Advertisment

ସୁକିନ୍ଦାରେ ଭୋକର ଛାତି ଥରା ଦୃଶ୍ୟ; ଶିଶୁମାନେ ଖାଉଛନ୍ତି ଭାତ ସାଙ୍ଗେ ଲୁଣ

ଯାଜପୁର ସୁକିନ୍ଦା ବ୍ଲକ କଂଅସ ପଞ୍ଚାୟତ ମଲ୍ଳାର ଅଞ୍ଚଳରେ ବସବାସ କରୁଥିବା ଏହି ଆଦିବାସୀ ଶିଶୁମାନଙ୍କ ଦୁଃଖ ଓ ଦୁରାବସ୍ଥା ଯିଏ ଦେଖିବ ତାହା ଆଖିରେ ପାଣି ଆସିଯିବ।

author-image
Niranjan Mishra
ଅଦ୍ୟତନ ହୋଇଛି
Children are eating rice with salt

Children are eating rice with salt

ଯାଜପୁର ଜିଲ୍ଲା ସୁକିନ୍ଦାରେ ଦେଖିବାକୁ ମିଳିଛି ଭୋକର ଛାତି ଧରା ଦୃଶ୍ୟ। ଶିଶୁମାନେ ଖାଉଛି ଭାତ ସାଙ୍ଗେ ଲୁଣ। ଅତି ବେଶିରେ ଭାତ ସାଙ୍ଗରେ ରସୁଣ କୋଲାଏ ମିଳିଗଲେ ଅଧିକ। ଛିଣ୍ଡା ପଲିଥିନ ତଳେ ବିତୁଛି ଶିଶୁମାନଙ୍କ ଜୀବନ। ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସାଧନ ସେମାନଙ୍କ ନିମନ୍ତେ ସାତ ସପନ। କେଉଁ ଦିନ ଅଧାପେଟ ଖାଇବାକୁ ମିଳୁଛି ତ କେଉଁଦିନ ପାଣିପିଇ ଶୋଇବାକୁ ପଡ଼ୁଛି। ରାତିରାତି ଅନିଦ୍ରା ରହିବାକୁ ବି ପଡ଼ୁଛି। କାରଣ ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବାକୁ ଦଦରା ଝୁପୁଡ଼ି ଛଡ଼ା ସେମାନଙ୍କ ନିମନ୍ତେ ଅନ୍ୟ ବିକଳ୍ପ ନାହିଁ। ଝଡ଼ାବତାସ ଲାଗି ରହିଲେ ଏମାନଙ୍କ ଅବସ୍ଥା ହୋଇଯାଏ ଦୁର୍ବିସହ। ରାତି ହେଲେ ବିଷଧର ସାପ, ବାଘ, ଭାଲୁ, ହାତୀଙ୍କ ସହ କରିବାକୁ ପଡ଼ୁଛି ସଂଘର୍ଷ। ଯାଜପୁର ସୁକିନ୍ଦା ବ୍ଲକ କଂଅସ ପଞ୍ଚାୟତ ମଲ୍ଳାର ଅଞ୍ଚଳରେ ବସବାସ କରୁଥିବା ଏହି ଆଦିବାସୀ ଶିଶୁମାନଙ୍କ ଦୁଃଖ ଓ ଦୁରାବସ୍ଥା ଯିଏ ଦେଖିବ ତାହା ଆଖିରେ ପାଣି ଆସିଯିବ।

Advertisment

ଖାଲି ଶିଶୁ କାହିଁକି ଏଠାରେ ବସବାସ କରୁଥିବା ବୃଦ୍ଧବୃଦ୍ଧା, ମହିଳା ଓ ପୁରୁଷଙ୍କ ଅବସ୍ଥା ମଧ୍ୟ ସମାନ। ବିକାଶ ଡିଣ୍ଡିମ ପିଟୁଥିବା ସରକାର କିପରି ଲୋକଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି ଏହା ତାହାର ନଗ୍ନଚିତ୍ର।

ବାପ ଅଜା ଅମଳରୁ ଏଠାରେ ୧୦ ମଲ୍ଲାର ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରୁଛନ୍ତି। ସମସ୍ତେ ବିପଦସଙ୍କୁଳ ଝୁପୁଡ଼ି ତଳେ ରହୁଛନ୍ତି। ଘରର କାନ୍ଥ ନାହିଁ କହିଲେ ଚଳେ। ଝୁପିଡ଼ି ଉପରେ ପଡ଼ିଥିବା ପଲିଥିନ୍ ଚିରି ଯାଇଥିବାରୁ, ଏହି ଚିରା ସ୍ଥାନକୁ ନିବୁଜ କରିବା ନିମନ୍ତେ ପଡ଼ିଛି ତାଳ ବରଡ଼ା। ଗୋଟିଏ ଘର ଭିତରେ ରୋଷେଇ ବାସ, ଗୃହପାଳିତ ପଶୁପକ୍ଷୀଙ୍କ ସହିତ ବାସ କରୁଛନ୍ତି ଏମାନେ। ଏହି ଅଞ୍ଚଳକୁ ନା ଅଛି ପକ୍କା ରାସ୍ତା, ନା ଅଛି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଭଳି କୌଣସି ମୌଳିକ ସୁବିଧା। ଭତ୍ତା ରାସନ କଥା ନ କହିବା ଭଲ। କେଉଁ ପରିବାରର ମୋଟ ସଦସ୍ୟଙ୍କ ଭିତରୁ ମାତ୍ର ଜଣେ କିମ୍ବା ଦୁଇଜଣଙ୍କୁ ରାସନ ପାଉଥିବା ବେଳେ କାହାକୁ ଆଦୌ ମିଳୁନି। ଅଧିକାଂଶ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉନାହାନ୍ତି। ଏଠାର କୌଣସି ଶିଶୁ ଏଯାଏଁ ଶିକ୍ଷାର ଆଲୋକ ଦେଖିପାରିନାହାନ୍ତି। ଅତି ଖରାପ ସ୍ଥିତି ଦେଇ ସେମାନଙ୍କୁ ବଞ୍ଚିବାକୁ ସଂଗ୍ରାମ କରିବାକୁ ପଡ଼ୁଛି। ଏଠାକାର ଲୋକେ ଖାଇବାକୁ ଭାତ ନ ମିଳିଲେ ଜଙ୍ଗଲୀ ଆଳୁ, ତୁଙ୍ଗା ଓ ମହୁ ସଠା ଖାଇ ଜୀବନ ବଞ୍ଚାଉଛନ୍ତି। ଅଭାବ ଅସୁବିଧା ମେଣ୍ଟାଇବା ନିମନ୍ତେ ସଂଗୃହୀତ ଜଙ୍ଗଲୀ ସାମଗ୍ରୀ ନିକଟସ୍ଥ ଗାଁରେ ବଦଳରେ ଚାଉଳ, ଲୁଣ ଆଣୁଛନ୍ତି।

Advertisment

ଏଠାର ବାସିନ୍ଦା ହାଉଳା ପ୍ରଧାନ ଓ ମାନି ଦେହୁରୀ କହିଛନ୍ତି, ‘ସରକାରୀ ସହାୟତା କିଛି ବି ମିଳୁନି। ସରକାର ମଧ୍ୟ ଗୁହାରୀ ଶୁଣିବାକୁ ଆସୁନାହାନ୍ତି। ତେଣୁ ଭାଗ୍ୟକୁ ଆଦରୀ ରହିବାକୁ ପଡ଼ୁଛି। ମିଳିଲେ ଖାଉଛୁ, ନହେଲେ ଉପାସ ରହୁଛି। ସରକାର ସମସ୍ତ ପରିବାରଙ୍କୁ ରହିବା ନିମନ୍ତେ ରାଶନ, ବିଜୁଳି, ଶିକ୍ଷା, ପାଣି ପ୍ରଭୃତି ମୌଳିକ ସୁବିଧା ଯୋଗାଇ ଦେଲେ ଏଠାର ଲୋକଙ୍କ ବିକାଶ ହୋଇପାରନ୍ତା।’

Children are eating rice with saltଶିଶୁଟି ଲୁଣ ଲଗାଇ ଭାତ ଖାଉଛି।

ସୌରୀ ପ୍ରଧାନ କୁହନ୍ତି, ‘ଏହି ଝୁପୁଡ଼ି ଅସୁରକ୍ଷିତ ହୋଇଥିଲେ ହେଁ ପିଲାମାନଙ୍କୁ ଏହାରି ଭିତରେ ଛାଡ଼ି ଘର ବଡ଼ମାନେ ଦିନରେ ଜଙ୍ଗଲକୁ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ ନିମନ୍ତେ ଚାଲି ଯାଆନ୍ତି। ଦିନସାରା ହାଡ଼ ଭଙ୍ଗା ପରିଶ୍ରମ କରି ଜଙ୍ଗଲରୁ ଝୁଣା, ଲାଖ, ମହୁ, ଆଳୁ, ତୁଙ୍ଗା ଆଦି ସଂଗ୍ରହ କରିବା ପରେ ସେସବୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରି ଯାହା କିଛି ଆଣନ୍ତି ସେଥିରେ ତାଙ୍କର ଚୁଲି ଜଳେ। ଯେଉଁ ଦିନ ଦେହ ଖରାପ ହୁଏ ବା ପାଣିପାଗ ଖରାପ ରୁହେ, ଜଙ୍ଗଲରୁ କିଛିବି ସାମଗ୍ରୀ ଆଣି ହୁଏନି। ସେଦିନ ସମସ୍ତଙ୍କୁ ଜଙ୍ଗଲି ଆଳୁ ଓ ତୁଙ୍ଗା ଖାଇ ରହିବାକୁ ପଡ଼ିଥାଏ। ନଚେତ ପାଣି ପିଇ ଶୋଇବାକୁ ପଡେ। ନିର୍ବାଚନ ଆସିଲେ ଏଠାକୁ ଆସନ୍ତି ମାଳ ମାଳ ନେତା। ଘର ଦେବୁ, ରାଶନ ଦେବୁ, ଭତ୍ତା ଦେବୁ, ଏମିତି ଅନେକ ପ୍ରତିଶ୍ରୁତି ଦେଇ ଭୋଟ ଦେବାକୁ ନିବେଦନ କରିଥାନ୍ତି। ଭୋଟ ସରିବା ପରେ ଆଉ ଜନପ୍ରତିନିଧିଙ୍କ ଦେଖା ମିଳେନି।

କଂଅସ ପଞ୍ଚାୟତ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ କହିଛନ୍ତି, ଏହି ଗରିବ ଆଦିବାସୀଙ୍କ ସମସ୍ୟା ବିଷୟରେ ଅନେକ ଥର ବିଡିଓ ଓ ବିଧାୟକଙ୍କୁ ଜଣାଇଛି। ହେଲେ କେହି ଦୃଷ୍ଟି ଦେଲେନି। ଏମାନଙ୍କ କଥା ବୁଝିବାକୁ ସ୍ୱାସ୍ଥ୍ୟ କର୍ମୀ କିମ୍ବା ଅଙ୍ଗନୱାଡି କର୍ମୀ ଆସନ୍ତି ନାହିଁ। ସେମାନଙ୍କ ସାମାଜିକ ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ଆଗେଇ ଆସିବା ଜରୁରୀ।

Katcha Houseଝୁପୁଡ଼ି ଘର

ସୁକିନ୍ଦା ବିଡ଼ିଓ ନମ୍ରତା ମୋଦି କହିଛନ୍ତି, ଏହି ଆଦିବାସୀ ଅଭାବ ଅସୁବିଧାରେ ଥିବା ପିଇଓଙ୍କ ଜରିଆରେ ତଦନ୍ତ କରିବା ବେଳେ ଜଣାପଡ଼ିଛି। ଖୁବ୍‌ଶୀଘ୍ର ସମସ୍ତଙ୍କର ଆଧାର କାର୍ଡ କରାଯିବା ସହ ରାଶନ କାର୍ଡରେ ରାଶନ ପାଇବା ବ୍ୟବସ୍ଥା କରାଯିବ। ଏହି ପରିବାର  ସଦସ୍ୟଙ୍କୁ ଜବ କାର୍ଡ ଯୋଗାଇ ଦେବାକୁ ଜିଆରଏସ୍‌ଙ୍କୁ କୁହାଯାଇଛି। ଯେହେତୁ ନୂଆ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ତୁରନ୍ତ ସମ୍ଭବ ନୁହେଁ, ତେଣୁ ସେମାନଙ୍କୁ ଆସନ୍ତା ଦିନରେ ସରକାରୀ ଗ୍ରାଣ୍ଟ ମିଳିବା ମାତ୍ରେ ଏହାର ସୁବିଧା ଯୋଗାଇ ଦିଆଯିବ। ଏଠାର ଶିଶୁମାନେ କିପରି ସ୍କୁଲ ଯାଇ ପାଠପଢ଼ିବେ ସେନେଇ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁନି ପିଲାମାନଙ୍କୁ ଅଙ୍ଗନୱାଡିରୁ ଖାଦ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବାର ବନ୍ଦୋବସ୍ଥ କରାଯିବ।

Katch houseଝୁପୁଡ଼ି ଘରେ ଅତି ଦୟନୀୟ ଜୀବନଯାପନ କରୁଥିବା ଶିଶୁ ଓ ମା’

ତେବେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ବାସ୍ତବରେ ଏ ସବୁ ଯୋଜନା ପାଇବାରୁ ଏମାନେ କାହିଁକି ବଞ୍ଚିତ ? ଏମାନଙ୍କ ସାମାଜିକ ବିକାଶ କ’ଣ ଜରୁରୀ ନୁହେଁ? ଏମାନେ କ’ଣ ସରକାରୀ ସୁବିଧା ପାଇବାକୁ ପ୍ରକୃତ ହିତାଧିକାରୀ ନୁହଁନ୍ତ? ଶାନ୍ତ ସରଳ ଏହି ଆଦିବାସୀଙ୍କ ସାମାଜିକ ବିକାଶ ନିମନ୍ତେ ପ୍ରଶାସକ ଓ ଜନପ୍ରତିନିଧିମାନେ କାହିଁକି ଦାୟିତ୍ୱହୀନତା ପ୍ରକାଶ କରୁଛନ୍ତି? ଶାସନରେ ଥିବା ଶାସକ ଦଳ ଧନୀ, ଏହାର ନେତା ମଧ୍ୟ ଧନୀ, ହେଲେ ଏ ରାଜ୍ୟର ନିରୀହ ଲୋକେ ଗରିବ କାହିଁକି? ପ୍ରତ୍ୟେକ ଦିନ ରତ୍ନଗର୍ଭା ଯାଜପୁରର ସୁକିନ୍ଦାରୁ କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ରାଜକୋଷକୁ ଯାଉଛି। କିନ୍ତୁ ଏଠାର ଲୋକେ ଭଙ୍ଗା ଦଦରା ଝୁପୁଡ଼ି ଘରେ ଭୋକ ଉପାସରେ ପଡ଼ିଛନ୍ତି। ଯାହା ସାଧାରଣରେ ଉଦ୍‌ବେଗର ବିଷୟ ହୋଇଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Hunger Food Scarcity Odisha Governance