ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା। ଧନ୍ୟ ଆମ ସରକାର। ସ୍ମାର୍ଟ ସ୍କୁଲର ସ୍ୱପ୍ନ ଦେଖାଉଥିବା ସରକାର ରାଜ୍ୟରେ ଏମିତି ବିଦ୍ୟାଳୟ ତିଆରି କରିଛନ୍ତି, ଯେଉଁଠି ବର୍ଷା ହେଲେ ପାଣି ଗଳୁଛି, ଖରା ହେଲେ ଛାତରୁ ସିମେଣ୍ଟ କଂକ୍ରିଟ୍ ଖସୁଛି। ତାହା ହେଲେ ଆଦିବାସୀ ପିଲାମାନେ ରହିବେ କେଉଁଠି? ପାଠ ପଢ଼ିବେ କେମିତି? ଶ୍ରେଣୀ ଗୃହ ପାଲଟିଛି ହଷ୍ଟେଲ୍। ଯେଉଁଠି ରାତି ପିଲାମାନେ ଶୋଉଛନ୍ତି ଓ ଦିନରେ ଚାଲିଛି କ୍ଲାସ୍। ଏମିତିକା ସ୍କୁଲ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ।
ଖଣି ଖାଦାନ ଭରା କୋଇଡା ବ୍ଲକ୍ ରକ୍ସି ପଞ୍ଚାୟତର ବଡ଼ରକ୍ସି ଗାଁରେ ୧୯୫୪ ମସିହାରେ ସ୍ଥାପିତ ହୋଇଥିଲା ବଡ଼ରକ୍ସି ଆଶ୍ରମ ବିଦ୍ୟାଳୟ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଚଳିତବର୍ଷ ପଢ଼ୁଛନ୍ତି ୧୫୩ ଛାତ୍ରଛାତ୍ରୀ। ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ୪ଟି ଶ୍ରେଣୀ ଗୃହରେ ୮ଟି ଶ୍ରେଣୀର ପିଲାମାନେ ବସି ପାଠ ପଢ଼ୁଛନ୍ତି। ଏହି ଆଶ୍ରମ ବିଦ୍ୟାଳୟରେ ୧୩ଟି ଗାଁର ପିଲାମାନେ ଅଧ୍ୟୟନ କରୁଛନ୍ତି।
ହଷ୍ଟେଲ୍ ଓ ଶ୍ରେଣୀଗୃହ ପାଇଁ ୨୦୦୭-୦୮ ମସିହାରେ ୪୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା। ସେହି ଅର୍ଥରେ ଛାତ୍ରୀଙ୍କ ପାଇଁ କସ୍ତୁରବା ହଷ୍ଟେଲ୍ ଓ ଗୋଟିଏ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ଯାହା ଏବେ ବିପଦପୂର୍ଣ୍ଣ। ଅସରାୟ ବର୍ଷାରେ ଛାତରୁ ପାଣି ଗଳୁଛି। ଖରା ହେଲେ ଛାତରୁ ସିମେଣ୍ଟ କଂକ୍ରିଟ୍ ଖସୁଛି। ଯେଉଁଥିପାଇଁ ଛାତ୍ରୀମାନେ ହଷ୍ଟେଲ ରହିବାକୁ ନିରାପଦ ମଣୁନାହାନ୍ତି। ସେମାନେ ହଷ୍ଟେଲ୍ ଛାଡି ଘରକୁ ପଳାଉଥିବା ଅଭିଯୋଗ ହେଉଛି। ଯେଉଁ କେତେଜଣ ପିଲା ରହୁଛନ୍ତି, ସେମାନେ ୨୦୨୦-୨୧ ମସିହାରେ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହରେ ଆଶ୍ରୟ ନେଇଛନ୍ତି। ରାତିରେ ଛାତ୍ରୀମାନେ ଯେଉଁଠାରେ ଶୋଉଛନ୍ତି, ଆଉ ସକାଳ ହେଲେ ବେଡିଂପତ୍ର ଓ ବାକ୍ସକୁ ଶ୍ରେଣୀଗୃହ କାନ୍ଥ ପାଖରେ ରଖିଦେଉଛନ୍ତି। ସେଠାରେ ବସି ପିଲାମାନେ ପଢ଼ୁଛନ୍ତି। ଅର୍ଥାତ ଶ୍ରେଣୀ ଗୃହ ପାଲଟିଛି ଶୟନ କକ୍ଷ।
ରକ୍ସି ଜଙ୍ଗଲ ଭିତରେ ଆଶ୍ରମ ବିଦ୍ୟାଳୟଟି ଅବସ୍ଥିତ। ବିଦ୍ୟାଳୟ ଚାରି ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ। ପାଦେ ପାଦେ ବନ୍ୟ ଜୀବଯନ୍ତୁଙ୍କ ଭୟ। ତଥାପି ପିଲାମାନେ ସେଠାରେ ରାତ୍ର ଯାପନ କରୁଛନ୍ତି। ବହୁ ଅଭିଯୋଗ ପରେ ୨୦୨୧ ମସିହାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ହେଲେ ଲୋକ ଦେଖାଣିଆ। କାରଣ ଦିନେ ବିଦ୍ୟୁତ ଆସିଲେ, ମାସ ମାସ ଧରି ଦର୍ଶନ ମିଳୁନି। ଯାହାଫଳରେ ଛାତ୍ରୀମାନେ ଟର୍ଚ୍ଚ ଲାଇଟ୍ରେ ପାଠ ପଢ଼ୁଛନ୍ତି। ଏନେଇ ବାରମ୍ୱାର ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟା ସମାଧାନ କରାଯାଇପାରିନି। ଭଙ୍ଗା ଦଦରା ଗୃହକୁ ଶୀଘ୍ର ମରାମତି କରିବାକୁ ଦାବି ହେଉଛି।
ଆଶ୍ରମ ବିଦ୍ୟାଳୟର ଶିକ୍ଷୟିତ୍ରୀ ନେତ୍ରୀକା ବୁଖୁରା କହିଛନ୍ତି, ବର୍ଷା ହେଲେ ପାଠ ପଢ଼ାଇବାରେ ବହୁ ଅସୁବିଧା ହେଉଛି। ଛାତରୁ ପାଣି ଗଳୁଥିବାରୁ ପିଲାମାନେ ଶ୍ରେଣୀ ଗୃହରେ ବସି ପାରୁନାହାନ୍ତି। ଖରାଦିନେ ସିମେଣ୍ଟ କଂକ୍ରିଟ୍ ଖଣ୍ଡ ଖସୁଛି ବୋଲି ବୁଖୁରା କହିଛନ୍ତି।
ଶିକ୍ଷକ ସଂଗ୍ରାମ ପଟେଲ କହିଛନ୍ତି, ୨୦୦୭ରୁ ୧୩ ମସିହା ପର୍ଯ୍ୟନ୍ତ ଏଠାକୁ ବିଦ୍ୟୁତ ଆସିନଥିଲା। ୨୦୧୭ ମସିହା ଗାଁକୁ ବିଦ୍ୟୁତ ତାର ଟଣାଯାଇଥିଲା। ହେଲେ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏହି ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ହେଲେ ନିୟମିତ ବିଦ୍ୟୁତ ଆସୁନାହିଁ। ଥରେ ବିଦ୍ୟୁତ ଗଲେ, କେବେ ଆସିବ କେହି କହିପାରିବେ ନାହିଁ। ୨୦୦୭-୦୮ ମସିହାରେ ହଷ୍ଟେଲ ନିର୍ମାଣ ହୋଇଥିଲା। ସେଠାରେ ପିଲାମାନେ ରହୁଥିଲେ। ତାହା ଏବେ ଦୟନୀୟ ହୋଇଛି। ଛାତରୁ ଅତଡ଼ା ଖସୁଛି। ତେଣୁ ପିଲାମାନଙ୍କୁ ଶ୍ରେଣୀ ଗୃହରେ ରହୁଛନ୍ତି ବୋଲି ଶ୍ରୀ ପଟେଲ୍ କହିଛନ୍ତି।
ରିପୋର୍ଟ-କୋଇଡାରୁ ସୁନୀଲ କୁମାର ପଣ୍ଡା