Advertisment

ଅଯୋଧ୍ୟାରେ ଗୁଳି ଖାଇଥିଲେ, ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ ପାଇଲେ

ଯୁବ ସୁଲଭ ଅବସ୍ଥାରେ ଆନ୍ଦୋଳନରେ ଲମ୍ଫ ମାରିଥିଲେ ସାଧୁରାମ। ୧୯୯୦ ଅକ୍ଟୋବର ୨୦ ତାରିଖରେ ୪ ଜଣ ସାଥୀଙ୍କ ସହ ଟିଟିଲାଗଡ଼ ଷ୍ଟେସନ୍‌ରୁ ଟ୍ରେନ୍‌ ଚଢ଼ି ଛତିଶଗଡ଼ର ରାୟପୁରକୁ ଯାଇଥିଲେ। ସେଠାରୁ ଟ୍ରେନ୍‌ରେ ବନାରସ୍‌ ଯାଇଥିଲେ।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

ଶ୍ରୀରାମ ମନ୍ଦିର ମୁକ୍ତି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ଆଉ ଗୁଳି ଖାଇଥିଲେ। ଶବ ସହିତ ଶବ ହୋଇଥିଲେ ସାଧୁରାମ ପାଣିଗ୍ରାହୀ। ୩୪ ବର୍ଷ ପରେ ଭବ୍ୟ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି। ଏଥିରେ ଭାଗ ନେବା ପାଇଁ ନିମନ୍ତ୍ରଣ ପାଇଛନ୍ତି ସାଧୁରାମ ପାଣିଗ୍ରାହୀ। ସେଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ସାଧୁରାମ।

Advertisment

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ହଳଦୀ ଗାଁର ସାଧୁରାମ ପାଣିଗ୍ରାହୀ ମାଟ୍ରିକ୍‌ରେ ପଢ଼ୁଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ରେ ଯୋଗଦେଇଥିଲେ। ସଙ୍ଗଠନର ସବୁ କାର୍ଯ୍ୟରେ ସାମିଲ୍‌ ହେଉଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱହିନ୍ଦୁ ପରିଷଦ ସଂସ୍ପର୍ଶରେ ଆସିଥିଲେ। ତା’ପରେ ଅର୍ଥାତ ୧୯୯୦ ମସିହାରେ ବିଶ୍ୱ ହିନ୍ଦୁ ପରିଷଦ ଆହ୍ୱାନ କ୍ରମେ ଅଯୋଧ୍ୟ ରାମ ମନ୍ଦିର ମୁକ୍ତି ଆନ୍ଦୋଳରେ ସାମିଲ୍‌ ହୋଇଥିଲେ ସାଧୁରାମ। ସେତେବେଳେ ତାଙ୍କୁ ୨୨ ବର୍ଷ ହୋଇଥିଲା।

ଯୁବ ସୁଲଭ ଅବସ୍ଥାରେ ଆନ୍ଦୋଳନରେ ଲମ୍ଫ ମାରିଥିଲେ ସାଧୁରାମ। ୧୯୯୦ ଅକ୍ଟୋବର ୨୦ ତାରିଖରେ ୪ ଜଣ ସାଥୀଙ୍କ ସହ ଟିଟିଲାଗଡ଼ ଷ୍ଟେସନ୍‌ରୁ ଟ୍ରେନ୍‌ ଚଢ଼ି ଛତିଶଗଡ଼ର ରାୟପୁରକୁ ଯାଇଥିଲେ। ସେଠାରୁ ଟ୍ରେନ୍‌ରେ ବନାରସ୍‌ ଯାଇଥିଲେ। ସେତେବେଳେ ଅଯୋଧ୍ୟାକୁ ଚାଲୁଥିବା ବସ୍‌ ସେବା ବନ୍ଦ ହୋଇଯାଇଥିଲା। ତେଣୁ କିଛି ଉପାୟ ନପାଇ ସେଠାରେ ଦୁଇ ଦିନ ଘୂରି ବୁଲିଲେ। ତା’ପରେ ସେଠାରୁ ଅଯୋଧ୍ୟା ଅଭିମୁଖେ ଚାଲିବା ଆରମ୍ଭ କରିଥିଲେ। ହଜାର ହଜାର କର ସେବକଙ୍କ ଭିତରେ ନିଜରକୁ ସାମିଲ୍‌ କରି ପୁଲିସ୍‌କୁ ଚକ୍‌ମା ଦେଇ ରାମ ନାମ ଜପି ଜପି ଚାଲିବା ଆରମ୍ଭ କରିଥିଲେ।

Advertisment

୩୪୯ କିଲୋମିଟର ପଥ ଚାଲିଲା ପରେ ନଭେମ୍ବର ୨ ତାରିଖରେ ପ୍ରଭୁଙ୍କ ଜନ୍ମ ପୀଠ ଅଯୋଧ୍ୟାରେ ପହଞ୍ଚିଥିଲେ ସାଧୁରାମ। ସେତେବେଳକୁ ଅଯୋଧ୍ୟାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟ କର ସେବକଙ୍କ ସହ ମିଶି ଚାଲୁଥିବା ବେଳେ ଗୁଳି ବର୍ଷା ହୋଇଥିଲା। ରକ୍ତ ରଞ୍ଜିତ ହୋଇଥିଲା ରାସ୍ତାଘାଟ। ରାସ୍ତାରେ ପଡ଼ିଥିଲା ଶହଶହ ମୃତଦେହ। ନିଜ ଦେହରେ ଗୁଳି ବାଜିବାରୁ ସେଇଠି ପଡ଼ିଗଲେ ସାଧୁରାମ। ଦେହରେ ଦୁଇଟି ଗୁଳି ବାଜିଥିବାରୁ ଉଠି ପାଳିନଥିଲେ। ଦୁଇ ଦିନ ପରେ ସାଧୁବାବୁ ମେଡ଼ିକାଲ୍‌ରେ ନିଜକୁ ପାଇଥିଲେ। ଭଗବାନ ରାମଙ୍କ କୃପାରୁ ବଞ୍ଚି ଯାଇଥିଲେ ବୋଲି କହିଛନ୍ତି ସାଧୁରାମ। ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ନିଜ କର୍ମମୟ ଜଞ୍ଜାଳରେ ଲାଗି ପଡ଼ିଗଲେ।

ଅଯୋଧ୍ୟାରେ ଏବେ ନିର୍ମାଣ ହେଉଛି ଭବ୍ୟ ଶ୍ରୀରାମ ମନ୍ଦିର। ୨୦୨୪ ମସିହା ଜାନୁଆରୀ ୨୩ ତାରିଖରେ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ବହୁ ଆଡମ୍ୱର ସହକାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ। ଏଥିରେ କିନ୍ତୁ ଭାଗ ନେଇପାରୁନାହାନ୍ତି ସାଧୁରାମ ପାଣିଗ୍ରାହୀ। ହେଲେ ଫେବ୍ରୁଆରୀ ୧୩ ତାରିଖରେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ସାଧୁରାମ। ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ତେଣୁ ସେ ଫେବ୍ରୁଆରୀ ୧୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିବେ। ତା’ପର ଦିନ ଅର୍ଥାତ ୧୩ ତାରିଖରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Balangir Ram Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe