Advertisment

ମିଳୁନି ପ୍ରୋତ୍ସାହନ; କୋରାପୁଟ୍‌ରେ ଡେରା ପକାଇଛନ୍ତି ବାହାର ରାଜ୍ୟର ଅଦା ବେପାରୀ

ଅମଳ ପରେ ଅଦାକୁ ଗଚ୍ଛିତ ରଖିବାର କୌଣସି ବ୍ୟବସ୍ଥା ନଥିବାରୁ ଶାଗମାଛ ଦରରେ ବେପାରୀଙ୍କୁ ବିକି ଦେଉଥିବା ଚାଷୀମାନେ କହିଛନ୍ତି। କମ୍‌ ଦାମରେ ଅଦା ମିଳୁଥିବାରୁ କର୍ଣ୍ଣାଟକ, କେରଳ, ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ଦଲାଲମାନେ ଏଠାରେ କିଣି ନେଉଛନ୍ତି।

author-image
Manoranjan Sial
Ginger

Ginger

କୋରାପୁଟର ଅଦା ଏକ ଜିଲ୍ଲା ଏକ ଉତ୍ପାଦ(ODOP) ତାଲିକାରେ ସ୍ଥାନ ପାଇଛି। ହେଲେ ଅଦା ଚାଷୀଙ୍କୁ ମିଳୁନି ଉଚିତ ବଜାର ମୂଲ୍ୟ। ଯାହାଫଳରେ ଚାଷୀମାନେ ଯେମିତି ଅଭାବ ଓ ଅନଟନରେ ଜୀବନ ନିର୍ବାହ କରୁଥିଲେ, ଏବେ ମଧ୍ୟ ଠିକ୍‌ ସେମିତି କାଳାତିପାତ କରୁଛନ୍ତି। ଚାଷୀମାନେ ଅଭାବ ଅନଟନରେ ପଡ଼ି ଶାଗମାଛ ଦରରେ କର୍ଣ୍ଣାଟକ, କେରଳ, ଆନ୍ଧ୍ର ଓ ଛତିଶଗଡ଼ର ଦଲାଲଙ୍କୁ ବିକି ଦେଉଛନ୍ତି। ସବୁଠାରୁ ଦୁଃଖର ବିଷୟ ମିଲେଟ୍‌କୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାର ଅଦା ଚାଷୀଙ୍କ କଥା ଚିନ୍ତା କରୁନାହାନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

କୋରାପୁଟ ଜିଲ୍ଲାର ଜଳବାୟୁ ଓ ଜମି ଅଦା ଚାଷ ପାଇଁ ବେଶ ଉପଯୋଗୀ। ଜିଲ୍ଲାର ପଟାଙ୍ଗି, ଲକ୍ଷ୍ମୀପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକରେ ଅଦା ଚାଷ ବହୁ ପରିମାଣରେ ହେଉଥିବା ବେଳେ ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ଚାଷ ହେଉଛି। ପ୍ରାୟ ୪ ହଜାର ହେକ୍ଟର ଜମିରେ ଅଦା ଚାଷ ହେଉଛି। ଏହି ଚାଷରୁ ପ୍ରତିବର୍ଷ ପ୍ରାୟ ୫୦ ହଜାର ମେଟ୍ରିକ ଟନ ଉତ୍ପାଦନ ହେଉଥିବା ଉଦ୍ୟାନ କୃଷି ବିଭାଗ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟ ପକ୍ଷରୁ ଜଣାପଡ଼ିଛି। ଅଦା ଅମଳ ଡିସେମ୍ବର ଓ ଜାନୁଆରୀରେ ହୋଇଥାଏ। ତେବେ ସରକାର ଜିଲ୍ଲାର କଫି ଓ ମିଲେଟ ଭଳି ଅଦା ପାଇଁ ସ୍ଵତନ୍ତ୍ର ବଜାର ବ୍ୟବସ୍ଥା କରିବା ଆବଶ୍ୟକ ରହିଛି। ଏଠାରେ ସ୍ୱତନ୍ତ୍ର ବଜାର ହେଲେ ସ୍ଥାନୀୟ ଚାଷୀ ଉପକୃତ ହେବା ସହ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ମଧ୍ୟ ବଢିପାରିବ।

ଅମଳ ପରେ ଅଦାକୁ ଗଚ୍ଛିତ ରଖିବାର କୌଣସି ବ୍ୟବସ୍ଥା ନଥିବାରୁ ଶାଗମାଛ ଦରରେ ବେପାରୀଙ୍କୁ ବିକି ଦେଉଥିବା ଚାଷୀମାନେ କହିଛନ୍ତି। କମ୍‌ ଦାମରେ ଅଦା ମିଳୁଥିବାରୁ କର୍ଣ୍ଣାଟକ, କେରଳ, ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ଦଲାଲମାନେ ଏଠାରେ କିଣି ନେଉଛନ୍ତି। ଯିଏ ଯେମିତି ପାରିଲା କିଣୁଛି। ଏପରିକି କିଛି ବ୍ୟବସାୟୀ କଞ୍ଚା ଅଦାକୁ ଶୁଖାଇ ଓ ପ୍ରୋସେସିଂ କରି ନେଇଯାଉଛନ୍ତି। ସେଥିପାଇଁ ମେଶିନ୍‌ ମଧ୍ୟ ବସାଇଛନ୍ତି। କିଛି କିଛି ସ୍ଥାନରେ ଅଦାକୁ ପାୱଡର ଫର୍ମାଟରେ ପ୍ରସ୍ତୁତ କରାଯାଇ ନିଆଯାଉଥିବା ଦେଖିବାକୁ ମିଳୁଛି। ଅର୍ଥାତ କୋରାପୁଟ୍‌ର ଯେଉଁ ଅଦାକୁ ସେମାନେ ୪୦ରୁ ୫୦ ଟଙ୍କାରେ କିଛି ଉଚ୍ଚ ଦରରେ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି।

Advertisment

ଚାଷୀଙ୍କ ସମସ୍ୟା ନେଇ ଉଦ୍ୟାନ କୃଷି ବିଭାଗର ଉପ-ନିର୍ଦ୍ଦେଶକ ସୁଦାମ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଜିଲ୍ଲା ଏକ ଉତ୍ପାଦ ବର୍ଗରେ କୋରାପୁଟ ଜିଲ୍ଲାର ଅଦାକୁ ମାନ୍ୟତା ଦିଆଯାଇଛି। ମାନ୍ୟତା ମିଳିବାକୁ ଦୁଇ ବର୍ଷ ହୋଇଯାଇଛି। ଏହି ମାନ୍ୟତା ମିଳିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷ କ୍ଷେତ୍ରରେ ପ୍ରୋତ୍ସାହନ, ବଜାରିକରଣ ବ୍ୟବସ୍ଥା ଓ ପ୍ରୋସେସିଂ କରିବା ଆଦି। ତେବେ ବର୍ଷେ ହେବ ଏହାର ପ୍ରୋସେସିଂ ଓ ବଜାରିକରଣ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଅନୁରୂପ ଭାବେ ଜିଲ୍ଲା ମିଶନ ଶକ୍ତିର ଡ଼ିପିଏମ୍‌ ମଧ୍ୟ ଜିଲ୍ଲାର ନନ୍ଦପୁରଠାରେ ଏକ ପ୍ରୋସେଶିଂ ୟୁନିଟ୍‌ ସ୍ଥାପନ କରାଯାଇଛି। ସେଥିପାଇଁ ମିଶନ ଶକ୍ତି ଜରିଆରେ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗକୁ ଗ୍ରୁପ୍‌ ମାଧ୍ୟମରେ ସେମିଳିଗୁଡା, ପଟାଙ୍ଗି ଓ ଲମତାପୁଟଠାରେ ଏଭଳି ପ୍ରୋସେଶିଂ ୟୁନିଟ୍‌ ସ୍ଥାପନ ପାଇଁ ଯୋଜନା ରହିଛି। ଏଠାରୁ ଉତ୍ପାଦନ ହେଉଥିବା ସାମଗ୍ରୀର ବ୍ୟବସାୟ ପାଇଁ ବେଙ୍ଗାଲୁରୁ ଦୁଇଟି ସଂସ୍ଥା ସହିତ ଚୁକ୍ତି ସାରିଛି ବୋଲି ଉପ-ନିର୍ଦ୍ଦେଶକ କହିଛନ୍ତି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput