Advertisment

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର; ରାଜ୍ୟରେ ଛୋଟ ଛୁଆଙ୍କ ପାଇଁ ନାହିଁ ଟିବି ମେଡିସିନ୍

ରାଜ୍ୟରେ ଛୋଟ ପିଲାଙ୍କ ପାଇଁ କୌଣସି ସ୍ଥାନରେ ଟିବି ମେଡିସିନ୍ ନାହିଁ। ଭୁବନେଶ୍ୱରରେ ବି ଷ୍ଟକ୍ ନାହିଁ।

ଅଦ୍ୟତନ ହୋଇଛି
Mohana

Mohana

Advertisment

୭ ବର୍ଷର ପୁଅକୁ ହୋଇଛି ଟିବି (ଯକ୍ଷ୍ମା ରୋଗ)। ପୁଅର ଦେହ ଭଲ କରିବା ପାଇଁ ବିଭିନ୍ନ ସରକାରୀ ହସପିଟାଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ମା’। ହେଲେ ସରକାରୀ ଡାକ୍ତରଖାନାରେ ପୁଅର ଟିବି ରୋଗ ଭଲ ହେବା ପାଇଁ ମେଡିସିନ ମିଳୁ ନାହିଁ। ଅନ୍ୟପକ୍ଷରେ ମା’ ପାଖରେ ଏତେ ସମ୍ବଳ ନାହିଁ ଯେ ସେ ତାର ପୁଅକୁ ଅନ୍ୟ କେଉଁଠୁ ମେଡିସିନ୍‌ କିଣି ଆଣି ଖୁଆଇ ପାରିବ। ପୁଅର ଔଷଧ ପାଇଁ ମା’ର ବିକଳ ଅବସ୍ଥାକୁ ଯିଏ ଦେଖୁଛି ସେ ଆହା ପଦେ କହୁଛି। ହେଲେ କେହି ସାହାଯ୍ୟର ହାତ ବଢ଼ାଉନାହାନ୍ତି କି ସରକାରଙ୍କୁ ତରଫରୁ ୩ ମାସ ମେଡିସିନ ଯୋଗାଇ ଦିଆଯାଉ ନାହିଁ। ସରକାର ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗେସଖାଲ୍ ପଞ୍ଚାୟତ ଦୁର୍ଗାପେଟା ଗାଁରେ।

Advertisment

ଦୁର୍ଗାପେଟା ଗାଁର ମାତିଲଦା କନ୍ଧଙ୍କ ପୁଅ ଏବିୟଙ୍କୁ ଗତ ୩ ମାସ ପୂର୍ବରୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସପ୍ତାହେ ଧରି ଶିଶୁ ବିଭାଗରେ ପିଲାଟିର ଚିକିତ୍ସା କରାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ଏବିୟଙ୍କୁ ଟିବି ହୋଇଛି ବୋଲି ଜଣାପଡ଼ିଥିଲା। ପରେ ସେଠାକାର ଡାକ୍ତର ତାଙ୍କୁ ମୋହନାରୁ ଟିବି ମେଡିସିନ୍‌ ନେଇ ଖାଇବାକୁ ପରାମର୍ଶ ଦେଇଥିଲେ।

ପରିବାର ଲୋକେ ନିଜ ଅଞ୍ଚଳର ଆଶା କର୍ମୀଙ୍କ ସହାୟତାରେ ପୁଅକୁ ମୋହନା ମେଡିକାଲକୁ ନେଇ ଯାଇଥିଲେ। ହେଲେ ସେଠାରେ ଟିବି ମେଡିସିନ ନ ପାଇ ନିରାଶ ହୋଇ ଘରକୁ ଫେରିଥିଲେ। ମେଡିକାଲରେ ବଡ଼ ମାନଙ୍କ ପାଇଁ ଟିବି ମେଡିସିନ ଥିବା ବେଳେ ଗତ ୪ରୁ ୬ମାସ ମାସ ହେଲାଣି ଶିଶୁମାନଙ୍କ ପାଇଁ ଟିବି ମେଡିସିନ ମହଜୁଦ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବି ମେଡିସିନ ଆସୁନାହିଁ। ମେଡିସିନ ପାଇଁ ଜିଲ୍ଲାକୁ ଅବଗତ କରାଯାଇଛି ବୋଲି ମୋହନା ଡାକ୍ତରଖାନାର ଏଲ୍‌ଟି (Laboratory Technician) କହିଥିଲେ।

Advertisment
mohanaମା’ ଓ ଆଶା କର୍ମୀଙ୍କ ମଝିରେ ଠିଆ ହୋଇଛି ଏ‍ବିୟ

ପରେ ପରିବାର ଲୋକେ ଚନ୍ଦ୍ରଗିରି ଓ ଅଡବା ଆଦି ମେଡିକାଲକୁ ନେଇ ଯାଇଥିଲେ। ହେଲେ ସେଠାରେ ମଧ୍ୟ ଛୁଆ ପାଇଁ ଟିବି ମେଡିସିନ ପାଇ ନଥିଲେ। ଶେଷରେ ନିରାଶ ହୋଇ ଘରକୁ ଫେରି ଥିଲେ। ପୁଅର ଚିକିତ୍ସା ପାଇଁ ମେଡିସିନ ଆବଶ୍ୟକ ଥିବା ବେଳେ ବିଭିନ୍ନ ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହେଲା ପରେ ବି ମେଡିସିନ ମିଳୁନାହିଁ । ପରିବାର ଲୋକେ ଅତ୍ୟନ୍ତ ଗରିବ ଥିବା ବେଳେ ଅନ୍ୟ କେଉଁଠୁ ମେଡିସିନ କିଣି ପୁଅକୁ ଖାଇବାକୁ  ଦେବାକୁ ସମ୍ବଳ ନାହିଁ। ତୁରନ୍ତ ମେଡିସିନ ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରୀ କରିଛନ୍ତି ମାତିଲଦା କନ୍ଧ।

ସେ କହିଛନ୍ତି, ମୋ ପୁଅର ଗ୍ଲାଣ୍ଡ ଟିବି ହୋଇଛି । ପୁଅର ରୋଗ ଭଲ ହେବା ପାଇଁ ମେଡିସିନ ଦେଇ ପାରୁ ନାହିଁ। ମେଡିସିନ ନ ମିଳିଲେ ମୋର ପିଲା ମରିଯିବ। ମୋ ପାଖର ଯାହା ଅର୍ଥ ଥିଲା ତାହା ଖର୍ଚ୍ଚ ହୋଇଗଲାଣି। ସରକାର ମୋ ପୁଅ ପାଇଁ ମେଡିସିନ୍ ଯୋଗାଇ ଦିଅନ୍ତୁ ଓ ମୋ ପୁଅକୁ ବଞ୍ଚାଇ ଦିଅନ୍ତୁ।

ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର କହିଛନ୍ତି, ରାଜ୍ୟରେ ଛୋଟ ପିଲାଙ୍କ ପାଇଁ ଟିବି ମେଡିସିନ୍ ନାହିଁ କି ଭୁବନେଶ୍ୱରରେ ବି ଷ୍ଟକ୍ ନାହିଁ। ଯଦି କେଉଁଠି ମିଳୁଥିବ ଆମେ କିଣିକି ଦେବୁ।

Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe