟତ ପିଇଓ! ଏପରିକି ତାଙ୍କୁ ମିଳୁଥିବା ଭତ୍ତା ଟଙ୍କା ବନ୍ଦ କରି ଦେଇଛନ୍ତି।

ନାରାୟଣ ପାଣିଙ୍କୁ ମୃତ ଭାବେ ଦର୍ଶା ଯାଇଥିବାରୁ ଗତ ୩ ମାସ ହେଲା ଭତ୍ତା ଟଙ୍କା ପାଉ ନାହାନ୍ତି। ତେଣୁ ସେ ନିଜ ପୁଅ ସହ ବ୍ଲକ୍‌ ଅଫିସ୍‌ ଯାଇଥିଲେ। ଆଉ ଭତ୍ତା ଟଙ୍କା କାହିଁକି ମିଳୁନାହିଁ ବୋଲି ପଚାରିଥିଲେ। ସେ ମୃତ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ନାରାୟଣ ମଉସାଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ମନ ଭିତରେ ନାନା ଅସନ୍ତୋଷ ପ୍ରକାଶ ପାଇଥିଲା।

Advertisment

ଜଣେ ଜୀବିତ ବ୍ୟକ୍ତି ମୃତ ଦର୍ଶାଯିବା ଘଟଣା ପ୍ରକାଶ ପାଇବା ପରେ ନୀଳଗିରି ବିଡିଓ ରାହୁଲ ମଣ୍ଡଳ ତତ୍ପରତା ଦେଖାଇଛନ୍ତି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘଟଣା ସତ ହୋଇଥିବ, ତାହାହେଲେ ବକେୟା ଭତ୍ତା ଟଙ୍କା ଦିଆଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିଛନ୍ତି।

ଅନ୍ୟପକ୍ଷରେ ଆଜି ନାରାୟଣ ପାଣି ବରହମ୍‌ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କୁ ମୃତ ବୋଲି ଦର୍ଶାଇଥିବା ପିଇଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ବୃଦ୍ଧ ନାରାୟଣ ପାଣିଙ୍କ ଅଭିଯୋଗ ନେଇ ପିଇଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ

Odisha Balasore Old Age
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe