ଦୁର୍ନୀତିରେ ଉବୁଟୁବୁ: ୨୦୨୨ରେ ୧୯୦ଜଣ କର୍ମଚାରୀ ଗିରଫ, ଚାକିରି ହରାଇଛନ୍ତି ୩୦ଜଣ

ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସର ସ୍ଲୋଗାନ ରାଜ୍ୟ ସରକାର ଦେଉଥିଲେ ମଧ୍ୟ ରାଜ୍ୟରେ ଦୁର୍ନୀତି କାୟାବିସ୍ତାର କରିଛି ।

odisha vigilance Phototwitter

ଭିଜିଲାନ୍ସ

Ordigital Desk
  • Published: Tuesday, 14 March 2023
  • Updated: 14 March 2023, 10:42 PM IST

ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସର ସ୍ଲୋଗାନ ରାଜ୍ୟ ସରକାର ଦେଉଥିଲେ ମଧ୍ୟ ରାଜ୍ୟରେ ଦୁର୍ନୀତି କାୟାବିସ୍ତାର କରିଛି । ତଳଠୁ ଉପରଯାଏ ‘ପିସି’ କାରବାର ରହିଥିବାରୁ ପ୍ରଶାସନରେ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଗତ ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ୧୯୦ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଆଉ ଯେଉଁ କର୍ମଚାରୀଙ୍କ ଘରେ ବି ଭିଜିଲାନ୍ସ ଚଢ଼ଉ କରିଛି ସେମାନଙ୍କଠୁ ପୁଳାପୁଳା ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି ।

ରାଜ୍ୟ ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ, ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦୁର୍ନୀତି ଓ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ମୋଟ ୧୯୮ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୩୬ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିବାବେଳେ ୩୭ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୧୦୬ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୭ଜଣ ସରକାରୀ କର୍ମଚାରୀ ଓ ଅନ୍ୟ ୮ଜଣ ଘରୋଇ ବ୍ୟକ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ୨୦୨୨ ମସିହାରେ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୩୦ଜଣ ସରକାରୀ କର୍ମଚାରୀଙ୍କୁ ନିଜର ଚାକିରିରୁ ବରଖାସ୍ତ ହେବାକୁ ପଡ଼ିଛି । ୨ଜଣ ପ୍ରଥମ ଶ୍ରେଣୀ ଓ ୮ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀଙ୍କ ସମେତ ୨୦ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି ।

Also Read

ସେହିପରି ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ୬୦୬ଜଣଙ୍କ ବିରୁଦ୍ଧରେ ମୋଟ ୨୮୭ଟି ଅପରାଧ ମାମଲା ରୁଜୁ କରାଯାଇଥିଲା । ସେଥିରେ ୬୦ଜଣ ପ୍ରଥମ ଶ୍ରେଣୀ ଅଧିକାରୀ,୫୩ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ. ୨୨୮ଜଣ ତୃତୀୟ ଶ୍ରେଣୀ, ୮ଜଣ ଚତୁର୍ଥ ଶ୍ରେଣୀ, ୪୧ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୧୬୭ଜଣ ଘରୋଇ ବ୍ୟକ୍ତି ସାମିଲ ଅଚନ୍ତି । ସେଥିରୁ ୮୫ଟି ମାମଲାରେ ୯୨ଜଣ ସରକାରୀ କର୍ମଚାରୀ ଓ ୫୬ଜଣ ଘରୋଇ ବ୍ୟକ୍ତିଙ୍କଠୁ ୧୭୪.୮୩କୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଜବତ କରାଯାଇଛି । ୧୨୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ୧୧୮ଟି ଟ୍ରାପ୍ ମାମମଲାରେ ୩୬.୯୪ଲକ୍ଷ ଟଙ୍କା ଜବତ ହୋଇଛି ।

ସେହିପରି ୨୦୨୨ ମସିହାରେ ସରକାରୀ ପାଣ୍ଠି ତୋଷରପାତ ଅଭିଯୋଗରେ ୨୭୯ଜଣଙ୍କ ବିରୁଦ୍ଧରେ ୮୪ଟି ମାମଲା ରୁଜୁ ହୋଇଛି । ଏଥିରେ ୧୭୧ଜଣ ସରକାରୀ କର୍ମଚାରୀ ଓ ୧୦୮ଜଣ ଘରୋଇ ବ୍ୟକ୍ତି ରହିଛନ୍ତି । ସେମାନଙ୍କ ବିରୁଦ୍ଧରେ ୧୯.୫୦ କୋଟି ଟଙ୍କାର ସରକାରୀ ଅର୍ଥ ତୋଷାରପାତରେ ସମ୍ପୃକ୍ତିର ଅଭିଯୋଗ ରହିଛି । ଏଥିରେ ୧୬ଜଣ ପ୍ରଥମ ଶ୍ରେଣୀ, ୬ଜଣ ଦ୍ୱିତୀୟ ଶ୍ରେଣୀ, ୧୧୨ଜଣ ତୃତୀୟ ଶ୍ରେଣୀ ଓ ୫ଜଣ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସାମିଲ ଅଛନ୍ତି ।

୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ମୋଟ ୨୬୭ଟି ମାମଲାର ତଦନ୍ତ କରିଥିଲା । ୪୨ଜଣ ପ୍ରଥମ ଶ୍ରେଣୀ ଓ ୩୮ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୧୯୯ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୫ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ୨୧ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୪୦ଜଣ ଘରୋଇ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ମାମଲାର ତଦନ୍ତ କରିଥିଲା । ତେବେ ଗତବର୍ଷ ମୋଟ ୬୬ଟି ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ବିଭାଗକୁ ସୁପାରିଶ କରାଯାଇଥିବାବେଳେ ୧୪୩ଟି ତତନ୍ତକୁ ଅପରାଧ ମାମଲାରେ ପରିବର୍ତ୍ତନ ଓ ସାକ୍ଷୀ ପ୍ରମାଣ ଅଭାବରୁ ୬୫ଟି ତଦନ୍ତକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos