Advertisment

ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଆଦିବାସୀ ପିଲା

ପରୀକ୍ଷା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଅନ୍ଧାରରେ କଟାଇବାକୁ ବାଧ୍ୟ ହେଉଛନ୍ତି ବୋର୍ଡ ପରୀକ୍ଷାର୍ଥୀ

ଅଦ୍ୟତନ ହୋଇଛି
Student

Student

Advertisment

ଡିବିରି ଆଲୁଅରେ ଭବିଷ୍ୟତ ଗଢ଼ୁଛନ୍ତି ଆଦିବାସୀ ପିଲା। ଦିନକ ପରେ ମାଟ୍ରିକ୍ ପରୀକ୍ଷା। ଦଶମ ଛାତ୍ରଛାତ୍ରୀ ଦିନରାତି ଏକ୍ କରି ପରୀକ୍ଷା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ହେଲେ ବିଜୁଳି ନଥିବାରୁ ଅନ୍ଧାର ସାଜିଛି ବାଧକ।

Advertisment

ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ଏକ ବସ୍ତିରେ ୩ ମାସ ହେଲା ବିଜୁଳି ନହିଁ। ପରୀକ୍ଷା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଅନ୍ଧାରରେ କଟାଇବାକୁ ବାଧ୍ୟ ହେଉଛନ୍ତି ସେଠାକାର ବୋର୍ଡ ପରୀକ୍ଷାର୍ଥୀ। ଚାରିଆଡ଼େ କିଟି କିଟି ଅନ୍ଧାର ଭିତରେ ନିଜ ଭବିଷ୍ୟତର ଆଲୋକକୁ ଖୋଜୁଛନ୍ତି ବୋର୍ଡ ପରୀକ୍ଷାର୍ଥୀ ମାନେ। ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ଏହି ବସ୍ତିର ପିଲା ମାନେ ଅନ୍ଧାରରେ ଆଉଟୁପାଉଟୁ ହେଉଛନ୍ତି।

ବି. କରୁଆବାହାଲ ପଞ୍ଚାୟତ ଅନ୍ତର୍ଗତ ଠେଲକୋଛପଲ ବସ୍ତିରେ ଗତବର୍ଷ ଡିସେମ୍ବରରେ ଏଠି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇଥିଲା। ଆଉ ତାକୁ ବଦଳାଯାଇନି କି ମରାମତି ହୋଇନି। ତେଣୁ ପ୍ରଥମ କିଛି ଦିନ ମହମବତି ଜାଳୁଥିଲେ ଲୋକେ। ହେଲେ ବସ୍ତିର ଗରିବ ଗୁରୁବା କେତେ ବା ମହମବତି କିଣିବେ ଶେଷରେ ଡିବିରି ଓ ଦୀପରେ କାମ ଚଳାଉ ଛନ୍ତି। ତେବେ ସବୁଠୁ ବେଶି ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। କେବଳ ଛୋଟ ପିଲା ନୁହଁନ୍ତି, ଏଠି ବହୁ ମାଟ୍ରିକ୍ ପଢ଼ୁଆ ପିଲା ବି ଅଛନ୍ତି। ମୁଣ୍ଡ ଉପରେ ମାଟ୍ରିକ୍ ପରୀକ୍ଷା ଥିବା ବେଳେ, ସେମାନେ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି, ଏହା କେବଳ ସେମାନଙ୍କୁ ହିଁ ଜଣା।

Advertisment

୩ ମାସ ହେଲା ଜଳିନି ବିଜୁଳି ଆଲୁଅ। କେବଳ ୨ଶହ ପରିବାର ରହୁଥିବା ଏହି ସୀମାନ୍ତବର୍ତ୍ତୀ ବସ୍ତିରେ ବତି ଗୁଲ୍ ହୋଇନି, ସତେ ଯେମିତି ଗୁଲ୍ ହୋଇଯାଇଛି ପ୍ରଶାସନର କାର୍ଯ୍ୟକାରିତା। ଲୋକେ କହୁଛନ୍ତି ଟ୍ରାନ୍ସଫର୍ମର ପୋଡ଼ିବା ପରେ ଟାଟା ପାୱାର୍ କର୍ମଚାରୀ ଏହାକୁ ମରାମତି କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ନହେବାରୁ ଛାଡ଼ି ଚାଲିଗଲେ ଯେ। ସେବେ ଠାରୁ ଆଉ କାହାର ଦେଖା ନାହିଁ କି ଦର୍ଶନ ନାହିଁ। ଲୋକେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ସୀମା ଅଞ୍ଚଳରେ ରାତି ହେଲେ ହାତୀ ପ୍ରାଦୁର୍ଭାବ ବଢ଼ୁଥିବାରୁ, ସଞ୍ଜ ନଇଁଲେ ଘର ଭିତରେ କବାଟ କିଳି ରହୁଛନ୍ତି ଲୋକେ। ଲୋକଙ୍କ ଏହି ଅସୁବିଧା ଦେଖି ଟାଟା ପାୱାର ଗ୍ରୀଡ୍ ସବଷ୍ଟେସନକୁ ଯାଇ, ସେଠାରେ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଥିଲା ଓଟିଭି ଟିମ୍। ସେ କହିଛନ୍ତି, ବିଦ୍ୟୁତ ପୁନର୍ବାହାଲ ପାଇଁ ଅତିଶୀଘ୍ର ବ୍ୟବସ୍ଥା କରାଯିବ ଏବଂ ଯେତେ ଦିନ ଲୋକେ ବିଜୁଳି ବ୍ୟବହାର କରିନାହାନ୍ତି, ତାର ବିଲ୍ ଦେବାକୁ ପଡ଼ିବ ନାହିଁ।

Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe