Advertisment

୯୦ ବର୍ଷ ପରେ ବାଦାମପାହାଡ଼ ଷ୍ଟେସନ୍‌ ଦେଖିବ ଏକ୍ସପ୍ରେସ୍‌ ଟ୍ରେନ୍‌

ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରା ମଧ୍ୟ କରିବେ। କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ।

ଅଦ୍ୟତନ ହୋଇଛି
Badampahar Railway Station

Badampahar Railway Station

Advertisment

ପୂରଣ ହେବ ବାଦାମପାହାଡ଼ବାସୀଙ୍କ ୯୦ ବର୍ଷର ସ୍ୱପ୍ନ। ପୂରଣ ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱପ୍ନ। ଗଡ଼ିବ ଏକ୍ସପ୍ରେସ ଟ୍ରେନ୍‌। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ସହର ସହିତ ରେଳ ପଥରେ ସିଧାସଳଖ ଯୋଡ଼ି ହେବ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବାଦାମପାହଡ଼। ସେଥିପାଇଁ ସଜେଇ ହେଉଛି ବାଦାମପାହାଡ଼ ଷ୍ଟେସନ ଓ ଖୁସିରେ ଗଦଗଦ୍ ସ୍ଥାନୀୟ ବାସିନ୍ଦା।

Advertisment

ରାଜତନ୍ତ୍ର ଅମଳରେ ଅର୍ଥାତ ୧୯୩୨ ମସିହାରେ ମୟୂରଭଞ୍ଜ ରାଜ୍ୟରେ ଗଡ଼ିଥିଲା ରେଳ। ବାଦାମପାହାଡରୁ ଟାଟାନଗରକୁ ବିଛା ଯାଇଥିଲା ନ୍ୟାରୋ ଗଜ୍‌ ରେଳ ଧାରଣା। ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ରେଳ ପରିଚାଳିତ ହେଉଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବାଦାମପାହାଡ଼ରୁ ଟାଟାନଗର ଓ ଜାମସେଦପୁରକୁ ଖଣିଜ ପଦାର୍ଥ ରତ୍ପାନୀ କରିବା। ପରବର୍ତ୍ତୀ ସମୟରେ ରାଜତନ୍ତ୍ର ହଟିଥିଲା। ଆଉ ଓଡ଼ିଶା ପ୍ରଦେଶରେ ମିଶିଥିଲା ମୟୂରଭଞ୍ଜ ରାଜ୍ୟ। ତା’ପରଠାରୁ ମୟୂରଭଞ୍ଜ ଓଡ଼ିଶା ରାଜ୍ୟର ଗୋଟିଏ ଜିଲ୍ଲାର ମାନ୍ୟତା ପାଇଥିଲା।

ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ବଢ଼ିଥିଲା କଳେବର। କଡ଼ ଲେଉଟାଇଥିଲା ମୟୂରଭଞ୍ଜ। ନ୍ୟାରୋ ଗଜ୍‌ରୁ ବ୍ରୋଡ୍‌ ଗଜକୁ ରୂପାନ୍ତରିତ ହୋଇଥିଲା ବାଦାମପାହାଡ-ଟାଟାନଗର ରେଳପଥ। ପ୍ରତିଦିନ ଶହ ଶହ ଟନ୍‌ ଲୁହାପଥର ବୋଝେଇ ହୋଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଟାଟାନଗର, ପଶ୍ଚିମବଙ୍ଗ ଓ ଅନ୍ୟ ଅଞ୍ଚଳକୁ ଗଲା। ହେଲେ ଅଞ୍ଚଳର ଲୋକଙ୍କ ପାଇଁ ପାସେଞ୍ଜର ଟ୍ରେନ୍‌ଟିଏ ଚାଲୁନଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁ ଗଡ଼ିଥିଲା ପାଞ୍ଜର ଟ୍ରେନ୍‌। ହେଲେ ଦେଖିବାକୁ ପାଇନଥିଲା ଏକ୍ସପ୍ରେସ୍‌ ଟ୍ରେନ୍‌।

Advertisment

୯୦ ବର୍ଷ ଭିତରେ ଏକ୍ସପ୍ରେସ ଟ୍ରେନ୍‌ଟି ଦେଖି ପାରିନଥିଲା ବାଦାମପାହାଡ଼ ରେଳ ଷ୍ଟେସନ୍‌। ରାଷ୍ଟ୍ରପତି ହେବା ପୂର୍ବରୁ ନିଜ ଅଞ୍ଚଳକୁ ରାଜ୍ୟ ତଥା ଦେଶର ଅନ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ ଯୋଡ଼ିବାକୁ ବହୁବାର ଚେଷ୍ଟା କରିଥିଲେ ଦ୍ରୌପଦୀ ମୁର୍ମୁ। ୨୦୦୦ରୁ ୨୦୦୨ ମସିହା ଯାଏଁ ରାଜ୍ୟ ପରିବହନ ମନ୍ତ୍ରୀ ଥିଲା ବେଳେ ବହୁବାର ପ୍ରୟାସ କରିଥିଲେ। ହେଲେ ସାକାର ହୋଇପାରି ନ ଥିଲା ତାଙ୍କ ସ୍ୱପ୍ନ। ଏବେ ରାଷ୍ଟ୍ରପତି ହେବା ପରେ ସେହି ସ୍ୱପ୍ନ ସତ ହେବାକୁ ଯାଉଛି। ଆସନ୍ତା ୨୧ ତାରିଖରେ ବାଦାମପାହାଡ଼ରୁ ରାଉରକେଲା ଓ କୋଲକାତାକୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍‌। ଏମିତିକି ତାଙ୍କ ଶ୍ୱଶୁର ଘର ଅଞ୍ଚଳ ବାଦାମପାହାଡ଼ରୁ ଜନ୍ମମାଟି ରାଇରଙ୍ଗପୁର ଦେଇ ଏକ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିବ। ଆଉ ସବୁଠୁ ଖୁସିର କଥା ହେଉଛି, ଏ ସମସ୍ତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଖୋଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରା ମଧ୍ୟ କରିବେ। କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ। ଆଉ ଦେଶର ରାଷ୍ଟ୍ରପତି ସ୍ୱତନ୍ତ୍ର ପ୍ରେସିଡେନ୍ସିଆଲ ଟ୍ରେନ୍‌ ବଦଳରେ ସାଧାରଣ ଏସି କୋଚରେ ଯାତ୍ରା କରିବାରେ ଏହା ହେବ ଭାରତୀୟ ରେଳ ଇତିହାସର ପ୍ରଥମ ଘଟଣା। ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ସେହି ଟ୍ରେନ୍‌ ଯାତ୍ରାରେ ସାମିଲ ହେବେ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରଠାରୁ ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ବିକାଶ ଧାରା ଆଗେଇ ଚାଲିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ବାୟୁସେନା ପକ୍ଷରୁ ଆଜି ସ୍ବତନ୍ତ୍ର ହେଲିକପ୍ଟର ଆକାଶ ମାର୍ଗରେ ପଇଁତରା ମାରିବା ସହ ଟ୍ରାଏଲ ରନ୍ କରିଛି। ବାୟୁସେନାର ଏକ ପାଞ୍ଚ ଜଣିଆ ଟିମ୍ ବାରିପଦାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକ ଲାଲ୍ ପାଣି ଓ ଉଦଳାରୁ ରବୀନ୍ଦ୍ର ନାୟକ

President Of India Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe