Advertisment

ସାକାର ହୋଇପାରୁନି ଆଦିବାସୀ ପିଲାଙ୍କ ପାଠପଢ଼ା ଲକ୍ଷ୍ୟ, ଆଦର୍ଶ ଡିଗ୍ରୀ କଲେଜ ପ୍ରତିଷ୍ଠା ଲକ୍ଷ୍ୟ ବିଫଳ

୨୦୧୯ ଫେବ୍ରୁଆରୀ ୩ ତାରିଖରୁ କାମ ଆରମ୍ଭ ହୋଇ ୨୦୨୧ ବେଳକୁ କାମ ସରିଯାଇଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
ideal degree college

ideal degree college

ଶିକ୍ଷାବର୍ଷ ପରେ ଶିକ୍ଷାବର୍ଷ ଆସୁଛି ଓ ଯାଉଛି। ହେଲେ ସାକାର ହେଉନି ଆଦିବାସୀ ଅଧ୍ୟୁଷିତ କୋରାପୁଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଆଦର୍ଶ ଡିଗ୍ରୀ କଲେଜର ସ୍ୱପ୍ନ। କାରଣ ସେମିଳିଗୁଡ଼ାରେ କଲେଜର ନିର୍ମାଣକାମ ସରିବା ସତ୍ତ୍ୱେ ବି ଭାରତ ମାଳା ପ୍ରୋଜେକ୍ଟ ପାଇଁ ଏହା ଅଟକି ରହିବା ପରଠୁ ଏହା ଆଉ କେଉଁଠି ହେବ ତାକୁ ନେଇ ଅନ୍ଧାରରେ ଜିଲ୍ଲାବାସୀ।

Advertisment

କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରେ ଆଦିବାସୀ ବହୁଳ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ କୋରାପୁଟ ସେମିଳିଗୁଡ଼ାର କୁତୁଙ୍ଗାରେ ହେବାର ଥିଲା ଆଦର୍ଶ ଡିଗ୍ରୀ କଲେଜ୍। ୨୦୧୯ ଫେବ୍ରୁଆରୀ ୩ ତାରିଖରୁ କାମ ଆରମ୍ଭ ହୋଇ ୨୦୨୧ ବେଳକୁ କାମ ସରିଯାଇଥିଲା। ସେହି ବର୍ଷଠୁ ପାଠପଢ଼ା ଆରମ୍ଭ ହେବା ଲକ୍ଷ୍ୟରେ କେବଳ ବିଲଡିଂକୁ ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ବାକିଥିଲା। ହେଲେ ହେଲାନି। ଠିକ୍ ଏହି ସମୟରେ ଜଣାପଡ଼ିଲା କଲେଜକୁ ଲାଗିକି ଯିବ ଭାରତ ମାଳା ପରିଯୋଜନାର ୬ ଥାକିଆ ରାସ୍ତା। ବାସ୍, ତା ପରଠୁ ରାସ୍ତା ନିର୍ମାଣ ଚାଲିଲା।

କଲେଜ ପାଇଁ ଉଦ୍ଦିଷ୍ଟ ଏ କୋଠାରେ ଚାଲିଲା ଠିକା ସଂସ୍ଥାର ଅଫିସ୍। ଏହାର ଆୟୁଷ ବି ମାତ୍ର ୩-୪ ମାସ। ରାସ୍ତାକାମ ସରିଲେ ମାଟିର ମିଶିବ ଏ କୋଠା। ହେଲେ ସେବେଠୁ ୬ କୋଟି ଟଙ୍କା ବ୍ୟୟ ପରେ ବି ଝୁଲି ରହିଛି ଆଦର୍ଶ ଡିଗ୍ରୀ କଲେଜର ଭାଗ୍ୟ। ଯାହାକୁ ନେଇ ଆଶା ଓ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା।

Advertisment

ବଡ଼ କଥା ହେଉଛି ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏଇ ଡିଗ୍ରୀ କଲେଜ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ସରିଥିଲା ସେ ଅର୍ଥ କୁଆଡ଼େ କେନ୍ଦ୍ର ସରକାର ରାଜ୍ୟକୁ ଦେଇ ସାରିଛନ୍ତି। ଅର୍ଥାତ୍ ଡିଗ୍ରୀ କଲେଜ ପାଇଁ ଏବେ ବି ୧୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ଅଛି। କେବଳ ଅନ୍ୟ ଏକ ପ୍ରକୃଷ୍ଟ ସ୍ଥାନ ଚିହ୍ନଟ କରି ସେଠି ପୁଣି କଲେଜ ନିର୍ମାଣ କରିବା କଥା। ହେଲେ ବର୍ଷ ପରେ ବର୍ଷ ବିତି ଚାଲିଥିଲେ ବି ଏଯାଏଁ ବିଭାଗର ଜାଗା ଖୋଜା ସରୁନି।

ଏହା ଭିତରେ ସେମିଳିଗୁଡ଼ାରୁ ନନ୍ଦପୁର ଯିବା ରାସ୍ତାରେ କୌଣସି ଏକ ସ୍ଥାନରେ ଜାଗା ଚିହ୍ନଟ ହୋଇଥିବା କୁହାଯାଉଥିଲା ବେଳେ ଏନେଇ କିନ୍ତୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନି। ଏପରିକି ଜିଲ୍ଲାପାଳ ମଧ୍ୟ ଏନେଇ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ। ଯାହାକୁ ନେଇ ତେଜିଛି ରାଜନୀତି।

କଂଗ୍ରେସ ସାଂସଦ ଶପ୍ତଗିରି ଉଲ୍ଲାକା କହିଛନ୍ତି, ବିଜେଡି ସରକାର ସ୍କୁଲ ଓ କଲେଜ ଉନ୍ନତିକରଣ କରୁଥିବାର ଡିଣ୍ଡିମ ପିଟୁଛି। ହେଲେ ଏଠାରେ କାହିଁକି ଏହା ନଜର ଅସୁନି। କେନ୍ଦ୍ର ସରକାରଙ୍କ ଅର୍ଥ ଓ ଯୋଜନା ହୋଇଥିବାରୁ ବିଜେଡି କଲେଜ ଚାଲୁ କରିବାରେ ଢିଲା କରୁଛି। ତେବେ ଜମି ଅଧିଗ୍ରହଣ ଶୀଘ୍ର କରିବାକୁ ଜିଲ୍ଲାପାଳଙ୍କ କୁହାଯିବ। ୩ ବର୍ଷ ଚାଲି ଯାଇଥିବାରୁ ପ୍ରକଳ୍ପକୁ ତୁରନ୍ତ ରୂପ ଦେବାକୁ ହେବ।

ବିଜେପି ନେତା ସୁମନ୍ତ ପ୍ରଧାନ କହିଛନ୍ତି, ଆଦିବାସୀ ପିଲାମାନଙ୍କ ପାଠପଢ଼ିବା ନିମନ୍ତେ କେନ୍ଦ୍ର ସରକାର ୧୨ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଦୁଃଖର ବିଷୟ ଓଡ଼ିଶା ସରକାର ଜମି ଦେଉ ନ ଥିବାରୁ କଲେଜର କୋଠା ନିର୍ମାଣ ହୋଇପାରୁନି।

ବିଜେଡି ନେତା ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଏହି କଲେଜ ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜମି ଯୋଗାଇ ଦେବା ସହ ଆବଶ୍ୟକ ଅନ୍ୟ ପଦକ୍ଷେନ ନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅତି କମ୍‌ଦିନ ଭିତରେ ଏହି କାମ ଆରମ୍ଭ ହେବ।

ଆଦିବାସୀ ଓ ପଛୁଆ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉନ୍ନତମାନର ଉଚ୍ଚଶିକ୍ଷା ପ୍ରଦାନ ଲକ୍ଷ୍ୟରେ ୨୦୧୮ରେ କେନ୍ଦ୍ର ସରକାର ରାଜ୍ୟର କଳାହାଣ୍ଡି, କନ୍ଧମାଳ, ଗଜପତି, ବଲାଙ୍ଗିର, ଢେଙ୍କାନାଳ ଓ କୋରାପୁଟ ଭଳି ୬ଟି ଜିଲ୍ଲାରେ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ହେଲେ ଦୂରଦୃଷ୍ଟିର ଅଭାବରୁ କୋଟି କୋଟି ଟଙ୍କାର ଅର୍ଥଶ୍ରାଦ୍ଧ ପରେ ବି ଏଯାଏଁ କୋରାପୁଟରେ କଲେଜ ପାଇଁ ସାନି ସ୍ଥାନ ଚିହ୍ନଟ ନ ହୋଇପାରିବା ଅସନ୍ତୋଷ ସୃଷ୍ଟି କରିଛି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Students Life In Danger Odisha Governance Bjp Bjd Politics Koraput