ଇଏ ଆମ ସ୍କୁଲ! ଯେଉଁଠି ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ମଧ୍ୟାହ୍ନ ଭୋଜନ କଥା ନକହିବା ଭଲ। ଯେଉଁଠି ପିଲାଙ୍କ ପାଠ ପଢ଼ାଇବା ପାଇଁ ଛାତ ଖଣ୍ଡିଏ ନାହିଁ, ସେପରିସ୍ଥିତିରେ ମଧ୍ୟାହ୍ନ ଭୋଜନ କେଉଁଠି ପ୍ରସ୍ତୁତ ହେବ? ପିଲାମାନେ ଖାଇବେ କେଉଁଠି? ତଥାପି ସ୍କୁଲର ପାଚିକା ନିଜ ଘରେ ରୋଷେଇ କରି ଆଣି ପିଲାଙ୍କୁ ଖାଇବାକୁ ଦେଉଥିବା ଅଭିଯୋଗ ହୋଇଛି।

ଏହି ଗୁହାଳରେ ଚାଲିଛି ପାଠ ପଢ଼ା

  • Published: Sunday, 04 August 2024
  • , Updated: 04 August 2024, 06:16 PM IST

ଗୁହାଳରେ ଚାଲିଛି ସ୍କୁଲ୍‌! ଯେଉଁଠି ରାତିରେ ଶୋଉଛି ଗାଈ। ଆଉ ସକାଳେ ଗାଈ ବିଲକୁ ଚରିବାକୁ ଗଲା ପରେ ଚାଲୁଛି ସ୍କୁଲ। ଦୁର୍ଗନ୍ଧରେ ପରିବେଶ ଫାଟୁ ପଡ଼ୁଥିଲେ ସୁଦ୍ଧା, ସେଠାରେ ଛୋଟଛୋଟ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ୁଛନ୍ତି ସାର୍‌। ଏମିତି ଅଦ୍ଭୁତ ସ୍କୁଲ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ବ୍ଲକରେ। ଏନେଇ ଶିକ୍ଷା ଅଧିକାରୀଙ୍କୁ ପଚାରିଲେ କହୁଛନ୍ତି, ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟେଣ୍ଡର ସରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଟେଣ୍ଡର ପାଇଁ କ’ଣ ଲାଗିଲା ୩ ବର୍ଷ? ତାହାହେଲେ ପିଲାମାନେ ପଢ଼ିବେ କେଉଁଠି?

ଏମ୍‌. ରାମପୁର ବ୍ଲକ ଡୁଡ଼ୁକାରଞ୍ଜା ପଞ୍ଚାୟତର ଡୁମେରି ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଶିକ୍ଷାର ଆଲୁଅ ଜଳାଇବା ପାଇଁ ଆଜକୁ ୩୦ ବର୍ଷ ତଳେ ରାଜ୍ୟ ସରକାର ସ୍କୁଲଟିଏ ପ୍ରତିଷ୍ଠା କରିଥିଲେ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିଲା। ସେତେବେଳେ ସ୍କୁଲ ଘର ନିର୍ମାଣ ହୋଇଥିଲା। ଆଉ ପିଲାମାନେ ପାଠ ପଢ଼ିବାକୁ ଆସୁଥିଲେ। ଠିକ୍‌ଠାକ୍‌ ଭାବେ ସ୍କୁଲ ଚାଲିଥିଲା।

ରକ୍ଷଣା ବେକ୍ଷଣା ଅଭାବରୁ ୨୦୨୨ ମସିହାରେ ସ୍କୁଲ ଘର ଭାଙ୍ଗିଗଲା। ଶ୍ରେଣୀଗୃହ ଭାଙ୍ଗି ଯିବାରୁ ପାଠ ପଢ଼ାଇବାରେ ବହୁ ଅସୁବିଧା ହେଲା। ସ୍କୁଲର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ଏନେଇ ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ହେଲେ ସ୍କୁଲ ଘର ନିର୍ମାଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ଠିକ୍‌ ଭାବେ ପାଠ ପଢ଼ା ହେଲାନାହିଁ। ତେଣୁ ସ୍କୁଲରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀମାନେ ବାଧ୍ୟହୋଇ ଅନ୍ୟ ସ୍କୁଲକୁ ପଳାଇଗଲେ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଏହି ସ୍କୁଲରେ ୧୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଦୁଇ ଜଣ ଶିକ୍ଷକ ଥିବା ବେଳେ ଜଣେ ମାତ୍ର ଶିକ୍ଷକ ପାଠ ପଢ଼ାଇବା ପାଇଁ ଗାଁକୁ ଆସୁଛନ୍ତି। ସ୍କୁଲର ଶ୍ରେଣୀଗୃହ ନଥିବାରୁ ଯେଉଁଠି ପାରିଲେ, ସେଠି ବସି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। କେତେବେଳେ ଗଛ ମୂଳରେ ଆଉ କେତେବେଳେ ଗାଁ ଦାଣ୍ଡରେ ପଢ଼ାଉଥିଲେ। ବର୍ଷା ହେଲେ କଥା ସରିଲା। କରିବେ କଣ? ତେଣୁ ଗାଈ ଚରିବାକୁ ଯାଇଥିବାରୁ ଗୁହାଳ ଖାଲି ପଡ଼ିଥିଲା। ସେହି ଗୁହାଳକୁ ସ୍କୁଲ୍‌ କରିଦେଲେ ସାର୍‌। ଗାଈ ବିଲକୁ ଚରିବାକୁ ଗଲା ପରେ ସେଠାରେ ପାଲ ପକାଇ ପିଲାମାନଙ୍କୁ ପାଠ ପଢାଉଛନ୍ତି ସାର୍‌। ଆଉ ପିଲାଙ୍କ ପାଖରେ କୁକୁର ଶୋଇଛି। ଗୁହାଳ ଭିତରେ କୁକୁଡାମାନେ ବୁଲୁଥିବା ଦେଖିବାକୁ ମିଳିଛି। ଦୁର୍ଗନ୍ଧମୟ ପରିବେଶ ଭିତରେ ଛୋଟଛୋଟ ପିଲାମାନେ ପାଠ ପଢ଼ୁଛନ୍ତି। ଆଉ ସାର୍‌ ପାଠ ପଢ଼ାଉଛନ୍ତି। ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା!!!

ସ୍କୁଲ ପାଠ ପଢ଼ା ଅବସ୍ଥା ଏମିତି ଦେଖିଲେ। ତାହାହେଲେ ମଧ୍ୟାହ୍ନ ଭୋଜନ କଥା ନକହିବା ଭଲ। ଯେଉଁଠି ପିଲାଙ୍କ ପାଠ ପଢ଼ାଇବା ପାଇଁ ଛାତ ଖଣ୍ଡିଏ ନାହିଁ, ସେପରିସ୍ଥିତିରେ ମଧ୍ୟାହ୍ନ ଭୋଜନ କେଉଁଠି ପ୍ରସ୍ତୁତ ହେବ? ପିଲାମାନେ ଖାଇବେ କେଉଁଠି? ତଥାପି ସ୍କୁଲର ପାଚିକା ନିଜ ଘରେ ରୋଷେଇ କରି ଆଣି ପିଲାଙ୍କୁ ଖାଇବାକୁ ଦେଉଥିବା ଅଭିଯୋଗ ହୋଇଛି। ହେଲେ ଏଥିପାଇଁ ତାଙ୍କୁ ଅର୍ଥ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ସ୍କୁଲ ପରିଚାଳନା କମିଟି ସଭାପତି ଉଦେ ପାତ୍ର କହିଛନ୍ତି, ସ୍କୁଲ ଘର ଭାଙ୍ଗିଗଲା। ୩ ବର୍ଷ ହେଲାଣି ସ୍କୁଲର ଘର ନିର୍ମାଣ ହୋଇପାରୁନି। ତେଣୁ ସାର୍‌ ଏଠି ସେଠି ପିଲାମାନଙ୍କୁ ପଢ଼ାଉଛନ୍ତି। ବର୍ଷା ହେଉଥିବାରୁ ଗାଈ ଗୁହାଳରେ ପିଲାମାନେ ପଢ଼ୁଛନ୍ତି। ଶ୍ରେଣୀଗୃହ ନଥିବାରୁ ଠିକ୍‌ ସମୟରେ ସାର୍‌ ଆସୁନାହାନ୍ତି। ତେଣୁ କେଉଁ ପିଲା ଏଠାକୁ ପାଠ ପଢ଼ିବାକୁ ଆସିବେ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ସେପଟେ ଏମ ରାମପୁର ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଜୟସେନ ନିଆଲ କହିଛନ୍ତି, ସ୍କୁଲର ନୂତନ ଶ୍ରେଣୀଗୃହ ପାଇଁ ଟେଣ୍ଡର ହୋଇଛି। କମ ସମୟ ଭିତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ସ୍କୁଲ ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିବାକୁ ୩ ବର୍ଷ ବିତିଲାଣି। ତାହାହେଲେ ସେହି ସ୍କୁଲର ପିଲାମାନେ କେମିତି ଓ କେଉଁଠି ପାଠ ପଢ଼ୁଛନ୍ତି, ସେ ସମ୍ପର୍କରେ ବ୍ଲକ ପ୍ରଶାସନ ବୁଝିଥିଲା କି? ଯଦି ବୁଝିଥିଲା, ତାହାଲେ ଗୁହାଳ ଘରେ ଚାଲିଥିବା ପାଠ ପଢ଼ା ସମ୍ପର୍କରେ ସୂଚନା ପାଇଛନ୍ତି କି? ବାବୁ କହୁଛନ୍ତି ଘର ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ତେବେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟେଣ୍ଡର କରିବାକୁ କଣ ୩ ବର୍ଷ ଲାଗୁଛି? ତାହାହେଲେ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ? ଆଉ କେତେ ଦିନ ବର୍ଷା କାକରରେ ପାଠ ପଢ଼ିବେ ଗାଁର ପିଲାମାନେ? ଏବିଡିଓଙ୍କ ଉତ୍ତର ପରେ ଏବେ ଏପରି ନାନା ପ୍ରଶ୍ନ ଉଙ୍କି ମାରୁଛି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହ ଦେଓ

Related story