Advertisment

ଦିଲ୍ଲୀକୁ ଟପିଲା ଭୁବନେଶ୍ୱର

ରବିବାର ଦିଲ୍ଲୀର ବାୟୁ ପ୍ରଦୂଷଣର ସ୍ତର ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୭ରେ ପହଁଚିଥିଲା। ହେଲେ ସେହି ସମୟରେ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ପାଖ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ-AQI ସର୍ବୋଚ୍ଚ ସ୍ତରରେ ଅର୍ଥାତ୍ ୫୦୦ରେ ପହଁଚିଥିବା ଦେଖାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
pollution in bhubaneswar

pollution in bhubaneswar

ରବିବାର ଦିଲ୍ଲୀର ବାୟୁ ପ୍ରଦୂଷଣର ସ୍ତର ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୭ରେ ପହଁଚିଥିଲା। ହେଲେ ସେହି ସମୟରେ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ପାଖ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ-AQI ସର୍ବୋଚ୍ଚ ସ୍ତରରେ ଅର୍ଥାତ୍ ୫୦୦ରେ ପହଁଚିଥିବା ଦେଖାଯାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ବାୟୁର ମାନ ଯାଞ୍ଚ୍ ପାଇଁ ବସିଥିବା ସ୍ୱୟଂଚାଳିତ ମେସିନରୁ ଏହି ସାଂଘାତିକ ତଥ୍ୟ ମିଳିଛି। କେବଳ ରମାଦେବୀ ନୁହେଁ, ଭୁବନେଶ୍ୱରର ଆଉ ୪ଟି ସ୍ଥାନରେ, ଯେମିତିକି ମାଷ୍ଟର କ୍ୟାଣ୍ଟିନ୍ ଛକ, ଲିଙ୍ଗରାଜ ମନ୍ଦିର ଅଂଚଳ, କିଟ ଛକ ଅଂଚଳ ଓ ଇନଫୋସିଟି ଏରିଆରେ ବାୟୁ ପ୍ରଦୂଷଣର ମାନ ବା `ଏକ୍ୱୁଆଇ’ ୩୦୦ ଟପିଯାଇଛି। ପୂର୍ବରୁ ଏହି ସବୁ ସ୍ଥାନରେ `ଏକ୍ୱୁଆଇ’ ୨୦୦ ଭିତରେ ଅର୍ଥାତ୍ `ଅସ୍ୱାସ୍ଥ୍ୟକର’ ସ୍ଥିତିରେ ଥିବାବେଳେ ଏବେ ତାହା ୩୦୦ରୁ ୫୦୦କୁ ଆସିବା ଦ୍ୱାରା `ମାରାତ୍ମକ’ ସ୍ତରକୁ ଆସିଯାଇଛି।

Advertisment

ଅନ୍ୟପଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱର ସହର ସମେତ ଦେଶର କିଛି ମେଟ୍ରୋ ସହରର ବାୟୁ ପ୍ରଦୂଷଣକୁ ଯାଂଚ୍ କରାଯାଇଥିବାବେଳେ ଭୁବନେଶ୍ୱରରେ ରସୁଲଗଡ଼ ଅଂଚଳ ସର୍ବାଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ପରିବେଶ ବିଜ୍ଞାନର ସହକାରୀ ପ୍ରଫେସର ଡ. ସରୋଜ ସାହୁ କହିଛନ୍ତି, ବର୍ତ୍ତମାନ ବିଶ୍ୱକପ୍ ହକି ପାଇଁ ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ଚାଲିଥିବାରୁ ଓ ଶୀତ ଦିନ ହୋଇଥିବାରୁ ବାୟୁମଣ୍ଡଳରେ ଧୂଳିକଣା ବଢ଼ିଛି। ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ରସୁଲଗଡ଼ ଅଂଚଳର ବାୟୁ ସର୍ବାଧିକ ପ୍ରଦୂଷିତ ରହୁଥିବା ଦେଖାଯାଇଛି।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବର ସହରର ବାୟୁର ମାନ ଯାଂଚ ବେଳେ ରସୁଲଗଡ଼, ୟୁନିଟ-୯, ଖାରବେଳ ନଗର ଅଂଚଳର ବାୟୁ ସର୍ବାଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି। ରାସ୍ତାରେ ଧୂଳି ଉଡ଼ିବା କାରଣ ପାଇଁ ସର୍ବାଧିକ ୩୧.୨% ବାୟୁ ପ୍ରଦୂଷିତ ହେଉଥିବାବେଳେ ଗାଡ଼ିମଟର ଯୋଗୁଁ ୨୮.୮% ଓ ବିଭିନ୍ନ ନିର୍ମାଣ କାମ ପାଇଁ ୧୪.୩% ବାୟୁ ପ୍ରଦୂଷିତ ହେଉଛି ବୋଲି ଜଣାପଡ଼ିଛି। ବିଶେଷକରି ଦୁଇ ଚକିଆ ଗାଡ଼ି, ଘରୋଇ କାର ଓ ଅଟୋରୁ ଅଧିକ ବାୟୁ ପ୍ରଦୂଷିତ ହୋଇଥିବା ଦେଖାଯାଇଛି। ତେବେ ପାରମ୍ପରିକ ପଦ୍ଧତିରେ ଭୁବନେଶ୍ୱରର ୬ଟି ଜାଗାରେ ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡ ପକ୍ଷରୁ ବାୟୁ ପ୍ରଦୂଷଣର ମାନ ମପାଯାଉଥିବା ବେଳେ ଏକ୍ୱୁଆଇର ସ୍ତର ଦେଢ଼ ଶହ ଭିତରେ ରହୁଥିବା କୁହାଯାଇଛି।

ରାଜ୍ୟ ପ୍ରଦୂଷଣ ବୋର୍ଡର ମୁଖ୍ୟ ପରିବେଶ ଯନ୍ତ୍ରୀ ନିହାର ରଂଜନ ସାହୁ କହିଛନ୍ତି, ଆମେ ଭୁବନେଶ୍ୱର ସହରର ୬ଟି ଜାଗାରେ ବାୟୁ ପ୍ରଦୂଷଣ ସ୍ତର ମାପୁଛୁ। ଏକ୍ୱୁଆଇର ସ୍ତର ୧୩୦ରୁ ୧୫୦ ଭିତରେ ରହୁଛି। ୧୦୦ ଉପରେ ରହିଲେ ତାହା ସୀମା ଉପରକୁ ଯାଉଛି। ତେବେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଆମେ ବହୁବିଧ ପଦକ୍ଷେପ ନେଉଛି।

Bhubaneswar Air Pollution