Advertisment

ବିପଦରେ କୁନି ପାଦ, ଭବିଷ୍ୟ ଗଢ଼ିବାକୁ ପହଁରି ପାରି ହେଉଛି ଭରା ନଦୀ

୨୦୧୩ରେ ଏହି ସ୍ଥାନରେ ଏକ ବ୍ରିଜ୍ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ବି ଦେଇଥିଲେ। କିନ୍ତୁ ୧୦ ବର୍ଷ ବିତିଗଲା, ମାତ୍ର ଦୁଇଟି ପିଲାରରେ ଅଟକି ରହିଛି ରାଜ୍ୟ ସରକାରଙ୍କ ବିକାଶର ପୋଲ।

ଅଦ୍ୟତନ ହୋଇଛି
School student

School student

Advertisment

ଭଙ୍ଗାଦଦରା କାଠ ପୋଲ ସାଜିଛି ଦେଶର ଭବିଷ୍ୟତମାନଙ୍କ ବିଶ୍ୱାସ ଆଉ ଭରସାର ପୋଲ। ରାତି ପାହିଲେ ଏହି ପୋଲ ଉପର ଦେଇ କୁନି କୁନି ଛାତ୍ରଛାତ୍ରୀମାନେ ସ୍କୁଲ ଯାଉଛନ୍ତି। ସ୍କୁଲ ଛୁଟି ହେବା ପରେ ପୁଣି ଏହି ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଘରକୁ ଫେରିବାକୁ ପଡ଼ୁଛି। ଏହି ଦୁର୍ଭାଗ୍ୟଜନକ ଚିତ୍ର ହେଉଛି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ତିନି କୁଦି ବଳିକେରା କାଠ ସେତୁର।

Advertisment

ଗତ ୨୦ ବର୍ଷ ହେଲା ଭାର୍ଗବୀ ନଦୀ ଉପରେ ଏମିତି ପିଠି ଦେଖାଇ ବାଲିଚରା ରାହାଡ଼ମଲ୍ଲ, କଡ଼ାଜିତି, କପିଳେଶ୍ୱର ଆଦି ପଞ୍ଚାୟତବାସୀଙ୍କ ପାଇଁ ଗମନାଗମନର ସାହାରା ସାଜିଛି ଏହି କାଠ ପୋଲ। କାରଣ ଏହି କାଠ ପୋଲ ଦେଇ ଗଲେ ଅଳ୍ପ ସମୟ ମଧ୍ୟରେ ପୁରୀ-ସାତପଡ଼ା ରାସ୍ତାରେ ପହଞ୍ଚି ହୁଏ।

୨୦୧୩ରେ ଏହି ସ୍ଥାନରେ ଏକ ବ୍ରିଜ୍ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ବି ଦେଇଥିଲେ। କିନ୍ତୁ ୧୦ ବର୍ଷ ବିତିଗଲା, ମାତ୍ର ଦୁଇଟି ପିଲାରରେ ଅଟକି ରହିଛି ରାଜ୍ୟ ସରକାରଙ୍କ ବିକାଶର ପୋଲ। ଫଳରେ ଏହି ଭଙ୍ଗାଦଦରା କାଠ ପୋଲରେ ଲୋକେ ବିପଦପୂର୍ଣ୍ଣ ଯାତ୍ରା କରୁଥିବାବେଳେ ଗତକାଲି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଥିବା ପିଲାମାନେ କହିଛନ୍ତି।

Advertisment
School student ବିପଦସଙ୍କୁଳ ବ୍ରିଜ୍‌ ଦେଇ ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ

ସ୍ଥାନୀୟ ବାସିନ୍ଦା ଚିନ୍ତାମଣି ବରାଳ କହିଛନ୍ତି, ନବୀନ ଶୁଭ ପକାଇ ଦେଇ ଯାଇଛନ୍ତି ଯେ ବ୍ରିଜ୍ କେତେ ହେଲାନହେଲା ଦେଖିବାକୁ ଆସୁନାହାନ୍ତି। ୫ ଖଣ୍ଡ ପଞ୍ଚାୟତର ଲୋକ ଏଥିନିମନ୍ତେ ହଇରାଣ ହେଉଛନ୍ତି।

Bridgeଫଳକ ମାରିଦେଇ ଚୁପ୍‌ ବସିଛନ୍ତି ନେତା

ବ୍ରହ୍ମଗିରି ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି, ଅସୁବିଧା ନେଇ ଖବର ମିଳିଛି। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ।

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ ବାଦପୁର ଅଞ୍ଚଳରୁ ଆସିଛି ଆଉ ଏକ ଭୟଙ୍କର ଚିତ୍ର। ଏଠି ତ ଭରା ନଈ ଉପରେ ଜୀବନ ଭାସୁଛି। ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି ଶିକ୍ଷକ ଏବଂ ଛାତ୍ରଛାତ୍ରୀ। ପ୍ରଥମେ ଶିକ୍ଷକଙ୍କ ବାଇକକୁ ବୋହି ନେଉଛନ୍ତି ଲୋକେ। ଆଉ ପରେ ଭରାନଈ ଭିତରେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ପାରି ଯାଇଥିଲେ ଶିକ୍ଷକ। ହେଲେ ପିଲାଙ୍କ କିନ୍ତୁ ଉବୁଟୁବୁ ଅବସ୍ଥା। କିଏ ଜାମାପଟାକୁ ହାତରେ ଧରି ତ ଆଉ କିଏ ଜାମାପଟା ସହ ପାରି ହୋଇ ଓଦା ସର ସର ଅବସ୍ଥାରେ ସ୍କୁଲ ଯାଆନ୍ତି ଓ ସମାନ ଅବସ୍ଥା ଘରକୁ ଫେରନ୍ତି।

School studentବିପଦସଙ୍କୁଳ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

ପୁରୁଣାପାଣି ବାସିନ୍ଦା ରବୀନ୍ଦ୍ର ମଲ୍ଲିକ କହିଛନ୍ତି, ତୁରନ୍ତ ଏଠାରେ ବ୍ରିଜ୍‌ ନକଲେ ଅଞ୍ଚଳବାସୀ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ। ଆବଶ୍ୟକ ପଡ଼ିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ ବାଦପୁର ଅଞ୍ଚଳର ଘୋଡ଼ାହାଡ଼ ନଦୀରେ ବର୍ଷାଦିନେ ପାଣି ବଢ଼ିଲେ ଦେଖିବାକୁ ମିଳେ ଏଭଳି ଦୃଶ୍ୟ। କେବଳ ଏହି ବର୍ଷ ନୁହଁ, ପୂର୍ବବର୍ଷ ଗୁଡ଼ିକରେ ବି ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି ବାଦପୁର, କୋଦାଳବାଡ ସମେତ ଗଞ୍ଜାମ ଜିଲ୍ଲାର କିଛି ଗାଁ ଲୋକଙ୍କୁ।

ନଦୀ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ବାରମ୍ବାର ଦାବି କରିଛନ୍ତି। କିନ୍ତୁ ଶୁଣୁଛି କିଏ ? ବରଂ ହାତ ଟେକିଦେଇଛନ୍ତି ଆର.ଉଦୟଗିରି ବିଡ଼ିଓ ଲରିମନ୍ ଖର୍ସେଲ। ସେ କହିଛନ୍ତି ଏବାବଦରେ ଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ସମସ୍ତ କର୍ତ୍ତୃପକ୍ଷ ଜାଣିଛନ୍ତି। ଆରଡି ମଧ୍ୟ ଜାଣିଛି। ହେଲେ ପୋଲ ନିର୍ମାଣ କରିବାକୁ କେହି ଦୃଷ୍ଟି ଦେଉନାହାନ୍ତି।

ଦୁଇ ଦୁଇଟି ଦୁର୍ଭାଗ୍ୟଜନକ ଚିତ୍ର ଦେଖିଲା ପରେ ପ୍ରଶ୍ନ ଉଠୁଛି, କୁଆଡ଼େ ଯାଉଛି ସରକାରୀ ଯୋଜନା ଏବଂ କୁଆଡ଼େ ଯାଉଛି ବିକାଶର ଗତି।

Puri Students Life In Danger Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe