Advertisment

ପାର୍ଟି, ପ୍ରଚାର, ଚାନ୍ଦା, ଦୁର୍ନୀତି

ଆଜିର ଯୁଗରେ ପାଁ ଶ ହଜାରେ ଦାନ ଦେଉଥିବା ଲୋକ ବି ନିଜେ ତାହା କହି ବୁଲୁଛି। ଗରୀବକୁ କମ୍ବଳଟିଏ ଦାନ କରି ସୋଶାଲ ମିଡିଆରେ ଦାତା ନିଜର ଡଜନେ ଫଟୋ ପୋଷ୍ଟ କରୁଛି। ଦାତବ୍ୟ ଉଦ୍ଦେଶ୍ୟରେ ଅଳ୍ପ କିଛି ଖର୍ଚ୍ଚ କରି ବହୁଗୁଣରେ ପ୍ରଚାର କରୁଛନ୍ତି ଅନେକ କମ୍ପାନୀ ଓ ବ୍ୟକ୍ତି। ପ୍ରେସ୍‌ ରିଲିଜ୍‌ ଆସୁଛି ଅମୁକ କମ୍ପାନୀ ଏତେ ଟଙ୍କା ଚ୍ୟାରିଟି ବାବଦରେ ଖର୍ଚ୍ଚ କଲେ। ସମୁକ ଲୋକ ନିଜ ଆୟର ଏତେ ଭାଗ ଦାନ କରିଦେଲେ। ଏମିତି ପ୍ରଚାର ଅନେକ। ଅଥଚ ରାଜନୀତିକ ପାର୍ଟିକୁ ଚାନ୍ଦା ଦେଉଥିବା କମ୍ପାନୀ ଅଜଣା ରହିବାକୁ ଚାହେଁ। କାହିଁକି?

author-image
Debendra Prusty
ଅଦ୍ୟତନ ହୋଇଛି
Electoral Bonds Banned

Electoral Bonds Banned

ଦେବେନ୍ଦ୍ର ପୃଷ୍ଟି

ନିର୍ବାଚନୀ ଚାନ୍ଦା କାହିଁକି? ଚାନ୍ଦା ବିନା ପାର୍ଟି ଚାଲିବ ନାହିଁ କି? ଚାନ୍ଦାଦାତା ଅଜ୍ଞାତ ରହିବାକୁ ଚାହାନ୍ତି କି? ଅଜ୍ଞାତ ଦାତାର ଉଦ୍ଦେଶ୍ୟ କ’ଣ? ଚାନ୍ଦା ଏକ ଅସ୍ତ୍ର କି? ଏହି ଅସ୍ତ୍ର ଦ୍ୱାରା ଗଣତନ୍ତ୍ରକୁ ଅକ୍ତିଆର କରୁଛନ୍ତି କି ବଡ଼ କମ୍ପାନୀ?

Advertisment

ଏମିତି ଅନେକ ପ୍ରଶ୍ନ। ସୁପ୍ରିମ କୋର୍ଟ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କଲା ପରେ ଏହାର ବିକଳ୍ପ ଖୋଜିଲେଣି ପଲିଟିକାଲ ପାର୍ଟି। ଯେମିତି ହେଲେ ବି ସେମାନଙ୍କର ପାଣ୍ଠି ଦରକାର। ପାଣ୍ଠି ପାଇଁ ଚାନ୍ଦା ଆଦାୟ କରିବାକୁ ହେବ। ବିନା ଚାନ୍ଦାରେ ପାର୍ଟି ଚଳେଇବା ସମ୍ଭବ ନୁହେଁ, ନିର୍ବାଚନ ଲଢ଼ିବା ତ ଆଦୌ ସମ୍ଭବ ନୁହେଁ। ଏମିତି କିଛି ଧାରଣାର ଆଧାରରେ ଭାରତୀୟ ଗଣତନ୍ତ୍ରରେ ଚାଲି ଆସିଛି ଚାନ୍ଦା ସଂସ୍କୃତି। ଏହି ଚାନ୍ଦା ଜରିଆରେ ଯେ କିଛି କମ୍ପାନୀ ଓ ନେତା ସାଧାରଣ ଲୋକଙ୍କୁ ଚନ୍ଦେଇ ଚାଲିଛନ୍ତି ତାହା ଏକ ସରଳ ସତ୍ୟ, ଯଦିଓ ବୁଝିବା ଭାରି ଜଟିଳ।

ଆଜିର ଯୁଗରେ ପାଁ ଶ ହଜାରେ ଦାନ ଦେଉଥିବା ଲୋକ ବି ନିଜେ ତାହା କହି ବୁଲୁଛି। ଗରୀବକୁ କମ୍ବଳଟିଏ ଦାନ କରି ସୋଶାଲ ମିଡିଆରେ ଦାତା ନିଜର ଡଜନେ ଫଟୋ ପୋଷ୍ଟ କରୁଛି। ଦାତବ୍ୟ ଉଦ୍ଦେଶ୍ୟରେ ଅଳ୍ପ କିଛି ଖର୍ଚ୍ଚ କରି ବହୁଗୁଣରେ ପ୍ରଚାର କରୁଛନ୍ତି ଅନେକ କମ୍ପାନୀ ଓ ବ୍ୟକ୍ତି। ପ୍ରେସ୍‌ ରିଲିଜ୍‌ ଆସୁଛି ଅମୁକ କମ୍ପାନୀ ଏତେ ଟଙ୍କା ଚ୍ୟାରିଟି ବାବଦରେ ଖର୍ଚ୍ଚ କଲେ। ସମୁକ ଲୋକ ନିଜ ଆୟର ଏତେ ଭାଗ ଦାନ କରିଦେଲେ। ଏମିତି ପ୍ରଚାର ଅନେକ।

Advertisment

ଅଥଚ ରାଜନୀତିକ ପାର୍ଟିକୁ ଚାନ୍ଦା ଦେଉଥିବା କମ୍ପାନୀ ଅଜଣା ରହିବାକୁ ଚାହେଁ। କାହିଁକି? ସେମାନେ କ’ଣ ଇନ୍ଦ୍ରଦ୍ୟୁମ୍ନ? ଇନ୍ଦ୍ରଦ୍ୟୁମ୍ନ ସିନା ଏତେ ବଡ଼ ଦେଉଳ ତୋଳି ବର ମାଗିଲେ ବଉଁଶ ବୁଡ଼ୁ ବୋଲି! କାରଣ ସେ ଚାହୁଁ ନଥିଲେ ତାଙ୍କ ବଂଶର କେହି ମନ୍ଦିରର ଶ୍ରେୟ ଦାବି ନକରନ୍ତୁ, ମାଲିକାନା ଜାହିର ନକରନ୍ତୁ। ମାତ୍ର, ଆଜିକାଲି ତ ସେଇ ଦେଉଳରେ ପଥର ଖଣ୍ଡିଏ ଖଞ୍ଜିଦେଇ ଲୋକେ ସେଥିରେ ନାଁ ଲେଖି ଦେଉଛନ୍ତି ଦେବେନ୍ଦ୍ର ପୃଷ୍ଟି, ପିତା ଜଗନ୍ନାଥ ପୃଷ୍ଟି, ସାକିନ ବିଦ୍ୟାଧରପୁର, ପୋ କମାଗଡ଼, ଜିଲ୍ଲା ଯାଜପୁର। ଏଭଳି ପ୍ରଚାର ଯୁଗରେ ରାଜନୀତିକ ପାର୍ଟିଗୁଡ଼ିକୁ କୋଟିକୋଟି ଟଙ୍କା ଚାନ୍ଦା ଦେଉଥିବା କମ୍ପାନୀ ଅଜଣା ରହିବାକୁ ଇଚ୍ଛୁକ! ପାର୍ଟି ବି ତାହା ଜଣେଇବାକୁ ଚାହେଁ ନାହିଁ! ଉଦ୍ଦେଶ୍ୟ କ’ଣ? କିଛି ଲୁଚେଇବାର ଅଛି କି? ଚାନ୍ଦା ବଦଳରେ ପାଉଥିବା ପାର୍ଟିର ପ୍ରୀତି ପ୍ରଘଟ ହେବାର ଭୟ କି? ଏହି ଲୁଚାଚୋରା ସଂପର୍କ ଏକ ସ୍ୱଚ୍ଛ ଓ ସୁସ୍ଥ ଗଣତନ୍ତ୍ର ପାଇଁ ବିଷ ନା ଔଷଧ?

ସୁପ୍ରିମ କୋର୍ଟ ତ କହିଦେଲେ ଏହା ମୌଳିକ ଅଧିକାର ବିରୋଧୀ, ସୂଚନା ଅଧିକାର ବିରୋଧୀ, ସମ୍ବିଧାନ ବିରୋଧୀ। ବଣ୍ଡ ସବୁ ରଦ୍ଦ ହେଉ। ବଣ୍ଡ ଦାତାଙ୍କ ନାମ ପ୍ରଘଟ ହେଉ। ଭଲ କଥା। ସ୍ୱାଗତଯୋଗ୍ୟ ରାୟ।

ତେବେ ସତରେ କ’ଣ ପାର୍ଟିଗୁଡ଼ିକର ଲୁଚାଚୋରା ଚାନ୍ଦା କାରବାର ସଂପୂର୍ଣ୍ଣ ବନ୍ଦ ହେବ? ସତରେ କ’ଣ ନିର୍ବାଚନ ପ୍ରଚାର ଖର୍ଚ୍ଚର ସଠିକ ହିସାବ ଦେବେ ପାର୍ଟି? କମ୍ପାନୀ ହିସାବରେ ସ୍ୱଚ୍ଛତା ନଥାଇପାରେ, ପାର୍ଟିଗୁଡ଼ିକ କେତେ ସ୍ୱଚ୍ଛ?

ନିର୍ବାଚନ ପ୍ରଚାର ନାଁରେ ଚାନ୍ଦା ନେଉଥିବା ଦଳଗୁଡ଼ିକ କେବଳ ସେଇ ଖର୍ଚ୍ଚ କରନ୍ତି ନା ନିଜନିଜର ସଂପତ୍ତି ସୃଷ୍ଟି କରନ୍ତି? ନିର୍ବାଚନୀ ଚାନ୍ଦାରେ କେତେ ଦଳର କେତେ କୋଠା କେତେ ସହରରେ ତିଆରି ହେଲାଣି। କମ୍ପାନୀ ବା ଲୋକେ କ’ଣ ନିର୍ବାଚନୀ ଚାନ୍ଦା ଦେଇଥିଲେ କୋଠା ତିଆରି କରିବାକୁ? ଏହା ଯେପରି ଅସାଧୁତା ଠିକ ସେହିପରି ପ୍ରଚାର ଖର୍ଚ୍ଚରେ ମଦମାଉଁସ ଓ ଭୋଟଖର୍ଦ୍ଦିର ହିସାବ ନରହିବା। ଦଳଗୁଡ଼ିକ ଦେଉଥିବା ନିର୍ବାଚନ ଖର୍ଚ୍ଚ ହିସାବରେ କାର୍‌, ପୋଷ୍ଟର, ମାଇକ୍‌, ଟେଣ୍ଟ, ହେଲିକପ୍ଟର ଖର୍ଚ୍ଚର ହିସାବ ଦିଅନ୍ତି, ମାତ୍ର କେତେ ମଦ ଓ ମାଉଁସ ଖିଆଗଲା ତାହାର ହିସାବ ଦିଅନ୍ତି କି? ନା, ଦିଅନ୍ତି ନାହିଁ। କାହିଁକି ଦିଅନ୍ତି ନାହିଁ? ନିର୍ବାଚନରେ ଭ୍ରଷ୍ଟାଚାରର ପ୍ରମାଣ ରହିଯିବ ବୋଲି!

ମୋଟ ଉପରେ ୨୦୧୭ରୁ ପ୍ରଚଳିତ ଇଲେକ୍ଟୋରାଲ ବଣ୍ଡ ବନ୍ଦ ହେଲେ ୨୦୧୩ରେ ଆରମ୍ଭ ହୋଇଥିବା ଇଲେକ୍ଟୋରାଲ ଟ୍ରଷ୍ଟ ବ୍ୟବସ୍ଥାକୁ ଫେରିବେ କି ଦଳ? ବଣ୍ଡ ବ୍ୟବସ୍ଥାରେ କେଉଁ ପାର୍ଟି କେତେ ପାଇଲା ଜଣାପଡ଼ୁଥିଲା, କିନ୍ତୁ କେଉଁ କମ୍ପାନୀ ଦେଲା ଗୁପ୍ତ ରହୁଥିଲା। ମାତ୍ର ଟ୍ରଷ୍ଟ ବ୍ୟବସ୍ଥାରେ କିଏ କେତେ ଦେଲା ଜଣାପଡ଼ୁଥିଲା, ମାତ୍ର କେଉଁ ପାର୍ଟି ପାଇଲା ତାହା ଜଣାପଡ଼ୁ ନଥିଲା। ଏ ଦି’ଟା ଯାକ ଅସ୍ୱଚ୍ଛ।

ତେବେ ବିକଳ୍ପ କ’ଣ? ବିଲ୍‌କୁଲ୍‌ ଚାନ୍ଦା ନନେବା ନା ଯିଏ ଯେତେ ଦେଲେ ସବୁ ଘୋଷଣା କରିବା? ପାର୍ଟିଗୁଡ଼ିକ ବିଚାର କରନ୍ତୁ, ସେମାନେ ସ୍ୱଚ୍ଛ ହେବେ ନା ମଇଳା? ନିର୍ବାଚନ ମୁକ୍ତ ଓ ଅବାଧ ହେବ ନା ଲାଭ ଓ ଲୋଭର ମିଳନୀ ମେଣ୍ଟ?

Supreme Court Electoral Bonds Scheme Electoral Trusts Electoral Bonds Ban