Advertisment

ନାସା ଫଟୋରେ ଓଡ଼ିଶାର ଗରିବୀ

ନାସାର ସେଡାକ୍ ବା ସୋସିଓ ଡେମୋଗ୍ରାଫିକ୍ ଆଣ୍ଡ ସାଟେଲାଇଟ୍ ଇନପୁଟ୍ସ ନାସା ସହାୟତାରେ ମିଳୁଥିବା ସାଟେଲାଇଟ ଛବି ସହ ସାମାଜିକ ତଥ୍ୟକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଛି।

ଅଦ୍ୟତନ ହୋଇଛି
Nasa

Nasa

Advertisment

ନାସା ଆଖିରେ ଓଡ଼ିଶାରେ ଗରିବୀ ଏବେ ବି ଭରି ରହିଛି। ଆମେରିକୀୟ ସଂସ୍ଥା ନାସାର ସେଡାକ୍ ବା ସୋସିଓଡେମୋଗ୍ରାଫିକ୍ ଆଣ୍ଡ୍ ସାଟେଲାଇଟ୍ ଇନପୁଟ୍ସ ପକ୍ଷରୁ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରେ ଗରିବୀରେ ଓଡ଼ିଶା ଏବେ ବି ଦେଶର ତଳ ଆଡ଼େ ରହିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୦ ବର୍ଷର ତଥ୍ୟ ଓ ସାଟେଲାଇଟ୍ ଇମେଜକୁ ଦେଖିଲେ ଓଡ଼ିଶାରେ ଗରିବୀ ବା ଡେପ୍ରିଭେସନ୍ ଚିନ୍ତାଜନକ ସ୍ତରରେ ରହିଛି। ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଂଚଳ ଭିତରେ ଓଡ଼ିଶା ଏବେ ବି ତଳଆଡୁ ୭ ନମ୍ବରରେ ରହିଛି। ନାସାର ସ୍କୋରରେ ୭୦ ଉପରକୁ ମାର୍କ ଥିବା ରାଜ୍ୟ ଭିତରେ ରହିଛି ଓଡ଼ିଶା। ନାସାର ମାପଦଣ୍ଡରେ ସବୁଠାରୁ କମ ଗରିବୀ ଅଂଚଳକୁ ୦ ମାର୍କ ମିଳୁଥିବା ବେଳେ ସବୁଠାରୁ ଅଧିକ ଗରିବୀ ଅଂଚଳକୁ ୧୦୦ ମାର୍କ ଭିତରେ ରଖାଯାଇଛି।

Advertisment

ନାସାର ସେଡାକ୍ ବା ସୋସିଓ ଡେମୋଗ୍ରାଫିକ୍ ଆଣ୍ଡ ସାଟେଲାଇଟ୍ ଇନପୁଟ୍ସ ନାସା ସହାୟତାରେ ମିଳୁଥିବା ସାଟେଲାଇଟ ଛବି ସହ ସାମାଜିକ ତଥ୍ୟକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଛି। ଛବି ସହିତ 6ଟି ମାପଦଣ୍ଡରେ ୧୦ ବର୍ଷର ତଥ୍ୟକୁ ନେଇ ଏହି ରିପୋର୍ଟ ଜାରି କରିଛି। ୬ଟି ମାପଦଣ୍ଡ ଭିତରେ ରହିଛି, ବଡ଼ଙ୍କ ଉପରେ ନିର୍ଭର କରୁଥିବା ଶିଶୁଙ୍କ ଅନୁପାତ, ଶିଶୁ ମୃତ୍ୟୁ ହାର, ମାନବୀୟ ବିକାଶ, ଅବିକଶିତ ଓ ବିକଶିତ ଅଞ୍ଚଳର ଅନୁପାତ, ରାତିର ଆଲୋକର ତୀବ୍ରତା ଓ ସମୟ। ଯେଉଁ ଅଂଚଳ ରାତିରେ ଯେତେ ଅଧିକ ସମୟ ଆଲୋକିତ ରହୁଛି ସେ ଅଂଚଳରେ ଆର୍ଥିକ କାରବାର ଅଧିକ ଓ ସେତେ ବିକଶିତ ବୋଲି ବିଚାର କରାଯାଇଛି।

ଅର୍ଥନୀତି ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି- ନୀତି ଆୟୋଗର ମଲଟିଡାଇମେନସନାଲ ପଭର୍ଟି ଇଣ୍ଡେକ୍ସରେ ୧୨ଟି ମାପଦଣ୍ଡ ନିଆଯାଇଥିବାବେଳେ ନାସା ସର୍ଭେରେ 6ଟି ମାପଦଣ୍ଡ ନିଆଯାଇଛି। ତେଣୁ ଓଡ଼ିଶା ରାଙ୍କରେ କିଛି ପ୍ରଭେଦ ଆସିବା ସ୍ବାଭାବିକ। ତେବେ ଆଗକୁ ଏ ସ୍ଥିତି ବଦଳିବ ବୋଲି ଆଶା କରାଯାଉଛି।

Advertisment

ଅନ୍ୟପଟରେ ଏ ନେଇ ରାଜନୈତିକ ନେତାମାନେ ବି ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି- ଆମେ ଜାଣୁ ଓଡ଼ିଶାରେ ଏକ ସ୍ଥାଣୁ ସରକାର ଚାଲିଛି। ଅନେକ ଯୋଜନା ବନ୍ଦ ହୋଇଗଲାଣି। ଏମିତିରେ ଗରିବୀ ଅଧିକ ବେଗରେ ହଟିପାରିବ ନାହିଁ।

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି- ଆମେ ରାଜ୍ୟର ବିଭିନ୍ନ ଅଂଚଳ ବୁଲିଲାବେଳେ ପ୍ରକୃତ ସ୍ଥିତି ଦେଖୁଛୁ। ଓଡ଼ିଶାରେ ଏବେ ବି ଭଲ ଶିକ୍ଷା ଓ ଜୀବନଧାରଣ ପାଇଁ ଲୋକଙ୍କର ଆୟ ନାହିଁ। ତେବେ ବିଜେଡି ବିଧାୟକ ଅଶୋକ ବଳ କହିଛନ୍ତି- ସର୍ଭେ ଅପେକ୍ଷା ଗାଁକୁ ଯାଆନ୍ତୁ ଦେଖନ୍ତୁ, ଲୋକଙ୍କର ଜୀବନର ମାନ କିଭଳି ବଦଳିଛି ଦେଖିପାରିବେ।

ବିଶ୍ୱବ୍ୟାଙ୍କ ହିସାବ ଅନୁସାରେ ଦିନକୁ୨.୧୫ଡଲାର ପାଉନଥିବା ବ୍ୟକ୍ତି ବା ପ୍ରାୟ ୧୮୦ ଟଙ୍କା ପାଉନଥିବା ବ୍ୟକ୍ତି ଅତ୍ୟନ୍ତ ଗରିବରେ ଯିବ। ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ଅନୁଯାୟୀ ୨୦୩୦ ସୁଦ୍ଧା ପୃଥିବୀରୁ ଅତ୍ୟଧିକ ଗରିବୀ ହଟାଇବାକୁ ଲକ୍ଷ୍ୟ ରହିଛି। ନିକଟରେ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଭାରତ ସମେତ ଓଡ଼ିଶାରେ ବହୁମୁଖୀ ଗରିବୀ କମୁଥିବା ଦେଖାଯାଇଥିଲା। ତେବେ ନୀତି ଆୟୋଗ ରିପୋର୍ଟରେ ଭାରତର ଗରିବୀ ହାର ୧୪.୯୬%ରେ ପହଞ୍ଚିଛି ବୋଲି କୁହାଯାଇଥିବାବେଳେ ଓଡ଼ିଶାର ଗରିବୀ ୧୫.୬୮%ରେ ପହଞ୍ଚିଛି ବୋଲି କୁହାଯାଇଥିଲା।

(ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ)

Odisha NASA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe