Advertisment

ହାଇକୋର୍ଟଙ୍କୁ ମାନୁନି ପୁଲିସ-୨! ପୁଲିସ ଚାପରେ ସରକାର ଚେପା?

ଏକ ପୁଞ୍ଜି ଲଗାଣ ସ୍କିମରେ ରାଜୀବ ଲୋଚନ ଦାସ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି ଦୁଇ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାନୁଆରୀ ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ନିର୍ଦ୍ଦେଶର ୨ ମାସ ପରେ ବି ଚୁପ୍ ବସିଛି କମିଶନରେଟ ପୁଲିସ୍।

ଅଦ୍ୟତନ ହୋଇଛି
High Court Order

High Court Order

Advertisment

ଜମି ଦେବା ନାଁରେ କୋଟି କୋଟି ଟଙ୍କା ଠକିଥିବା ଲୋକକୁ ଧରୁନି ପୁଲିସ। କୋର୍ଟରେ ଦାଖଲ କରୁନି କେସ ଡାଏରୀ ଓ ଅନୁସନ୍ଧାନ ରିପୋର୍ଟ। କୋର୍ଟ ଅବମାନନାରୁ ବର୍ତ୍ତିବା ପାଇଁ ପେଞ୍ଚ ପୂରାଉଛନ୍ତି ବଡ଼ ପୁଲିସ୍ ବାବୁ। ତଦନ୍ତକାରୀ ଆଇଆଇସିଙ୍କୁ ବଦଳି କରିଦେଉଛନ୍ତି ପୁଲିସ୍ କମିଶନର। ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ¸ ୫-ଟି ସଚିବ ଓ ପୁଲିସ୍ ଡିଜିପି ବି ଅସହାୟ! ଓଡ଼ିଶାରେ ଏମିତି ଚାଲିଛି ଆଇନର ଶାସନ?

Advertisment

ଆମେ କହୁଛୁ- ଠକାମିର ମାଷ୍ଟର ମାଇଣ୍ଡ ଭୁବନେଶ୍ବର ‘ଲୁମେକ୍ସ ରିସୋର୍ସେସ ପ୍ରାଇଭେଟ ଲିମିଟେଡ’ର ଏମଡି ରାଜୀବ ଲୋଚନ ଦାସ ଆଉ ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀଙ୍କ କଥା। ପୋଖରୀପୁଟରେ ବିଳାସପୂର୍ଣ୍ଣ ଭିଲା କରାଇ ଦେବେ କହି ଭୁବନେଶ୍ୱରର ପ୍ରଜ୍ଞା ପ୍ରକାଶ ନାୟକ ଓ ନିଶାରାଣୀ ମହାପାତ୍ରଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି।

ଏକ ପୁଞ୍ଜି ଲଗାଣ ସ୍କିମରେ ରାଜୀବ ଲୋଚନ ଦାସ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି ଦୁଇ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାନୁଆରୀ ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ନିର୍ଦ୍ଦେଶର ୨ ମାସ ପରେ ବି ଚୁପ୍ ବସିଛି କମିଶନରେଟ ପୁଲିସ୍। ଅଭିଯୁକ୍ତ ରାଜୀବ ଲୋଚନ ଦାସଙ୍କର ଜଣେ ସଂପର୍କୀୟ ବରିଷ୍ଠ ଆଇପିଏସ୍ ଅଫିସର ହୋଇଥିବାରୁ ଓ ସେ ତୃତୀୟ ମହଲାର ରାଜନୈତିକ କାର୍ଯ୍ୟରେ ସହାୟତା କରୁଥିବାରୁ ଆଇନ ତା’ ବାଟରେ ନଯାଇ ଅସହାୟ ପଡ଼ିଥିବା ଦେଖାଯାଉଛି। ଠକାମି ଉପାୟରେ ଅର୍ଜିତ ଧନରେ ଚାଲିଛି ବିଳାସପୂର୍ଣ୍ଣ ଜୀବନ ଓ ମିସେସ୍ ଇଣ୍ଡିଆ ଓ୍ବାର୍ଲଡଓ୍ବାଇଡରେ ଭାଗ ନେଉଛନ୍ତି ସୋନିଆ। ଜମି ଠକେଇ ମାମଲାରେ ହାଇକୋର୍ଟରେ ସ୍ୱାମୀ-ସ୍ତ୍ରୀ ରାଜୀବ ଓ ସୋନିଆଙ୍କ ଆଗୁଆ ଜାମିନ ଆବେଦନ ୨୦୨୨ ସେପଟେମ୍ବର ୧୯ ତାରିଖରୁ ଖାରଜ ହୋଇଥିଲେ ମଧ୍ୟ ସେମାନଙ୍କୁ ପୁଲିସ ଗିରଫ କରୁନି।

Advertisment

ଆମେ ପୂର୍ବରୁ ଏକ ଖବରରେ ପ୍ରକାଶ କରିଥିଲୁ, ଭୁବନେଶ୍ୱରର ନିଶାରାଣୀ ମହାପାତ୍ର ଓ ତାଙ୍କ ପରିବାରଠାରୁ ଅଭିଯୁକ୍ତ ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀ କମ୍ପାନୀ ନାଁରେ ଜାଲ କାଗଜପତ୍ର ଓ ଅଧିକ ସୁଧର ଲୋଭ ଦେଖାଇ ୨୦୧୯ରେ ୧୦ଟି କିସ୍ତିରେ କିଭଳି ୫ କୋଟି ୫୦ ଲକ୍ଷ ନେଇଥିଲେ। ମାତ୍ର ୧୩ ମାସ ସୁଧ ଦେଲା ପରେ ଟଙ୍କା ଦେବା ବନ୍ଦ ହୋଇଗଲା। ସବୁ ଚେକ୍ ବାଉନସ ହେଲା। ରାଜୀବଙ୍କ ପନ୍ନୀ ସୋନିଆ ତ୍ରିପାଠୀଙ୍କର କଟକରୋଡରେ ‘ବ୍ରାଇଟ୍ ହୋମସ ଡେକର’ ଭଳି ଏକ ଇଣ୍ଟେରିଅର ଡେକୋରେସନ୍ ଦୋକାନ ଥିଲା। ସେ ପୋଖରୀପୁଟ ଅଞ୍ଚଳରେ ବଡ଼ ଜାଗା କରାଇଦେବେ କହି ସେହି ସମୟରେ ୩ଟି କିସ୍ତିରେ ୪ କୋଟି ୫୨ ଲକ୍ଷ ୪୦ ହଜାର ଟଙ୍କା ବି ନେଇଥିଲେ। ଆଲିସାନ ଭିଲା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ। ଏଥିପାଇଁ ପୋଷ୍ଟ ଡେଟେଡ୍ ଚେକ୍ ବି ଦେଇଥିଲେ। ଜାଗା ତ ମିଳିଲା ନାହିଁ। ଠକେଇର ଶିକାର ହେବା ପରେ ନିଶାରାଣୀ ଓ ପ୍ରଜ୍ଞା ଏୟାରଫିଲଡ୍ ଥାନାରେ ୨୦୨୧ ଅକ୍ଟୋବର ୯ ତାରିଖରେ ଏଫଆଇଆର କଲେ। ଥାନାର ଆଇଆଇସି ରାଧାକାନ୍ତ ସାହୁ ଜେଡ-ଓ୍ବାନ୍ ଇଷ୍ଟେଟରେ ରହୁଥିବା ଦମ୍ପତ୍ତିଙ୍କ ଫ୍ଲାଟରେ ଚଢ଼ାଉ କଲେ। ସେମାନଙ୍କୁ ନ ପାଇବା ପରେ ତାଙ୍କର ପାଣି ଓ ବିଜୁଳି ପାଇପ୍ କାଟିଦେଲେ। ଆଉ ତାଙ୍କ ସୌଖୀନ ଟୁସକନ୍ କାରରେ ଲକ୍ ପକାଇଦେଲେ। ତେବେ ଏହାପରେ ରାଜୀବଙ୍କ ଜଣେ ସଂପର୍କୀୟ ବଡ଼ ଆଇପିଏସ ଅଫିସରଙ୍କ ଚାପରେ ଚେପାହୋଇଗଲା ପୁଲିସ୍। ବାରମ୍ବାର ନୋଟିସ୍ ସତ୍ତ୍ୱେ ଏୟାରଫିଲଡ ଆଇଆଇସି ରାଧାକାନ୍ତ ସାହୁ କୋର୍ଟରେ ପହଞ୍ଚି କେସ୍ ଡାଏରୀ ଓ ଅନୁସନ୍ଧାନର ଅଗ୍ରଗତି ନେଇ ରିପୋର୍ଟ ଦେଲେନି। ଅବଦାଲତ ଅବମାନନା ଦଣ୍ଡ ଭୋଗିବାର ଠିକ୍ ପୂର୍ବରୁ ସଂପୃକ୍ତି ଆଇଆଇସିଙ୍କୁ ଅନ୍ୟ ୨୦ ଜଣ ଆଇଆଇସିଙ୍କ ସହ ଡିସେମ୍ବର ୩ ତାରିଖରେ ବଦଳି କରିଦେଲେ ପୁଲିସ୍ କମିଶନର। ସଂପୃକ୍ତ ଆଇଆଇସିଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଛି। ୟା ଭିତରେ ପ୍ରଜ୍ଞା ଓ ନିଶାରାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ, ୫ଟି ସଚିବ, ପଲିସ୍ ଡିଜି, ପଲିସ କମିଶନର ଓ ଡିସିପିଙ୍କୁ ସାକ୍ଷାତ କରି ପ୍ରମାଣ ସହ ଅଭିଯୋଗ ଦେଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ କେହି ଧରିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଯାଉଛି, ଆଇନ ତା’ ବାଟରେ ଯାଉନାହିଁ। ଯେଉଁ ପୁଲିସ୍ ଅଧିକାରୀ ସରକାରଙ୍କ ପାଇଁ କଲେକସନ୍ ଏଜେଣ୍ଟ ସାଜୁଛନ୍ତି, ସେମାନେ ସରକାରଙ୍କ ଗେହ୍ଲାପୁଅ ହୋଇଯାଉଛନ୍ତି ଆଉ ଆଇନ ସେଇଠି ଅଟକିଯାଉଛି। ଏ ନେଇ ଅଭିଯୁକ୍ତ ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

(ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ)

Odisha Police Odisha Highcourt Commissionerate Police High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe