Advertisment

ଇଏ ସରକାରଙ୍କ ସ୍ମାର୍ଟ ସ୍କୁଲ! ଖେଳ ପଡ଼ିଆ ମଝିରେ ଥିବା ଷ୍ଟେଜ୍‌ ପାଲଟିଛି ଶ୍ରେଣୀ ଗୃହ

ଶ୍ରେଣୀ ଗୃହର ଏପରି ଅବସ୍ଥା ଦେଖି ଭୟଭୀତ ହୋଇପଡ଼ିଥିଲେ ଅଭିଭାବକ ଓ ସ୍କୁଲର ଶିକ୍ଷକ। ଶୀଘ୍ର ନୂତନ ଗୃହ ନିର୍ମାଣ ପାଇଁ ଗାଁ ଲୋକେ ବଲାଙ୍ଗିର ଡିଇଓ, ସଇଁନ୍ତଲା ବ୍ଲକ୍‌ର ବିଇଓ, ବିଡ଼ିଓ, ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Stage

Stage

ଶ୍ରେଣୀ ଗୃହରୁ ଖସୁଛି ସିମାଣ୍ଟ କଂକ୍ରିଟ୍‌। ସେଠାରେ ବସି ପାଠ ପଢ଼ିପାରୁ ନାହାନ୍ତି ପିଲା। ତେଣୁ ଗାଁ ପାଖ ଖେଳ ପଡ଼ିଆ ମଝିରେ ଥିବା କମେଣ୍ଟ୍ରି ଷ୍ଟେଜ୍‌ ପାଲଟି ଶ୍ରେଣୀ ଗୃହ। ୮ ଫୁଟ୍‌ ଷ୍ଟେଜ୍‌ ଉପରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ଆଉ ପଢ଼ାଉଛନ୍ତି ସାର୍‌। ହେଲେ ଦୁର୍ଭାଗ୍ୟର ବିଷୟ ଏ ସମ୍ପର୍କରେ ପ୍ରଶାସନ ପାଖରେ ଖବର ନାହିଁ। ଉପଜିଲ୍ଲାପାଳ କହୁଛନ୍ତି, ମୋ ପାଖରେ ଖବର ନାହିଁ। ବିଡିଓଙ୍କୁ ପଠାଇ ଘଟଣାର ତଦନ୍ତ କରିବି। ଏପରି ଖବର ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରୁ।

Advertisment

ସଇଁନ୍ତଲା ବ୍ଲକରେ ଖର୍ସେଲବାଞ୍ଜି ପ୍ରାଥମିକ ସ୍କୁଲ୍‌। ଯେଉଁଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୨୩ ଜଣ ଛାତ୍ରଛତାତ୍ରୀ ପାଠ ପଢ଼ୁଛନ୍ତି। ପ୍ରଧାନଶିକ୍ଷକଙ୍କୁ ମିଶାଇ ଦୁଇ ଜଣ ଶିକ୍ଷକ ଅଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟରେ ସ୍କୁଲରେ ଶ୍ରେଣୀ ଗୃହ ନାହିଁ। ଯେଉଁ ଶ୍ରେଣୀ ଗୃହ ରହିଛି, ସେଠାରେ ପିଲାମାନେ ବସି ପାଠ ପଢ଼ି ପାରୁନାହାନ୍ତି। ଛାତ ଫାଟି ଆଁ’ କରିଛି। ଛାତରୁ କଂକ୍ରିଟ୍‌ ଖସୁଛି। ବର୍ଷା ପାଣି ଗଳୁଛି। ଯେ କୌଣସି ସମୟରେ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହୁଛି।

ଶ୍ରେଣୀ ଗୃହର ଏପରି ଅବସ୍ଥା ଦେଖି ଭୟଭୀତ ହୋଇପଡ଼ିଥିଲେ ଅଭିଭାବକ ଓ ସ୍କୁଲର ଶିକ୍ଷକ। ଶୀଘ୍ର ନୂତନ ଗୃହ ନିର୍ମାଣ ପାଇଁ ଗାଁ ଲୋକେ ବଲାଙ୍ଗିର ଡିଇଓ, ସଇଁନ୍ତଲା ବ୍ଲକ୍‌ର ବିଇଓ, ବିଡ଼ିଓ, ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଥିଲେ। ନିରାଶ ହେବାକୁ ପଡ଼ିଥିଲା। ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ବିକଳ୍ପ ବ୍ୟବସ୍ଥା ଖୋଜିଲେ।

Advertisment
Balangirଏହି ସ୍କୁଲରେ ପିଲାମାନେ ବସି ପାଠ ପଢ଼ୁଛନ୍ତି

ଗାଁ ପାଖ ଖଳ ପଡ଼ିଆ ମଝିରେ ଥିବା କମେଣ୍ଟ୍ରି ଷ୍ଟେଜ୍‌କୁ ଶ୍ରେଣୀ ଗୃହରେ ପରିଣତ କରିଦେଲେ। ଏବେ ସେଠାରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ପିଲାମାନେ ୮ ଫୁଟ୍‌ ଉଚ୍ଚ ଷ୍ଟେଜ୍‌ ଉପରେ ବସି ପଢ଼ୁଛନ୍ତି। ଷ୍ଟେଜ୍‌ ମଝିରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଇ ଶିକ୍ଷକମାନେ ପାଳିକରି ପଢ଼ାଉଛନ୍ତି। ଚାରି ପାର୍ଶ୍ୱରେ ଜଙ୍ଗଲ ଥିବାରୁ ପାଦେ ପାଦେ ବିପଦ। ତଥାପି ଶିକ୍ଷକମାନେ ଏପରି ଅବସ୍ଥାରେ ପାଠ ପଢ଼ାଇବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ଆଉ କିଛି ବିକଳ୍ପ ବ୍ୟବସ୍ଥା ନାହିଁ।

ଟିଟିଲାଗଡ଼ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ କହିଛନ୍ତି, ଏ ବିଷୟରେ ମୁଁ ଜାଣିନଥିଲି। ପ୍ରଥମ ଥର ପାଇଁ ଆପଣଙ୍କଠାରୁ ଶୁଣିବାକୁ ପାଇଲି। କ’ଣ ପାଇଁ ପିଲାମାନେ ଖେଳ ପଡ଼ିଆ ମଝିରେ ଥିବା ଷ୍ଟେଜ୍‌ରେ ବସି ପାଠ ପଢ଼ୁଛନ୍ତି, ତାହା ଉପରେ ତଦନ୍ତ କରିବାକୁ ସ୍ଥାନୀୟ ବିଡିଓଙ୍କୁ କହିବି। ଏହାଛଡ଼ା ଯଦି ଶ୍ରେଣୀଗୃହର ମରାମତି ଆବଶ୍ୟକ ଥାଏ, ତାହା ହେଲେ କରାଯିବ। ଯଦି ଶ୍ରେଣୀଗୃହ ସମ୍ପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ଅଛି, ତାହାହେଲେ ନୂଆ ଘର ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir School