Advertisment

ରାସ୍ତା ପାଇଁ କାଟିଦେଲେ ସରକାର; ଏବେ ଗଛ ଲଗାଉଛନ୍ତି ଦମ୍ପତି

ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଦିନ ଥିଲେ କଥା ସରିଲା। ସକାଳ ହେଲେ ସ୍ୱାମୀ ସ୍ତ୍ରୀ ହାତରେ କୁଦାଳ ଓ ଟୋକେଇ ଧରି ବାହାରି ପଡୁଛନ୍ତି। ରାସ୍ତାର ପାର୍ଶ୍ୱରେ ଗାତ ଖୋଳି ଚାରା ରୋପଣ କରୁଛନ୍ତି। ବୋଡେନ୍‌-ସିନାପାଟି ରାସ୍ତାର ଦୁଇ ପାର୍ଶ୍ୱରେ ଚାରା ରୋପଣ କରୁଛନ୍ତି।

Nuapada

Nuapada

Advertisment

ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କାଟିଦେଲେ ସରକାର। ହେଲେ ଚାରା ରୋପଣ କରିବାକୁ ଭୁଲିଗଲେ। ସରକାରଙ୍କ ହାତକୁ ନଅନାଇ ନିଜସ୍ୱ ଉଦ୍ୟମରେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ର ଦୁଇ ପାର୍ଶ୍ୱରେ ଚାରା ରୋପଣ କରୁଛନ୍ତି ଦମ୍ପତି। ଚଳିତବର୍ଷ ୫୦ କିଲୋମିଟର ପର୍ଯ୍ୟନ୍ତ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏମିତିକି ନିଆରା ଦମ୍ପତି ହେଉଛନ୍ତି ପୀତାମ୍ୱର ଦୀପ ଓ ତାଙ୍କ ପତ୍ନୀ ହୃସିକା ସଗରିଆ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଭଲ ଖବର।

Advertisment

ବୁଡେନ୍‌ ବ୍ଲକ୍‌ ଜାମଗାଁର ପୀତାମ୍ୱର ଦୀପ। ପେଶାରେ ସେ ଜଣେ ଶିକ୍ଷକ। ବର୍ତ୍ତମାନ ସେ ଲିଟିସର୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଅଛନ୍ତି। ତାଙ୍କ ପତ୍ନୀ ହୃସିକା ସଗରିଆ ହରିଜନପଡ଼ା ଗାଁରେ ଅଙ୍ଗନବାଡି ଦିଦି ଭାବେ ଚାକିରି କରୁଛନ୍ତି। ସ୍ୱାମୀ ଓ ସ୍ତ୍ରୀଙ୍କ ପେଶା ଅଲଗା ଅଲଗା ହୋଇଥିଲେ ମଧ୍ୟ ନିଶା ଏକ। ଉଭୟ ପରିବେଶ ପ୍ରେମୀ। ସବୁଜିବା ବଳୟ ସୃଷ୍ଟି କରିବା ପାଇଁ ପ୍ରତିଦିନ ଚାରା ରୋପଣ କରୁଛନ୍ତି। ପୀତାମ୍ୱର ସ୍କୁଲ ଗଲା ବେଳେ ଓ ଫେରିଲା ବେଳେ ଚାରା ରୋପଣ କରନ୍ତି।

ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଦିନ ଥିଲେ କଥା ସରିଲା। ସକାଳ ହେଲେ ସ୍ୱାମୀ ସ୍ତ୍ରୀ ହାତରେ କୁଦାଳ ଓ ଟୋକେଇ ଧରି ବାହାରି ପଡୁଛନ୍ତି। ରାସ୍ତାର ପାର୍ଶ୍ୱରେ ଗାତ ଖୋଳି ଚାରା ରୋପଣ କରୁଛନ୍ତି। ବୋଡେନ୍‌-ସିନାପାଟି ରାସ୍ତାର ଦୁଇ ପାର୍ଶ୍ୱରେ ଚାରା ରୋପଣ କରୁଛନ୍ତି। ୯୦ କିଲୋମିଟର ବିଶିଷ୍ଟ ଏହି ରାସ୍ତାରେ ଏବର୍ଷ ୫୦ କିଲୋମିଟର ପର୍ଯ୍ୟନ୍ତ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ରାସ୍ତା ପାର୍ଶ୍ୱରେ ନିମ, କରଞ୍ଜ, ଅଶ୍ୱସ୍ତ, ବର, ଆମ୍ୱ, ବେଲ୍‌ ଇତ୍ୟାଦି ଚାରା ରୋପଣ କରୁଛନ୍ତି। ଆଉ ତା’ର ଯତ୍ନ ନେଉଛନ୍ତି। ଗଛ ବଢ଼ିଗଲେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପଥଚାରୀମାନେ ତା’ ମୂଳରେ ବିଶ୍ରାମ ନେଇ ପରମ ଆନନ୍ଦ ଅନୁଭବ କରିବେ ବୋଲି ପୀତାମ୍ୱର ଓ ତାଙ୍କ ପତ୍ନୀ ସଗରିଆ କହିଛନ୍ତି।

Advertisment

ପୀତାମ୍ୱରଙ୍କ କହିବା ଅନୁସାରେ ପୂର୍ବରୁ ବୋଡେନ୍‌-ସିନାପାଟି ରାସ୍ତା ଦୁଇ ଥାକିଆ ହୋଇଥିଲା। ସେହି ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ମୂଲ୍ୟବାନ ଗଛ ଲାଗିଥିଲା। ପ୍ରବଳ ଖରା ହେଲେ ଲୋକମାନେ ସେହି ଗଛ ମୂଳରେ ବିଶ୍ରାମ ନେଉଥିଲେ। ଏବେ ସେହି ରାସ୍ତାକୁ ବିଜୁ ଏକ୍ସପ୍ରେସ୍‌ ୱେ’ରେ ରୂପାନ୍ତରିତ କରାଯାଇଛି। ଆଉ ସେହି ରାସ୍ତାକୁ ଚାରି ଥାକିଆ କରାଯାଇଛି। ଯେଉଁଥିପାଇଁ ରାସ୍ତା ପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛ ଗୁଡ଼ିକୁ କାଟି ଆଦିଆଯାଇଛି। ଗଛ କଟାଯିବା ପରେ ରାସ୍ତାରେ ରାଜୁତି କରୁଛି ଖରା। ପରିବେଶ ମଧ୍ୟ ସନ୍ତୁଳନ ହରାଉଛି। ପୁଣି ଥରେ ସେହି ରାସ୍ତାକୁ ହରାଭରା କରିବା ଲକ୍ଷ୍ୟରେ ଚାରା ରୋପଣ କରୁଛି ବୋଲି ପୀତାମ୍ୱର ସାର୍‌ କହିଛନ୍ତି।

ପୀତାମ୍ୱର ଓ ତାଙ୍କ ପତ୍ନୀ ସଗରିଆଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ବହୁ ପ୍ରଶଂସା କରିଛନ୍ତି। ଆଉ ସମୟ ମିଳିଲେ ଗାଁ ଲୋକମାନେ ସେମାନଙ୍କୁ କାମରେ ସହଯୋଗ କରୁଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ୍‌

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe