Advertisment

ଓଡ଼ିଆ କୋଢ଼ିଆ ନୁହେଁ

ଓଡ଼ିଶା ଯେତେବେଳେ କୃଷିପ୍ରଧାନ ଥିଲା ସେତେବେଳେ ଲୋକେ ଦରିଆପାରି ବାଣିଜ୍ୟ କରୁଥିଲେ, କୋଣାର୍କ ଗଢ଼ୁଥିଲେ। ଓଡ଼ିଶା ଏବେ ଶିଳ୍ପ ଓ ସହର ପ୍ରଧାନ। ଓଡ଼ିଆ ଲୋକେ ଟଙ୍କିକିଆ ଚାଉଳ, ସାମାଜିକ ଭତ୍ତା, ଆହାର କେନ୍ଦ୍ରରେ ଅଟକି ଯାଇଛନ୍ତି।

Haladhar Balrama And Banshidhar Krushna

Haladhar Balrama And Banshidhar Krushna

Advertisment

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ମାଟିର କବି ଜୟଦେବଙ୍କ ଗୀତଗୋବିନ୍ଦ ଅନୁସାରେ ହଳଧର ବଳରାମ ହିଁ ଭଗବାନଙ୍କର ଅଷ୍ଟମ ଅବତାର। ସେ ଲେଖିଛନ୍ତି, ବହସି ବପୁସି ବିଷଦେ ବସନଂ ଜଳଦାଭଂ, ହଳହତି ଭୀତି ମିଳିତ ଯମୁନାଭଂ, କେଶବ ଧୃତ ହଳଧର ରୂପ ଜୟ ଜଗଦୀଶ ହରେ।

Advertisment

ହଳଧର ହେଲେ ଚଷା ବା ଚାଷୀ। ହଳ ହିଁ ଚାଷର ପ୍ରଥମ ଆୟୁଧ। ହଳ ହିଁ ମଣିଷର ପ୍ରଥମ ପ୍ରଯୁକ୍ତି। ମାଟି ଚଷିଲେ ହୁଏ ଚାଷ। ହଳର ଫାଳ ତାହା କରିଥାଏ। ଓଡ଼ିଶା ହେଉଛି ଚଷା ଓ ଗୋପାଳଙ୍କ ମାଟି। ବିଶ୍ୱ ବିଖ୍ୟାତ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କ ଅନୁସାରେ ଓଡ଼ିଶାରେ ହିଁ ଧାନ ଚାଷ ଆରମ୍ଭ ହୋଇଥିଲା। କୋରାପୁଟ ଅବବାହିକାରେ। ଓଡ଼ିଶାର ଆଦିବାସୀମାନେ ହିଁ ପୃଥିବୀରେ ପ୍ରଥମେ ଧାନ ଚାଷ ଆରମ୍ଭ କରିଥିଲେ। ବୋଧହୁଏ ସେଇଥିପାଇଁ ଓଡ଼ିଶାରେ ହଳଧର ହିଁ ଅବତାର, କୃଷ୍ଣ ନୁହନ୍ତି। ଭାରତର ଅନ୍ୟାନ୍ୟ ଭାଗରେ ଦ୍ୱାପର ଯୁଗରେ କୃଷ୍ଣଙ୍କୁ ଅବତାର ଭାବେ ଗ୍ରହଣ କରାଯାଏ।

ଚାଷ ଓ ଗୋପାଳନ କ’ଣ କୋଢ଼ିଆଙ୍କ କାମ? କୋଢ଼ିଆ ଚାଷ କରିପାରିବେ?

ପୁଣି କୋଣାର୍କର ସୂର୍ଯ୍ୟ ମନ୍ଦିର କ’ଣ କୋଢ଼ିଆ କରିଥିଲେ? ପୁରୀର ଶ୍ରୀମନ୍ଦିର ହେଉ କି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର- ଏସବୁ କୋଢ଼ିଆଙ୍କ କାମ ନୁହେଁ। ସେତେବେଳେ ମେସିନପତ୍ର ନଥିଲା। କେଉଁ ଜ୍ଞାନକୌଶଳ ଓ ଯନ୍ତ୍ରପାତି ଲଗେଇ ଏଡ଼େ ଏଡ଼େ ବଡ଼ ପଥର ଏତେ ଏତେ ଦୂରରୁ ଆସି ଏତେ ଏତେ ଉଞ୍ଚକୁ ଉଠିଲା?

Advertisment

ଉତ୍କଳ ଉତ୍କର୍ଷ କଳାର ଦେଶ। ଏଠିକାର ଚାଷ ଯେମିତି କାରିଗରୀ ସେମିତି।

ପ୍ରାଚୀନ ଓଡ଼ିଶାର ଲୋକମାନେ ଦରିଆପାରି ବାଣିଜ୍ୟରେ ନାଁ କମେଇଥିଲେ। ସେମାନେ ପାଲଟଣା ପୋତରେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ମଳୟ, ସିଂହଳ ଆଦି ଦରିଆପାରି ଦେଶକୁ ଯାଇ ବେପାର କରୁଥିଲେ, ଘରକୁ ଫେରୁଥିଲେ। କୋଢ଼ିଆ ଲୋକ ଜାହାଜ ତିଆରି କରିବେ ନା ଅଥଳ ସମୁଦ୍ରରେ ଝଡ଼ତୋଫାନର ସାମ୍ନା କରି ପୋତ ଚଳେଇ ଦୂର ଦେଶକୁ ଯିବେ?

ହଁ, ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି। ରାଜନୀତି ଓ ଅର୍ଥନୀତିର ଖେଳୁଆଡ଼ମାନେ ଓଡ଼ିଶାର ସଂପଦ ଲୁଟିବା ପାଇଁ, ଓଡ଼ିଶାକୁ କାଳେକାଳେ ଗରୀବ ରଖିବା ପାଇଁ, ଓଡ଼ିଶାର ବିଦ୍ୟା ଓ କାରିଗରୀକୁ ହଡ଼ପ କରିବା ପାଇଁ ଓଡ଼ିଶା ବିରୋଧରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ନହେଲେ ବି ଯୋଜନା କରୁଛନ୍ତି, ସେସବୁ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି।

ଓଡ଼ିଶା ଯେତେବେଳେ କୃଷିପ୍ରଧାନ ଥିଲା ସେତେବେଳେ ଲୋକେ ଦରିଆପାରି ବାଣିଜ୍ୟ କରୁଥିଲେ, କୋଣାର୍କ ଗଢ଼ୁଥିଲେ। ଓଡ଼ିଶା ଏବେ ଶିଳ୍ପ ଓ ସହର ପ୍ରଧାନ। ଓଡ଼ିଆ ଲୋକେ ଟଙ୍କିକିଆ ଚାଉଳ, ସାମାଜିକ ଭତ୍ତା, ଆହାର କେନ୍ଦ୍ରରେ ଅଟକି ଯାଇଛନ୍ତି।

ଏହା ଓଡ଼ିଆ ପଣିଆ ନୁହେଁ। ଓଡ଼ିଆତ୍ୱ ନୁହେଁ।

Lord Jagannath Lord Balabhadra Odia Pride Odisha MS Swaminathan Konark
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe