Advertisment

ଉଛୁଳା ନାଳରେ ଦଉଡ଼ି ଏକମାତ୍ର ସାହାରା

୩ ବର୍ଷ ତଳେ କାଦକଳା ପଞ୍ଚାୟତରୁ ହଳଡ଼ିହି ସାହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ମାଲଦା ନାଳ ଉପରେ ପୋଲଟିଏ କରାଗଲା ନାହିଁ।

ଅଦ୍ୟତନ ହୋଇଛି
River

River

Advertisment

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡ଼ିହି ସାହିରେ ବାସ କରନ୍ତି ୩୫ଟି ଆଦିବାସୀ ପରିବାର। ପଞ୍ଚାୟତଠାରୁ ୩ କିଲୋମିଟର ଦୂରରେ ରହିଛି ଏହି ସାହି। ଅନ୍ୟାନ୍ୟ ସମସ୍ୟା ଥିଲେ ହେଁ ଏହି ସାହିର ଏକ ପ୍ରମୁଖ ସମସ୍ୟା ହେଉଛି ମାଲଦା ନାଳ। ଏହି ନାଳ ଯୋଗୁ ବର୍ଷା ଦିନେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ ହଳଡ଼ିହି ସାହି। କାରଣ ମାଲଦା ନାଳ ଉପରେ ଏଯାଏଁ ପୋଲଟିଏ ନିର୍ମାଣ ହୋଇପାରି ନାହିଁ।

Advertisment

୩ ବର୍ଷ ତଳେ କାଦକଳା ପଞ୍ଚାୟତରୁ ହଳଡ଼ିହି ସାହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ମାଲଦା ନାଳ ଉପରେ ପୋଲଟିଏ କରାଗଲା ନାହିଁ।

ହଳଡିହି ସାହିର ଲୋକେ ପ୍ରତିଟି କଥା ପାଇଁ କାଦକଳା ପଞ୍ଚାୟତ ଓ ବାଂଶପାଳ ବ୍ଳକ ଉପରେ ନିର୍ଭର କରନ୍ତି। କିନ୍ତୁ ସେଠାକୁ ଯିବାକୁ ହେଲେ ସେମାନଙ୍କୁ ମାଲଦା ନାଳ ପାର ହେବାକୁ ପଡ଼େ। ଗାଁର ପିଲାମାନେ ଏହି ନାଳ ପାର ହୋଇ ସ୍କୁଲ ଯାଆନ୍ତି। କାଦକଳା ବଜାରକୁ ଯିବାକୁ ହେଲେ ଲୋକଙ୍କୁ ଏହି ନାଳ ପାର ହେବାକୁ ପଡ଼େ। ରୋଗୀମାନଙ୍କୁ ବି ଏହି ନାଳ ପାର ହୋଇଯିବାକୁ ପଡ଼େ।

Advertisment

ଶୀତ ଓ ଗ୍ରୀଷ୍ମ ଋତୁ କଥା ଅଲଗା। ସେତେବେଳେ ଲୋକେ ଚଳାଇ ନିଅନ୍ତି। କିନ୍ତୁ ସେମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରେ ବର୍ଷା ଋତୁ। ବର୍ଷା ହେଲେ ପୂରି ଉଠେ ମାଲଦା ନାଳ। ତଥାପି ଜୀବନକୁ ବାଜି ଲଗାଇ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନାଳ ଅତିକ୍ରମ କରନ୍ତି। ଉଛୁଳା ନାଳ ପାର ହେବା ପାଇଁ ସେମାନଙ୍କର ଏକ ମାତ୍ର ସାହା ଭରସା ହେଉଛି ଦଉଡ଼ି। ଏ କୂଳରୁ ସେ କୂଳକୁ ବନ୍ଧା ହୋଇଥିବା ଏକ ଦଉଡ଼ି ଧରି ସମସ୍ତେ ନାଳ ପାର ହୁଅନ୍ତି। ଉଛୁଳା ନାଳର ପ୍ରଖର ସ୍ରୋତକୁ ଏଭଳି ଅତିକ୍ରମ କଲା ବେଳେ କେତେବେଳେ ଯେ ଅଘଟଣ ଘଟିବ, ତାହା କହି ହେବ ନାହିଁ। କିନ୍ତୁ ସେମାନଙ୍କ ପାଖରେ ଆଉ କିଛି ଉପାୟ ମଧ୍ୟ ନାହିଁ।

River
ନାଳ ପାର ହେଉଛନ୍ତି ଲୋକେ

ମାଲଦା ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ହଳଡ଼ିହି ସାହି ଲୋକେ ଦାବି କରି ଆସୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନେ ସମସ୍ୟା ଭୋଗି ଆସୁଥିଲେ ହେଁ, କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଭାଗ୍ୟକୁ ଆଦରି ସେମାନେ ରହିଛନ୍ତି। ବାଂଶପାଳ ବିଡିଓ କହିଛନ୍ତି ଯେ ଏଠାରେ ଏକ ବଡ଼ ପୋଲର ଆବଶ୍ୟକତା ରହିଛି। ଏହା ବ୍ଲକର କ୍ଷମତା ବାହାରେ। ତେବେ ସେଠାରେ ପୋଲ ନିର୍ମାଣ ନେଇ ଅନ୍ୟ ବିଭାଗକୁ ପ୍ରସ୍ତାବ ଦିଆଯିବ।

ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ କେହି ହଳଡ଼ିହି ସାହିର ଏହି ସମସ୍ୟାର ସମାଧାନ ପାଇଁ ଆଗକୁ ଆସି ନଥିବା ବେଳେ କେବେ ଏଥିପ୍ରତି ସରକାର ଦୃଷ୍ଟି ଦେବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ତେଲକୋଇରୁ ଚିନ୍ମୟ ସାହୁଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe