Advertisment

ବାସନ୍ଦ ବ୍ୟାଧି! ସ୍କୁଲ ଓ ଅଙ୍ଗନବାଡ଼ି ଆସୁନାହାନ୍ତି ପିଲା

ପଞ୍ଚାୟତ ନିର୍ବାଚନ ବେଳ ରାଜନୈତିକ ବିବାଦରୁ କୁଶପଲ୍ଲୀ ଗାଁର କନକ ନାହାକ, ଲକ୍ଷ୍ମୀ ନାହାକ ଓ ବିଳାଶ ନାହାକଙ୍କ ପରିବାରକୁ ନାଆଁ ପାଣି ବାସନ୍ଦ କରାଯାଇଥିଲା।

ଅଦ୍ୟତନ ହୋଇଛି
School

School

Advertisment

ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଅଛି। ଅଣ୍ଡା ଛତୁଆ ସବୁ ଅଛି। ହେଲେ ୩ ରୁ ୪ ଜଣଙ୍କୁ ଛଡ଼ା ବାକି ପିଲାଙ୍କ ଦେଖାନାହିଁ। ଅଙ୍ଗନବାଡ଼ି କେନ୍ଦ୍ରକୁ ଲାଗିଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଖୋଲିଛି। ସାର ଅଛନ୍ତି। ହେଲେ ପ୍ରଥମରୁ ପଞ୍ଚମ ଯାଏଁ ୪୪ ଜଣ ପିଲାଙ୍କ ଭିତରୁ କେଉଁଦିନ ୪ ଜଣ ତ କେଉଁଦିନ ୫ ଜଣ ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଆଉ କେହି ବିଦ୍ୟାଳୟକୁ ଆସୁନାହାନ୍ତି। ଗାଁରେ ସବୁ ପିଲା ଥିଲେ ବି ଖରାଛୁଟି ପରଠୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କୁଶପଲ୍ଲୀ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ଇଏ ସବୁ ଦିନିଆ ଚିତ୍ର।

Advertisment

ପଞ୍ଚାୟତ ନିର୍ବାଚନ ବେଳ ରାଜନୈତିକ ବିବାଦରୁ କୁଶପଲ୍ଲୀ ଗାଁର କନକ ନାହାକ, ଲକ୍ଷ୍ମୀ ନାହାକ ଓ ବିଳାଶ ନାହାକଙ୍କ ପରିବାରକୁ ନାଆଁ ପାଣି ବାସନ୍ଦ କରାଯାଇଥିଲା। ତେବେ ଏଇ ତିନି ପରିବାରର ମହିଳା, ସ୍କୁଲର ପାଚିକାଠୁ ନେଇ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ଓ ଆଶାକର୍ମୀ ଭାବେ କାମ କରୁଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡୁନଥିଲେ କି ଅଣ୍ଡା, ଛତୁଆ ନେଉନଥିଲେ। ଏହି ମାମଲା ପ୍ରଶାସନ ପାଖରେ ପହଞ୍ଚିଥିଲା। ବୁଝାସୁଝା ପରେ ମାମଲାର ସମାଧାନ ହୋଇଥିଲା। ପୂର୍ବ ପରି ପିଲାମାନେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଆସୁଥିଲେ। ହେଲେ ଗତମାସ ୨୧ ତାରିଖ ଅର୍ଥାତ୍ ଖରାଛୁଟି ପରଠୁ ଆଉ ପିଲାମାନେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ନାହାନ୍ତି। ଏପରିକି ଆଶାକର୍ମୀଙ୍କଠାରୁ ମଧ୍ୟ କୌଣସି ସେବା ଗ୍ରହଣ କରୁନାହାନ୍ତି। ଏନେଇ ପୀଡ଼ିତ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି।

କୁଶପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି, ଆମେ ଶୁଣିବାକୁ ପାଇଛୁ ପିଲାମାନେ ଅନ୍ୟ କୌଣସି ସ୍କୁଲକୁ ପାଠ ପଢ଼ିବାକୁ ଯାଉନାହାନ୍ତି। ଗାଁରେ ଉପସ୍ଥିତ ରହୁଥିଲେ ମଧ୍ୟ ବିଦ୍ୟାଳୟକୁ ଆସୁନାହାନ୍ତି। କାଁଭାଁ କେଉଁଦିନ ୨ ଜଣ ତ ଆଉ କେଉଁଦିନ ୪ ଜଣ ପିଲା ଆସୁଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

Advertisment

କୁଶପଲ୍ଲୀ ଦିଲ୍ଲୀପ କୁମାର ନାହାକ କହିଛନ୍ତି, ରାଜନୈତିକ ବିବାଦରୁ ଆମ ଉପରେ ନାନା କଟକଣା ଲଗାଯାଇଛି। ଗାଁରେ ଥିବା ଦୋକାନରୁ ସଉଦା ନେଇପାରୁ ନାହୁଁ। ଝିଅ ଓ ବୋହୂମାନେ ନଳକୂପ ପାଣି ବ୍ୟବହାର କରିପାରୁନାହାନ୍ତି। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଶ୍ରୀ ନାହାକ କହିଛନ୍ତି।

ଗ୍ରାମରୁ ବାସନ୍ଦ ପରିବାର ଉପରେ ରାଗ ସୁଝାଇବାକୁ ଗ୍ରାମବାସୀ ମିଟିଂ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଛାଡୁନଥିବା ଅଭିଯୋଗ ହେଉଥିଲା ବେଳେ କମିଟି ସଭାପତି ଅରୁଣ ନାହାକ କିନ୍ତୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର କୌଣସି ତଥ୍ୟ କମିଟି ପାଖରେ ରହୁ ନଥିବାରୁ ଏଭଳି ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ଛାତ୍ରଛାତ୍ରୀ ସାମୂହିକ ଛୁଟିରେ ରହିବା କଥା ବିଭାଗୀୟ ଉପରିସ୍ଥ ଅଧିକାରୀ ଜାଣିବା ପରେ ଗାଁରେ ପହଞ୍ଚି ଅଭିଭାବକ ଓ ଗ୍ରାମ କମିଟି ସହ ଆଲୋଚନା କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା।

ଗଞ୍ଜାମ ଜିଲ୍ଲା ପାଇଁ ବାସନ୍ଦ ବ୍ୟାଧି କିଛି ନୂଆ କଥା ନୁହେଁ। ହେଲେ ଗଲା ପଞ୍ଚାୟତ ନିର୍ବାଚନ ସମୟରୁ ୩ଟି ପରିବାରକୁ ବାସନ୍ଦ ରଖାଯିବା ଏବଂ ସେମାନଙ୍କ ଉପରେ ରାଗ ସୁଝାଇବାକୁ ନିଜ ପିଲାଙ୍କ ଭବିଷ୍ୟତ ପ୍ରତି ଆଖି ବୁଜି ଦିଆଯିବା ଏବଂ ଏ ସବୁଥିରେ ପୁଲିସ ପ୍ରଶାସନ ନିରବ ରହିବା ଉଦବେଗ ସୃଷ୍ଟି କରିଛି। ହେଲେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ- କବିସୂର୍ଯ୍ୟନଗରରୁ ପୀତବାସ ଦାଶ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe