ଗୋପବନ୍ଧୁଙ୍କ ଅନ୍ୟତମ ସାଧନା ପୀଠ ଏବେ ଭୂତ କୋଠି, ସେଠି ଗଡ଼ୁଛି ମଦ ବୋତଲ

ଓଡ଼ିଶାର ପ୍ରଥମ ପୌର ପରିଷଦ ଭାବେ ୧୯୦୫ ମସିହାରେ ପ୍ରତିଷ୍ଠା ହୋଇଥିବା ବାରିପଦା ପୌରପରିଷଦରେ ରାଜା ନଗରପାଳ ଥିବା ବେଳେ ଗୋପବନ୍ଧୁ ଦାସ ଉପ-ନଗରପାଳ ହୋଇଥିଲେ।

ମୟୂରଭଞ୍ଜରେ ରହଣୀ ସମୟରେ ଏହି ଘରେ ରହୁଥିଲେ ଗୋପବନ୍ଧୁ ଦାସ

  • Published: Thursday, 16 February 2023
  • , Updated: 16 February 2023, 08:11 PM IST

ଉତ୍କଳମଣିଙ୍କ ଅନ୍ୟତମ ସାଧନା ପୀଠ ଭୂତ କୋଠି! ସଞ୍ଜ ନଇଁଲେ ସେଠାରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସାହିତ୍ୟ ଶବ୍ଦ ବଦଳରେ ମଦ କାଚର ଝଣ୍‌ ଝାଣ୍‌ ଶବ୍ଦ ଶୁଭୁଛି। ଉତ୍କଳମଣିଙ୍କ ଏ ସାଧନା ପୀଠ ଆଜି କାହିଁକି ହୋଇଛି ଅବହେଳିତ? ଏହାର ଉତ୍ତର କାହାପାଖରେ ନଥିବା ବେଳେ ଦେବୋତ୍ତର ବିଭାଗର ଅବହେଳାରୁ ଏପରି ହୋଇଥିବା ଅଭିଯୋଗ ହେଉଛି।

ଦେଶ ସ୍ୱାଧୀନ ହେବା ପୂର୍ବରୁ ମୟୂରଭଞ୍ଜ ଗୋଟିଏ ରାଜ୍ୟ ଥିଲା। ଆଉ ମହାରାଜା ଥିଲେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ। ସେତେବେଳେ ଗୋପବନ୍ଧୁ ଦାସ ଓକିଲାତି ପାଠ ପଢ଼ା ଶେଷ କରି ଚାଲି ଆସିଥିଲେ ମୟୂରଭଞ୍ଜ। ସେଠାରେ ସେ ଓକିଲାତି କରୁଥିଲେ। ଓଡ଼ିଶାର ପ୍ରଥମ ପୌର ପରିଷଦ ଭାବେ ୧୯୦୫ ମସିହାରେ ପ୍ରତିଷ୍ଠା ହୋଇଥିବା ବାରିପଦା ପୌରପରିଷଦରେ ରାଜା ନଗରପାଳ ଥିବା ବେଳେ ଗୋପବନ୍ଧୁ ଦାସ ଉପ-ନଗରପାଳ ହୋଇଥିଲେ। ଏଥିସହ ରାଜାଙ୍କୁ ଆଇନ୍‌ ପରାମର୍ଶ ଦେଉଥିଲେ। ସେହି ସମୟରେ ସେ (ବର୍ତ୍ତମାନର ବାରିପଦା ଟାଉନ୍‌) ଏକ ଟାଇଲି ଛପର ଘରେ ରହୁଥିଲେ। ସେହି ଘର ଥିଲା ଗୋପବନ୍ଧୁ ଦାସଙ୍କ ଅନ୍ୟତମ ସାଧନା ପୀଠ। ସେଠାରେ ସେ ସାହିତ୍ୟ ସାଧାନା କରୁଥିଲେ ଓ ନିଜ ସହ କର୍ମୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ।

ଉତ୍କଳମଣିଙ୍କ ସେହି ଶତାୟୁ ଭବନଟି ପ୍ରଶାସନିକ ଅବହେଳାରେ ଶିକାର ହୋଇଛି। ସେହି ଘରର କାନ୍ଥରେ ନାହିଁ ସିମେଣ୍ଟ ପଲସ୍ତରା। ଚାରି କାନ୍ଥ ଫାଟି ଆଁ କରିଛି। ଘର ଭିତରେ ଦିନରେ ସୂର୍ଯ୍ୟ ଓ ରାତିରେ ଚାନ୍ଦ ଦେଖାଯାଉଛି। ଝରକା ଓ କବାଟ ଭାଙ୍ଗି ପଡ଼ିଛି। ଯେଉଁ ମହାତ୍ମାଙ୍କୁ ନେଇ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ, ସାରା ଓଡ଼ିଶା ଗର୍ବ ମନେ କରୁଛି, ତାଙ୍କ ନାଁରେ ଥିବା ଐତିହାସିକ ସ୍ଥଳ ଆଜି ଜୀର୍ଣ୍ଣଶୀର୍ଣ୍ଣ ହୋଇପଡିଛି। ଯେଉଁଠି ଉତ୍କଳମଣି ଗୋପବନ୍ଧୁ ଦାସ ବସି ସାହିତ୍ୟ ସାଧନା କରୁଥିଲେ, ସେଠାରେ ଆଜି ମଦ୍ୟପମାନେ ନିଶା ସେବନ କରୁଛନ୍ତି। କହିବାକୁ ଗଲେ ସାହିତ୍ୟ ସାଧନା ପୀଠ ଆଜି ମଦ ଭାଟିରେ ପରିଣତ ହୋଇଛି! ରକ୍ଷଣା ବେକ୍ଷଣାକୁ ନେଇ ଚାଲିଥିବା ମାମଲା ପାଇଁ ଆଜି ଏହି ପୀଠ ଭୂତ କୋଠୀରେ ପରିଣତ ହୋଇଛି।

ଗୋପବନ୍ଧୁ ଭବନଟି ଅବହେଳିତ ହେବାର ମୁଖ୍ୟ କାରଣ ହେଉଛି ଏହି ଜମିର ମାଲିକାନାକୁ ନେଇ। ଜମିଟି ବାରିପଦା ସାନ ଜଗନ୍ନାଥ ଠାକୁରଙ୍କ ନାଁରେ ଥିବା ବେଳେ ଏହା ଦେବୋତ୍ତର ବିଭାଗ ଅଧୀନରେ ରହିଥିଲା। ଦେବୋତ୍ତର ବିଭାଗ ଏଥିରୁ କିଛି ଜମିକୁ ଶାଗ ମାଛ ଦରରେ କେତେକ ବ୍ୟବସାୟୀଙ୍କୁ ଲିଜ ସୁତ୍ରରେ ଦେଇ ଦେଇଥିବା ବେଳେ ଆଉ କିଛି ଲୋକ ଜବର ଦଖଲ କରି ରହିଛନ୍ତି। ଦେବୋତ୍ତର ବିଭାଗର ଏପରି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଗ୍ରହଣ କରିପାରିନଲେ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

ତେବେ ୨୦୦୩ ମସିହାରେ ଜିଲ୍ଲାପ୍ରଶାସନ ଏହାର ମାଲିକାନା ବାରିପଦା ମ୍ୟୁନିସିପାଲଟିକୁ ଦେଇଥିଲା। ମାତ୍ର ଦେବୋତ୍ତର ବିଭାଗ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜମି ମାଲିକାନାକୁ ନେଇ କୋର୍ଟରେ ମାମଲା ଚାଲିଥିଲା। ଆଉ ତା’ରି ଭିତରେ ପେଶି ହୋଇ ଯାଇଥିଲା ବାରିପଦାର ଇତିହାସ।

ବାରିପଦର ଐତିହ୍ୟ ବହନ କରୁଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏହି ସାଧନା ପୀଠକୁ ନେଇ ଏବେ ଶୁଣିବାକୁ ମିଳୁଛି ଭଲ ଖବର। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସ ରହୁଥିବା ଘରଟି ବାରିପଦା ମ୍ୟୁନିସିପାଲଟି ଅଧୀନରେ ଥିଲା। ତେବେ ୨୦୦୪-୦୫ ମସିହାରେ କୌଣସି କାରଣବସତଃ ମ୍ୟୁନିସିପାଲଟିର ଅଜ୍ଞାତରେ ଦେବୋତ୍ତର ବିଭାଗକୁ ଚାଲି ଯାଇଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ଉଚ୍ଚନ୍ୟାୟରେ ଆଶ୍ରୟ ନେଇଥିଲୁ। ମାସେ ତଳେ କୋର୍ଟ ଆମ ସପକ୍ଷରେ ରାୟ ଦେଇଛନ୍ତି। ଦେବୋତ୍ତର ବିଭାଗ ପାଖରେ ଥିବା ଜମିକୁ କ୍ୱାସ୍‌ କରିଦେଇଛନ୍ତି କୋର୍ଟ। ଏବେ ଉକ୍ତ ସ୍ଥାନକୁ ମ୍ୟୁନିସିପାଲଟି ଅଧୀନକୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି। ଏଥିସହ ଏ ସମ୍ପର୍କରେ ପ୍ରସ୍ତାବ ପଠାଇବା ପାଇଁ ଜିଲ୍ଲାପାଳ ଆମକୁ କହିଛନ୍ତି। ଆଶା କରୁଛୁ ଚଳିତବର୍ଷ ଗୋପବନ୍ଧୁ ଭବର ପୁନର୍ବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରିପୋର୍ଟ-ବାରିପଦାରୁ ମାଣିକଲାଲ୍‌ ପାଣି

Related story