Advertisment

ମୋତେ ଭାତ ମୁଠାଏ ଦରକାର... ପୁଅ-ବୋହୂ କହିଲେ, ଜରାଶ୍ରମରେ କାହିଁକି ରହିବନି?

୫ ବର୍ଷ ତଳେ ହଠାତ୍‌ ଶୁକଦେବଙ୍କ ଜୀବନର ଗତିପଥ ବଦଳିଥିଲା। ଅଭିଯୋଗ ଅନୁସାରେ ଘର ତିଆରି ବାହାନାରେ ଜାଗା ହଡ୍‌ପ ପାଇଁ ରେବତୀଙ୍କୁ ପାଖକୁ ନେବାକୁ ପୁଅବୋହୂ ଥୋପ ପକାଇଥିଲେ। ଆଉ ଖେଳିଥିଲେ ମମତା କାର୍ଡ।

ଅଦ୍ୟତନ ହୋଇଛି
Old Man

Old Man

Advertisment

ସେ ଜରାଶ୍ରମରେ କାହିଁକି ରହିବନି? ଭରା ସଭାରେ ସର୍ବ ସମ୍ମୁଖରେ ପୁଅବୋହୂଙ୍କ କଥା ଶୁଣି ସମସ୍ତେ ହତବାକ। ବୋଧହୁଏ ବାର୍ଦ୍ଧକ୍ୟରେ ଏହି କଷ୍ଟଦାୟକ ଶବ୍ଦ ଶୁଣିବା ପାଇଁ ବଞ୍ଚିଥିଲେ ବାପା! କଣବା କରିବେ? କେବଳ ଅସହାୟତା ଛଡ଼ା ତାଙ୍କ ପାଖରେ ଆଉ କିଛି ନାହିଁ। କାରଣ ୮୪ ବର୍ଷ ବୟସରେ କାହାକୁ ଉତ୍ତର ଦେଲା ଭଳି ବଳ ଆଉ ତାଙ୍କ ଅଣ୍ଟାରେ ନାହିଁ। ତେଣୁ ପ୍ରାଣ ଥିବା ଯାଏଁ ମୁଠାଏ ଭାତ ଦେବା ପାଇଁ ଛଳ ଛଳ ଆଖିରେ କହୁଛନ୍ତି ଶୁକଦେବ ବାରିକ।

Advertisment

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କଙ୍କରଦିଆ ଗାଁର ଶୁକଦେବ ବାରିକ। କୌଳିକ ବୃତ୍ତି ସହ ଚାଷ ବାସ କରି ଚଳନ୍ତି। ପରିବାର କହିଲେ ପତ୍ନୀ ରେବତୀ ବଡ଼ ପୁଅ ଗୋପୀନାଥ ଓ ୫ ଝିଅ। ଶୁକଦେବ ଯାହା ରୋଜଗାର କରୁଥିଲେ, ସେଥିରେ ବେଶ୍‌ ହସ ଖୁସିରେ ଚାଲୁଥିଲା ପରିବାର। ଧୀରେ ଧୀରେ ପରିବାରର କଳେବର ବଢ଼ିଲା। ପିଲାମାନେ ବଡ଼ ହେଲେ। ପୁଅ ଗୋପୀନାଥଙ୍କୁ ବାହା କରାଇଲେ ଶୁକଦେବ।

ବାହାଘର ପରେ ବଧୂ ବେଶରେ ଘରକୁ ଆସିଥିଲେ ଅହଲ୍ୟା। ଶୁକଦେବ ଭାବିଥିଲେ ବାହାଘର ପରେ ୫ ଝିଅଙ୍କୁ ନିଜର ଝିଅ ଭଳି ଦେଖିବେ ବୋହୂ ଓ ଆଉ ଶାଶୁଙ୍କୁ ନିଜ ମାଆ ପରି ସମ୍ମାନ କରିବେ। ହେଲେ ଶୁକଦେବଙ୍କ ଭାବନା କିନ୍ତୁ ଭୁଲ୍‌ ଥିଲା! ନୂଆ ବୋହୂ ଆସିବା ପରେ ଘରେ ସୃଷ୍ଟି ହେଲା ଅଶାନ୍ତିର ବାତାବରଣ! ଭାଉଜ-ନଣନ୍ଦ, ଶାଶୁ-ବୋହୂଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଶୁକଦେବ, ତାଙ୍କ ପତ୍ନୀ ଓ ୫ ଝିଅଙ୍କୁ ଅଲଗା କରିଦେଲେ ପୁଅବୋହୂ!

Advertisment

ଆଜକୁ ୨୦ ବର୍ଷ ତଳେ ପୁଅବୋହୂଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିଜ ପରିବାରକୁ ଧରି ଅଲଗା ହୋଇଗଲେ ଶୁକଦେବ। ସେତେବେଳେ ତାଙ୍କ ଅଣ୍ଟାରେ ବଳ ଥିଲା ଓ ପାଦରେ ଶକ୍ତି ଥିଲା। ତେଣୁ ପୁଅବୋହୂଙ୍କ ହାତ ଟେକାକୁ ଅପେକ୍ଷା ନକରି ନିଜେ ପରିଶ୍ରମ କଲେ। ନିଜର ଝାଳବୁହା ଧନରେ ୫ ଝିଅଙ୍କୁ ବାହା କରାଇଲେ। ଝିଅ ବାହା ହୋଇ ଶାଶୁ ଘରକୁ ଗଲା ପରେ ବାର୍ଦ୍ଧକ୍ୟରେ ପଦାର୍ପଣ କରିଥିଲେ ଶୁକଦେବ ଓ ତାଙ୍କ ପ୍ରାଣପ୍ରିୟା ରେବତୀ। ହେଲେ ଥକି ପଡ଼ିନଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା।

ତେବେ ୫ ବର୍ଷ ତଳେ ହଠାତ୍‌ ଶୁକଦେବଙ୍କ ଜୀବନର ଗତିପଥ ବଦଳିଥିଲା। ଅଭିଯୋଗ ଅନୁସାରେ ଘର ତିଆରି ବାହାନାରେ ଜାଗା ହଡ୍‌ପ ପାଇଁ ରେବତୀଙ୍କୁ ପାଖକୁ ନେବାକୁ ପୁଅବୋହୂ ଥୋପ ପକାଇଥିଲେ। ଆଉ ଖେଳିଥିଲେ ମମତା କାର୍ଡ। ପରବର୍ତ୍ତୀ ସମୟରେ ପୁଅବୋହୂଙ୍କ ମମତାର ଥୋପରେ ଫସି ଯାଇଥିଲେ ରେବତୀ। ନିଜ ସ୍ୱାମୀଙ୍କୁ ବୁଝାସୁଝା କରି ନିଜର ଏକମାତ୍ର ପୁଅଙ୍କ ପାଖକୁ ପଳାଇ ଯାଇଥିଲେ। ଶୁକଦେବ ଓ ରେବତୀ ପୁଅବୋହୂଙ୍କ ପାଖକୁ ଫେରିବା ପରେ କିଛି ଦିନ ଠିକ୍‌ଠାକ୍‌ ଚାଲିଥିଲା। ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଖାଇବାକୁ ଦୁଇ ମୁଠା ଦେଲେ ନାହିଁ।

ଜନ୍ମକଲା ପୁଅ ହେତୁ ପୁଅବୋହୂଙ୍କ ନିର୍ଯାତନ ସହି ଯାଉଥିଲେ ରେବତୀ। ସୁଖ ଓ ଦୁଃଖର ଭିତରେ ଭାବ ଦିଆନିଆ ହେଉଥିଲେ ଶୁକଦେବ ଓ ପତ୍ନୀ ରେବତୀ। ତେବେ ୩ ବର୍ଷ ତଳେ ସ୍ୱାମୀଙ୍କୁ ଛାଡ଼ି ଅଫେରା ପଥରେ ଚାଲିଗଲେ ରେବତୀ। ପ୍ରାଣପ୍ରିୟାଙ୍କ ବିୟୋଗ ପରେ ଭାଙ୍ଗି ପଡ଼ିଥିଲେ ଶୁକଦେବ। ସେହି ଦୁଃଖରୁ ବାହାରି ପାରିନଥିବା ବେଳେ ଶୁକଦେବଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ନିର୍ଯାତନା। ସକାଳ ଖାଦ୍ୟ ସନ୍ଧ୍ୟା ବେଳେ ଖାଇବାକୁ ଦେଉଥିଲେ। ଖାଇବା ପାଇଁ ମାଗିଲେ ଅଭଦ୍ର ଭାଷାରେ ବୋହୂ ଓ ନାତୁଣୀ ଗାଳି ଦେଉଥିଲେ। ବିଶେଷକରି ନାତୁଣୀ କୁଆଡ଼େ ମାଡ଼ ମାରୁଥିବା ଶୁକଦେବ ଅଭିଯୋଗ କରିଛନ୍ତି।

ଏବେ ଶୁକଦେବଙ୍କୁ ୮୪ ବର୍ଷ ହେଲାଣି। ନିର୍ଯାତନା ଅସହ୍ୟ ହେବାରୁ ସେ ଘରୁ ଗୋଡ଼ କାଢ଼ିଲେ, ମାଗି ଖାଇଲେ। ଦାନା ମୁଠାଏ ପାଇଁ ୫ ଝିଅଙ୍କ ପାଖକୁ ଯାଇଥିଲେ। ସେମାନେ ପାଳି କରି ଖାଇବାକୁ ଦେଉଥିଲେ। ହେଲେ କେତେଦିନ ଝିଅଙ୍କ ଘରେ ରହି ଖାଇବେ? ନିଜକୁ ଖରାପ ଲାଗିଲା। ତେଣୁ ପଳାଇ ଆସି ଆ’ ଘର ତା’ ଘର ବୁଲି ଖାଉଥିଲେ। ଶୁକଦେବଙ୍କ ଅସହାୟତାର କାହାଣୀ ଶୁଣିବାକୁ ପାଇଥିଲେ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ। ସେ ପୁଅବୋହୂ ଓ ନାତିନାତୁଣୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ହୋଇନଥିଲା।

ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଦୁଇ ଦିନ ତଳେ ଶୁକଦେବଙ୍କୁ ସାଙ୍ଗରେ ଧରି ପୁଲିସ ଗାଁକୁ ଯାଇଥିଲା। ଏ ସମ୍ପର୍କରେ ପୁଅବୋହୂ ଜାଣିପାରି ଘରେ ତାଲା ପକାଇ ପଳାଇ ଯାଇଥିଲେ। ଯାହାଫଳରେ ପୁଲିସ୍‌ ନିରାଶ ହୋଇ ଫେରିଥିଲା। ପରବର୍ତ୍ତୀ ସମୟରେ ଗାଁ ମୁଖିଆଙ୍କ ସହାୟତାରେ ପୁଅ ଗୋପୀନାଥ ଓ ବୋହୂ ଅହଲ୍ୟାଙ୍କୁ ପୁଲିସ୍‌ ଥାନାକୁ ଡାକିଥିଲା। ସେମାନଙ୍କୁ ବୁଝାଶୁଝା କରିଥିଲେ। ସେହି ସମୟରେ ସେମାନେ ପୁଲିସ୍‌କୁ କହିଥିଲେ, ... ଜରାଶ୍ରମରେ କାହିଁକି ସେ (ଶୁକଦେବ) ରହିବନି? ଯାହାକୁ ଶୁଣି ତାଜୁବ ହୋଇଥିଲେ କୁଜଙ୍ଗ ଆଇଆଇସି ରଶ୍ମୀରଞ୍ଜନ ଦାସ।

ସେ (ପୁଅ ଓ ବୋହୂ)ଙ୍କୁ କହିଥିଲେ, ସେ (ଶୁକଦେବ) ଜରାଶ୍ରମରେ କାହିଁକି ରହିବେ? ବାର୍ଦ୍ଧକ୍ୟରେ ସେ ତାଙ୍କ ଘରେ ରହିବେ। ସେ ଅଧିକାର ତାଙ୍କର ରହିଛି। ତାଙ୍କ ବୟସର ଲୋକଙ୍କ ସହିତ ସେ ମିଶିବେ, ତାଙ୍କ ଗାଁରେ ମରିବେ, ଶ୍ମଶାନରେ ପୋଡ଼ାଯିବେ, ସେଇଠୁ ସେ ସ୍ୱର୍ଗକୁ ଯିବେ। ସେ ଜରାଶ୍ରମରେ କାହିଁକି ରହିବେ? ଏକଥା ଶୁଣିବା ପରେ ପୁଅ ଓ ବୋହୂ ବୁଝିଗଲେ। ଘରକୁ ନେଇଗଲେ। ଆଉ ହଇରାଣ ହରକତ କରିବେ ନାହିଁ ବୋଲି କଥା ଦେଲେ। ଯଦି ଆଗାମୀ ଦିନରେ ପୁଅ ଓ ବୋହୂ ନିର୍ଯାତନା ଦିଅନ୍ତି, ତାହାହେଲେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ସମାଧାନ ପରେ ଶୁକଦେବଙ୍କ ବୋହୂ ଅହଲ୍ୟା କହିଛନ୍ତି, ଆମର ସବୁ ସମାଧାନ ହେଲା। ସିଏ ଆମ ବାପା, ତାଙ୍କୁ ଘରକୁ ନେଇଗଲୁ। ଆମେ କାହାକୁ ହଇରାଣ ହରକତ କରିନାହୁଁ। ତାଙ୍କ ଝିଅ ଓ ଜ୍ୱାଇଁ ହଇରାଣ କରୁଥିଲେ। ତାଙ୍କ ଝିଅ ଓ ଜ୍ୱାଇଁ ୪୦ ବର୍ଷ ହେଲା ମୋ ସଂସାର ଭାଙ୍ଗିଦେଲେ। ମୋ ସଂସାର ଆଜି କାନ୍ଦୁଛି ବୋଲି ଅହଲ୍ୟା କହିଛନ୍ତି।

ସେପଟେ କିନ୍ତୁ ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା। ଶୁକଦେବଙ୍କ ପୁଅ ଗୋପୀନାଥ ଗଣମାଧ୍ୟମରେ ବାଇଟ୍‌ ଦେଉଥିବା ବେଳେ ତାଙ୍କ ଝିଅ ତାଙ୍କୁ ଟାଣି ନେଇଯାଇଥିଲେ। ଆମେ ଗଣମାଧ୍ୟମକୁ କିଛି କହିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ କହିଥିଲେ।

ଅନ୍ୟପକ୍ଷରେ ପୂରା ଘଟଣାରେ ମୁଖ୍ୟ ଚରିତ୍ରରେ ଥିବା ଶୁକଦେବ ବାରିକ କହିଛନ୍ତି, ଆଉ ଦାନ୍ତ ନାହିଁ। ଠିକ୍‌ ସମୟରେ ନରମ ଭାତ ମୁଠାଏ ଖାଇବାକୁ ଦରକାର। ବାସ୍‌ ଆଉ କିଛି ଦରକାର ନାହିଁ। ଆଜି ପୁଅ-ବୋହୂ ବୁଝାଇ ନେଉଛନ୍ତି। ଦେଖିବା କେତେଦିନ ରହିବି। ନହେଲେ ଏହି ଝିଅମାନେ ମୋର ସାହା ଭରସା ବୋଲି ଛଳଛଳ ଆଖିରେ କହିଲେ ଶୁକଦେବ ମଉସା।

ରିପୋର୍ଟ-ପାରାଦୀପରୁ ରମାକାନ୍ତ ନାୟକ

Jagatsinghpur Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe