Advertisment

Bangladesh Election: ତାରିକ ରହମାନ- ବାଂଲାଦେଶର ନୂଆ ହିରୋ

ବାଂଲାଦେଶ ରାଜନୀତିରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଆଉ ବାଂଲା ଇତିହାସର ସେଇ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି ୬୦ ବର୍ଷୀୟ ରାତିକ୍ ରହମାନ, ଯିଏ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଚେୟାମ୍ୟାନ ଅଛନ୍ତି। ।

author-image
OR Desk
Bangladesh

ବାଂଲାଦେଶ ରାଜନୀତିରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଆଉ ବାଂଲା ଇତିହାସର ସେଇ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି ୬୦ ବର୍ଷୀୟ ତାରିକ ରହମାନ, ଯିଏ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଚେୟାମ୍ୟାନ ଅଛନ୍ତି। । ଶେଷ ହୋଇଥିବା ବାଂଲାଦେଶ ନିର୍ବାଚନରେ ତାଙ୍କୁ କୁହାଯାଉଛି ଜାତୀୟ ହିରୋ। ୧୭ ବର୍ଷ ଧରି ବିଦେଶରେ ନିର୍ବାସନ ଭୋଗୁଥିବା ତାରିକ ରହମାନ, ଏବେ ହେବାକୁ ଯାଉଛନ୍ତି ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ। ନିର୍ବାଚନରେ ତାଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବିପୁଳ ବିଜୟ ହାସଲ କରିଛି।

Advertisment

୧୯୬୫ ନଭେମ୍ବର ୨୦ ତାରିଖରେ ଢାକାରେ ଜନ୍ମିତ ତାରିକ ବାଂଲାଦେଶର ଏକ ପ୍ରଭାବଶାଳୀ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜିଆଉର ରହମାନ ଥିଲେ ବାଂଲାଦେଶ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ, ଯିଏ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପିର ପ୍ରତିଷ୍ଠାତା ଥିଲେ ଓ ପରବର୍ତ୍ତୀ ସମୟରେ ଦେଶର ରାଷ୍ଟ୍ରପତି ଆସନରେ ବସିଥିଲେ। ସେହିପରି ତାରିକଙ୍କ ମାଆ ଖାଲେଦା ଜିଆ ଥିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଅଳ୍ପ ବୟସରେ ବାପାଙ୍କୁ ହରାଇଥିଲେ ତାରିକ।୧୯୮୧ରେ ବାପା ଜିଆଉର ରହମାନଙ୍କ ହତ୍ୟା ସମୟରେ ତାଙ୍କୁ ହୋଇଥିଲା ମାତ୍ର ୧୫ ବର୍ଷ।

୨୦୦୧ରେ ମାଆ ଖାଲେଦା ଜିଆଙ୍କ ଦ୍ୱିତୀୟ ସରକାରରେ ତାରିକ ରହମାନ ବିଏନପିରେ ସକ୍ରିୟ ହୋଇଥିଲେ ଆଉ ୨୦୦୨ରେ ହୋଇଥିଲେ ଦଳର ପ୍ରଥମ ଯୁଗ୍ମ ମହାସଚିବ। ତାଙ୍କ ବିରୋଧରେ ଅଭିଯୋଗ ଉଠିଲା ଯେ, ସେ ଦଳ ଓ ସରକାରର ସମସ୍ତ ନିଷ୍ପତ୍ତି ନିୟନ୍ତ୍ରଣ କରୁଥିଲେ। ୨୦୦୭ରେ ସେନା-ସମର୍ଥିତ ତତ୍ତ୍ୱାବଧାରକ ସରକାର ସମୟରେ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା। ୧୮ ମାସର ଜେଲ୍‌ ପରେ  ଚିକିତ୍ସା ପାଇଁ ୨୦୦୮ରେ ସେ ଲଣ୍ଡନ ଯାଇ ଆଉ ସେଠାରୁ ଫେରି ନଥିଲେ। ଏହା ଭିତରେ ବିତି ଯାଇଥିଲା ୧୭ ବର୍ଷର ନିର୍ବାସନ ଜୀବନ।

Advertisment

ଶେଖ ହାସିନା ସରକାର ସମୟରେ ଅନେକ ମାମଲାରେ ତାରିକ ରହମାନଙ୍କୁ ସଜା ହୋଇଥିଲା। କିନ୍ତୁ ୨୦୨୪ର ଛାତ୍ର-ଜନତା ଆନ୍ଦୋଳନରେ ହାସିନା ସରକାରର ପତନ ପରେ ସମସ୍ତ ମାମଲାରୁ ସେ ଖଲାସ ହୋଇଥିଲେ। ଏହାପରେ ସେ ସ୍ୱଦେଶ ଫେରିଥିଲେ। ୨୦୨୫ ଡିସେମ୍ବର ୨୫ରେ ସେ ଯେତେବେଳେ ଢାକା ବିମାନ ବନ୍ଦରରେ ପାଦ ରଖିଥିଲେ,ତାଙ୍କୁ କରାଯାଇଥିଲା ଉ‌ଛ୍ୱସିତ ସ୍ୱାଗତ। ହେଲେ ମାତ୍ର ପାଞ୍ଚ ଦିନ ପରେ ତାଙ୍କ ମାଆ ଖାଲେଦା ଜିଆଙ୍କ ମୃତ୍ୟୁ ହୋଇଥିଲା।ଏହା ପରେ ସେ ବିଏନପିର ଚେୟାରମ୍ୟାନ ନିଯୁକ୍ତ ହୋଇଥିଲେ।

ଆଉ ଏବେ ଶେଷ ହୋଇଥିବା ଦେଶର ଜାତୀୟ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱରେ ତାଙ୍କ ଦଳର ବିପୁଳ ବିଜୟ ହୋଇଛି ଓ ତାଙ୍କ ଦଳ ବାଂଲାଦେଶ ସଂସଦରେ ଦୁଇ-ତୃତୀୟାଂଶରୁ ଅଧିକ ଆସନ ପାଇଛି। ସେ ନିଜେ ମଧ୍ୟ ଦୁଇଟି ଆସନରୁ ବିଜୟୀ ହୋଇଛନ୍ତି। ଏବେ ତାଙ୍କ ପାଇଁ ଆହ୍ୱାନ ହେଲା, ଅସ୍ଥିରତା ଭିତରୁ ବାହାରି ଏକ ନୂଆ ବାଂଲାଦେଶ ଗଠନ।