Advertisment

ଦାଦନ ଖଟିବାକୁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି

କେବଳ ଚଳିତ ମାସରେ ବଲାଙ୍ଗିର ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇସାରିଲାଣି।

Dadana

Dadadna

Advertisment

ଦୁଇ ମାସ ତଳେ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ବିଜୟୱାଡା ଯାଇଥିଲେ ବଲାଙ୍ଗିର ସହର ଉପକଣ୍ଠ ଆଟଗାଁର ରଜନୀକାନ୍ତ କୁଅଁର। ଘରୁ ଗଲା ବେଳେ ପରିବାର ଲୋକଙ୍କୁ କହିଥିଲେ ଯେ ସେ ଟଙ୍କା ରୋଜଗାର କରି ପଠାଇବେ। କିନ୍ତୁ ୫ ଦିନ ତଳେ ପରିବାର ଲୋକେ ଖବର ପାଇଲେ ଯେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜୟୱାଡା ରେଳ ଷ୍ଟେସନରୁ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରିଥିଲା ଜିଆରପି। ଏହି ଖବର ପାଇବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ଓ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିଲେ। ସେହିପରି ରଜନୀକାନ୍ତଙ୍କ ଶବ ଆଣିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲା ଜିଲ୍ଲା ଆଦିବାସୀ ସଂଘ।

Advertisment

୪୦ ବର୍ଷୀୟ ରଜନୀକାନ୍ତଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ତାଙ୍କ ମୃତଦେହ ଫେରାଇ ଆଣିବାକୁ ବଡ଼ ଦହଗଞ୍ଜ ହୋଇଥିଲେ। ବିଜୟୱାଡାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ଶବ ଆଣିବାକୁ ଲୋଡ଼ା ଥିଲା ୫୦ ହଜାର ଟଙ୍କା। କିନ୍ତୁ ପ୍ରଶାସନ ଦେଇଥିଲା ମାତ୍ର ୨୦ ହଜାର ଟଙ୍କା। ବାକି ୩୦ ହଜାର ଟଙ୍କା କେଉଁଠାରୁ ଆଣିବେ, ତାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ରଜନୀକାନ୍ତଙ୍କ ପତ୍ନୀ ଓ ବିଧବା ମା’। ତେବେ ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଥିଲା ଜିଲ୍ଲା ଆଦିବାସୀ ସଂଘ। ସେମାନଙ୍କ ସହାୟତାରେ ଆଜି ଆମ୍ବୁଲାନ୍ସ ଯୋଗେ ଘରେ ପହଞ୍ଚିଥିଲା ରଜନୀକାନ୍ତଙ୍କ ଶବ।

Rajanikanatରଜନୀକାନ୍ତ କଅଁର

ରଜନୀକାନ୍ତଙ୍କ ପତ୍ନୀ ଜନତା କୁଅଁର କହିଛନ୍ତି, ଏଠାରେ କିଛି କାମଧନ୍ଦା ମିଳିଲା ନାହିଁ। ସେଥିପାଇଁ ସେ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ। ସେଠାରେ କାମ କରି ପଇସା ପଠାଇବେ ବୋଲି କହିଥିଲେ। କିନ୍ତୁ କିଛି ପଇସା ପଠାଇ ନଥିଲେ। କ’ଣ ହେଲା, ଆମେ କିଛି ଜାଣିପାରୁଲି ନାହିଁ। ଏଠାରେ କାମ ମିଳିଥିଲେ ଦାଦନ ଖଟିବାକୁ ସେ ଯାଇନଥାଆନ୍ତେ। ଯାହା ରୋଜଗାର ହୋଇଥାଆନ୍ତା, ପିଲାଛୁଆଙ୍କୁ ନେଇ ଚଳି ଯାଇଥାଆନ୍ତୁ।

Advertisment

ବଲାଙ୍ଗିର ଜିଲ୍ଲା ଆଦିବାସୀ ସଂଘ ସଭାପତି ସତ୍ୟନାରାୟଣ ଭୋଇ କହିଛନ୍ତି, କାମ ନମିଳିବାରୁ ଆନ୍ଧ୍ର ପ୍ରଦେଶର ବିଜୟୱାଡା ଯାଇଥିଲେ ରଜନୀକାନ୍ତ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପ୍ରଶାସନକୁ ଆମେ ଏ ସଂପର୍କରେ ଜଣାଇଥିଲୁ। ପ୍ରଶାସନ କହିଲା, ଏହି କ୍ଷେତ୍ରରେ ସେମାନଙ୍କର କିଛି କାମ ନାହିଁ। ତାଙ୍କୁ ଯେଉଁ ସର୍ଦ୍ଦାର ନେଇଥିଲା, ସେ ଏସବୁ କଥା ବୁଝିବ ବୋଲି ପ୍ରଶାସନ କହିଥିଲା। ଏଥିରେ କ’ଣ ପ୍ରଶାସନର କିଛି ଦାୟିତ୍ୱ ନାହିଁ? ଜିଲ୍ଲା ଆଦିବାସୀ ସଂଘ ପଇସା ଖର୍ଚ୍ଚ କରି ଆମ୍ବୁଲାନ୍ସରେ ସେଠାରୁ ରଜନୀକାନ୍ତଙ୍କ ଶବ ଘରକୁ ଆଣିଛି। ସେମାନେ ପଛରେ ଆସି ୨୦ ହଜାର ଟଙ୍କା ଦେଇଛନ୍ତି।

ଏଭଳି ଏକ ଘଟଣା କେବଳ ରଜନୀକାନ୍ତଙ୍କ ସହିତ ଘଟିନାହିଁ। ଗତ ୧୪ ତାରିଖରେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ସହରର ହାତୀଶାଳପଡ଼ାକୁ ଫେରିଥିଲା ଦୁଇ ଜଣ ଯୁବକଙ୍କ ଶବ। ସେମାନେ ହେଉଛନ୍ତି ଉମେଶ ପାଣ୍ଡେ ଓ କୁନୁ ବନଛୋର। ଦୁହେଁ ସାଙ୍ଗ ଥିଲେ। ଅର୍ଥ ଉପାର୍ଜନ କରିବାକୁ ଦୁଇ ବନ୍ଧୁ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ। ଜାନୁଆରୀ ୧ ତାରିଖରେ ସେମାନେ ଚେନ୍ନାଇ ଯାଇଥିବା ବେଳେ ଜାନୁଆରୀ ୧୧ ତାରିଖରେ ଆସିଥିଲା ସେମାନଙ୍କ ମୃତ୍ୟୁ ଖବର।

Umesh and Kunuଉମେଶ ଓ କୁନୁ

ମୃତଦେହ ଆଣିବାକୁ ଉମେଶ ଓ କୁନୁଙ୍କ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପୌରାଧ୍ୟକ୍ଷା ପରିବାର ଲୋକଙ୍କୁ ଭେଟି ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନର ସହଯୋଗରେ ପରିବାର ଲୋକେ ଶବ ଫେରାଇ ଆଣିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶ୍ରମ ବିଭାଗ ଆମ୍ବୁଲାନ୍ସ ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଦେଇଥିଲା।

ଉମେଶ ଓ କୁନୁଙ୍କ ମୃତଦେହ ଫେରାଇ ଆଣିବା ପାଇଁ ସେମାନଙ୍କ ପରିବାର ଲୋକେ ଚେନ୍ନାଇ ଯାଇଥିଲେ। ସେଠାରେ ସେମାନେ ଉଭୟ ଶବରେ କଟା ଦାଗ ଥିବା ଦେଖିଥିଲେ। ତେଣୁ ସେମାନଙ୍କୁ ହତ୍ୟା କରାଯାଇଥିବା, ସେମାନେ ସନ୍ଦେହ କରିଥିଲେ। ସେମାନେ ସେଠାରେ ରେଲୱେ ପୁଲିସକୁ ହତ୍ୟା ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ରେଲୱେ ପୁଲିସ ଶୁଣି ନଥିଲା। ଓଲଟି ମୃତ ଉମେଶ ଓ କୁନୁଙ୍କ ପରିବାର ଲୋକଙ୍କୁ ସେମାନେ ଧମକାଇଥିଲେ ବୋଲି ଅଭିଯୋଗ ହୋଇଛି। ଏତଲା ଦେଲେ ଶବ ନେଇ ଯାଇପାରିବ ନାହିଁ ବୋଲି ରେଲୱେ ପୁଲିସ କହିଥିଲା। ଓଡ଼ିଶା ସରକାର ତାମିଲନାଡୁ ସରକାରଙ୍କ ସହିତ ଯୋଗାଯୋଗ କରି ଉମେଶ ଓ କୁନୁଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସେମାନଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି।

ସେହିପରି ଆଉ ଜଣେ ହତଭାଗା ହେଉଛନ୍ତି ୨୧ ବର୍ଷୀୟ ଯୁବକ ଝସକେତନ ମାଝୀ। ତାଙ୍କ ଘର ବଲାଙ୍ଗିର ସହରର ୧୮ ନମ୍ବର ୱାର୍ଡର ବିଜାଖମନରେ। ମାସେ ତଳେ ସେ ଦାଦନ ଖଟିବାକୁ ତାମିଲନାଡୁର ଆଥିପେଟ ଅଞ୍ଚଳକୁ ଯାଇଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ସପ୍ତାହେ ତଳେ ଖବର ଦେଇଥିଲେ ତାଙ୍କୁ ସେଠାକୁ ନେଇଥିବା ସର୍ଦ୍ଦାର। ତାଙ୍କର ମୃତ୍ୟୁ କେମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ତାଙ୍କ ବିଧବା ମା’ ଇନ୍ଦୁମତି ମାଝୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ପୁଅର ଶବ ଫେରାଇ ଆଣିବାକୁ ସେ ଅସମର୍ଥ। ପ୍ରଶାସନ ପକ୍ଷରୁ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ।

Jhasaketanaଝସକେତନ

ସେ କହିଛନ୍ତି, ସେଠାରୁ ଶବ ଫେରାଇ ଆଣିବା ପାଇଁ ଲକ୍ଷେ ଟଙ୍କା ଦରକାର। ମୁଁ ଏତେ ଟଙ୍କା କେଉଁଠାରୁ ଆଣିବି। ସେଥିପାଇଁ କିଛି ଟଙ୍କା ଯୋଗାଡ଼ କରି ଦୁଇ ଜଣଙ୍କୁ ତାମିଲନାଡୁ ପଠାଇଛି। ସେଠାରେ ପୁଅର ଶବକୁ ପୋଡ଼ି ଦେବାକୁ ସେମାନଙ୍କୁ କହିଛି।

ଏହି ୪ ଦାଦନଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ଘଟିଛି। ସମସ୍ତଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ, ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ସେମାନଙ୍କ ମୃତ୍ୟୁ ପଛରେ ସଂପୃକ୍ତ ସର୍ଦ୍ଦାର ଅବା ସେମାନେ କାମ କରୁଥିବା ସଂସ୍ଥାର ମାଲିକମାନଙ୍କର ହାତ ନାହିଁ ତ? ଏହି ଦାଦନଙ୍କ ମୃତ୍ୟୁକୁ ନେଇ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଅନ୍ୟପକ୍ଷରେ ଅଦ୍ୟାବଧି ପ୍ରଶାସନ ବା ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି।   

ଏଠାରେ ଆଉ ଗୋଟିଏ କଥା ମଧ୍ୟ ଗୁରୁତ୍ୱ ବହନ କରୁଛି। କାମଧନ୍ଦା ନପାଇ ବଲାଙ୍ଗିର ଜିଲ୍ଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିଯିବା କିଛି ନୂଆ କଥା ନୁହେଁ। ସାଧାରଣତଃ ଜିଲ୍ଲାର ବିଭିନ୍ନ ଉପାନ୍ତ ଗାଁରୁ ଲୋକେ ଦାଦନ ଖଟିବାକୁ ଯାଆନ୍ତି। କିନ୍ତୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ଏହି ୪ ଜଣ ହେଉଛନ୍ତି ବଲାଙ୍ଗିର ସହରର ବା ଏହାର ଉପକଣ୍ଠ ଅଞ୍ଚଳର। ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ। ଆଗରୁ ବି ବଲାଙ୍ଗିର ସହର ବା ଏହା ଉପକଣ୍ଠ ଅଞ୍ଚଳରୁ ଲୋକେ ଦାଦନ ଖଟିବାକୁ ଯାଉଥିଲେ। ତେବେ ଏବେ ଏହି ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। 

ଏହି ସବୁ ଘଟଣାରୁ ପୁଣି ପ୍ରମାଣିତ ହୋଇଛି ଯେ ଦାଦନ ସର୍ଦ୍ଦାରମାନେ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ସେମାନେ ଖୋଲାଖୋଲି ଲୋକଙ୍କୁ ଦାଦନ ଖଟାଇବା ପାଇଁ ବାହାର ରାଜ୍ୟକୁ ନେଇଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବର୍ଷକୁ ପ୍ରାୟ ୨୫ରୁ ୩୦ ହଜାର ଲୋକ ପଞ୍ଜୀକରଣ କରି ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ୧ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଛି। ଏ ଦିଗରେ ସରକାର ତଥା ଜିଲ୍ଲା ପ୍ରଶାସନ ଠୋସ୍ ପଦକ୍ଷେପ ନେବା ଜରୁରୀ।

Dadana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe