Advertisment

ବାପା କରିଥିଲେ ଋଣ, ୨ ଅନାଥ ନାବାଳକ ପୁଅଙ୍କ ପାଖକୁ ଆସିଲା ନୋଟିସ୍‌

ବିଧୁଭୂଷଣ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଲେ ୧୨ ବର୍ଷର ପୁଅ ପ୍ରତିପ୍ରିୟଦର୍ଶିନୀ ପୁଟା ଓ ୮ ବର୍ଷର ପୁଅ ପ୍ରଜିତ ପ୍ରିୟଦର୍ଶିନୀ। ପରିବାରରେ ଆଉ କେହି ନଥିବାରୁ ସେତେବେଳେ ସୋନ୍‌ପୁର ଏସ୍‌ପି ଦୁଇ ଛୁଆଙ୍କୁ ତାଙ୍କ ଅଜା ସାରଥୀ ଧୂରୁଆଙ୍କ ହେପାଜତରେ ଛାଡ଼ିଥିଲେ।

Kuchinda

Kuchinda

Advertisment

ବାପା କରିଥିଲେ ଋଣ। ଏବେ ଦୁଇ ଅନାଥ ନାବାଳକ ପୁଅଙ୍କ ପାଖକୁ ଆସିଛି କୋର୍ଟ ନୋଟିସ୍‌। ଋଣ ଟଙ୍କା ସୁଝିବାକୁ କୁହାଯାଇଛି। ଏସ୍‌ବିଆଇ ପଠାଇଛି ଏହି ନୋଟିସ୍‌। ଅଜାଙ୍କ ଛାଇ ତଳେ ନୂଆକରି ଦୁନିଆ ଦେଖୁଥିବା ବେଳେ କୋର୍ଟଙ୍କର ଏହି ଦୁଇ କୁନି ଭାଇଙ୍କ ନିଦ ହଜାଇ ଦେଇଛି। ବରଗଡ଼ ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ବରଗଡ଼ ଜିଲ୍ଲା ଗଣ୍ଡପାଲି ଗାଁର ବିଧୁଭୂଷଣ ପୁଟା ପେସାରେ ଜଣେ ପୁଲିସ୍‌ ଇନ୍ସପେକ୍ଟର। ଚାକିରି ଜୀବନ କାଳ ଭିତରେ ଅନେକ ଥାନାରେ ନିୟୋଜିତ ହୋଇଥିଲେ। ହେଲେ ମହାମାରୀ କୋଭିଡ୍‌ ସମୟରେ ସେ ସୋନ୍‌ପୁର ଅଫିସ୍‌ରେ ଚାକିରି କରୁଥିଲେ। ଡ୍ୟୁଟିରେ ଥିବା ବେଳେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଧୁଭୂଷଣଙ୍କ ମୃତ୍ୟୁ ପରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଅଫେରା ପଥରେ ଚାଲି ଯାଇଥିଲେ ପତ୍ନୀ।

ବିଧୁଭୂଷଣ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଲେ ୧୨ ବର୍ଷର ପୁଅ ପ୍ରତିପ୍ରିୟଦର୍ଶିନୀ ପୁଟା ଓ ୮ ବର୍ଷର ପୁଅ ପ୍ରଜିତ ପ୍ରିୟଦର୍ଶିନୀ। ପରିବାରରେ ଆଉ କେହି ନଥିବାରୁ ସେତେବେଳେ ସୋନ୍‌ପୁର ଏସ୍‌ପି ଦୁଇ ଛୁଆଙ୍କୁ ତାଙ୍କ ଅଜା ସାରଥୀ ଧୂରୁଆଙ୍କ ହେପାଜତରେ ଛାଡ଼ିଥିଲେ। ଦୁଇ ପିଲା ଅଜାଙ୍କ ସହିତ ମାମୁ ଘର କୁଚିଣ୍ଡା ଥାନା କେନାଢିପା ଗାଁକୁ ପଳାଇ ଯାଇଥିଲେ। ଅଜାଙ୍କ ଛାଇ ତଳେ ରହି ପାଠ ପଢ଼ୁଥିଲେ।

Advertisment

ବାପା ଓ ମାଆଙ୍କ ବିୟୋଗ ଦୁଃଖରୁ ବାହାରି ନୂଆ କରି ଦୁନିଆ ଦେଖିବାକୁ ଉଦ୍ୟମ କରୁଥିଲେ। ଠିକ୍‌ ସେହି ସମୟରେ ଅଜାଙ୍କ ଘରକୁ ଦୁଇ ନାତିଙ୍କ ନାଁରେ ଆସିଲା କୋର୍ଟ ନୋଟିସ୍‌। ଏ ନୋଟିସ୍‌ ପଠାଇଥିଲା ଏସ୍‌ବିଆଇ ବରଗଡ଼ ଶାଖା। ୨୦୨୪ ଜାନୁଆରୀ ୩୦ ତାରିଖରେ ହାଜର ହେବା ପାଇଁ କୁହାଯାଇଥିଲା। ଜ୍ୱାଇଁ ବିଧୁଭୂଷଣ ଋଣ ଟଙ୍କା ସୁଝି ନଥିବାରୁ ଏହି ନୋଟିସ୍‌ ପଠାଇଛି ଏସ୍‌ବିଆଇ। ତେଣୁ ଚିନ୍ତାରେ ପଡ଼ି ଯାଇଛନ୍ତି ସାରଥୀ।

ବହୁ ବୁଝାବୁଝି କରି ଦୁଇ ନାତିଙ୍କୁ ଧରି ଗତ ୩୦ ତାରିଖରେ ବରଗଡ଼ କୋର୍ଟରେ ହଜାର ହୋଇଥିଲେ ଅଜା ସାରଥୀ ଧୂରୁଆ। ହେଲେ ଜ୍ୱାଇଁ କରିଥିବା ଋଣ କେମିତି ସୁଝିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି? ଦୁଇ ଅନାଥ ପିଲାଙ୍କର କେହି ନାହାନ୍ତି। ବାପା, ମାଆ, ଜେଜେବାପା ଓ ଜେଜେମାଆଙ୍କର କେବେଠାରୁ ମୃତ୍ୟୁ ହୋଇଛି। ଏକଥା ସବୁ ଜାଣି ଏସ୍‌ବିଆଇ ନୋଟିସ୍‌ କରୁଛି ବୋଲି ସାରଥୀ କ୍ଷୋଭର ସହ କହିଛନ୍ତି। ଏଥିରେ କୋହଳ କରିବା ପାଇଁ ସେ ମାନବାଧିକାର କମିଶନ, ରାଷ୍ଟ୍ରପତି, ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି।

ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Covid19 Sambalpur Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe