Advertisment

‘ଆରେ ଭାଇ କିଏ ଟିକେ ରେସ୍କ୍ୟୁ କର, ବିଚରା ଟର୍ଟଲ୍’; ବ୍ୟତିବ୍ୟସ୍ତ କରୁଛି କୁନି ଝିଅର ଅପିଲ୍

ଏହି କୁନି ଝିଅଟି ଆଜି କଟକରୁ ପାରାଦୀପ ବେଳାଭୂମିକୁ ବୁଲିବାକୁ ଆସିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Olive Ridley Rescue

Olive Ridley Rescue

‘ଆରେ ଭାଇ କିଏ ଟିକେ ରେସ୍କ୍ୟୁ କର...। ବିଚରା ଟର୍ଟଲ୍…।’ କୁନି ଝିଅର ଏଇ ବ୍ୟତିବ୍ୟସ୍ତ ଅପିଲ୍ ଭିଡ଼ିଓ ଆଜି ସମସ୍ତଙ୍କୁ ବିଚଳିତ କରୁଛି।

Advertisment

ଏହି କୁନି ଝିଅଟି ଗତକାଲି ଅପରାହ୍ନରେ କଟକ ଜୋବ୍ରାରୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ବେଳାଭୂମିକୁ ବୁଲିବାକୁ ଆସିଥିଲା। ସେ ତା’ ବାପାଙ୍କ ସାଙ୍ଗରେ ବୁଲୁ ବୁଲୁ ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଏକ ବିରଳ ପ୍ରଜାତିର ଅଲିଭ ରିଡଲେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲା। ଏହା ଦେଖି ବିଚଳିତ ହୋଇ ତାର ବାପାଙ୍କୁ ଏହି ଅଲିଭ ରିଡଲେକୁ ଉଦ୍ଧାର ନିମନ୍ତେ କହିଥିଲା। ଝିଅର ଏଭଳି ସହୃଦୟତା ଦେଖି ବାପା ମଧ୍ୟ ଅଲିଭ ରିଡ୍‌ଲେକୁ ଜାଲରୁ ବାହାର କରିବାକୁ ଖୁବ୍‌ ଚେଷ୍ଟା କରିଥିଲେ। ହେଲେ ପରି ନ ଥିଲେ।

କିଛି ଦୂରରେ ଜାଲ ସଜାଡୁଥିବା କିଛି ମତ୍ସ୍ୟଜୀବୀଙ୍କୁ ଝିଅଟିର ବାପା ଡାକ ପକାଇଥିଲେ। ଭାଇ... ଟିକେ ସାହାଯ୍ୟ କରନ୍ତୁ। ହେଲେ ମତ୍ସ୍ୟଜୀବୀମାନେ ଶୁଣି ନ ଶୁଣିଲା ଭଳି ରହି ଯାଇଥିଲେ। ଏହା ଦେଖି କୁନି ଝିଅ ଆହୁରି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା। ଏହା ପରେ ସେ ନିଜେ ଡାକ ପକାଇଥିଲା ‘ଆରେ ଭାଇ କିଏ ଟିକେ ରେସ୍କ୍ୟୁ କର। ବିଚରା ଟର୍ଟଲ୍ ଫସି ଯାଇଛି।’ ଝିଅର ଏହି ଡାକ ଶୁଣି ଜଣେ ମତ୍ସ୍ୟଜୀବୀ ଧାଇଁ ଆସିଥିଲେ। ହେଲେ ଅଲିଭ ରିଡ୍‌ଲେ ମାଛ ଜାଲରେ ସମ୍ପୂର୍ଣ୍ଣ ଗୁଡ଼ାଇ ହୋଇ ଫସି ଥିବାରୁ ସେ ଉଦ୍ଧାର କରିବାରେ ଫେଲ୍ ହୋଇଥିଲେ। ଅଲିଭ ରିଡ୍‌ଲେକୁ ଜାଲ ଭିତରୁ ଉଦ୍ଧାର କରିବାକୁ ହେଲେ ଜାଲକୁ କାଟିବା ଆବଶ୍ୟକ ପଡ଼ିଥିଲା। ହେଲେ ପାଖରେ କୌଣସି ସାଧନ ନ ଥିଲା।

Advertisment
Olive Ridley Rescueଅଲିଭ ରିଡ୍‌ଲେକୁ ଉଦ୍ଧାର କରାଯାଉଛି।

ପରେ କୁନି ଝିଅର ବାପା ବେଳାଭୂମିରେ ପଡ଼ିଥିବା ଏକ ଭଙ୍ଗା ବୋତଲକୁ ସଂଗ୍ରହ କରି ଜାଲ କାଟିବା ନିମନ୍ତେ ବ୍ୟବହାର କରିଥିଲେ। ହାତକୁ କଷ୍ଟ ହୋଇଥିଲେ ବି ପ୍ରାୟ ଘଣ୍ଟାଏ ପରିଶ୍ରମ କରି ଅଲିଭ ରିଡ୍‌ଲେକୁ ଜାଲ ଭିତରୁ ମୁକାଳିବାରେ ବାପା, ଝିଅ ଓ ମତ୍ସ୍ୟଜୀବୀଙ୍କ ଉଦ୍ୟମ ସଫଳ ହୋଇଥିଲା। ପରେ ଏହି ଅଲିଭ ରିଡ୍‌ଲେକୁ ସମୁଦ୍ରରେ ଛାଡ଼ି ଦିଆଯାଇଥିଲା। ତା ପରେ ସେହି କୁନି ଝିଅଟି ଖୁସିରେ ଡେଇଁଥିଲା। କୁନି ଝିଅଟି ଏହି ଅଲିଭ ରିଡ୍‌ଲେ ଉଦ୍ଧାର ସମୟର ଭିଡିଓ ଉଠାଇଥିଲେ। ଏବେ ଏହି ଭିଡିଓକୁ ଯିଏ ଦେଖୁଛି ଆହା ବୋଲି କହୁଛନ୍ତି।

Olive Ridley Rescueଉଦ୍ଧାର ଅଲିଭ୍‌ ରିଡ୍‌ଲେକୁ ସମୁଦ୍ରରେ ଛଡ଼ା ଯାଉଛି।

ସେପଟେ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନିମନ୍ତେ ସମୁଦ୍ର ଓ ବେଳାଭୂମିରେ ମାଛ ଜାଲ ନ ଫୋପାଡ଼ିବାକୁ କୁନି ଝିଅଟି ସମସ୍ତଙ୍କୁ ନିବେଦନ କରିଛି। ଏବେ ଅଣ୍ଡାଦାନ ସମୟ ହୋଇଥିବାରୁ ଅଲିଭ ରିଡ୍‌ଲେଟି ଓଡ଼ିଶା ଉପକୂଳ ମୁହାଁ ହୋଇଛନ୍ତି। ସମୁଦ୍ର ଭିତରେ ମତ୍ସ୍ୟଜୀବୀ ଫୋପାଡ଼ିଥିବା ଛିଡ଼ା ଜାଲ ଭିତରେ ଏହି ଅଲିଭ ରିଡ୍‌ଲେ ଫସି ଯାଇଥିଲା।

ଏହି କୁନି ଝିଅର ନାମ ଶ୍ରୀୟାସିଂ ପ୍ରିୟଦର୍ଶୀନି ସାହୁ(୭)। ସେ ଦ୍ୱିତୀୟ ଶ୍ରେଣୀରେ ପଢ଼େ। ସେ ତାଙ୍କ ବାପା ସରୋଜ କୁମାର ସାହୁଙ୍କ ସହ ପାରଦୀପ ବୁଲିବାକୁ ଆସିଥିଲେ।

ରିପୋର୍ଟ- ପାରଦୀପରୁ ରମାକାନ୍ତ ନାୟକ

Tourist Destinations Animal Love Olive Ridleys