Advertisment

5-T ସ୍କୁଲର ବିଚିତ୍ର ସ୍ଥିତି; PET ଓ ହିନ୍ଦୀ ଶିକ୍ଷକରେ ଚାଲିଛି ବିଦ୍ୟାଳୟ

ଦୁଇ ଜଣ ଶିକ୍ଷକରେ ଚାଲିଛି ନବମ ଓ ଦଶମ ଶ୍ରେଣୀ। ଅର୍ଥାତ ୧୧୧ ପିଲାଙ୍କ ଭାଗ୍ୟ ଗଢ଼ୁଛନ୍ତି ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକ। ହିନ୍ଦୀ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିବା ବେଳେ ଖେଳ ଶିକ୍ଷକ କ୍ଲାସ୍‌ ସମ୍ଭାଳୁଛନ୍ତି। ଅର୍ଥାତ ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକ ପିଲାଙ୍କୁ ଇଂଲିଶ୍‌ର ଟେନ୍ସ ଓ ଗଣିତର ମାନସାଙ୍କ ଶିଖାଉଛନ୍ତି।

author-image
Ordigital Desk
bhadrak

bhadrak

ଭଲ ପାଠ ପଢ଼ିବେ, ଓଡ଼ିଶା ପିଲା ସ୍ମାର୍ଟ ହେବେ। ସେଥିପାଇଁ ରାଜ୍ୟ ସରକାର ଗଢ଼ିଥିଲେ ସ୍ମାର୍ଟ ସ୍କୁଲ। 5-Tରେ ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲର ରୂପରେଖ ବଦଳିଥିଲା। ହେଲେ ବଦଳିଲାନି ପିଲାମାନଙ୍କ ଭାଗ୍ୟ। ସେମାନେ ଯେମିତି ଥିଲେ, ଠିକ୍‌ ସେମିତି ଦୟନୀୟ ଭାବେ ପାଠ ପଢ଼ୁଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ସ୍ମାର୍ଟ ହୋଇପାରିଲେ ନାହିଁ। ତାଙ୍କ କଥା ମଧ୍ୟ କେହି ବୁଝୁନାହାନ୍ତି। ତେଣୁ ବର୍ତ୍ତମାନ ପିଇଟି ଓ ହିନ୍ଦୀ ଶିକ୍ଷକରେ ଚାଲିଛି 5-T ସ୍କୁଲ୍‌।

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ ରହିଛି ରାଜଘରପୋଖରୀ ପଞ୍ଚାୟତ ହାଇସ୍କୁଲ। ଦୁଇ ବର୍ଷ ତଳେ 5-Tରେ ଅନ୍ତର୍ଭୁକ୍ତ ହୋଇଥିଲା। ତା’ପରେ ସ୍କୁଲ ନୂଆ ରୂପ ପାଇଥିଲା। ଚକାଚକ ହୋଇଥିଲା ସ୍କୁଲ କାନ୍ଥ। ଗଢ଼ା ଯାଇଥିଲା ଡିଜିଟାଲ୍ କ୍ଲାସ ରୁମ୍‌। ଏହା ପରେ ଅଭିଭାବକମାନେ ଭାବିଥିଲେ, ଏଥର ପିଲାଙ୍କ ଭାଗ୍ୟ ବଦଳିବ। ପିଲାମାନେ ସ୍ମାର୍ଟ ସ୍କୁଲରେ ବସି ପାଠ ପଢ଼ିବେ। ଦେଶର ଭବିଷ୍ୟତ ଗଢ଼ିବେ। ହେଲେ ଦୁର୍ଭାଗ୍ୟର ବିଷୟ ଚକାଚକ୍‌ ସ୍କୁଲକୁ ଶିକ୍ଷକଟିଏ ଦେଇପରିଲେ ନାହିଁ ସରକାର।

ଦୁଇ ଜଣ ଶିକ୍ଷକରେ ଚାଲିଛି ନବମ ଓ ଦଶମ ଶ୍ରେଣୀ। ଅର୍ଥାତ ୧୧୧ ପିଲାଙ୍କ ଭାଗ୍ୟ ଗଢ଼ୁଛନ୍ତି ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକ। ହିନ୍ଦୀ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିବା ବେଳେ ଖେଳ ଶିକ୍ଷକ କ୍ଲାସ୍‌ ସମ୍ଭାଳୁଛନ୍ତି। ଅର୍ଥାତ ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକ ପିଲାଙ୍କୁ ଇଂଲିଶ୍‌ର ଟେନ୍ସ ଓ ଗଣିତର ମାନସାଙ୍କ ଶିଖାଉଛନ୍ତି। ବେଳେବେଳେ ସାହିତ୍ୟର ଜଟିଳ ଶବ୍ଦର ଅର୍ଥକୁ ଶରଳ ଭାଷାରେ ବୁଝାଉଛନ୍ତି। ବୁଝିନହେଉ ଥିଲେ ମଧ୍ୟ ସାମାଜିକ ବିଜ୍ଞାନର ସବୁ ସୂତ୍ରକୁ ଶିଖିବାକୁ ପ୍ରୟାସ କରୁଛନ୍ତି।

Advertisment

କ’ଣ କରିବେ? ବାଧ୍ୟ ବାଧ୍ୟକତା ଭିତରେ ପିଲାମାନେ ଶ୍ରେଣୀ ଗୃହରେ ବସିବାକୁ ବାଧ୍ୟ ହେଉଛନ୍ତି। କାରଣ ସେମାନଙ୍କ ପାଖରେ ଅନ୍ୟକିଛି ବିକଳ୍ପ ବ୍ୟବସ୍ଥା ନାହିଁ। ଏନେଇ ଅଭିଭାବକମାନେ ଶିକ୍ଷା ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ପାଖରେ କେତେ ଗୁହାରୀ କରିଛନ୍ତି। ହେଲେ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାର ଶୀଘ୍ର ଶିକ୍ଷକ ପଦବୀ ପୂରଣ ନକଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।

ଆଉ ଦୁଇ ମାସ ପରେ ହେବ ମାଟ୍ରିକ୍‌ ପରୀକ୍ଷା। ହେଲେ ଦୁଃଖର ବିଷୟ ଏହି ସ୍କୁଲରେ ପଢ଼ୁଥିବା ପିଲାମାନେ କୌଣସି ବିଷୟରେ ପାଠ ପଢ଼ି ନାହାନ୍ତି। ସ୍କୁଲରେ ଶିକ୍ଷକ ନଥିବାରୁ ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି। ଏପରି ସ୍ଥିତିରେ ପିଲାମାନେ କେମିତି ମାଟ୍ରିକ୍‌ ପରୀକ୍ଷା ଦେବେ? ଶିକ୍ଷକ ନିଯୁକ୍ତ ନହେଲେ ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ପରୀକ୍ଷା ବର୍ଜନ କରିବେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ସେପଟେ ତଥ୍ୟ କହୁଛି, ରାଜ୍ୟରେ ୫୬ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲ୍ ରହିଛି। ସେଥିରେ ଖାଲିପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ। ସେହିଭଳି ସରକାରୀ ହାଇସ୍କୁଲ ସଂଖ୍ୟା ୭ ହଜାର ଥିବାବେଳେ ୧୫ ହଜାର ଶିକ୍ଷକ ପଦବୀ ଖାଲି ରହିଛି। ଏଭଳି ସ୍ଥିତି ଭିତରେ ପିଲାଏ କେମିତି ପଢ଼ିବେ ଆଉ କଣ ବଢ଼ିବେ? ଶିକ୍ଷକ ମରୁଡ଼ି ପ୍ରସଙ୍ଗକୁ ପିଲାଏ ବୁଝୁଥିଲେ ବି କାହିଁକି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି? ଏ ପ୍ରସଙ୍ଗରେ ପ୍ରତିମାସରେ ଭେକେସନ ଲିଷ୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯାଉଛି। ହେଲେ ଆଜିଯାଏ କୌଣସି ସୁଫଳ ମିଳିପାରିନାହିଁ।

ରିପୋର୍ଟ- ଭଦ୍ରକରୁ ସୂର୍ଯ୍ୟୋଦବ ବିଶ୍ୱାଳ

School Indian Education System