/odisha-reporter/media/post_attachments/uploadimage/library/16_9/16_9_0/Rest_House_1744978263.jpg)
Rest House
୨୦୧-୧୭ ବେଳକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜପଥ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତିଆରି ପାଇଁ ଯୋଜନା କଲେ। ହେଲେ ଏପର୍ଯ୍ୟନ୍ତ ତିଆରି ହୋଇଥିବା ୫୦ରୁ ଅଧିକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ବା ଓ୍ବେସାଇଡ୍ ଆମିନିଟି ସେଣ୍ଟରଗୁଡ଼ିକ ଚାଲିପାରିଲା ନାହିଁ। ରାଜପଥ କଡ଼ରେ ପୂର୍ତ୍ତ ବିଭାଗ ଜରିଆରେ ସୁବିଧା କେନ୍ଦ୍ରଗୁଡ଼ିକ ତିଆରି ହୋଇଥିଲା। ୨୦୧୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ୩୪ଟି କେନ୍ଦ୍ରକୁ ଚଳାଇବା ପାଇଁ ପ୍ରଥେମ ପର୍ଯ୍ୟଟନ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ମାତ୍ର ତାହା ଚାଲିନପାରିବାରୁ ୨୦୨୨ରେ ଏହି ଦାୟିତ୍ବକୁ ମିଶନ ଶକ୍ତିର ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ଦିଆଯାଇଥିଲା। ମାତ୍ର ପ୍ରାୟ ବର୍ଷେ ହେଲା କେନ୍ଦ୍ରଗୁଡ଼ିକ ଅଚଳ ହୋଇଡ଼ିଛି। କେଉଁଠି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଆଗରେ ତାଲା ଝୁଲୁଛି ତ କେଉଁଠି ଟେବୁଲ ଚେୟାର ଖାଲି ପଡ଼ିଛି। କେନ୍ଦ୍ରରେ ଶୌଚାଳୟ, ଜଳପାନ ବ୍ୟବସ୍ଥା ଭଳି ସର୍ବନିମ୍ନ ବ୍ୟବସ୍ଥା ନ ଥିବାରୁ କୌଣସି ଡ୍ରାଇଭର କିମ୍ବା ପଥଚାରୀ ଆସୁନାହାନ୍ତି। କୋରାପୁଟର ହାଣ୍ଡିପୁଟ, ନବରଙ୍ଗପୁରର ଝରିଗାଁ ହେଉ କି ବଣେଇର ଲଲେଇ, ଦର୍ଜିଂ ହେଉ, ସବୁଠାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଗୁଡ଼ିକରେ ତାଲା ପଡ଼ିଥିବା ଦେଖାଯାଉଛି। କୋରାପୁଟର ବାସିନ୍ଦା ନୀଳମୋହନ, ନବରଙ୍ଗପୁରର ସଂଜୟ ପାଢ଼ୀ, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଏ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ରାଜ୍ୟ ପୂର୍ତ୍ତ ବିଭାଗ ଜରିଆରେ ପ୍ରତି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବା ଓ୍ବେସାଇଡ୍ ଆମିନିଟି ସେଣ୍ଟର ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରେ ଶୌଚାଳୟ, ପିଇବା ପାଣି, ଛୋଟ ପାର୍କିଂ ବ୍ୟବସ୍ଥା, ଜଳପାନ ବା କ୍ୟାଫେଟେରିଆ ବ୍ୟବସ୍ଥା ରହିଥିଲା। ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ବି ଅଳ୍ପ ସ୍ଥାନ ଥିଲା। ମାତ୍ର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଅଧୀନରେ ଥିବା National Highways Logistics Management Limited- NHLMLପକ୍ଷରୁ ଯେଉଁ ପଥପ୍ରାନ୍ତ ସୁବିଧା କେନ୍ଦ୍ରଗୁଡ଼ିକ ତିଆରି ହେବାର ରହିଥିଲା ତାହା ଅନେକ ପରିମାଣରେ ବଡ଼ ଥିଲା ଓ ଏଥିରେ ପ୍ରାୟ ୧୦ରୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇ ସେଥିରେ ବସ୍, କାର୍ ପାର୍କିଂ ସୁବିଧା, ଫୁଏଲ ଷ୍ଟେସନ୍, ହୋଟେଲ, ଇଲେକ୍ଟ୍ରିକ୍ ଚାର୍ଜିଂ ଷ୍ଟେସନ୍ , କ୍ରାଫ୍ଟ ବଜାର, ଲଜିଷ୍ଟିକ୍ ସୁବିଧା ଭଳି ଅନେକ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଥିଲା। ପିପିପି ମୋଡରେ ତିଆରି ହେଉଥିବା ଏହି ବଡ଼ ପଥପ୍ରାନ୍ତ ସୁବିଧା କେନ୍ଦ୍ରରୁ ଦେଶରେ ୫୦୧ଟି ତିଆରି ପାଇଁ ଆଦେଶ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୪ଟି କାର୍ଯ୍ୟକ୍ଷମ ହୋଇଥିବା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଏପ୍ରିଲ ୨ ତାରିଖରେ ରାଜ୍ୟସଭାରେ ଉତ୍ତର ଦେଇଥିଲେ। ଓଡ଼ିଶା ପାଇଁ ୧୧ଟି ବଡ଼ ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଂଜୁର ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କାର୍ଯ୍ୟକ୍ଷମ ହୋଇନାହିଁ।
ଯେମିତି, ଯାଜପୁର ଜିଲ୍ଲା ଜାତୀୟ ରାଜପଥ-୧୬ କଡ଼ରେ ଥିବା ସାହସପୁର ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଏଠାରେ ଟ୍ରକ୍ ଓ ବସ୍ ଡ୍ରାଇଭରଙ୍କ ବିଶ୍ରାମସ୍ଥଳ, ଏଟିଏମ୍, ଲଜିଷ୍ଟିକ୍ ପାର୍କଠାରୁ ଆରମ୍ଭ କରି ବାଙ୍କ୍ଓ୍ବେଟ୍ ହଲ୍ ପର୍ଯ୍ୟନ୍ତ ଅନେକ ସୁବିଧା ତିଆରି କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ଏହା ଚାଲିପାରିଲା ନାହିଁ ବୋଲି କହିଛନ୍ତି ଜଣେ ଯାତ୍ରୀ ଅଖିଳ କୁମାର ସ୍ବାଇଁ।
ଏ ନେଇ ଆମେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଚାହିଁଥିଲୁ। ସେ କହିଲେ, ନିକଟରେ ବିଭାଗରେ ଦୁଇଟି ସମୀକ୍ଷା ବୈଠକ ହୋଇଛି, ଏହି ସବୁ କେନ୍ଦ୍ରକୁ ଏବେ ଏସ୍ଏଚ୍ଜି ଜରିଆରେ ନ ଚଳାଇ ପିପିପି ମୋଡରେ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗକୁ ଅଧିକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲିବ।
(ରିପୋର୍ଟ: ଲମତାପୁଟରୁ ଜଗତଜୀବନ କଛିମ, ଝରିଗାଁରୁ ତ୍ରିନାଥ ଧରୁଆ, ବଣେଇରୁ ରଂଜିତ ଚୌଧୁରୀ, ଯାଜପୁରରୁ ଗୁଲାମ ଗସ୍ ଓ ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
