Advertisment

ଭୁବନେଶ୍ୱରରେ ହେବ ବାଙ୍ଗାଲୁରୁ ସ୍ଥିତି, ମିଳିବନି ପାଣି!

ଗତ ୩-୪ ବର୍ଷ ହେଲା, ଜଳସ୍ତର ଏବେ ସାଂଘାତିକ ହ୍ରାସ ପାଇଛି

ଅଦ୍ୟତନ ହୋଇଛି
Water

Water

Advertisment

ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଲୁରୁ ଭଳି ଭୁବନେଶ୍ୱରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି। ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି ବ୍ଲକର ଭୂତଳ ଜଳସ୍ତର ସ୍ଥିତି ସେମି-କ୍ରିଟିକାଲ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।

Advertisment

ପୁରୁଣା ଭୁବନେଶ୍ୱର କପିଳପ୍ରସାଦର ମମତା ମାର୍ଥା କହିଛନ୍ତି। ସେ ୨୬ ବର୍ଷ ତଳେ କପିଳପ୍ରସାଦ ଗାଁକୁ ଆସିଥିଲେ ବୋହୂ ହୋଇ। ସେବେ କିଛି ବର୍ଷ ଧରି କୂଅ ଗୁଡ଼ିକରେ ସବୁ ୠତୁରେ ଭରି ରହୁଥିଲା ପାଣି। କିନ୍ତୁ ଗତ ୩-୪ ବର୍ଷ ହେଲା, ଜଳସ୍ତର ଏବେ ସାଂଘାତିକ ହ୍ରାସ ପାଇଛି। ମମତାଙ୍କ ଘର ସାମ୍ନାର ଥିବା କୂଅର ପାଣି ନେଇ ନିଜେ ଓ ପାଖପଡ଼ୋଶୀ ବର୍ଷସାରା ବ୍ୟବହାର କରନ୍ତି। କିନ୍ତୁ ଦିନ କେଇଟା ପରେ ଆଉ କୂଅରୁ ଟୋପାଏ ବି ପାଣି ମିଳିବ ନାହିଁ।

କେବଳ ପୁରୁଣା ଭୁବନେଶ୍ୱର ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଉଦବେଗଜନକ ହାରରେ ଖସୁଛି ଭୂତଳ ଜଳସ୍ତର। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ତଥ୍ୟ କହୁଛି, ୨୦୨୦ରେ ରାଜ୍ୟର ୬ଟି ବ୍ଲକର ଭୂତଳ ଜଳସ୍ତର ସେମି କ୍ରିଟିକାଲ ବର୍ଗରେ ଥିଲା। କିନ୍ତୁ ୨୦୨୩ ବେଳକୁ ଏ ସଂଖ୍ୟା ୯କୁ ବଢ଼ିଛି। ଅର୍ଥାତ୍ ଏସବୁ ବ୍ଲକରେ ଯେତିକି ପାଣି ମାଟିତଳକୁ ଯାଉଛି, ତାର ୭୦ ପ୍ରତିଶତରୁ ଅଧିକ ଉତ୍ତୋଳନ ହେଉଛି। ସେମି କ୍ରିଟିକାଲ ବର୍ଗରେ ଥିବା ବ୍ଲକ ଗୁଡ଼ିକ ହେଉଛି ଖୋର୍ଦ୍ଧା, ଭୁବନେଶ୍ୱର, ବୋଲଗଡ଼, ତାଳଚେର, ବାଲିଆପାଳ, କୋରେଇ, ଝାରସୁଗୁଡ଼ା, ନୟାଗଡ଼ ଓ ନୂଆପଡ଼ା। ଭୁବନେଶ୍ୱର ବ୍ଲକରେ ଯେତିକି ଭୂତଳ ଜଳ ରିଚାର୍ଜ ହେଉଛି, ତା’ର ୮୬ ପ୍ରତିଶତ ଉତ୍ତୋଳନ ହେଉଛି।

Advertisment

ଭୂତଳ ଜଳ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକଙ୍କ କହିବା କଥା, ଦେଶରେ ଭୂତଳ ଜଳ ଉତ୍ତୋଳନ ହାର ୬୪ ପ୍ରତିଶତ ଏବଂ ଆମ ରାଜ୍ୟରେ ୪୬ ପ୍ରତିଶତ। ତେବେ ସହରୀକରଣ ତଥା ଅର୍ଥନୈତିକ ବିକାଶ ଯୋଗୁ ରାଜ୍ୟରେ ଭୂତଳ ଜଳ ବ୍ୟବହାର ବଢ଼ୁଥିବାରୁ ଆଗକୁ ସଙ୍କଟଜନକ ସ୍ଥିତି ଉପୁଜିପାରେ।

ତେବେ ଜଳ ବିଶେଷଜ୍ଞ ଓ ପରିବେଶବିତ୍ କହିଛନ୍ତି, ରାଜ୍ୟରେ ଭୂତଳ ଜଳ ସ୍ତର ହ୍ରାସ ପଛରେ ସହରୀକରଣ ଓ ଭୂତଳ ଜଳର ଅପବ୍ୟବହାର ହିଁ ଦାୟୀ। ବହୁ ସହରାଞ୍ଚଳର ସବୁ ଅଞ୍ଚଳକୁ ପେଭର୍ ବ୍ଲକ ଓ କଂକ୍ରିଟ ଚାଦରରେ ଘୋଡ଼ାଇ ଦିଆଯାଉଥିବାରୁ ବର୍ଷାଜଳ ମାଟି ତଳକୁ ଯାଇପାରୁନି।ଏମିତିକି ବଡ଼ ବଡ଼ କୋଠାରୁ ମାଟି ଭିତରକୁ ବର୍ଷାଜଳ ଛାଡ଼ିବା ନେଇ ବ୍ୟବସ୍ଥା ନାହିଁ। କଳଖାନା ଗୁଡ଼ିକ ବି ଭୂତଳ ଜଳ ବ୍ୟବହାର କରୁଛନ୍ତି। ଫଳରେ ଭୂତଳ ଜଳ ରିଚାର୍ଜ ହୋଇପାରୁନି। ତେଣୁ ଏବେଠୁ ଉଚିତ ପଦକ୍ଷେପ ନନେଲେ ଆଗକୁ ବାଙ୍ଗାଳୁରୁ ଭଳି ଜଳସଙ୍କଟ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରିଛନ୍ତି ଜଳ ବିଶେଷଜ୍ଞ ଓ ପରିବେଶବିତ୍।

Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe