Advertisment

ଦେବାନନ୍ଦଙ୍କ ପେନ୍‌ସନ୍‌ ଯୋଜନା; ପ୍ରଥମ ବର୍ଷ ୨୦ ହଜାର, ଦ୍ୱିତୀୟ ବର୍ଷ ୮୫ ହଜାର ଓ ତୃତୀୟ ବର୍ଷ ୧.୪୦ ଲକ୍ଷ

ଯଦିଓ ଅବସର ପରେ ପେନସନ ମିଳିବ ନାହିଁ ବୋଲି ଦେବାନନ୍ଦ ଜାଣିଥିଲେ, ତଥାପି କେବେ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ କି ଅବସର ପରେ କ’ଣ କରିବେ, ସେ ନେଇ କିଛି ଯୋଜନା କରି ନଥିଲେ।

ଅଦ୍ୟତନ ହୋଇଛି
Farmer

Farmer

Advertisment

କୁହାଯାଏ, ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛି ଅସମ୍ଭବ ନୁହେଁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଅନେକ ଲୋକ ଏହାକୁ ପ୍ରମାଣିତ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦେବାନନ୍ଦ ବେହେରା। ତାଙ୍କ ଘର ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁନିବସା ଗାଁରେ। ସେ ଜଣେ ଶିକ୍ଷକ। ଖଡ଼ିଆଳ ବ୍ଲକ ଚନାବେଡ଼ା ହାଇସ୍କୁଲରେ ସେ ଶିକ୍ଷକତା କରନ୍ତି। ତେବେ ତା’ ସହିତ ସେ ତାଙ୍କ ଅଞ୍ଚଳରେ ଜଣେ ସଫଳ ଚାଷୀ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।

Advertisment

ଦେବାନନ୍ଦଙ୍କ ଏହି ‘ଚାଷ’ ଯାତ୍ରା ଆରମ୍ଭ ହୋଇଛି ୨୦୨୧ ମସିହାରୁ। ସେହି ବର୍ଷ ଗୋଟିଏ ଦିନ ସେ ଓ ତାଙ୍କ ସହକର୍ମୀମାନେ ବସି ଗପସପ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଆମେ ତ ବ୍ଲକଗ୍ରାଣ୍ଟ ହାଇସ୍କୁଲର ଶିକ୍ଷକ। ଅବସର ପରେ ଆମକୁ ପେନସନ ମିଳିବ ନାହିଁ। ଆମେ ଖାଇବା କ’ଣ? ପରିବାର ପୋଷିବା କେମିତି?

Koliଦେବାନନ୍ଦଙ୍କ ବାଡ଼ିରେ ଫଳିଥିବା ବରକୋଳି

ଏହି କଥା ଶୁଣି ଟିକେ ବ୍ୟସ୍ତ ହୋଇପଡ଼ିଥିଲେ ଦେବାନନ୍ଦ। ଯଦିଓ ଅବସର ପରେ ପେନସନ ମିଳିବ ନାହିଁ ବୋଲି ସେ ଜାଣିଥିଲେ, ତଥାପି କେବେ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ କି ଅବସର ପରେ କ’ଣ କରିବେ, ସେ ନେଇ କିଛି ଯୋଜନା କରି ନଥିଲେ। ଉକ୍ତ ସହକର୍ମୀଙ୍କ କଥା ଶୁଣି ଚିନ୍ତିତ ହୋଇଥିଲେ ହେଁ, ସେ ସଙ୍ଗେ ସଙ୍ଗେ ଏକ ଉପାୟ ବାହାର କରିଥିଲେ ଏବଂ ଏହାକୁ ସହକର୍ମୀମାନଙ୍କ ଆଗରେ ପ୍ରକାଶ କରିଥିଲେ। ଦେବାନନ୍ଦ କହିଥିଲେ ଯେ ସେ ଏକ ପେନସନ ଯୋଜନା ଆରମ୍ଭ କରିବେ।

Advertisment

ଏହା ଶୁଣି ତାଙ୍କ ସହକର୍ମୀମାନେ ପଚାରିଥିଲେ, କି ପେନସନ ଯୋଜନା। ଦେବାନନ୍ଦ କହିଥିଲେ ଯେ ତାଙ୍କର ଗୋଟିଏ ଏକର ଜମି ଅଛି। ସେଥିରେ ଧାନ ଚାଷ କଲେ କିଛି ଲାଭ ନାହିଁ। ତେଣୁ ସେ ସେହି ଜମିରେ ଫଳ ଚାଷ କରିବେ। ବଜାରର ଆବଶ୍ୟକତାକୁ ଦେଖି ସେ ସେଠାରେ ବିଭିନ୍ନ ପ୍ରକାରର ଫଳ ଚାଷ କରିବେ।

Barakoliବରକୋଳି

ତା’ପରଠାରୁ ଦେବାନନ୍ଦ ବେହେରା ନିଜ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡ଼ିଥିଲେ। ୨୦୨୧ ଅଗଷ୍ଟ ମାସ ୧୦ ତାରିଖରୁ ୧୬ ତାରିଖ ମଧ୍ୟରେ ସେ ୧୨୨ଟି ବରକୋଳି ଚାରା, ୮ଟି ସପେଟା ଚାରା ସହିତ ଲେମ୍ବୁ ଓ ଡାଳିମ୍ବ ଚାରା ଲଗାଇଥିଲେ। ସେ ବିଭିନ୍ନ କିସମର ବରକୋଳି ଚାରା ଲଗାଇଥିଲେ। ଚାରାଗୁଡ଼ିକୁ ସେ ଛତିଶଗଡ଼ର ରାୟପୁରର ଏକ ନର୍ସରୀରୁ ଆଣିଥିଲେ। ଏଥିପାଇଁ ସେ ୯୭ ହଜାର ଟଙ୍କା ବ୍ୟୟ କରିଥିଲେ। ଚାରା ଆଣିବା ପୂର୍ବରୁ ସେ ଉକ୍ତ ସ୍ଥାନରେ ଗାତ ଖୋଳି ଥିଲେ ଓ ତା’ ସହିତ ଜମି ଚାରିପଟେ ବାଡ଼ା ଦେଇସାରିଥିଲେ। ଚାରା ରୋପଣର ପାଞ୍ଚ ମାସ ପରେ ତାଙ୍କ ପରିଶ୍ରମ ସୁଫଳ ଆଣି ଦେଲା। ୨୦୨୨ ଜାନୁଆରୀ ମାସରେ ସେ ପ୍ରଥମ ଥର ବରକୋଳି ବିକି ୨୦ ହଜାର ଟଙ୍କା ପାଇଥିଲେ।

ଏହି ସଫଳତା ଦେବାନନ୍ଦଙ୍କୁ ଉତ୍ସାହିତ କରିଥିଲା। ସେଥିପାଇଁ ସେ ବୈଜ୍ଞାନିକ ପଦ୍ଧତିରେ ତାଙ୍କ ଚାଷ କାମକୁ ଆଗେଇ ନେଲେ। ଆଉ ୨୦୨୩ ଓ ୨୦୨୪ରେ ଚାଷରୁ ତାଙ୍କର ଆୟ ପ୍ରଥମ ବର୍ଷ ତୁଳନାରେ ବହୁତ ବଢ଼ିଗଲା। ଚାଷ କାର୍ଯ୍ୟରେ ଦେବାନନ୍ଦ ସବୁବେଳେ ଜୈବିକ ସାରର ପ୍ରୟୋଗକୁ ଗୁରୁତ୍ଵ ଦେଇଥା’ନ୍ତି। ତେବେ କିଛି କିଛି ଫସଲରେ ସେ ରାସାୟନିକ ସାରର ମଧ୍ୟ ପ୍ରୟୋଗ କରନ୍ତି, ଯାହାର ପରିମାଣ ଖୁବ୍ କମ୍‌ ରହେ ବୋଲି ସେ କହିଛନ୍ତି।

ଦେବାନନ୍ଦ କହିଛନ୍ତି, ଦ୍ୱିତୀୟ ବର୍ଷ ମୁଁ ୮୫ ହଜାର ଟଙ୍କା ଆୟ କରିଥିଲି। ତା’ ପରେ ପରେ ମୁଁ ଚାଷ କାର୍ଯ୍ୟକୁ ଆହୁରି ବ୍ୟାପକ କରିଥିଲି। ପିଆଜ, ଶାଗ, ଭେଣ୍ଡି, ରସୁଣ, ଟମାଟୋ ଆଦି ମଧ୍ୟ ଚାଷ କଲି। ସେଥିରୁ ମଧ୍ୟ କିଛି ଆୟ ହେଉଛି। ଗତବର୍ଷ ଅର୍ଥାତ୍ ଚାଷ କରିବାର ତୃତୀୟ ବର୍ଷରେ ମୁଁ ୮୫ ହଜାର ଟଙ୍କାର ବରକୋଳି ବିକ୍ରି କରିଥିଲି। ତା’ ସହିତ ୨୩ ହଜାର ଟଙ୍କା ଟମାଟୋରୁ, ୫ ହଜାର ଟଙ୍କାର କଖାରୁରୁ, ୧୦ ହଜାର ଟଙ୍କା ଶାଗରୁ, ୩୭୫୦ ଟଙ୍କା ଲେମ୍ବୁରୁ ଓ ଅଢ଼େଇ ହଜାର ଟଙ୍କା ସପେଟାରୁ ଆୟ ହୋଇଥିଲା। ଏହି ଭଳି ଭାବେ ଗତ ବର୍ଷ ଚାଷରୁ ମୁଁ ୧ ଲକ୍ଷ ୪୦ ହଜାର ଟଙ୍କା ଆୟ କରିଥିଲି।

Koli1ବିକ୍ରି ପାଇଁ ଯାଉଛି ଦେବାନନ୍ଦଙ୍କ ବାଡ଼ିରୁ ତୋଳା ଯାଇଥିବା କୋଳି।

ସେ ଆହୁରି କହିଛନ୍ତି, ଏ ବର୍ଷ ବରକୋଳି ହୋଇଛି। ସପେଟା ଓ ଲେମ୍ବୁ ଫଳିଛି। ତା’ ସହିତ ପିଆଜ, ଟମାଟୋ ଓ ବାଇଗଣ ଆଦି ମଧ୍ୟ ହୋଇଛି। ଆମ୍ବଗଛଗୁଡ଼ିକରେ ବଉଳ ଆସିଲାଣି। ତେଣୁ ଏସବୁ ଚାଷରୁ ମୁଁ ଚଳିତ ବର୍ଷ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛି। କେତେକ ବ୍ୟବସାୟୀ ଘରକୁ ଆସି ଜିନିଷ କିଣି ନିଅନ୍ତି। ବାକି ଜିନିଷକୁ ଆମେ ଖଡ଼ିଆଳ ଯାଇ ବ୍ୟବସାୟୀଙ୍କୁ ବିକ୍ରି କରୁ।

ଦେବାନନ୍ଦଙ୍କ ବାଡ଼ିରେ ଗୋଟିଏ ଗୋଟିଏ ବରକୋଳି ଗଛରେ ୫୦ରୁ ୬୦ କିଲୋ ଫଳ ହୁଏ। ଆଉ ଗୋଟିଏ ଗୋଟିଏ ବରକୋଳି ଗଛରେ ୧୫ରୁ ୨୦ କେଜି ଫଳ ହୋଇଥାଏ। ବଜାରରେ ଏହି ବରକୋଳି କିଲୋ ପ୍ରତି ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦେବାନନ୍ଦ ୩୦ ରୁ ୪୦ ଟଙ୍କାରେ ବିକ୍ରି କରିଥା’ନ୍ତି। ଶୀତଳ ଭଣ୍ଡାରଟିଏ ଥିଲେ ସେ ତାଙ୍କ ଜିନିଷକୁ ସାଇତି ରଖି ଅଧିକ ଦାମ୍‌ରେ ବିକ୍ରି କରିପାରନ୍ତେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ତାଙ୍କ ଚାଷ ପ୍ରଣାଳୀକୁ ପ୍ରଶଂସା କରି ଅନ୍ୟ ଚାଷୀମାନଙ୍କୁ ଏଠାକୁ କ୍ଷେତ୍ର ପରିଦର୍ଶନରେ ଆଣି ଉତ୍ସାହିତ କରାଯିବ ବୋଲି କହିଛନ୍ତି ବୋଡ଼େନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବୀନ୍ଦ୍ର ନାଗ।

ସ୍କୁଲ ଯିବା ପୁର୍ବରୁ ଓ ସେଠାରୁ ଫେରିଲା ପରେ ଦେବାନନ୍ଦ ନିଜ ବଗିଚାକୁ ସମୟ ଦେଇଥା’ନ୍ତି। ଏହା କେବଳ ତାଙ୍କୁ ଆର୍ଥିକ ସହାୟତା ଦେଉନାହିଁ, ସେ ଏଥିରୁ ପ୍ରଚୁର ମାତ୍ରାରେ ମାନସିକ ଶାନ୍ତି ମଧ୍ୟ ପାଉଛନ୍ତି ବୋଲି କହିଛନ୍ତି। ତାଙ୍କ ବଗିଚାରେ କାମ କରି ଏକାଧିକ ଶ୍ରମିକ ସେମାନଙ୍କ ପରିବାର ଚଳାଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେଶବ ପାଇକ। ସେ କହିଛନ୍ତି, ଦେବାନନ୍ଦଙ୍କ ବାଡ଼ିରେ କାମ କରି ଦୁଇ ପଇସା ପାଉଛୁ। କାମ ପାଇଁ ବାହାରକୁ ଯିବାକୁ ପଡ଼ୁନି। ବଗିଚାର ବିଭିନ୍ନ ପ୍ରକାରର କାର୍ଯ୍ୟ ସହିତ ଫଳଗୁଡ଼ିକୁ ତୋଳିବା ଓ ସେଗୁଡ଼ିକୁ ପ୍ୟାକିଂ କରିବା ଦାୟିତ୍ୱର ଆମର।

Sapetaଦେବାନନ୍ଦଙ୍କ ବାଡ଼ିରେ ଫଳିଛି ସପେଟା

ଲୋକେ ଚାଷ ନ କରି ବାହାର ରାଜ୍ୟକୁ କାମ କରିଯିବା କଥାକୁ ନାପସନ୍ଦ କରିଛନ୍ତି ଦେବାନନ୍ଦ। ସେ କହିଛନ୍ତି, ଏହା ଆମର ଦୁର୍ଭାଗ୍ୟ। ଆମ ଅଞ୍ଚଳରେ ସମସ୍ତଙ୍କର ବାଡ଼ି ଅଛି। ସମସ୍ତଙ୍କର ଜମି ଅଛି। ପାଣିର ସୁବିଧା ମଧ୍ୟ ଅଛି। କିନ୍ତୁ ଆମ ଲୋକମାନେ ଅଳସୁଆ ହୋଇ ଚାଷ କରିବା ପାଇଁ ଆଗେଇ ଆସୁ ନାହାନ୍ତି। ଓଲଟି ଅନେକ ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ଯାଇ ଖଟୁଛନ୍ତି। ସେଠାରୁ ୪୦/୫୦ ହଜାର ଟଙ୍କା ରୋଜଗାର ହୋଇଗଲେ ବହୁତ ପାଇଗଲେ ବୋଲି କହୁଛନ୍ତି। ଅନେକ ରୋଗାଗ୍ରସ୍ତ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଫେରୁଛନ୍ତି। ଚାଷ କରି ପେଟ ପୋଷିବାକୁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଅଛି। ବାହାରେ ସେମାନେ ଯେତିକି ଉପାର୍ଜନ କରୁଛନ୍ତି, ଏଠାରେ ତା’ଠାରୁ ଅଧିକ ଉପାର୍ଜନ କରି ହେବ ବୋଲି ସେ କହିଛନ୍ତି।

ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe