Advertisment

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ

ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି

author-image
Biswajit Samal
ଅଦ୍ୟତନ ହୋଇଛି
Drinking Water Problem

Drinking Water Problem

ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ। ରାଜ୍ୟରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ତା ସହ ତାଳ ଦେଇ ବଢିବାରେ ଲାଗିଛି ପିଇବା ପାଣିର ସମସ୍ୟା। ଏବେବି ଲୋକେ ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି। କିଛି ସ୍ଥାନରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ।

Advertisment

ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ ପାଣି କାହିଁ? ପାଣି ପାଇଁ ଦୀର୍ଘଦିନ ହେଲା ହନ୍ତସନ୍ତ ହେଉଛନ୍ତି ୨୧ ନମ୍ବର ୱାର୍ଡର ସନ୍ତରା ଗ୍ରାମବାସୀ ମାନେ। ଖରାଦିନ ପୂର୍ବରୁ ପିଇବା ପାଣି ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି କରିଥିଲେ। ପୂରଣ ନହେବାରୁ ସିଧା ବିଭାଗୀୟ ଅଧିକାରୀଙ୍କୁ ଘେରିଛନ୍ତି।

ଏପଟେ ଡହ ଡହ ଖରାରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ ସିଧା ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ। ରୋଡ୍ ଉପରେ ଗରା, ବାଲଟି ରଖି ଜଣାଇଛନ୍ତି ପ୍ରତିବାଦ। ଏକମାତ୍ର ଜିଦ୍, ପିଇବା ପାଣି ନମିଳିବା ଯାଏ ରାସ୍ତାରୁ ହଟିବୁନି। କଣ୍ଟାବାଞ୍ଜି ଏନଏସିର ୫ ଓ ୬ ନମ୍ବର ୱାର୍ଡକୁ ପାନୀୟ ଜଳ ଯୋଗାଣ ଠପ୍ ହୋଇଯିବାରୁ ଉପୁଜିଥିଲା ଏଭଳି ଅଭାବନୀୟ ସ୍ଥିତି। ସେଇଭଳି ସମାନ ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଦିଗପହଣ୍ଡିରେ। ବାରମ୍ବାର ଦାବି ଜଣାଇବା ପରେ ବି ପିଇବା ପାଣି ନମିଳିବାରୁ ତାତିଛନ୍ତି ଗ୍ରାମବାସୀ।

Advertisment

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ପ୍ରତାପଗିରି। ବସୁଧା ଯୋଜନାରେ ଗାଁରେ ଠିଆ ହୋଇଛି ପାଣି ଟାଙ୍କି। ଗାଁ ସାରା ବିଛା ଯାଇଛି ପାଇପ ଲାଇନ୍ ଆଉ, ଘର ଆଗରେ ଲାଗିଛି ଟ୍ୟାପ୍। ହେଲେ ପାଣିର ନାଁ ଗନ୍ଧ ନାହିଁ। ରାତି ପାହିଲେ ଲୋକ ଧାଇଁ ଯାଉଛନ୍ତି ଗାଁ ମୁଣ୍ଡରେ ଥିବା ପୋଖରୀକୁ। ବର୍ଷ ବର୍ଷ ଧରି ଏହି ଗୋଳିଆ ପାଣି ହିଁ ୨ ଶହ ପରିବାର ପାଇଁ ଭରସା ସାଜିଛି। ସେଥିରେ ରୋଷେଇ, ଲୁଗା ସଫା ଆଉ ଶୋଷ ବି ମେଣ୍ଟୁଛି। ଗାଁରେ ଗୋଟିଏ ମାତ୍ର ନଳକୂଅ ରହିଛି। ସେଥିରେ ପିଟି ପିଟି ହାଲିଆ ହେଲେ ବାହାରୁଛି ଅଧ ବାଲଟିଏ ପାଣି। ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଏଥର ପାଣି ନାହିଁ ତ ଭୋଟ୍ ନାହିଁର ଚେତାବନୀ ଦେଇଛନ୍ତି ଗାଁର ମହିଳା ମାନେ।

Drinking Water Problem