Advertisment

ଖେଳ ଖେଳୁଛି ଖଣି ବିଭାଗ; ମଉଜ କରୁଛନ୍ତି ମାଫିଆ

ବାଲିଘାଟ ବା ସୈରାତ ଉତ୍ସ ନିଲାମ ନଥିବାବେଳେ ଦୁଇଟି ଯାକ ଗଡ଼ା ବେଆଇନ ଭାବେ କରାଯାଇ ବୈତରଣୀ ନଦୀ ଗର୍ଭରୁ ବାଲି ଉଠାଯାଉଥିଲା।

ଅଦ୍ୟତନ ହୋଇଛି
Dhamanagar

Dhamanagar

Advertisment

ଧାମନଗର ତହସିଲ ଅଧିନ ଆନନ୍ଦପୁର ପଞ୍ଚାୟତରେ ଚାଲିଥିବା 3ଟି ବେଆଇନ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଖଣି ବିଭାଗର ଭଦ୍ରକ ଜିଲ୍ଲା କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସଙ୍କ ନେତୃତ୍ବରେ ଏକ ଟିମ୍ ଆଜି ସକାଳୁ ଆନନ୍ଦପୁରରେ ପହଞ୍ଚି ଚଢ଼ଉ କରିଥିଲା। ଧାମନଗର ତହସିଲଦାର ଦୀପକ ଦାସ, ଧାମନଗର ରେଭିନ୍ୟୁ ସୁପରଭାଇଜର ଧନେଶ୍ବର ମାରାଣ୍ଡି, ସୋଧ ରାଜସ୍ବ ନିରୀକ୍ଷକ ଚୁଲବୁଲ୍ ସିଂହ ମଧ୍ୟ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ପାଇଁ ଧାମନଗର ଥାନା ପକ୍ଷରୁ ପୋଲିସ ସହାୟତା ଯୋଗାଇ ଦିଆଯାଇଥିଲା। ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ଦିହୁଡ଼ି ଆନ୍ଦପୁର-ସିଦ୍ଧେଶ୍ବର ବୈତରଣୀ ସେତୁ ନିକଟରେ ପହଞ୍ଚି ଆନନ୍ଦପୁର ମୌଜାର ପ୍ଲଟ ନମ୍ବର 636ରେ କୃଷ୍ଣ ଯେନାଙ୍କ ପାଳରେ ହୋଇଥିବା ପୁରୁଣା ଗଡ଼ା ଓ ତାର ପୂର୍ବ ଦିଗକୁ ପ୍ଲଟ ନମ୍ବର 637ରେ ହୋଇଥିବା ନୂଆ ଗଡ଼ାକୁ ଅନୁଧ୍ୟାନ କରିଥିଲେ।

Advertisment

ବାଲିଘାଟ ବା ସୈରାତ ଉତ୍ସ ନିଲାମ ନଥିବାବେଳେ ଦୁଇଟି ଯାକ ଗଡ଼ା ବେଆଇନ ଭାବେ କରାଯାଇ ବୈତରଣୀ ନଦୀ ଗର୍ଭରୁ ବାଲି ଉଠାଯାଉଥିଲା। ଏନଫୋର୍ସମେଣ୍ଟ ଟିମ୍ ଟିକିନିଖି ବୁଲି ଦେଖିବା ପରେ ଡୋଜର ଡକାଇଥିଲା। ହେଲେ ସ୍ଥାନୀୟ ବାଲି ଚୋରମାନେ ପରସ୍ପର ଭିତରେ କଥାବାର୍ତ୍ତା ହୋଇ ଆଖପାଖରେ ଥିବା ଡୋଜର ମାଲିକଙ୍କୁ ଭୟଭୀତ କରିଥିଲେ ଓ ଘାଟକୁ ନ ଆସିବାକୁ ଚେତାବନୀ ଦେଇଥିଲେ। ଡୋଜର ନ ଆସିବାରୁ ଏନଫୋର୍ସମେଣ୍ଟ ଟିମ୍ ପ୍ରାୟ ଦେଢ଼ ଘଣ୍ଟା ଧରି ଅପେକ୍ଷା କରି ରହିଥିଲା। ଶେଷରେ ବାଲି ମାଫିଆଙ୍କ ସହ ଫୁସଫାସ ହୋଇ କଥାହେଲେ। ଏହାପରେ ସେହି ଜାଗାରେ ବାଲି ଚୋରିରେ ସହଯୋଗ କରୁଥିବା ଗୋଟିଏ ଡୋଜରକୁ ମଗାଇଲେ।

ଡୋଜର ପହଞ୍ଚିବା ପରେ ଦୁଇଟି ଯାକ ପ୍ଲଟରେ ହୋଇଥିବା ଗଡ଼ାକୁ କାଟିଥିଲେ। ବାଲି ଉଠାଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ସ୍ଥାନୀୟ ଲୋକେ ଦାବି କରୁଥିଲେ ଯେ ନଦୀବନ୍ଧ ପାଖରେ ଓ ନଦୀ ଗର୍ଭରେ କରାଯାଇଥିବା ଗଡ଼ାକୁ ସଂପୂର୍ଣ୍ଣ ଭାବେ ତାଡ଼ିଦେବାକୁ। ହେଲେ ଏନଫୋର୍ସମେଣ୍ଟ ଟିମ୍ ଦୁଇଟି ଗଡ଼ାରେ 4 ଫୁଟ୍ ଚଉଡ଼ା, 4 ଫୁଟ୍ ଲମ୍ବ ଓ 3 ଫୁଟ୍ ଗଭୀରର ଗାତ କରିଦେଇଥିଲେ। ଏ ଦୁଇଟି ଗଡ଼ାରେ ଗାତ ଖୋଳିଦେଇ ଉତ୍ତେଇପୁରର ମଲ୍ଲିମାହାରାରେ ଚାଲିଥିବା ବେଆଇନ ଘାଟରେ ବି ଚଢ଼ଉ କରିଥିଲେ। ଏଠାରେ ଆନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶରତ ମାଝି ବାଲି ଉଠାଉଥିବା ଗଡ଼ାରେ ମଧ୍ୟ ଅନୁରୂପ ଭାବେ ଗାତଟିଏ କରିଦେଇଥିଲେ।

Advertisment

ଖଣି ବିଭାଗ କ୍ଷେତ୍ର ଅଧିକାରୀଙ୍କ ନେତୃତ୍ବରେ ଆସିଥିବା ଏଫୋର୍ସମେଣ୍ଟ ଟିମର ଏଭଳି କାର୍ଯ୍ୟ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ବାଲି ମାଫିଆ ହସୁଥିଲେ। ନିଜ ପାଖରେ ଡୋଜର ଥିବାରୁ ଗୋଟିଏ ଘଣ୍ଟାରେ ଏ ଗାତ ବନ୍ଦ ହୋଇଯିବ ଓ ପୁଣି ବାଲି ଉଠାଇ ହେବ ବୋଲି ସେମାନେ କହୁଛନ୍ତି। ଲୋକଙ୍କ କହିବା କଥା ଯେ, ଦୁଇଟି ଯାକ ଗଡ଼ାକୁ ସଂପୂର୍ଣ୍ଣ ଭାବେ ଖୋଳି ଦେଇଥିଲେ ପୁଣି ଗୋଟିଏ ଗଡ଼ା କରିବାକୁ ସମୟ ଲାଗିଥାନ୍ତା। ଖର୍ଚ୍ଚାନ୍ତ ହୋଇଥାନ୍ତେ। ଏଣୁ ବାଲି ଉଠାଇବା ବନ୍ଦ ରହିଥାନ୍ତା। ହେଲେ ଖଣି ବିଭାଗ ତାହା ନ କରି ପିଲା ଖେଳ ଭଳି ଛୋଟ ଛୋଟ 3ଟି ଗାତ କରି ପଳାଇଗଲେ। ତେବେ ତିନିଟି ଯାକ ଘାଟରେ ଆଗାମୀ ଦିନରେ 144 ଧାରା ଜାରି କରାଯିବ ବୋଲି ଖଣି ବିଭାଗ କ୍ଷେତ୍ର ଅଧିକାରୀ ଅନିଲ କୁମାର ଦାସ କହିଛନ୍ତି।

ଏହି ତିନିଟି ସ୍ଥାନରେ ଗତ ଦୁଇ ବର୍ଷ ହେଲା ବେଆଇନ ଭାବେ ବାଲି ଉଠାଯାଉଛି। ଉତ୍ତେଇପୁର ମଲ୍ଲିମାହାରାରେ ବାଲିଘାଟର ନିଲାମ ଅବଧି ରହିଛି। ହେଲେ ଘାଟରୁ ବାଲି ଉଠାଇବା ଲାଗି ପରିବେଶ ବିଭାଗର ଅନୁମତି ନାହିଁ କି କନସେଣ୍ଟ ଟୁ ଅଫରେଟ-ସିଟିଓ ନାହିଁ। ଏହାସତ୍ତ୍ବେ ନିଲାମଧାରୀ ଶରତ ମାଝି ବେଆଇନ ଭାବେ ବାଲି ଉଠାଉଛନ୍ତି। ଏହାକୁ ଦେଖି ତାଙ୍କର ରାଜନୈତିକ ବିରୋଧୀମାନେ ଦିହୁଡ଼ି ଆନନ୍ଦପୁର-ସିଦ୍ଧେଶ୍ବର ବୈତରଣୀ ସେତୁ ପାଖ କୃଷ୍ଣ ଯେନା ପାଳରେ ଗଡ଼ା କରି ବାଲି ଉଠାଉଥିଲେ। ଚଳିତ ବର୍ଷ ଶରତଙ୍କ ଅନୁଗତମାନେ କୃଷ୍ଣ ଯେନାଙ୍କ ପାଳକୁ ଲାଗିକି ଥିବା ନିରୁପମା ମାହାକୁଡ଼ଙ୍କ ପାଳରେ ଆଉ ଗୋଟିଏ ଗଡ଼ା କରି ଉଠାଉଥିଲେ।

ଏଭଳି ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗାଁ ଲୋକେ ଧାମନଗର ତହସିଲଦାରଙ୍କୁ ଭେଟି ଜଣାଇଥିଲେ। ବାଲିଘାଟ ବନ୍ଦ ପାଇଁ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିବେଦନ କରିଥିଲେ। ହେଲେ ବାଲିଘାଟ ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗ ପାଖରେ ନାହିଁ। ଗତବର୍ଷରୁ ଏହାକୁ ଖଣି ବିଭାଗକୁ ଦେଇ ଦିଆଯାଇଛି। ଏଣୁ ତହସିଲ କିଛି କରିପାରିବ ନାହିଁ ବୋଲି ତହସିଲଦାର ଦୀପକ ଦାସ କହିଥିଲେ। ଏନେଇ ଗାଁ ଲୋକେ ଯୁକ୍ତି କରିବାରୁ ସେ କହିଥିଲେ ଯେ, ବାଲି ଚୋରି ରୋକିବା ପାଇଁ ରାସ୍ତାରେ ସେ କେବଳ ଗାଡ଼ି ଧରିପାରିବେ। ହେଲେ ଘାଟ ବନ୍ଦ କରିବା ତାଙ୍କ କ୍ଷମତା ବାହାରେ କହି ଚୁପ୍ ରହିଥିଲେ। ଏ ସଂପର୍କରେ ଖଣି ବିଭାଗକୁ ଜଣାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ଖଣି ବିଭାଗ କ୍ଷେତ୍ର ଅଧିକାରୀ ଅନିଲ ଦାସଙ୍କ ସୂଚନା ଅନୁସାରେ, ବାଲିଘାଟ ନିଲାମ ଦାୟିତ୍ବ ଏବେ ଖଣି ବିଭାଗ ପାଖରେ ରହିଛି। ହେଲେ ଓଡ଼ିଶା ମାଇନର ମିନେରାଲ କନସେସନ ଆମେଣ୍ଡମେଣ୍ଟ ରୁଲସ-2016 ଅନୁଯାୟୀ ଥାନା ଅଧିକାରୀ, ତହସିଲଦାର, ରେଭିନ୍ୟୁ ସୁପରଭାଇଜର ବାଲି ଚୋରି ରୋକିପାରିବେ। ଚୋରି କରୁଥିବା ଲୋକଙ୍କ ବିରୋଧରେ ଏମ୍ଏମଡିଆର ଆକ୍ଟରେ କେସ୍ କରାଯାଇପାରିବ ବୋଲି ସେ କହିଥିଲେ।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe