Advertisment

‘ଘର ତ ନାହିଁ କ’ଣ କରିବୁ ? ତେଣୁ ବାହାରେ ବସି ପାଠ ପଢ଼ୁଛୁ’

କିବା ଖରା, କିବା ବର୍ଷା; ବର୍ଷକ ବାରମାସ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ହନ୍ତସନ୍ତ ହେବାକୁ ପଡ଼ୁଛି।

author-image
Niranjan Mishra
ଅଦ୍ୟତନ ହୋଇଛି
student

student

‘ଘର ତ ନାହିଁ କ’ଣ କରିବୁ ? ତେଣୁ ବାହାରେ ବସି ପାଠ ପଢ଼ୁଛୁ। ପାଠ ପଢ଼ିବାରେ ବହୁତ ଅସୁବିଧା ହେଉଛି। ସରକାରଙ୍କୁ ଅନୁରୋଧ ଯଦି ଶ୍ରେଣୀ ଗୃହ ନିର୍ମାଣ କରି ଦିଅନ୍ତେ ତେବେ ଆମେ ସୁରୁଖୁରୁରେ ପାଠ ପଢ଼ିପାରିବୁ।’ ଦୁଃଖର ସହ ସରକାରଙ୍କୁ ଏହି ଗୁହାରୀ ଜଣାଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଗୁହାରୀ କରିବାର କାରଣ ହେଲା, ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। କିବା ଖରା, କିବା ବର୍ଷା; ବର୍ଷକ ବାରମାସ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ହନ୍ତସନ୍ତ ହେବାକୁ ପଡ଼ୁଛି। ଅନେକ ସମୟରେ ପାଠପଢ଼ା ବନ୍ଦ ରହୁଛି। ସରକାରୀ ଶିକ୍ଷା ବ୍ୟବସ୍ଥାର ଏହି ଦୟନୀୟ ଚିତ୍ର ଏବେ ଅଭିଭାବକ ଓ ବୁଦ୍ଧିଜୀବୀଙ୍କୁ ମଧ୍ୟ ବ୍ୟଥିତ କରିଛି।

Advertisment

ଏହି ସ୍କୁଲରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ତେବେ ବିଦ୍ୟାଳୟରେ ମାତ୍ର ୩ଟି ଶ୍ରେଣୀ ଗୃହ ଥିବାରୁ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଏହା ପର୍ଯ୍ୟାପ୍ତ ହେଉନି। ତେଣୁ ଅଧିକାଂଶ ଶ୍ରେଣୀର ପାଠପଢ଼ା ବାରଣ୍ଡାରେ ଚାଲୁଛି। ସେହିପରି ଗୋଟିଏ ଶ୍ରେଣୀଗୃହରେ ମଧ୍ୟ ଏକାଧିକ ଶ୍ରେଣୀ ଚାଲୁଛି। ଏଭଳି ଅବ୍ୟବସ୍ଥା ଯୋଗୁ କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବିଘ୍ନ ଉପୁଜୁଛି। ବାହାରେ ବସୁଥିବାରୁ ସେମାନଙ୍କ ପ୍ରତି ବିପଦ ମଧ୍ୟ ରହୁଛି।

ଛାତ୍ରଛାତ୍ରୀମାନେ କହିଛନ୍ତି, ‘ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ଆମେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ପଢ଼ୁଛୁ। ବର୍ଷା ଓ ଖରା ସହି ପାଠପଢ଼ାବାରେ ଖୁବ୍ କଷ୍ଟ ହେଉଛି। ପାଠପଢ଼ିବାରେ ବହୁ ଅସୁବିଧା ହେଉଛି। ଆବଶ୍ୟକ ଶ୍ରେଣୀ ଗୃହ ଯୋଗାଇ ଦିଆଗଲେ ପାଠପଢ଼ା ସୁବିଧା ହୋଇପାରନ୍ତା। ଗୋଟାଏ କ୍ଲାସର ପିଲାମାନେ ପାଠପଢ଼ିବା ବେଳେ ଅନ୍ୟ କ୍ଲାସର ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି। ସରକାର ଏହାର ସମାଧାନ କରନ୍ତୁ। ସମସ୍ତ ଶ୍ରେଣୀ ନିମନ୍ତେ ସ୍ୱତନ୍ତ୍ର ଶ୍ରେଣୀଗୃହ ନିର୍ମାଣ କରିଦିଅନ୍ତୁ।

Advertisment

ସହକାରୀ ଶିକ୍ଷକ ଉପେନ୍ଦ୍ର ନାଥ ଘଡ଼େଇ ଓ ଦିଲ୍ଲୀପ କୁମାର ନାୟକ କହିଛନ୍ତି, ବିଦ୍ୟାଳରେ ବହୁତ ସମସ୍ୟା ରହିଛି। ତେବେ ମୁଖ୍ୟ ସମସ୍ୟା ହେଉଛି ଶ୍ରେଣୀଗୃହ ଅଭାବ। ୮ଟି ଶ୍ରେଣୀରେ ୧୬୭ ପିଲା ପାଠ ପଢ଼ୁଥିବା ବେଳେ ମାତ୍ର ୩ଟି ଶ୍ରେଣୀ ଗୃହ ରହିଛି। ଗୋଟିଏ ଗୃହରେ କମ୍ପ୍ୟୁଟର ଶିକ୍ଷାଦାନ ଓ ଅଫିସ୍‌ ଚାଲୁଥିବା ବେଳେ ବାକି ଗୃହରେ ପାଠପଢ଼ା ଚାଲୁଛି। ବାରଣ୍ଡାରେ ପଠପଢ଼ା ଯାଉଥିବାରୁ ପିଲାମାନେ ସମସ୍ୟା ଭୋଗୁଛନ୍ତି। ଶିକ୍ଷକମାନେ ମଧ୍ୟ ଯେଉଁଭଳି ଉନ୍ନତ ଶିକ୍ଷା ପିଲାମାନଙ୍କୁ ଦେବାକୁ ଚାହୁଁଛନ୍ତି ଦେଇପାରୁନାହାନ୍ତି। ଯଦି ସରକାର ସ୍କୁଲ ପିଲାଙ୍କ ପାଠପଢ଼ାରେ ସୁବିଧା ନିମନ୍ତେ କିଛି ଶ୍ରେଣୀଗୃହ ନିର୍ମାଣ କରନ୍ତେ ତେବେ ସମସ୍ତେ ଉପକୃତ ହୁଅନ୍ତେ।

Schoolସ୍କୁଲ ବାରଣ୍ଡାରେ ଚାଲିଛି ପାଠପଢ଼ା।

ସରକାରୀ ସ୍କୁଲ ବ୍ୟବସ୍ଥାର ଏଭଳି ସ୍ଥିତି ଯୋଗୁ ଏଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ କିପରି ଭବିଷ୍ୟତ ଗଢ଼ିବେ ଓ ଅନ୍ୟମାନଙ୍କ ସହ ନିଜକୁ ସମକ୍ଷକ କରିପାରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି।

ରିପୋର୍ଟ ଦଶପଲ୍ଲାରୁ ସଞ୍ଜୀବ ସାହୁ

School Condition Odisha School Failed