Advertisment

ଘର ଭିତରେ ଦେଖାଯାଉଛି ସୂର୍ଯ୍ୟ, ଚନ୍ଦ୍ର; ତଥାପି ଦୁଇଥର ହୋଇଛନ୍ତି ସରପଞ୍ଚ

ସମ୍ପତ୍ତି କହିଲେ ଗୋଟିଏ ଭଙ୍ଗା ଚାଳ ଘର। ଦୁଇ ହଳ ପ୍ୟାଣ୍ଟ ସାଟ୍, ଦୁଇଟି ଲୁଙ୍ଗି, ଗୋଟିଏ ଗାମୁଛା, ଗୋଟିଏ ଫ୍ୟାନ୍ ଓ ଗୋଟିଏ ପୁରୁଣା ସାଇକେଲ।

author-image
Niranjan Mishra
ଅଦ୍ୟତନ ହୋଇଛି
Sarpanch House

Sarpanch House

କୁହାଯାଏ ଆଜିର ଦୁନିଆରେ ଆଦର୍ଶର ମୂଲ୍ୟ ଶୂନ। ଟଙ୍କା ନଖଟାଇଲେ ନିର୍ବାଚନ ଜିତି ହେବନି। ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ଦୁଇ ଥର ହୋଇଛନ୍ତି ସରପଞ୍ଚ। ସେ ନିହାତି ଗରିବ। ସମ୍ପତ୍ତି କହିଲେ ଗୋଟିଏ ଭଙ୍ଗା ଚାଳ ଘର। ଦୁଇ ହଳ ପ୍ୟାଣ୍ଟ ସାଟ୍, ଦୁଇଟି ଲୁଙ୍ଗି, ଗୋଟିଏ ଗାମୁଛା, ଗୋଟିଏ ଫ୍ୟାନ୍ ଓ ଗୋଟିଏ ପୁରୁଣା ସାଇକେଲ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ କେରଜୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ପ୍ରଧାନଙ୍କ ଏହି ସଫଳତା ଓ ଏହା ଭିତରେ ଲୁଚିଥିବା ଦୁଃଖଦ ଚିତ୍ରକୁ ଯେକେହି ଦେଖିବ ତାଜୁବ୍‌ ହେବ। ହେଲେ ସେ ଏଥିପାଇଁ ଦୁଃଖି ନୁହଁନ୍ତି। ସବୁବେଳେ ହସହସ ମୁହଁ। ପ୍ରତିଦିନ ସକାଳ ହେବା ମାତ୍ରେ ଦୈନଦିନ କାମ ସାରି ସାଇକେଲରେ ସେ ବାହାରି ପଡ଼ନ୍ତି ତାଙ୍କ ପଞ୍ଚାୟତର ଲୋକଙ୍କ ସୁଖଦୁଃଖ ବୁଝିବାକୁ। ଲୋକଙ୍କ ସମସ୍ୟା ଧରି ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ଯଥା ସମ୍ଭବ ସମାଧାନ କରିବାକୁ ଚେଷ୍ଟା କରନ୍ତି।

Advertisment

ସେ ଅବିବାହିତ। ଲୋକଙ୍କ ସେବାକୁ ନିଜର ବ୍ରତ ବୋଲି ପାଥେୟ କରି ଅଧା ବୟସ ବିତିଲାଣି। ତଥାପି ହାରି ନାହାଁନ୍ତି ସେ। ଆଖିରେ ଆଖିଏ ସ୍ୱପ୍ନ, ମନରେ ଅନେକ ଆଶା ଓ ଆକାଂକ୍ଷା। ଛାତିରେ ରହିଛି ପ୍ରଗାଢ ଦମ୍ଭ ଏବଂ ପ୍ରକାଶିତ ହୋଇଚାଲିଛି ନୂଆ ଏକ ସମ୍ଭାବନା। ତାଙ୍କ ଆଗରେ ତୁଚ୍ଛ ହୋଇଛି ସଂସାରର ମୋହ। ସେ ଦୁଇ ଦୁଇ ଥର ସରପଞ୍ଚ ହୋଇ ମଧ୍ୟ ଘର ଖଣ୍ଡିଏ କରି ପାରିନାହାଁନ୍ତି।

ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ଅଚ୍ୟୁତ ହେଉଛନ୍ତି ପରିବାର ଏକେଲା ପୁଅ। ସେ ୩ ବର୍ଷ ବୟସରେ ମାଆ ଗୁରେଇ ପ୍ରଧାନଙ୍କୁ ହରାଇଥିଲେ। ପରେ ବାପା ଅଭିମନ୍ୟୁ ପ୍ରଧାନଙ୍କ ମଧ୍ୟ ଅକାଳ ନିଧନ ହୋଇଥିଲା। ଏକେଲା ପଡ଼ି ଯାଇଥିଲେ ସେ। ଦୁଃଖ ଭିତରେ ସେ ସାହାସ ଦେଖାଇ ଆଗକୁ ବଢ଼ିଥିଲେ। ୧୯୮୪ ମସିହାରେ ମାଟ୍ରିକ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ। ହେଲେ ଉଚ୍ଚ ଶିକ୍ଷା କରିବା ପାଇଁ ଅର୍ଥ ସାଜିଥିଲା ବାଧକ। ପାଠପଢ଼ାରେ ଡୋରି ଲାଗିଥିଲା। ରୋଡ଼ଙ୍ଗ ଗାଁରେ "ନବ ଉତ୍କଳ ଯୁବକ ସଂଘ"ରେ ସାମିଲ ହୋଇ ଲୋକଙ୍କ ସେବାରେ ଲାଗିଥିଲେ ଅଚ୍ୟୁତ। ପରେ ସଂଘର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ୧୯୯୨ ମସିହାରେ ପଞ୍ଚାୟତର ସରପଞ୍ଚ ଭାବେ ଛିଡା ହୋଇଥିଲେ। ବିପୁଳ ଭୋଟରେ ବିଜୟଲାଭ ମଧ୍ୟ କରିଥିଲେ। ଏହା ପରେ ଅଚ୍ୟୁତଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ପ୍ରଥମ ପାଳିରେ ୧୯୯୨ ରୁ ୧୯୯୫ ଏବଂ ଦ୍ୱିତୀୟ ପାଳିରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସେ କେରଜୋଳି ପଞ୍ଚାୟତର ସରପଞ୍ଚ ହୋଇଥିଲେ। ୨୦୨୨ ମସିହାରେ ସରପଞ୍ଚ ଭାବେ ଛିଡା ହୋଇ ସେ ହାରି ଯାଇଥିଲେ। କିନ୍ତୁ ମନରେ ଲୋକଙ୍କ ପ୍ରତି ଥିବା ସେବା ମନୋଭାବ ଏଯାଏଁ କମିନି।

Advertisment
Former Sarpanchପୂର୍ବତନ ସରପଞ୍ଚ ତାଙ୍କ ସାହି ଲୋକଙ୍କ ସମସ୍ୟା ବୁଝୁଛନ୍ତି

ଚାଳ ସଜାଡ଼ିବାକୁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ। ତାଙ୍କ ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି। ସେହି ଘର ଭିତରେ ଷ୍ଟୋଭ ମାରି ରୋଷେଇ କରନ୍ତି। ପାଣି ଆଣିବା ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟକୁ ସେ ତୁଲାଇ ଥାନ୍ତି। ସରପଞ୍ଚ ହେବା ସମୟରେ ସେ ଅକ୍ଲାନ୍ତ ପରିଶ୍ରମ କରି ଗାଁରେ ପକ୍କା ରାସ୍ତା, ବିଦ୍ୟାଳୟ ନିର୍ମାଣ, ଆବାସିକ ସ୍କୁଲ ନିର୍ମାଣ କରିବାରେ ସଫଳ ହୋଇଥିଲେ।

ନିତିଦିନିଆ କାମ ଓ ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବା ପରେ ମିଳୁଥିବା ଅବସର ସମୟରେ ସେ ମହାପୁରୁଷମାନଙ୍କ ବହି ପଢିବା ସହ ଲେଖାଲେଖି କରନ୍ତି।

ଅଚ୍ୟୁତାନନ୍ଦ କହିଛନ୍ତି, ମଣିଷ ଉଚ୍ଚତା ୫ ଫୁଟ ୬ ଇଞ୍ଚ। ବଡ଼ ଘର ନେଇ କ’ଣ ହେବ। ଦୁଇ ମହଲା ଘର କରି ଏହା ଭିତରେ ଆରାମ୍‌ କରିବା ଉଦ୍ଦେଶ୍ୟରେ ସରପଞ୍ଚ ହୋଇନଥିଲି। ଅନ୍ୟାୟ ଉପାୟରେ ଟଙ୍କା ନେଇ ରଖିବା ଠିକ୍‌ ନୁହେଁ। ଲୋକଙ୍କ ଭତ୍ତା କରାଇଦେବା, ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ଜରାଶ୍ରମ ସୁବିଧା ଦେବା, ରାସ୍ତାଘାଟ ନିର୍ମାଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା କରିବା ତାଙ୍କର ମୂଳ ଉଦ୍ଦେଶ୍ୟ। ବିନା ପଇସାରେ ଲଢ଼ି ନିର୍ବାଚନ ଜିତି ହେବ। ଯେକେହି ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇ କେତେ ଟଙ୍କା ଅଛି ଦେଖି ପାରିବେ। ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଭିତରୁ ଗୋଟିଏରେ ୫୦ ଟଙ୍କା ଓ ଅନ୍ୟଟିରେ ୩ ହଜାର ଟଙ୍କା ଅଛି। ସାମାଜିକ କାମ କରିବା ଭିତରେ ବିବାହ ପାଇଁ ମନକୁ କେବେ ବାସନା ପସି ପାରିନି। ଯେତେଦିନ ବଞ୍ଚିଛି ଲୋକଙ୍କ ସେବା କରିବି। ତାହାପରେ ଯାହା ଭଗବାନଙ୍କର ଇଚ୍ଛା ବୋଲି ସେ କହିଛନ୍ତି।

ରିପୋର୍ଟ- କାମାକ୍ଷାନଗର ବିଦ୍ୟାଧର ବରାଳ

Dhenkanal People's Sarapanch Popular Sarapanch