Advertisment

ଭଲ ଖବର: ମାତ୍ର ୩ ମାସ ଚାଷ କରି ଚାଷୀ ହେଉଛନ୍ତି ଲକ୍ଷପତି

ଏହି ଟସର ଉତ୍ପାଦନ କେନ୍ଦ୍ର ଆଜି ସ୍ଥାନୀୟ ଚାଷୀମାନଙ୍କ ପାଇଁ ବରଦାନ ପାଲଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
tasar farming

tasar farming

ମାତ୍ର ୩ ମାସ ଚାଷ କରି ଚାଷୀ ହେଉଛନ୍ତି ଲକ୍ଷପତି। ଟସର ଚାଷ ଦେଖାଇଛି ଏହି ରୋଜଗାରର ବାଟ। ଶିଳ୍ପ ଓ ଖଣି ଖାଦାନ ଭରା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗଳପୁର ଠାରେ ରହିଛି ଏସିଆ ମହାଦେଶର ସର୍ବବୃହତ ଟସର ଉତ୍ପାଦନ କେନ୍ଦ୍ର। ଯାହା ସ୍ଥାନୀୟ ଚାଷୀଙ୍କ ମୁହଁରେ ହସ ଫୁଟାଇଛି।

Advertisment

ରାଜ୍ୟ ସରକାରଙ୍କ ଏହି ସଂସ୍ଥା ସ୍ଥାନୀୟ ଅଞ୍ଚଳର ୪୦୦ ଚାଷୀ ପରିବାରକୁ ରୋଜଗାରକ୍ଷମ କରାଇପାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୭୨ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା। ୬୫୦ ଏକର ଜମିରେ ଏହି ଟସର ଉତ୍ପାଦନ କେନ୍ଦ୍ର ରହିଛି। ସ୍ଥାନୀୟ ଅଞ୍ଚଳର ୪୦୦ ଚାଷୀ ପରିବାର ଏଠାରେ ଟସର ଉତ୍ପାଦନ ଓ ବିକ୍ରି କରି ଆର୍ଥିକ ସୁଦୃଢ଼ ହୋଇପାରିଛନ୍ତି।

ଟସର ଚାଷ ପାଇଁ ସରକାର ଆବଶ୍ୟକୀୟ ବନ୍ଦୋବସ୍ତ ଓ ଭିତ୍ତିଭୂମିର ବିକାଶ କରିଥିବା ବେଳେ ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଚାଷୀ ଏହାର ସୁବିଧା ନେଇ ମାଲେମାଲ ହେଉଛନ୍ତି। ସେପଟେ ଟସର ଉତ୍ପାଦନ କେନ୍ଦ୍ରର ୬୫୦ ଏକର ଜମିରେ ଅର୍ଜୁନ ଓ ଅସନ ଗଛ ରୋପଣ କରାଯାଇଛି। ପ୍ରଥମେ ଏହି ଗଛରେ ଟସର ପ୍ରସ୍ତୁତକାରୀ ପୋକ ଛଡାଯାଇ ଟସର ଉତ୍ପାଦନ କରାଯାଉଛି। ପରେ ଚାଷୀମାନେ ଗଛରୁ ଟସର ସଂଗ୍ରହ କରି ବିଭିନ୍ନ ଉପାୟରେ ପ୍ରୋସେସିଂ କରି ଟସର ସିଲ୍କ ପ୍ରସ୍ତୁତ କରୁଛନ୍ତି।

Advertisment

ଟସର ଚାଷ ପାଇଁ ରାଜ୍ୟ ସରକାର ସୁକିନ୍ଦା ଟସର ଚାଷୀ ସମବାୟ ସମିତି ଗଢ଼ି ସମିତିକୁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଛନ୍ତି। ଏଥିସହିତ ସରକାର ଚାଷୀମାନଙ୍କୁ ଟସର ପ୍ରସ୍ତୁତକାରୀ ପୋକର ଡିମ୍ବ ଓ ଚାଷ ପାଇଁ ସମସ୍ତ ସରଞ୍ଜାମ ମାଗଣାରେ ଯୋଗାଇ ଦେଉଛନ୍ତି। ଯାହାଦ୍ୱାରା ଚାଷୀମାନେ ସୁରୁଖୁରୁରେ ଟସର ଉତ୍ପାଦନ କରି ବେଶ ଲାଭବାନ ହେଉଛନ୍ତି।

ସେପଟେ ଏଠାରୁ ଉତ୍ପାଦିତ ହେଉଥିବା ଟସରର ବେଶ୍ ଚାହିଦା ରହିଛି। ଏହାକୁ ରାଜ୍ୟର ବିଭିନ୍ନ ବୁଣାକାର ସମିତି ନେଉଥିବା ବେଳେ ରାଜ୍ୟ ତଥା ଦେଶ ବାହାରକୁ ମଧ୍ୟ ରତ୍ପାନୀ କରାଯାଉଛି। ରାଜ୍ୟ ସରକାରଙ୍କ ଏହା ଏକ ଲାଭଜନକ ସଂସ୍ଥା ବୋଲି ସୁକିନ୍ଦା ଟସର ଚାଷୀ ସମବାୟ ସମିତି ପକ୍ଷରୁ କୁହାଯାଉଛି। ଏହି ଟସର ଉତ୍ପାଦନ କେନ୍ଦ୍ର ଆଜି ସ୍ଥାନୀୟ ଚାଷୀମାନଙ୍କ ପାଇଁ ବରଦାନ ପାଲଟିଛି।

tasar farmingଅମଳ ଟସର ସୋସାଇଟିରେ ବିକ୍ରି କରୁଛନ୍ତି ମହିଳା ଚାଷୀମାନେ।

ତେବେ ଯଦି ଟସର ଉତ୍ପାଦନକୁ ଅଧିକ ଅଞ୍ଚଳରେ କରାଯାଇପାରନ୍ତା ଓ ଅଧିକ ଚାଷୀଙ୍କୁ ଏନେଇ ଅବଗତ କରାଯାଇପାରନ୍ତା ତେବେ ସେମାନେ ମଧ୍ୟ ଲାଭବାନ ହୋଇପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।

ଚାଷୀ ପରମେଶ୍ୱର ଦେହୁରୀ, ଭଜୁ ମହାନ୍ତ ଓ ରତନୀ ମହାନ୍ତ କହିଛନ୍ତି, ପ୍ରାୟ ୩୦ ବର୍ଷ ହେବ ଏହି ଚାଷୀ କରିଆସୁଛନ୍ତି। ସରକାରଙ୍କ ପକ୍ଷରୁ ସୋସାଇଟି ମାଧ୍ୟମରେ ଟସର ଅଣ୍ଡା ଦିଆଯାଉଛି। ଏହି ଅଣ୍ଡା ନେଇ ଚାଷ କରାଯାଉଛି। ଏହି ଟସର ଉତ୍ପାଦନ ପରେ ପୁନଶ୍ଚ ଆଣି ସୋସାଇଟିରେ ବିକ୍ରି କରି ବେଶ ଲାଭ ପାଇ ପରୁଛନ୍ତି। ପ୍ରତ୍ୟେକ କ୍ଷୁଦ୍ର ଚାଷୀ ୩ ମାସ ପରିଶ୍ରମ କରି ୬୦ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଉଛନ୍ତି। ଅଧିକ ଜମିରେ ଚାଷ କରିପାରିଲେ ଲାଭ ଅଧିକ ମିଳୁଛି। ଅନ୍ୟଚାଷ ଅପେକ୍ଷା ଏଥିରେ ଅଧିକ ଲାଭ ମିଳୁଥିବାରୁ ଚାଷୀ ବେଶ ଉପକୃତ ହେଉଛନ୍ତି। ସେଇଥିରେ ପରିବାର ଚଳିବା ଖୁବ୍ ଭଲଭାବେ ହୋଇପାରୁଛି।

Tasar Farmingଟସର ଚାଷ ନିମନ୍ତେ ଲାଗିଥିବା ଶତାଧିକ ଅସନ ଓ ଅର୍ଜୁନ ଗଛ

ସୁକିନ୍ଦା ଟସର ଚାଷୀ ସମବାୟ ସମିତି ସମ୍ପାଦକ ଗୋବର୍ଦ୍ଧନ ପ୍ରଧାନ କହିଛନ୍ତି, ଆଗରୁ ଏହି ଚାଷ ବଣ ଜଙ୍ଗଲରେ ଲୋକେ କରୁଥିଲେ। ଏହା ଏକ ପାରମ୍ପରିକ ଚାଷ ପଦ୍ଧତି। ଧିରେଧିରେ ଚାଷ କମିବାରୁ ସରକାର ଏଠାରେ ୬୫୦ ଏକର ଜମିରେ ଟସର ଚାଷ କରିବାକୁ ଆବଶ୍ୟକ ବ୍ୟବସ୍ଥା କରିଥିଲେ। ଏହି ଜମିରେ ଶତାଧିକ ଅର୍ଜୁନ ଓ ଅସନ ଗଛ ଲଗା ଯାଇଛି। ଏହି ଗଛର ପତ୍ର ଟସର ପୋକଙ୍କ ଖାଦ୍ୟ। ଏହି ଗଛର ପତ୍ର ଖାଇ ଏହି ଗଛରେ ସେମାନେ ବସା କରିଥାନ୍ତି। ମାତ୍ର ୨ ମାସ କାମ କରି ପ୍ରତ୍ୟେକ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏଇ ରୋଜଗାରରେ ସେମାନେ ପରିବାର ଚଳିଇବା ଠାରୁ ଆରମ୍ଭ କରି ପିଲାମାନଙ୍କ ପାଠପଢ଼ା, ଘର ତିଆରି, ବିବାହ ଆଦି ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ଅନଟନ ସୁଧୁରୀ ଯାଇଛି। ବୁଣାକାରମାନେ ବିଭିନ୍ନ ବସ୍ତ୍ର ତିଆରି କରିବା ପାଇଁ ଟସର ନେଉଛନ୍ତି। ଟସର ବିଦେଶୀକୁ ରତ୍ପାତି ହେଉଥିବାରୁ ବିଦେଶୀ ମୁଦ୍ରା ଆମ ଦେଶକୁ ଆସିପାରୁଛି। ଏହାଛଡ଼ା ଟସର ଚାଷ ନିମନ୍ତେ ବ୍ୟାପକ ଉପକାରୀ ବୃକ୍ଷ ରୋପଣ କରାଯାଉଥିବାରୁ ପରିବେଶ ସନ୍ତୁଳନ ରକ୍ଷା ହୋଇପାରୁଛି। ସରକାରଙ୍କ ସହାୟତା ଯୋଗୁ ଚାଷୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଜନକ ଚାଷ ଓ ବ୍ୟବସାୟ ହୋଇଯାଇଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Organic Farming