ଦୁର୍ଗମ ପାହାଡ଼ ଓ ଘଞ୍ଚ ଜଙ୍ଗଲର ପରିଧି ଭିତରେ ସ୍ୱଚ୍ଛ ପାଣିର ଧାରକୁ ବହନ କରୁଥିବା ପଥର ଖୋଲ ଆଜିକାଲିର ନୁହେଁ, ତ୍ରେତୟା ଯୁଗର। ଏହାର ସଂପର୍କ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟର। କିମ୍ବଦନ୍ତୀ କହେ ଆଜିର ମାଲକାନଗିରି ବା ସେତେବେଳର ମାଲ୍ୟବନ୍ତରେ ପ୍ରଭୁ ଅବସ୍ଥାନ କରିଥିବା ବେଳେ ଏଇଠି ସ୍ନାନ କରୁଥିଲେ ମାତା ସୀତା। ସେଇଥିପାଇଁ ତା ନାଁ ରହିଛି ସୀତାକୁଣ୍ଡ। ଖଇରପୁଟ ବଣ୍ଡାଘାଟିରେ ଥିବା ଏହି କୁଣ୍ଡ ସହ ମଧ୍ୟ ରହିଛି ବଣ୍ଡା ଜନଜାତିଙ୍କ ଜୀବନ ଶୈଳୀର ଗଭୀର ସଂପର୍କ।
ଜନଶ୍ରୁତି ଅଛି- କୁଆଡ଼େ ମାତା ସୀତା ଏଠି ସ୍ନାନ କରୁଥିବା ଦେଖି ହସି ଦେଇଥିଲେ କିଛି ସ୍ଥାନୀୟ ମହିଳା। ଆଉ କ୍ଷୁବ୍ଧ ହୋଇ ମାଆ ଜାନକୀ ସେମାନଙ୍କୁ ଆଜୀବନ ବସ୍ତ୍ରହୀନ ହେବାର ଅଭିଶାପ ଦେଇଥିଲେ। ସେଇଥି ପାଇଁ ବୋଧହୁଏ ସେବେଠୁ ଏମିତି ଜୀବନ ବିତାଉଛନ୍ତି ଆଦିମ ବଣ୍ଡା ଜନଜାତିକ ମହିଳାମାନେ। ଯୁଗ ଯୁଗ ଧରି ଚାଲି ଆସିଛି ବିଶ୍ୱାସର ସେ ଅଦେଖା ଛାପ। ସେଠାରେ ଥିବା ସୀତାକୁଣ୍ଡରୁ ସଂଗୃହୀତ ପବିତ୍ର ଜଳ ଯାଇଛି ଅଯୋଧ୍ୟା ରାମ ମନ୍ଦିରକୁ। କେବେ ଭକ୍ତଟିଏ ଏଠାକୁ ବୁଲି ଆସିଲେ ଶ୍ରଦ୍ଧାରେ ମୁଣ୍ଡିଆଟିଏ ନମାରି ଆଦୌ ରହି ପାରେନି।
ସେହିପରି କେନ୍ଦୁଝରରେ ରହିଛି ସୀତାବିଞ୍ଜ। ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଏହି ସ୍ଥାନ। ବିଶ୍ୱାସ ରହିଛି, ଏହାର ମଧ୍ୟ ସିଧାସଳଖ ସଂପର୍କ ରହିଛି ମାତା ସୀତାଙ୍କ ସହ। ବାଲ୍ମିକୀ ଆଶ୍ରମରେ ଲବ ଓ କୁଶଙ୍କୁ ଜନ୍ମଦେବା ପରେ ମାତା ସୀତା ଏଇଠି ଦୁଇ ରାଜକୁମାରଙ୍କର କଟିଥିଲା ଶୈଶବ। ଯାହା ବିଶ୍ୱାସରେ ଆଜି ଜୀବନ୍ତ। ଘଟଗାଁ ବ୍ଳକରୁ ୬ କିଲୋମିଟର ଯିବା ପରେ ପଡେ ଡାଙ୍ଗୁଆପଶି ଗାଁ। ବିଶାଳ ପାହାଡ଼ ଓ ଘଞ୍ଚ ବନାଅଞ୍ଚଳ ମହର୍ଷି ବାଲ୍ମିକୀଙ୍କ ଆଶ୍ରମ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗୁମ୍ଫା ଚାରି ପଟେ ଥିବା ଭଗ୍ନାବଶେଷ ଓ ପାହାଡ଼ ଉପରେ ଥିବା ଯଜ୍ଞ କୁଣ୍ଡ ଯେମିତି କିମ୍ବଦନ୍ତୀକୁ ଆହୁରି ରୁଦ୍ଧିମନ୍ତ କରୁଛି। ଯେହେତୁ ବାଲ୍ମିକୀଙ୍କ ଆଶ୍ରମରେ ଲବ ଓ କୁଶଙ୍କ ବାଲ୍ୟଶିକ୍ଷା ସଂପନ୍ନ ହୋଇଥିଲା- ତେଣୁ ସେ ସ୍ମୃତିରେ ଏଠିକାର ସ୍କୁଲର ନାଁ ମଧ୍ୟ ଲବ-କୁଶଙ୍କ ନାମରେ ହୋଇଛି ନାମିତ। ଏଠାକୁ ଆସୁଥିବା ପ୍ରତିଟି ରାମ ଭକ୍ତ ଏବଂ ପର୍ଯ୍ୟଟକ, ସମସ୍ତଙ୍କୁ ମିଳିଯାଏ ପୌରାଣିକ ସହ ଆଧାତ୍ମିକ ଭାବନାର ନିଆରା ଅନୁଭବ।
ମାଲକାନଗିରିରୁ ଜିତେନ୍ଦ୍ର ବେଉରା/ କେନ୍ଦୁଝରରୁ ପ୍ରଣୟ ପାଣି