Advertisment

୮ ବର୍ଷ ହେଲା ଚାଲିଛି ଯେ ସରୁନି ବିଜୁ ସେତୁ; ପଡ଼ିଗଲେ ପ୍ରାଣ ଚାଲିଯିବ ତଥାପି ଲୋକେ ଯାଉଛନ୍ତି

ଖାଲି ଏହି ଗୋଟାଏ ନୁହେଁ ବାଲେଶ୍ୱର ଜିଲ୍ଲାରେ ୧୬ଟି ବିଜୁ ସେତରୁ ସମାନ ଅବସ୍ଥା।

author-image
Niranjan Mishra
ଅଦ୍ୟତନ ହୋଇଛି
Biju Setu

Biju Setu

ପଡ଼ିଗଲେ ପ୍ରାଣ ଚାଲିଯିବ। ତଥାପି ଅଧାଗଢ଼ା ବିଜୁ ସେତୁ ଉପରେ ଯାତାୟତ କରୁଛନ୍ତି ଲୋକେ। କାରଣ ୮ ବର୍ଷ ହେବ ନିର୍ମାଣ ଚାଲିଥିବା ଏହି ବିଜୁ ସେତୁ କାମ କେବେ ସରିବ ତାହାର ଭାଗ୍ୟଭବିଷ୍ୟତ ଉତ୍ତର କାହା ପାଖରେ ନାହିଁ। ରେମୁଣା ବ୍ଲକର ନୂଆପାଢି ପଞ୍ଚାୟତର ସୋନ ନଦୀ ଉପରେ ଘୁଙ୍ଗି ଘାଟରେ ନିର୍ମାଣାଧୀନ ବିଜୁ ସେତୁ ଅବସ୍ଥା ଏଭଳି ହୋଇଛି। ଖାଲି ଏହି ଗୋଟାଏ ନୁହେଁ ଜିଲ୍ଲାରେ ୧୬ଟି ବିଜୁ ସେତରୁ ସମାନ ଅବସ୍ଥା।

Advertisment

ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ବିଜୁ ସେତୁ ଯୋଜନା। ଯେଉଁଠି ଯୋଗାଯୋଗ ପାଇଁ ସେତୁ ନଥିଲା। ସେଠି ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ଆରମ୍ଭ କଲେ ସେତୁ ନିର୍ମାଣ ପ୍ରକଳ୍ପ। ୨୦୧୧ ମସିହା ପରଠାରୁ ମାତ୍ର ୩୦ ପ୍ରତିଶତ ସେତୁ କାମ ସରିଥିବା ବେଳେ ପାଖାପାଖି ୬୭ ପ୍ରତିଶତ ବିଜୁ ସେତୁ ଏବେ ଅଧାରେ ଅଟକି ରହିଛି। ଏକଥା ଖୋଦ ବିଜୁ ସେତୁ ପରାମର୍ଶଦାତା ତଥା ପ୍ରିନ୍ସିପାଲ ସେକ୍ରେଟାରୀ ପାହିଆରେ ଥିବା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି।

ଖବର ମୁତାବକ, ବାଲେଶ୍ୱରରେ ବିଜୁ ସେତୁର ଭାଗ୍ୟ ଅନେକାଂଶ ସ୍ଥାନରେ ଅନିଶ୍ଚିତତା ଭିତରେ ରହିଛି। କେଉଁଠି ସ୍ଥାନ ନିରୁପଣ ନହୋଇ କାମ ହୋଇଛି ତ, ଆଉ କେଉଁଠି ଜମି ଅଧିଗ୍ରହଣ ନହୋଇ ପୋଲ ହୋଇଛି। ଏମିତିକି ରେଲୱେ ଜାଗାରେ ପୋଲ କାମ ଆରମ୍ଭ କରି ହିନସ୍ତା ହେବାକୁ ପଡିଛି ଗ୍ରାମ୍ୟ ଉନ୍ନୟନ ବିଭାଗକୁ। ଏବେ ସୁଦ୍ଧା ବାଲେଶ୍ୱର ଜିଲ୍ଲାକୁ ଯେତିକି ପୋଲ ବିଜୁ ସେତୁ ଯୋଜନାରେ ହେଉଥିଲା ସେ ଭିତରୁ ଏସବୁ କାରଣ ପାଇଁ ୧୬ଟି ପୋଲ ଅଧାରେ ଅଟିକିଛି।

Advertisment

ବାଲେଶ୍ୱର ସହର ପାଖରେ ଥିବା କସିମିଳା-ବାଲେଶ୍ୱର ମଧ୍ୟରେ ଚାଲିଥିବା ଏକ ପୋଲ ଏହାର ଅନ୍ୟ ଗୋଟିଏ ନମୁନା। ଏହି ପୋଲ ୮ ବର୍ଷ ଧରି ଚାଲିଛି ଯେ ଚାଲିଛି, ସରିବାର ନାଁ ଧରୁନି। ରେଲୱେ ବିଭାଗ ଓ ଜିଲ୍ଲା ପ୍ରଶାସନ ଟଣାଓଟରା ଭିତରେ ବଳି ପଡିଛନ୍ତି ସାଧାରଣ ଜନତା। ପୋଲ କାମ ଶେଷ ହେଉନଥିବାରୁ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ଅବସ୍ଥାରେ ରେଲେଓ୍ୱ ବ୍ରିଜର ପାଦଚଲା ରାସ୍ତା ଉପରେ ପ୍ରତିଦିନ ୨୦ ଖଣ୍ଡ ଗାଁର ଲୋକେ ଗାଡ଼ିମୋଟର ଧରି ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ନ ଗଲେ ସେମାନଙ୍କୁ ୨୦ କିଲୋମିଟର ବୁଲାଣି ରାସ୍ତା ଅତିକ୍ରମ କରି ବାଲେଶ୍ୱରରେ ପହଞ୍ଚିବାକୁ ପଡ଼ୁଛି।

Incomplete Biju Setuଅଧାରେ ଅଟକିଥିବା ବିଜୁ ସେତୁ

ଏନେଇ ନଗରମ ପୂର୍ବତନ ସରପଞ୍ଚ ସର୍ବେଶ୍ୱର ମହାନ୍ତି କହିଛନ୍ତି, ବିଜୁ ସେତୁ କାମ ସାରିବାକୁ ଅନେକ ଥର ଡିଆରଏମ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଦେଖା କରିବାକୁ ପଡ଼ିଛି। ହେଲେ କାମ କରିବାରେ କୌଣସି ଦ୍ୱନ୍ଦ୍ୱ ନ ଥିବା ସମସ୍ତେ କହୁଛନ୍ତି। ହେଲେ କାମ ଆଗଉନି। ରେଲୱେ ବିଭାଗ ସହ ପ୍ରଶାସନ ଜମି ଅଧିଗ୍ରହଣ ତଥା ଲିଜ୍‌ ନେଇ ଯେଉଁ ପଦକ୍ଷେପ ନେବା କଥା ନେଉନି। ତେଣୁ କାମ ଅଟକି ଥିବା ଜଣାପଡ଼ୁଛି।

Perilous journeyରେଳ ବ୍ରିଜ୍ ଉପରେ ବିପଦସଙ୍କୁଳ ଯାତାୟତ

ଫୁଲାଡି ବାସିନ୍ଦା ସର୍ବେଶ୍ୱର ବାଗୁଡି କହିଛନ୍ତି, ବ୍ରିଜ୍‌ କାମ ନ ସରିବା ଯୋଗୁ ଲୋକେ ହିନସ୍ତା ହେଉଛନ୍ତି। ରେଲୱେ ବ୍ରିଜ୍ ଉପରେ ଯିବାବେଳେ ଶିଶୁମାନେ ପଡ଼ି ମୃତାହତ ହେଉଛନ୍ତି। ହେଲେ ପ୍ରଶାସନ ଦୃଷ୍ଟି ଦେଉନି। ନିର୍ବାଚନ ଆସିଲେ ବ୍ରିଜ୍‌ ଆରମ୍ଭ ହେଉଛି, ପରେ ପୁଣି ବନ୍ଦ ହୋଇଯାଉଛି। ସରକାର ଲୋକଙ୍କୁ ଭୂଆଁ ବୁଲାଇ ଭୋଟ ରାଜନୀତି କରୁଛି। ଏହି ପୋଲ ତିଆରି ନିମନ୍ତେ ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆଖି ବୁଜି ସାରିଲେଣି। ହେଲେ ସରକାର ପୋଲ ସାରିବା ପ୍ରତି ଦୃଷ୍ଟି ଦେଉନି।

Perilous journey in Incomplete Biju Setu ଅଧାରେ ଅଟକିଥିବା ବିଜୁ ସେତୁ ଉପରେ ବିପଦସଙ୍କୁଳ ଯାତ୍ରା

ଠିକ୍ ସେହିପରି ରେମୁଣା ବ୍ଲକର ନୂଆପାଢି ପଞ୍ଚାୟତର ସୋନ ନଦୀ ଉପରେ ଘୁଙ୍ଗି ଘାଟରେ ହୋଇଥିବା ପୋଲକୁ ଆପ୍ରୋଚ ରୋଡ ହେବା କାମ ଅଟକି ପଡ଼ିଛି। ଜମି ଅଧିଗ୍ରହଣ ନସରିବା କାରଣରୁ ଅଧାରେ ଅଟକି ରହିଛି ଏହି କାମ। ତେଣୁ ଲୋକେ ବାଉଁଶ ଲଗାଇ ଅସ୍ଥାୟୀ ବାଟ କରିଛନ୍ତି। ଏହା ବିପଦସଙ୍କୁଳ ହୋଇଥିଲେ ହେଁ ଅନ୍ୟ ବାଟ ନ ଥିବାରୁ ଲୋକେ ଏହା ଉପରେ ଯାତାୟତ କରୁଛନ୍ତି। ଯାତାୟତ ବେଳେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ହେଲେ ସେମାନେ ନିରୁପାୟ।

ନିକଟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପଦ୍ମପୁର ପଞ୍ଚାୟତର ବାଙ୍କେଶ୍ୱର ଠାରେ ପାଖାପାଖି ୪ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ସୁଧାଂଶୁ ଶେଖର ପରିଡା। ତେବେ ଏହା କେବେ ସରିବ ସେନେଇ କିଛି ବି ଭାଗ୍ୟ ଭବିଷ୍ୟତ ସ୍ଥିର ହୋଇନି।

ବିଜୁ ସେତୁ ଯୋଜନା ପରାମର୍ଶଦାତା ଦିଲ୍ଲୀପ କୁମାର ସାହୁ କହିଛନ୍ତି, ରାଜ୍ୟରେ ଜମିଅଧିଗ୍ରହଣ ସହ ଅନ୍ୟାନ୍ୟ ସମସ୍ୟା ପାଇଁ ପାଖାପାଖି ୬୭ ପ୍ରତିଶତ ବିଜୁ ସେତୁ ଅଧାରେ ଅଟକିଛି। କିଭଳି ଭାବେ ଏହି କାମ ସରିବ ସେ ସେଥିପାଇଁ ସେ ସରକାରଙ୍କୁ ପରାମର୍ଶ ଦେବେ।

ସୂଚନା ଥାଉକି, ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର ୨୦୨୪-୨୫ ସୁଦ୍ଧା ଆହୁରି ୮୬୬ଟି ବିଜୁ ସେତୁ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରି ଦେଇଛନ୍ତି। ରାଜ୍ୟବାସୀଙ୍କୁ ଭୋଟ ଥୋପ ପକାଇଛନ୍ତି। ବିଜୁ ସେତୁ ଯୋଜନାରେ ବ୍ୟାପକ ଅନିୟମିତତା ନେଇ କିଛ ଦିନ ତଳେ ଖୋଦ୍ ସିଏଜି ତାଙ୍କ ରିପୋର୍ଟ ଦେଇଥିଲେ। ରାଜ୍ୟରେ ବିଜୁ ସେତୁର ଭାଗ୍ୟ ଅନିଶ୍ଚିତତା ଭିତରେ ଗତି କରୁଥିବା ବେଳେ ଆଗକୁ ନିର୍ବାଚନକୁ ଅଖିରେ ରଖି ପୁଣି ନୂଆ ସେତୁ ଘୋଷଣା କରିବା କେତେଦୂର ସଫଳ ହେଉଛି ଦେଖିବାର କଥା।

ରିପୋର୍ଟ- ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ

Balasore Bjd Politics Biju Setu Peoples Problem