Advertisment

ସତରେ ଇଏ କ’ଣ ଘର? ନା କୁକୁଡା ଭାଡ଼ି!

ଘର ଛାଡ଼ନ୍ତୁ, ପଲିଥିନ୍‌ ଖଣ୍ଡିଏ ପାଇଲେ ନାହିଁ। ତେଣୁ ଖୋଲା ଆକାଶ ତଳେ ଜୀବନ ଅତିବାହିତ କଲେ ୬ ପ୍ରାଣୀ କୁଟୁମ୍ୱ। ପରେ ଧାରଉଧାର କରି ୪ରୁ ୬ଟି ଖୁଣ୍ଟରେ ଛପରଟିଏ କରିଥିଲେ। ଛାତ ଉପରେ ଭଙ୍ଗା ଆଜବେଷ୍ଟସ୍‌, ଟିଣ ଓ ପଲିଥିନ୍‌ ପକାଇଥିଲେ।

author-image
Manoranjan Sial
Jajpur

Jajpur

ସତରେ ଇଏ କ’ଣ ଘର? ନା କୁକୁଡା ଭାଡ଼ି! ଏପରି କହିବାର କାରଣ ହେଉଛି ଯେଉଁଠି ଚନ୍ଦ୍ରପୃଷ୍ଟରେ ବସତି ସ୍ଥାପନ ପାଇଁ ଯୋଜନା କରାଯାଉଛି, ସେଠି ଧରାପୃଷ୍ଟରେ ଭଲରେ ଜିଇଁ ପାରୁନି ମଣିଷ। ମୁଣ୍ଡ ଉପରେ ଛାତ ଖଣ୍ଡିଏ କରିପାରୁ ନାହିଁ। ଯେଉଁଥିପାଇଁ ଭଙ୍ଗା ଦଦରା ଘରେ ପଶୁ ପକ୍ଷୀଙ୍କ ପରି ବିକଳ ଜୀବନ ଜୀଇଁବାକୁ ପଡ଼ୁଛି। ତେବେ ଏଠି ପ୍ରଶ୍ନ ଉଠୁଛି, କାହା ପାଇଁ ସରକାରଙ୍କ ମାଳ ମାଳ ଯୋଜନା?

Advertisment

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍‌ ଧୂଳିଗଡ଼ ପଞ୍ଚାୟତ ଧୂଳିଗଡ଼ ଗାଁରେ ବାସ କରନ୍ତି ଶିବୁ ଚରଣ ଦାସ। ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଭରଷ ପୋଷଣ କରନ୍ତି। ପରିବାର କହିଲେ ଶିବୁଙ୍କ ବିଧାବା ମାଆ, ସ୍ତ୍ରୀ ଓ ୩ ପୁଅଝିଅ। ପ୍ରତିଦିନ ଯାହା ରୋଜଗାର କରନ୍ତି, ସେଥିରେ ଚାଲେ ତେଲ ଲୁଣ ସଂସାର। ଅଭାବ ଅନଟନ ଭିତରେ ଜୀବନ ଜିଉଁଥିବା ବେଳେ ଗତବର୍ଷର ଲଗାଣ ବର୍ଷାରେ ଶିବୁଙ୍କ ଝାଟିମାଟିର ଘରଟି ଭାଙ୍ଗି ଯାଇଥିଲା। ଘର ଭାଙ୍ଗି ଯିବା ପରେ ପୂରା ବେସାହାରା ହୋଇଥିଲେ ଶିବୁ। ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରଶାସନକୁ ନେହୁରା ହୋଇଥିଲେ।

ଘର ଛାଡ଼ନ୍ତୁ, ପଲିଥିନ୍‌ ଖଣ୍ଡିଏ ପାଇଲେ ନାହିଁ। ତେଣୁ ଖୋଲା ଆକାଶ ତଳେ ଜୀବନ ଅତିବାହିତ କଲେ ୬ ପ୍ରାଣୀ କୁଟୁମ୍ୱ। ପରେ ଧାରଉଧାର କରି ୪ରୁ ୬ଟି ଖୁଣ୍ଟରେ ଛପରଟିଏ କରିଥିଲେ। ଛାତ ଉପରେ ଭଙ୍ଗା ଆଜବେଷ୍ଟସ୍‌, ଟିଣ ଓ ପଲିଥିନ୍‌ ପକାଇଥିଲେ। ଚାରି ପାର୍ଶ୍ୱରେ ଲୁଗା ଘେରାଇ ଦେଇଥିଲେ। ଯେଉଁ ଘରେ ଶଳଖି ଛିଡ଼ା ହେବା କଷ୍ଟକର। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖା ଯାଉଛନ୍ତି। ଦୂରରୁ ଦେଖିଲେ ଘରଟି କୁକୁଡ଼ା ଭାଡ଼ି ପରି ଲାଗୁଛି। ତାହାରି ଭିତରେ ରହୁଛନ୍ତି ଶିବୁଙ୍କ ପରିବାର।

Advertisment

ଏତିକିରେ ସରିନି ଶିବୁଙ୍କ ଦୁଃଖ। ଶିବୁଙ୍କ କୁନିପୁଅଟି ବ୍ରେନ୍‌ ଟିବିରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ ବିଛଣାରେ। ଉଠି ପାରୁନାହାନ୍ତି। ରାଜମିସ୍ତ୍ରୀ କାମରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପୁଅର ଚିକିତ୍ସା କରୁଛନ୍ତି। ଏପରି ସ୍ଥିତିରେ ଘର କେମିତି କରିବେ? ଏନେଇ ଶିବୁ କହିଛନ୍ତି, ଅର୍ଥ ଅଭାବରୁ ଘର ମରାମତି କରିପାରିନି। ଯେଉଁଥିପାଇଁ ପଲିଥିନ୍‌ ତଳେ ରହିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବାପା ଜେଜ ଅମରୁ ରହୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିବୁଙ୍କୁ ଜମି ପଟ୍ଟା ମିଳିନାହିଁ। ହେଲେ ଶିବୁଙ୍କର ଆଧାରକାର୍ଡ଼, ରାସନ୍‌କାର୍ଡ ଓ ଭୋଟ୍‌ ପରିଚୟପତ୍ର ରହିଛି। ଏହା ସତ୍ତ୍ୱେ ତାଙ୍କୁ ଘର ମିଳୁନଥିବା ଅଭିଯୋଗ ହୋଇଛି।

ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା କହିଛନ୍ତି, ଯଥାଶୀଘ୍ର ଶିବୁଙ୍କ କୁନିପୁଅର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ। ନିୟମ ଅନୁସାରେ ଜମିପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Jajpur