Advertisment

ପାହାଡ ଉପରେ ଖୋଲିଛି ପୋଷ୍ଟ ଅଫିସ୍‌! ଚାଲିଛି ଡିଜିଟାଲ୍‌ ସେବା

ଯୌବନରେ ଯେମିତି ଚଳଚଞ୍ଚଳ ଥିଲେ ସୁଦର୍ଶନ ମିଶ୍ର, ଆଜି ମଧ୍ୟ ଠିକ୍‌ ସେମିତି ସକ୍ରିୟ ଅଛନ୍ତି। କେବେ ହେଲେ ଥକି ପଡ଼ିନାହାନ୍ତି। ଡାକ ସେବା ଡିଜିଟାଲାଇଜ୍‌ ହେବା ପରେ ସବୁ କାମ ଅନ୍‌ଲାଇନ୍‌ରେ ହେଉଛି। ଏପରି ସ୍ଥିତିରେ ଛେଲାଗଡ଼ ଗାଁରେ ନେଟ୍‌ୱର୍କ ଆସିଲାନି।

Post

Post

Advertisment

ପାହାଡ଼ ଉପରେ ଖୋଲିଛି ପୋଷ୍ଟ ଅଫିସ୍‌! ଆଉ ଚାଲିଛି ଡିଜିଟାଲ୍‌ ଡାକ ସେବା! ଅନ୍‌ଲାଇନ୍‌ରେ ଡିପୋଜିଟ୍‌, ରେଜିଷ୍ଟ୍ରି ଡାକର ସ୍କାନ୍‌ ଆଦି ହେଉଛି। ଦୀର୍ଘ ୪୩ ବର୍ଷ ଧରି ସେଠାରେ ଏମିତି ଚାଲିଛି ଡାକ ସେବା। ଆଉ ସେହି ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ସୁଦର୍ଶନ ମିଶ୍ର। ୬୩ ବର୍ଷରେ ମଧ୍ୟ ସେ ଚଳଚଞ୍ଚଳ। ଏହି ବୟସରେ ଡାକ ବିଭାଗର ନୂତନ ଜ୍ଞାନ କୌଶଳକୁ ସଦ୍‌ ବିନିଯୋଗ କରି ଲୋକଙ୍କୁ ଯୋଗାଉଛନ୍ତି ସେବା। ସେଥିପାଇଁ ଦୁଇ ଥର ଡାକ ବିଭାଗ ପାଖରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଡାକକୁ ନେଇ ଏମିତି ଏକ ଭଲ ଖବର ଆସିଛି ଗଜପତି ଜିଲ୍ଲାରୁ।

Advertisment

ଆର.ଉଦୟଗିରି ବ୍ଲକ୍‌ ଦୁର୍ଗମ ଛେଲାଗଡ ଗାଁ। ଏହି ଗାଁରେ ୧୯୮୦ ମସିହାରେ ଡାକ ବିଭାଗ ପକ୍ଷରୁ ପୋଷ୍ଟ ଅଫିସ୍‌ ଖୋଲା ଯାଇଥିଲା। ଆଉ ଶାଖା ପରିଚାଳକ ଭାବେ ସୁଦର୍ଶନ ମିଶ୍ର ନିଯୁକ୍ତି ପାଇଥିଲେ। ସେତେବେଳେ ସେ ୧୦୧ ଟଙ୍କା ୫୦ ପଇସା ଦରମା ପାଉଥିଲେ। ଏହା ଭିତରେ ବିତି ଗଲାଣି ୪୩ ବର୍ଷ। ବଦଳି ଗଲାଣି ଭାରତୀୟ ଡାକ କଳେବର। ଦିନେ ଯେଉଁ ଡାକ ଚିଠିପତ୍ର ଦେବାନେବା, ମନ ଅର୍ଡର ପରି କିଛି ସେବାର ମାଧ୍ୟମ ସାଜିଥିଲା, ଆଜି ସିଏ ବଢ଼ାଇଛି ନିଜର କଳେବର। ଖାଲି କଳେବର ବଢ଼ାଇନାହିଁ, ସମୟ ସହିତ ତାଳ ଦେଇ ବଦଳିଛି ଡାକ। ଆପଣାଇଛି ନୂତନ ଜ୍ଞାନ କୌଶଳକୁ। ଠିକ୍‌ ସେମିତି ମିଶ୍ରବାବୁ ନିଜକୁ ବଦଳାଇଛନ୍ତି। ଆଉ ଡାକ ସେବାର ସବୁ ଆହ୍ୱାନକୁ ସାଦରେ ଗ୍ରହଣ କରିଛନ୍ତି।

ଯୌବନରେ ଯେମିତି ଚଳଚଞ୍ଚଳ ଥିଲେ ସୁଦର୍ଶନ ମିଶ୍ର, ଆଜି ମଧ୍ୟ ଠିକ୍‌ ସେମିତି ସକ୍ରିୟ ଅଛନ୍ତି। କେବେ ହେଲେ ଥକି ପଡ଼ିନାହାନ୍ତି। ଡାକ ସେବା ଡିଜିଟାଲାଇଜ୍‌ ହେବା ପରେ ସବୁ କାମ ଅନ୍‌ଲାଇନ୍‌ରେ ହେଉଛି। ଏପରି ସ୍ଥିତିରେ ଛେଲାଗଡ଼ ଗାଁରେ ନେଟ୍‌ୱର୍କ ଆସିଲାନି। ତେଣୁ ଡାକ ସେବାକୁ ଏକ ପାହାଡ଼ ଉପରକୁ ନେଇଗଲେ ଶ୍ରୀ ମିଶ୍ର। ପ୍ରତିଦିନ ସକାଳ ୯ଟା ବେଳେ ଛେଲାଗଡ଼ ଡାକ ଅଫିସଠାର ୪ କିମି ଦୂରରେ ଥିବା ପାହାଡ଼କୁ ଚାଲି ଯାଆନ୍ତି ମିଶ୍ରବାବୁ। ସେଠାରେ ଲଗ୍‌ଇନ୍‌ କରି ଅନ୍‌ଲାଇନ୍‌ରେ ଆର୍‌ଡି, ସୁକନ୍ୟା, ଫିକ୍ସ, ଆରପିଏଲ୍‌ଆଇ, ଏମ୍‌ଏସ୍‌ସି, ଡିପୋଜିଟ୍‌ ପ୍ରମୁଖ ଜମା କରିଥାଆନ୍ତି। ପରେ ରେଜିଷ୍ଟ୍ରି ଚିଠିକୁ ସ୍କାନ କରି ବାଣ୍ଟିବା ପାଇଁ ଦେଇଥାଆନ୍ତି।

Advertisment
Mohanaପାହାଡ଼ ଉପରେ ନିଜ କାର୍ଯ୍ୟ କରୁଛନ୍ତି ଶ୍ରୀ ମିଶ୍ର

ମଧ୍ୟାହ୍ନରେ ପାହାଡ଼ରୁ ନିଜ ଅଫିସ୍‌କୁ ଫେରି ଆସନ୍ତି ମିଶ୍ରବାବୁ। ପୁନର୍ବାର ଅପରାହ୍ନ ୨ଟାରେ ସେହି ପାହାଉ ଉପରକୁ ଯାଆନ୍ତି। ସେଠାରେ ବାକି କାମ କରି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସନ୍ତି। ଇଏ ହେଉଛି ମିଶ୍ରବାବୁଙ୍କୁ ଦୈନନ୍ଦିନ ଜୀବନ ଚର୍ଜା। ନିଜର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ମିଶ୍ରବାବୁ ଦୁଇ ଥର ଡାକ ବିଭାଗ ପାଖରୁ ପୁରସ୍କୃତ ହୋଇଛନ୍ତି। ଏବେ ସେ ୬୩ ବର୍ଷରେ ପଦାର୍ପଣ କଲେଣି। ଏହି ବୟସରେ ମଧ୍ୟ ସେ ନିଜର କାର୍ଯ୍ୟ ସଠିକ୍‌ ଭାବେ ସମ୍ପାଦନ କରୁଛନ୍ତି। କେବେ ହେଲେ ଥକି ପଡ଼ିନାହାନ୍ତି।

ସୁଦର୍ଶନ ମିଶ୍ର କହିଛନ୍ତି, ମୋତେ କଷ୍ଟ ହେଲେ ମଧ୍ୟ ଲୋକଙ୍କୁ ସେବା ଯୋଗାଇ ଦେଉଛି। ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି। ଏତେ ବର୍ଷ ଧରି ସେବା ଯୋଗାଇବା ପରେ ମଧ୍ୟ ଡାକ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ନାହିଁ। ହଡା ବଳଦର ବୟସ ସରିଯିବା ପରେ ଯେଭଳି ମାଲିକ ତାକୁ ଆଉ ପଚାରିନଥାଏ, ଠିକ ସେହି ଭଳି ଆମ ପୋଷ୍ଟାଲ ବିଭାଗରେ କର୍ମଚାରୀଙ୍କ ଅବସ୍ଥା ହୋଇଯାଇଛି। ତେଣୁ ସରକାର ଡାକ କର୍ମଚାରୀଙ୍କ ପାଇଁ ଅବସର କାଳୀନ ପେନସନ ଲାଗୁ କରନ୍ତୁ ବୋଲି ମିଶ୍ରବାବୁ ଦାବି କରିଛନ୍ତି।

ରିପୋର୍ଟ- ମୋହନାରୁ ମିହିର ଜତି

Indian Postal Service Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe