Advertisment

କେବେ ପର୍ଦ୍ଦା ହଟିବ? ଚୁପ୍‌ ବସିଛନ୍ତି ସମ୍ୱଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ!

ଆଜି ପର୍ଯ୍ୟନ୍ତ ଅଭିଯୋଗର ସତ ଜଣାପଡ଼ିଲାନି। ବିଶ୍ୱବିଦ୍ୟାଳୟ ଆଭ୍ୟାନ୍ତରୀଣ କମିଟିର ତଦନ୍ତ ସରୁନି। ଯାହାକୁ ନେଇ ନିଲମ୍ୱିତ ପ୍ରଫେସର ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅଦ୍ୟତନ ହୋଇଛି
Sambalpur University

Sambalpur University

Advertisment

ଶିକ୍ଷାର ମନ୍ଦିର ହେଉଛି ବିଶ୍ୱବିଦ୍ୟାଳୟ। ଆଉ ଅଧ୍ୟାପକ ଓ ଅଧ୍ୟାପିକାମାନେ ହେଉଛନ୍ତି ଚଳନ୍ତି ଭଗବାନ। ହେଲେ ସେହି ଚଳନ୍ତି ଭଗବାନ ଆଜି କାଠଗଢ଼ାରେ। କଳଙ୍କର ବୋଝ ମୁଣ୍ଡାଇ ଚାକିରିରୁ ନିଳମ୍ୱିତ ହୋଇଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ୩ ସହକାରୀ ପ୍ରଫେସର। ଦୁଇ ଜଣଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆସିଥିବା ବେଳେ ଜଣଙ୍କ ନାଁରେ ବିଶୃଙ୍ଖଳିତ ଆଚରଣ ଓ ଅନୁଶାସନ ଭଙ୍ଗ ଅଭିଯୋଗ ଆସିଥିଲା। ଇତି ମଧ୍ୟ ଅନେକ ଦିନ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୋଗର ସତ ଜଣାପଡ଼ିଲାନି। ବିଶ୍ୱବିଦ୍ୟାଳୟ ଆଭ୍ୟାନ୍ତରୀଣ କମିଟିର ତଦନ୍ତ ସରୁନି। ଯାହାକୁ ନେଇ ନିଲମ୍ୱିତ ପ୍ରଫେସର ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସହକାରୀ ପ୍ରଫେସର ଅଛନ୍ତି ଡକ୍ଟର ରଜତ କୁମାର କୁଜୁର। ଗତ ଅଗଷ୍ଟ ୨୭ ତାରିଖରେ ତାଙ୍କ ନାଁରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସେ ନିଜ ବିଭାଗରେ ଜଣେ ମହିଳା ସହକାରୀ ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପ୍ରଫେସର କୁଜୁରଙ୍କୁ ନିଲମ୍ୱିତ କରାଯାଇଥିଲା। ଏଥିସହ ମାମଲାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଥିଲା। ତା’ପର ଦିନ ଅର୍ଥାତ ଅଗଷ୍ଟ ୨୮ ତାରିଖରେ କମିଟିର ବୈଠକ ବସିଥିଲା। ଉଭୟଙ୍କୁ ବୈଠକକୁ ଡକା ଯାଇଥିଲା। କମିଟିର ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ୱର ୮ ତାରିଖରେ ଲିଖିତ ଭାବେ ନିଜସ୍ୱ ପକ୍ଷ ରଖିଥିଲେ ପ୍ରଫେସର କୁଜୁର। ଇତି ମଧ୍ୟରେ ଦେଢ ମାସ ବିତି ଗଲାଣି। କିନ୍ତୁ କୌଣସି ଚୂଡାନ୍ତ ନିଷ୍ପତ୍ତି ଆସିପାରିନି।

ସେହିପରି ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁକମୁନି ମେହେର। ସେପ୍ଟେମ୍ୱର ୮ ତାରିଖରେ ତାଙ୍କ ନାଁରେ ଜଣେ ନବାଗତା ପିଜି ଛାତ୍ରୀ ଆଣିଥିଲେ ସଙ୍ଗୀନ ଅଭିଯୋଗ। ସେ କୁଆଡ଼େ ସମ୍ପୃକ୍ତ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ନିଲମ୍ୱିତ କରାଯାଇଥିଲା।

Advertisment

ଡକ୍ଟର ଶାଶ୍ୱତ ପୂଜାରୀ ହେଉଛନ୍ତି ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର। ବିଶୃଙ୍ଖଳିତ ଆଚରଣ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କୁ ଅକ୍ଟୋବର ୯ ତାରିଖରେ ନିଲମ୍ବିତ କରାଯାଇଥିଲା।

ନିଲମ୍ବିତ ହୋଇଥିବା ଅଧ୍ୟାପକମାନେ ଦୀର୍ଘ ବର୍ଷ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଚାକିରି କରି ଆସୁଛନ୍ତି। ଭଲ ପ୍ରଫେସର ଭାବେ ସୁନାମ ଥିଲା। ଛାତ୍ରଛାତ୍ରୀଙ୍କର ଅତି ପ୍ରିୟ ଥିଲେ। ସେମାନଙ୍କ ବିରୋଧରେ କୌଣସି ନିର୍ଯାତନା ଅଭିଯୋଗ କେବେ ଆସିନଥିଲା। ଏବେ ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି। ନିଲମ୍ୱନ ଆଦେଶ ପରେ ୩ ପ୍ରଫେସର ବର୍ତ୍ତମାନ ଘରେ ବସିଛନ୍ତି। ପାଠ ନପଢାଇ ଘରେ ବସି ଅଧା ଦରମା ପାଉଛନ୍ତି। ସେପଟେ ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି। ମାମଲାର ଅନ୍ତ ଘଟୁନଥିବାରୁ ନିଲମ୍ୱିତ ପ୍ରଫେସରଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳ ସଚିବ ନୃପରାଜ ସାହୁ କହିଛନ୍ତି, ତିନିଟି ଯାକ ଘଟଣାରେ ନିୟମ ଉଲ୍ଲଂଘନ ହୋଇଛି। ଶିକ୍ଷାନୁଷ୍ଠାନ ଭିତରେ ଅଧ୍ୟାପକଙ୍କଠାରୁ ଯେଉଁ ଭଳିଆ ଶାଳୀନତା ଆଶା କରାଯାଏ, ଅନୁସନ୍ଧାନରୁ ଜଣାପଡ଼ିଛି, ସେମାନେ ସେହି ଶାଳୀନତାକୁ ଅତିକ୍ରମ କରିଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ବର୍ତ୍ତମାନ ୩ ଜଣଙ୍କ ମାମଲା ଅନୁସନ୍ଧାନ ପର୍ଯ୍ୟାୟରେ ରହିଛି। ଖୁବ୍‌ଶୀଘ୍ର ଇଣ୍ଟରନାଲ୍‌ କମିଟିର ରିପୋର୍ଟ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe