Advertisment

୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର

ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।

author-image
Debadatta Aryashrestha
Representational Image

Representational Image

ସେଦିନ ରାତିରେ ଜଳିଥିଲା ସମୁଦ୍ର। ଛାରଖାର ହୋଇଥିଲା କରାଚୀ ବନ୍ଦର। ୧୯୭୧ ମସିହା ଡିସେମ୍ବର ୪ ତାରିଖ ରାତିରେ ଇତିହାସ ରଚିଥିଲା ଭାରତୀୟ ନୌସେନା। ପାକିସ୍ତାନର କରାଚୀ ବନ୍ଦରକୁ ଧୂଳିସାତ୍ କରି ସଫଳତା ହାସଲ କରିଥିଲା 'ଅପରେସନ୍ ଟ୍ରାଇଡେଣ୍ଟ'। ଏହାର ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି। ତେବେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ପ୍ରଥମ ମହାପର୍ବରେ ସାମିଲ୍ ଥିବା ଓଡ଼ିଆ ନୌବୀର ସନାତନ ସାହୁ ସେଦିନ ରାତିର ସ୍ମୃତି ବଖାଣିଛନ୍ତି।

Advertisment

କେନ୍ଦ୍ରାପଡ଼ା ମାଧପୁରର ୭୫ ବର୍ଷୀୟ ସନାତନ ସାହୁ। ଅପରେସନ୍ ଟ୍ରାଇଡେଣ୍ଟରେ ସାମିଲ ହୋଇଥିବା ନେଭି ଭେଟେରାନ୍। ସେତେବେଳେ ଯୁଦ୍ଧ ଜାହାଜ INS କିଲଟନରେ ସେକେଣ୍ଡ୍ କ୍ଲାସ୍ ସିଗ୍ନାଲ୍ ମ୍ୟାନ୍ ଥାଆନ୍ତି ୨୨ ବର୍ଷୀୟ ସନାତନ। ପଦବୀ କନିଷ୍ଠ ହେଲେ ବି କାନ୍ଧରେ ଥାଏ ଗୁରୁଦାୟିତ୍ୱ। କାରଣ ୩ଟି ମିଜାଇଲ୍ ବୋଟ୍ ଓ ଆଉ ଏକ ଆଣ୍ଟି ସବମରିନ୍ କଭେଟ୍ ସହ ତାଙ୍କ ଜାହାଜ ବି ସାମିଲ ଥିଲା ଅପରେସନ୍ ଟ୍ରାଇଡେଣ୍ଟରେ।

ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କରିଥିଲା INS ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ PNS ଖାଇବର ସମୁଦ୍ରରେ ହଜିଗଲା। ଏହାପରେ ପରାକ୍ରମ ଦେଖାଇଲେ INS ନିପାତ ଓ INS ବୀର୍। ଧ୍ୱଂସ ହୋଇଗଲା PNS ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚ୍ୟାଲେଞ୍ଜର୍'। ଏହାପରେ INS ନିପାତ ଛାରଖାର କରିଦେଲା କରାଚି ପୋର୍ଟର ବିଶାଳ ତୈଳ ଡିପୋକୁ। କୁହାଯାଏ, ୬୦ କିଲୋମିଟର ଦୂରରୁ ଦିଶିଥିଲା ଏହି ହୁତୁହୁତ ଦାବାନଳ। ନିଆଁ ଲିଭାଇବାକୁ ଲାଗିଥିଲା ୪ ଦିନ ସମୟ। ୩ଟି ମିଜାଇଲ ବୋଟ୍ ନିଜ କାମ ସାରି ଫେରିଯିବା ପରେ, INS କଚ୍ଛଲ୍ କରାଚୀ ବନ୍ଦରର ବାକି ସବୁ ଟାର୍ଗେଟ ଧ୍ୱଂସ କରିଥିଲା। ଆଉ ଓଡ଼ିଆ ନୌବୀର ସନାତନ କୁହନ୍ତି, ତାଙ୍କ ଜାହାଜ ପାଳି ଆସିବା ବେଳକୁ ଧ୍ୱଂସ କରିବା ପାଇଁ ଆଉ କିଛି ଟାର୍ଗେଟ୍ ନଥିଲା। ହେଲେ କମିନଥିଲା ମନର ଯୋଶ୍।

Advertisment

ଅପରେସନ୍ ଟ୍ରାଇଡେଣ୍ଟ୍ ଯେତିକି ଐତିହାସିକ ଥିଲା, INS କିଲଟନ୍ ପାଇଁ ସେତିକି ନାଟକୀୟ ଥିଲା ତା' ପରର ଅନୁଭୂତି। ଆକ୍ରମଣ ସାରି ଶୀତୁଆ ରାତି ପ୍ରାୟ ୪ଟାରେ ଫେରୁଥିବା ବେଳେ, ଜାହାଜ ଇଞ୍ଜିନ୍ ଫେଲ୍ ହୋଇଗଲା। ଆକାଶରେ ପାକିସ୍ତାନର ୫୦-୬୦ ଫାଇଟର୍ ଜେଟ୍ ପଇଁତରା ମାରୁଥିଲା, ଆଉ ଏପଟେ ବମ୍ବେରେ ଚର୍ଚ୍ଚା ହୋଇଗଲା ସମୁଦ୍ରରେ ବୁଡ଼ିଯାଇଛି INS କିଲଟନ୍। ହେଲେ ସୌଭାଗ୍ୟବଶତଃ ଘନ କୁହୁଡ଼ି କାରଣରୁ ପାକିସ୍ତାନୀ ଫାଇଟର ଜେଟ୍ INS କିଲଟନକୁ ଚିହ୍ନଟ କରିପାରିଲେନି। ଆଉ ତା'ପର ଦିନ ପ୍ରାୟ ଗୋଟାଏରେ ଜାହାଜ ଠିକ ହେଲା ଓ INS କିଲଟନ୍ ଫେରିଲା। ଅପରେସନ୍ ଟ୍ରାଇଡେଣ୍ଟ ଯୋଗୁଁ ପ୍ରଥମରୁ ଭୟଙ୍କର କ୍ଷୟକ୍ଷତିର ସାମ୍ନା କରିଥିବା ପାକିସ୍ତାନ, ମାତ୍ର ୧୩ ଦିନର ଯୁଦ୍ଧ ପରେ ଭାରତ ଆଗରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଥିଲା।

Navy Day Indian Navy Day History India Pakistan War Operation Trident