ଆମ ସମ୍ବିଧାନ, ଆମ ସମ୍ମାନ

ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’

Representative Image

  • Published: Tuesday, 26 November 2024
  • , Updated: 26 November 2024, 02:50 PM IST

ଦେବେନ୍ଦ୍ର ପୃଷ୍ଟି

‘ଆମେ ସମସ୍ତେ ଭାରତୀୟ, ପ୍ରଥମତଃ ଏବଂ ଶେଷତଃ।’ – ଡକ୍ଟର ବିଆର ଆମ୍ବେଦକର

ଭାରତର ସମସ୍ତ ଲୋକଙ୍କୁ ଗୋଟିଏ ରାଷ୍ଟ୍ରର ପତାକା ତଳେ ଏକଜୁଟ କରି ରଖିବା ପାଇଁ ପ୍ରଣୀତ ହୋଇଛି ଭାରତ ଶାସନର ସଂକଳ୍ପପତ୍ର ସମ୍ବିଧାନ। ଏହା ଭାରତ ଶାସନର ବିଧି ବି, ବିଧାନ ବି; ସଂକଳ୍ପପତ୍ର ବି, ମାର୍ଗଦର୍ଶିକା ବି। ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’

ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ ପରିଧାନ ଆଦି ବହୁ ବିଭିନ୍ନତାରେ ଭରପୂର ଭାରତବର୍ଷକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରେପକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଢ଼ିବା ସହିତ ଏହାର ସମସ୍ତ ନାଗରିକମାନଙ୍କୁ ଆର୍ଥିକ, ସାମାଜିକ ଓ ରାଜନୀତିକ ନ୍ୟାୟ ପ୍ରଦାନ କରିବାର ସଂକଳ୍ପ ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ଭାବନା, ଅଭିବ୍ୟକ୍ତି, ଆସ୍ଥା, ବିଶ୍ୱାସ ଓ ପୂଜନର ସ୍ୱାଧୀନତା ସହିତ ସୁଯୋଗ ଓ ସ୍ଥିତିର ସମାନତା ପ୍ରଦାନ କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ବ୍ୟକ୍ତିଗତ ମର୍ଯ୍ୟାଦାର ସୁରକ୍ଷା ସହିତ ଭ୍ରାତୃତ୍ୱର ବନ୍ଧନରେ ଆବଦ୍ଧ କରି ରଖିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ସର୍ବୋପରି ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ।

ଭାରତର ଏହି ସମ୍ବିଧାନ ପ୍ରଣୟନ ପାଇଁ ଲାଗିଥିଲା ପ୍ରାୟ ତିନି ବର୍ଷ। ଭାରତକୁ ସ୍ୱାଧୀନତା ଦେବା ଦିଗରେ ବ୍ରିଟିଶ ସରକାର ୧୯୪୬ ମସିହାରେ ଗ୍ରହଣ କରିଥିଲେ କ୍ୟାବିନେଟ୍ ମିଶନ ଯୋଜନା। ଏହି ଯୋଜନା ଅନୁସାରେ ଗଠିତ ହୋଇଥିଲା ସମ୍ବିଧାନ ପ୍ରଣୟନ ସଭା। ଏହି ସଭାର ପ୍ରଥମ ଅସ୍ଥାୟୀ ସଭାପତି ଥିଲଷ ସଚ୍ଚିଦାନନ୍ଦ ସିହ୍ନା। ପରେ ସ୍ଥାୟୀ ସଭାପତି ହୋଇଥିଲେ ରାଜେନ୍ଦ୍ର ପ୍ରସାଦ। ସେ ପରେ ଭାରତର ରାଷ୍ଟ୍ରପତି ହୋଇଥିଲେ। ଆରମ୍ଭରୁ ସମ୍ବିଧାନ ପ୍ରଣୟନ ସଭାରେ ମୋଟ ୩୮୯ ଜଣ ସଦସ୍ୟ ଥିଲେ। କିନ୍ତୁ ୧୯୪୭ ମସିହାରେ ଭାରତର ବିଭାଜନ ଓ ସ୍ୱାଧୀନତା ପରେ ଏହାର ସଦସ୍ୟ ସଂଖ୍ୟା ୨୯୯କୁ ଖସି ଆସିଥିଲା। ସ୍ୱାଧୀନତା ପରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏହି କମିଟିର ଅନ୍ୟ ସଦସ୍ୟମାନେ ହେଲେ କେଏମ ମୁନସୀ, ମହମ୍ମଦ ସାଦୁଲ୍ଲା, ଆଲାଡି କୃଷ୍ଣସ୍ୱଶମୀ ଆୟାର, ଏନ ଗୋପାଳସ୍ୱାମୀ ଆୟାଙ୍ଗାର, ଦେବୀ ପ୍ରସାଦ ଖଇତାନ ଓ ବିଏଲ ମିତ୍ତର।

ଏହି କମିଟି ୧୯୪୮ ଆଦ୍ୟ ଭାଗ ବେଳକୁ ସମ୍ବିଧାନର ଚିଠା ଚୂଡ଼ାନ୍ତ କରିସାରିଥିଲେ। ଏହା ଥିଲା ସ୍ୱାଧୀନ ଭାରତର ଶାସନ ସଂହିତାର ପ୍ରଥମ ଚିଠା। ଏହା ଉପରେ ବହୁ ବିଜ୍ଞ, ବିଦ୍ୱାନ ରାଷ୍ଟ୍ରନୀତିଜ୍ଞ ପରସ୍ପର ମଧ୍ୟରେ ଆଲୋଚନା ଓ ବିତର୍କ କରିବା ପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଅଳ୍ପ କିଛି ସଂଶୋଧନ ସହିତ ଏହାର ପୂର୍ଣ୍ଣାଙ୍ଗ ଚିଠାକୁ ଅନୁମୋଦନ ପ୍ରଦାନ କରିଥିଲେ। ସେଇଥିପାଇଁ ଏହି ଦିନକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ। ସମ୍ବିଧାନ ପ୍ରଣୟନ ସଭା ମୋଟ ୧୬୫ ଦିନ ଭିତରେ ୧୧ଟି ବୈଠକରେ ବିଚାର ଆଲୋଚନା କରି ସମ୍ବିଧାନକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲେ।

ପୂର୍ବରୁ ନଭେମ୍ବର ୨୬ ତାରିଖକୁ ଆଇନ ବା ବିଧି ଦିବସ ଭାବେ ପାଳନ କରାଯାଉଥିଲା। କିନ୍ତୁ ୨୦୧୫ ମସିହାରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଭାରତର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଏହାକୁ ସମ୍ବିଧାନ ଦିବସ ଭାବେ ଗ୍ରହଣ କରାଗଲା। ସେହି ବର୍ଷଠାରୁ ନଭେମ୍ବର ୨୬ ତାରିଖକୁ ଭାରତର ସମ୍ବିଧାନ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ଜରିଆରେ ଭାରତର ଉତ୍ତର ପିଢ଼ି ସମ୍ବିଧାନ ପ୍ରଣୟନ ସଭା ଓ ଏହାର ସଦସ୍ୟମାନଙ୍କ ଅବଦାନକୁ ମନେ ପକାଉଛି। ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ। ସେହି ଦିନଠାରୁ ଭାରତ ଏକ ସାଧାରଣତନ୍ତ୍ର ଭାବେ ପ୍ରତିଷ୍ଠାଲାଭ କରିଛି। ତାହା ସାଧାରଣତନ୍ତ୍ର ଦିବସ ଭାବେ ପାଳିତ ହୁଏ।

୧୯୪୯ ନଭେମ୍ବର ୨୬ ତାରିଖ ଦିନ ଏହି ସମ୍ବିଧାନର ୫, ୬, ୭, ୮, ୯, ୬୦, ୩୨୪, ୩୬୬, ୩୬୭, ୩୭୯, ୩୮୦, ୩୮୮, ୩୯୧, ୩୯୨, ୩୯୩, ୩୯୪ ଧାରା କାର୍ଯ୍ୟକାରୀ ହୋଇଥିଲା। ବାକି ଧାରା ସବୁ ୧୯୫୦ ଜାନୁଆରୀ ୨୬ ତାରିଖଠାରୁ କାର୍ଯ୍ୟକାରୀ ହେଉଛି। ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ବ୍ରିଟିଶ ସରକାର ପ୍ରଣୟନ କରିଥିବା ୧୯୪୭ର ଭାରତ ସ୍ୱାଧୀନତା ଆଇନ ଓ ୧୯୩୫ର ଭାରତ ସରକାର ଆଇନ ଅତଳ ହୋଇଥିଲା।

ଭାରତର ମୂଳ ସମ୍ବିଧାନରେ ୩୯୫ ଧାରା, ୮ଟି ତଫସିଲ ଓ ୨୨ଟି ପରିଚ୍ଛଦ ବା ଭାଗ ଥିଲା। ଏବେ ଏଥିରେ ୪୪୮ ଧାରା, ୨୫ ଭାଗ ବା ପରିଚ୍ଛଦ ଓ ୧୨ଟି ତଫସିଲ ରହିଛି। ଇତିମଧ୍ୟରେ ଭାରତର ସଂସଦରେ ଗୃହୀତ ହୋଇଥିବା ୧୦୪ ସଂଶୋଧନ ପ୍ରସ୍ତାବ ବଳରେ ସମ୍ବିଧାନର କଳେବର ବୃଦ୍ଧି ଘଟିଛି। ମୂଳ ସମ୍ବିଧାନର ତୃତୀୟ ପରିଚ୍ଛଦରେ ନାଗରିକମାନଙ୍କର ମୌଳିକ ଅଧିକାର ଥିଲେ ବି ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ଅନ୍ତର୍ଭୁକ୍ତ ନଥିଲା। ୧୯୭୬ ମସିହାରେ ହୋଇଥିବା ସମ୍ବିଧାନର ୪୨ତମ ସଂଶୋଧନରେ ୫୧-କ ଧାରା ଯୋଡ଼ା ଯାଇ ସମ୍ବିଧାନରେ ଚତୁର୍ଥ ପରିଚ୍ଛଦ ସୃଷ୍ଟି ହେଲା ଓ ଏଥିରେ ନାଗରିକମାନଙ୍କ ପାଇଁ ୧୦ଟି କର୍ତ୍ତବ୍ୟ ଲିପିବଦ୍ଧ ହେଲା। ପରେ ୨୦୦୨ ମସିହାରେ ଏଥିରେ ଏକାଦଶ କର୍ତ୍ତବ୍ୟଟି ଯୋଡ଼ାଗଲା। ଭାରତର ସମ୍ବିଧାନକୁ ପୃଥିବୀର ବୃହତ୍ତମ ଲିଖିତ ସମ୍ବିଧାନ ଭାବେ ଗ୍ରହଣ କରାଯାଏ। ଏହାର ଇଂରାଜୀ ସଂସ୍କରଣରେ ମୋଟ ୧,୧୭,୩୬୦ ଶବ୍ଦ ସନ୍ନିହତ।

ଚଳିତ ବର୍ଷ ସମ୍ବିଧାନ ଦିବସର ଶୀର୍ଷଭାବ ହେଉଛି ‘ଆମ ସମ୍ବିଧାନ, ଆମ ସମ୍ମାନ’ (ହମାରା ସମ୍ବିଧାନ, ହମାରା ସମ୍ମାନ)। ୨୦୨୪ ଜାନୁଆରୀ ୨୪ ତାରିଖରେ ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି ଭାରତର ଉପରାଷ୍ଟ୍ରପତି। ଏହି ଅଭିଯାନ ଜରିଆରେ ଭାରତ ପ୍ରତି ଘରେ ସମ୍ବିଧାନର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଜରିଆରେ ସମ୍ବିଧାନ ସଚେତନତା, ମୌଳିକ ଅଧିକାର ସଚେତନତା, ବୈଧାନିକ ଉତ୍ତରଦାୟିତ୍ୱ ସଚେତନତା ସହିତ ସଭିଙ୍କୁ ନ୍ୟାୟ ପ୍ରତି ଘରେ ନ୍ୟାୟ, ନବ ଭାରତ ନବ ସଂକଳ୍ପ ସଂପର୍କରେ ଜାଗରଣ ସୃଷ୍ଟି କରାଯିବ।

ଭାରତର ସମ୍ବିଧାନକୁ ଅନେକ ସମାଲୋଚକ ଏକ ଉଧାରି ସମ୍ବିଧାନ ଭାବେ ବର୍ଣ୍ଣନା କରିଥାନ୍ତି। ଏହା ଏଇଥିପାଇଁ ଯେ ଏଥିରେ ବିଶ୍ୱର ପ୍ରାୟ ସବୁ ସଫଳ ଗଣତନ୍ତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଉପାଦେୟ ବ୍ୟବସ୍ଥା ସନ୍ନିହତ କରାଯାଇଛି। ବ୍ରିଟିଶ ପରମ୍ପରାରୁ ଆମ ସମ୍ବିଧାନ ନାମମାତ୍ର ରାଷ୍ଟ୍ରମୁଖ୍ୟ, ପ୍ରଧାନମନ୍ତ୍ରୀ ମୂଳକ ଶାସନ, ସଂସଦୀୟ ଗଣତନ୍ତ୍ର, ଶକ୍ତିଶାଳୀ ନିମ୍ନ ସଦନ, କ୍ୟାବିନେଟ୍, ଆଇନର ଶାସନ ବ୍ୟବସ୍ଥା ଆଦି ଗ୍ରହଣ କରିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନରୁ ସଂଘୀୟ ବ୍ୟବସ୍ଥା, ମୌଳିକ ଅଧିକାର, ଲିଖିତ ସମ୍ବିଧାନ, ସ୍ୱାଧୀନ ନ୍ୟାୟପାଳିକା, ସୁପ୍ରିମ କୋର୍ଟ, ରାଷ୍ଟ୍ରପତିଙ୍କ ବହିଷ୍କାର ଆଦି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିଭଳି ଫ୍ରାନ୍ସରୁ ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ ଗ୍ରହଣ କରାଯାଇଛି। ସୋଭିଏଟ୍ ୟୁନିଅନରୁ ନାଗରିକଙ୍କ ପାଇଁ ମୌଳିକ କର୍ତ୍ତବ୍ୟ, କେନ୍ଦ୍ରୀୟ ଯୋଜନା କମିଶନ, ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟ ଆଦି ପରିକଳ୍ପନା ଗ୍ରହଣ କରାଯାଇଛି। ଏସବୁ ବ୍ୟବସ୍ଥା ଅନ୍ୟ ଦେଶର ସମ୍ବିଧାନରୁ ଆସିଥିଲେ ବି ଏହା ଭାରତକୁ ଏକ ପରିପୂର୍ଣ୍ଣ ଗଣତନ୍ତ୍ରରେ ପରିଣତ କରିଛି। ଭାରତର ନାଗରିକମାନେ ବିଶ୍ୱର ଅନ୍ୟ ବହୁ ରାଷ୍ଟ୍ରର ନାଗରିକଙ୍କଠାରୁ ଅଧିକ ସ୍ୱତନ୍ତ୍ରତା ଓ ସ୍ୱାଧୀନତା ସହିତ ଅଧିକାରର ଅଧିକାରୀ ହୋଇପାରିଛନ୍ତି।

ଭାରତୀୟ ସମ୍ବିଧାନ ଭାରତ ଶାସନର ସଂହିତା ଭାବେ ସର୍ବମାନ୍ୟ। ଏଥିରେ ଏଯାଏଁ ଶତାଧିକ ସଂଶୋଧନ କରାଯାଇଥିଲେ ମଧ୍ୟ ଏହାର ମୌଳିକ ଚରିତ୍ର ଅପରିବର୍ତ୍ତନୀୟ ବୋଲି ଭାରତର ସୁପ୍ରିମ କୋର୍ଟ ବହୁବାର ରାୟ ଦେଇ ଏହି ସମ୍ବିଧାନକୁ ଏକ ଅଲ୍ଲଙ୍ଘ୍ୟ ଓ ଅକାଟ୍ୟ ଦଲିଲରେ ପରିଣତ କରିଛନ୍ତି। ସେଇଥିପାଇଁ ଏହା ହୋଇଯାଇଛି ଭାରତ ଶାସନର ଗୀତା, ବାଇବେଲ୍‌ ଓ କୁରାନ୍‌। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାର୍ଥରେ ଆମ ସମ୍ବିଧାନକୁ ଭାରତବାସୀଙ୍କ ଆଶା (ଇଂରାଜୀରେ ହୋପ୍‌) ଭାବେ ବର୍ଣ୍ଣନ କରିଛନ୍ତି। ଇଂରାଜୀରେ ହୋପ୍‌ର ବନାନ ହେଉଛି ଏଚ (ହାରମୋନି), ଓ (ଅପର୍ଚ୍ୟୁନିଟି), ପି(ପିପୁଲ୍ସ ପାର୍ଟିସିପେସନ) ଓ ଇ(ଇକ୍ୟାଲିଟି)। ଓଡ଼ିଆରେ ଏହା ହେବ ସଂହତି, ସୁଯୋଗ, ସହଭାଗୀତା ଓ ସମାନତାର ବାର୍ତ୍ତାବହ।

Related story