Advertisment

ଅଟୋ ଚଳାଇ ପେଟ ପୋଷୁଛନ୍ତି ସରପଞ୍ଚ, ଫନି ପରଠୁ ଘର ଭାଙ୍ଗି ପଡ଼ିଛି

ତାଙ୍କ ଘର ଉପରେ ଜରି ପଲିଥିନ ପଡିଛି। କାନ୍ଥରୁ ମାଟି ଖସି ଖାଲି ବାଉଁଶ ବାଡ଼ ଦିଶୁଛି l ଘରେ ଭିତରେ ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଦିଶୁଛନ୍ତି।

ଅଦ୍ୟତନ ହୋଇଛି
Sarapancha

Sarapancha

Advertisment

ସରପଞ୍ଚ। ହେଲେ ପେଟ ପୋଷିବାକୁ ଚଳାଉଛନ୍ତି ଅଟୋ। ସେପଟେ ଝାଟିମାଟି ଘର ଖଣ୍ଡକ ୨୦୧୯ ଫୋନି ବତ୍ୟା ଠାରୁ ଭାଙ୍ଗି ପଡ଼ିଛି। ତାହା ସଜାଡ଼ିବାକୁ ଆବଶ୍ୟକ ଅର୍ଥ ନଥିବାରୁ ଏହାରି ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ପୂରା ପରିବାର। ବିପଦସଙ୍କୁଳ ଘରେ ରହୁଥିଲେ ହେଁ ତାଙ୍କର ଆତ୍ମବିଶ୍ୱାସ ଧର୍ମ ବାଟରେ କାମ କରିବେ ଓ ଲୋକଙ୍କ ସମସ୍ୟା ସମାଧନ ନିମନ୍ତେ କାମ କରିବେ। ଅବାଟରେ କାମ କରି ନିଜ ଘରକୁ ପକ୍କା କରିଲେ ଲୋକଙ୍କ ସମସ୍ୟା ଦୂର କରିପାରିବେ ନାହିଁ। ପୁରୀ ଜ଼ିଲ୍ଲା ପିପିଲି ବ୍ଲକ ଚାନ୍ଦ୍ରଦେଇପୁର ପଂଚାୟତର ସରପଞ୍ଚ ସୁରେନ୍ଦ୍ର ବେହେରାଙ୍କ ଏଭଳି ସାଦାସିଧା ଜୀବନ ଶୈଳୀ ଓ ଦୁଃଖକଷ୍ଟ ପରିସ୍ଥିତି ସତ୍ତ୍ୱେ ଧର୍ମ ବାଟରେ ପରିବାର ପ୍ରତିପୋଷଣ କରିବା ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପ୍ରତିଦିନ ରାତି ପାହି ସକାଳ ହେବା ମାତ୍ରେ ସୁରେନ୍ଦ୍ର ପୂଜାପୂଜି ଓ ଘର କାମ ସାରି ଅଟୋ ଧରି ବାହାରି ଯାଆନ୍ତି ପଞ୍ଚାୟତ ଅଫିସ୍। ଅଫିସ୍‌ କାମ ସରିବା ପରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଅଟୋ ଧରି ସେମାନଙ୍କ ଘର ଦୁଆରେ ପହଞ୍ଚି ଯାଆନ୍ତି। ଏହା ପରେ ଯାହା ସମୟ ପାଆନ୍ତି ସେହି ସମୟରେ ଅଟୋ ଚଳାଇ ଯେତିକି ମିଳି ପରିବାର ଚଳାନ୍ତି। ସେଥିରେ ପୁଣି ଯିଏ ଯାହା ଦେଲା। ଅନେକ ଗରିବ ଲୋକଙ୍କୁ ସେ ବିନା ମୂଲ୍ୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦିଅନ୍ତି। ବର୍ଷା ହେଉ କି ଖରା ଅବା ଶୀତ। ଏସବୁ କିଛି ଖାତିର ନ କରି ସେ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି।

ତାଙ୍କ ଘର ଉପରେ ଜରି ପଲିଥିନ ପଡିଛି। କାନ୍ଥରୁ ମାଟି ଖସି ଖାଲି ବାଉଁଶ ବାଡ଼ ଦିଶୁଛି। ଘରେ ଭିତରେ ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଦିଶୁଛନ୍ତି। ଫନି ବାତ୍ୟାରେ ତାଙ୍କ ଝାଟିମାଟି ଘର ଭାଙ୍ଗି ଯିବା ପରେ ପ୍ରଥମ ଘର ଭଙ୍ଗା ସହାୟତା ପ୍ରଦାନ ତାଲିକାରେ ତାଙ୍କ ପରିବାର ଲୋକଙ୍କ ନାଁ ଯୋଗ୍ୟ ତାଲିକାରେ ଥିଲା। କିନ୍ତୁ ପରେ ତାଙ୍କ ପରିବାର ଲୋକଙ୍କ ନାଁ ଅଯୋଗ୍ୟ କରିଦେଲେ ସରକାର।

Advertisment
Sapanch’s Houseସରପଞ୍ଚଙ୍କ ଘର

ତେବେ ସରପଞ୍ଚ ହୋଇ ନିଜ ଘର ନ ସଜାଡ଼ି ପାରିବା ନେଇ ପରିବାର ଲୋକେ ମଧ୍ୟ ବ୍ୟସ୍ତବିବ୍ରତ ନୁହଁନ୍ତି। କାରଣ ସେମାନେ ବୁଝି ସାରିଛନ୍ତି ଯେ, ତାଙ୍କ ଘରର ଜଣେ ସଦସ୍ୟ ବିରୋଧୀ ଦଳରୁ ଟିକେଟ୍ ପାଇ ସରପଞ୍ଚ ହୋଇଛି। ତେଣୁ ପରିବାର ସଦସ୍ୟଙ୍କୁ ପ୍ରଶାସନିକ ଅବହେଳାର ଶିକାର ହେବାକୁ ପଡ଼ୁଛି।

ସୁରେନ୍ଦ୍ରଙ୍କ ବଡ଼ ଭାଇ ଦେବେନ୍ଦ୍ର ୩୦ ବର୍ଷ ଧରି କଂଗ୍ରେସ ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଥିଲେ। ଏବେ ତାଙ୍କ ସାନ ଭାଇ ସୁରେନ୍ଦ୍ର ବିଜେପି ସମର୍ଥିତ ସରପଞ୍ଚ। ଦେବେନ୍ଦ୍ର ଏବଂ ସୁରେନ୍ଦ୍ର ଶାସକ ଦଳର ଇଙ୍ଗିତରେ ବ୍ଳକରୁ ଯାଞ୍ଚ କରିବାକୁ ଆସିଥିବା ବାବୁମାନଙ୍କ ରୋଷର ଶିକାର ହୋଇ ଏପରି ଅବସ୍ଥାରେ ଅଛନ୍ତି।

Sapanch’s Houseସରପଞ୍ଚଙ୍କ ଘର

ସରପଞ୍ଚଙ୍କ ଭାଇ ଦେବେନ୍ଦ୍ର ବେହେରା ଓ ଭାଉଜ ତିଳୋତ୍ତମା ବେହେରା ଲୁହ ଭରା ଆଖିରେ କହିଛନ୍ତି, ଫନି ପରଠାରୁ ଅତି ଦୁର୍ଦ୍ଦଶା ଭିତରେ ଘରେ ରହିବାକୁ ପଡ଼ୁଛି। କାଳବୈଶାଖି ଆସିଲେ ପଲିଥିନ୍ ଉଡ଼ାଇ ନେଉଛି। ଘରେ ଆଣ୍ଠୁଏ ପାଣି ପଶି ଯାଉଛି। ଯେଉଁ ସରକାରୀ ବାବୁମାନେ ଆସିଥିଲେ ଯାଞ୍ଚରେ ତାଙ୍କ ପରିବାର ନାଁକୁ ତାଲିକାରୁ କାଟି ଦେଲେ। ପରିବାରର ଜଣେ ସଦସ୍ୟ ସରପଞ୍ଚ। ତେଣୁ ସେ ଆଉ କାହାକୁ ବା ଗୁହାରୀ କହିବେ। ରାଜନୀତିର ପଶାପାଲୀରେ ତାଙ୍କୁ ଅବହେଳା କରାଯାଉଛି ସେ ଏହା ବୁଝି ସାରିଛନ୍ତି।

ସୁରେନ୍ଦ୍ର କହିଛନ୍ତି, ସରକାରଙ୍କ ପକ୍ଷରୁ ଦରମା ଭାବେ ୨୩୦୦ ଟଙ୍କା ଦରମା ମିଳୁଛି। ଏଥିରେ କେହିକେବେ ବି ପରିବାର ଚଳାଇ ପାରିବ ନାହିଁ। ତେଣୁ ପୁରୁଣା ବୃତ୍ତି ଭାବେ ଅଟୋ ଚଳାଇ ପରିବାର ପୋଷିବାକୁ ପଡ଼ୁଛି। ଏଥିରେ ଆତ୍ମସମ୍ମାନ ଗ୍ଲାନି ହେବାର କୌଣସି କଥା ନାହିଁ। କାରଣ ଚୋରି କରି ସେ ରୋଜଗାର କରୁନାହାନ୍ତି, ବରଂ ପରିଶ୍ରମ କରି ରୋଜଗାର କରୁଛନ୍ତି। ଲୋକଙ୍କ ସମସ୍ୟା ବୁଝିବାକୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି, ପ୍ରଥମେ ଏହି କାମ କରିବାକୁ ପଡ଼ିବ। ପରିବାର ନିମନ୍ତେ ବେଶୀ ସମୟ ଦେଲେ ଲୋକଙ୍କ କାମ ହୋଇପାରିବ ନାହିଁ।

ରିପୋର୍ଟ- ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକ

Odisha Politics Popular Sarapanch Sarapanch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe